ନନ୍ଦିଘୋଷ ବ୍ୟୁରୋ:ମଙ୍ଗଳବାର ଦିନ ଜାପାନର କୁମାମୋଟୋ ପ୍ରଦେଶରେ 7.1 ପ୍ରବଳ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି। ଜାପାନରେ ମଙ୍ଗଳବାର (28 ଜୁଲାଇ 2026) ଦିନ 7.1 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାପାନ ପାଣିପାଗ ଏଜେନ୍ସି (JMA) ଅନୁଯାୟୀ, କୁମାମୋଟୋ ପ୍ରଦେଶରେ ରିକ୍ଟର ସ୍କେଲରେ 7.1 ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି। ଭୂକମ୍ପର ଠିକ୍ ପରେ ଜାପାନ ପାଣିପାଗ ଏଜେନ୍ସି ସୁନାମି ଚେତାବନୀ ଜାରି କରିଛି। ଏଜେନ୍ସି ଜଣାଇଛି ଯେ ସମୁଦ୍ରରେ ପ୍ରାୟ 1 ମିଟର (ପାଖାପାଖି 3.28 ଫୁଟ) ଓ୍ଵଚ୍ଚତାର ଲହରୀ ଉଠିବାର ଆଶଙ୍କା ରହିଛି। ଏହା ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ଏବଂ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ଭୂକମ୍ପ ପରେ ଜାପାନ ସରକାର ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରୁରୀକାଳୀନ ଭୂକମ୍ପ ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ ଜାପାନର ଦକ୍ଷିଣ କ୍ୟୁଶୁ ଦ୍ୱୀପର ଅନେକ ପ୍ରଦେଶ ପାଇଁ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇଟା ଏବଂ ମିୟାଜାକି ପ୍ରଦେଶ ପାଇଁ ଜରୁରୀକାଳୀନ ଆଲର୍ଟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି ଏବଂ ଲୋକଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
ସମ୍ପ୍ରତି ଭୂକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷତି କିମ୍ବା କେହି ମୃତାହତ ହୋଇଥିବା ନେଇ କୌଣସି ସରକାରୀ ସୂଚନା ସାମ୍ନାକୁ ଆସିନାହିଁ। ରିଲିଫ ଏବଂ ଉଦ୍ଧାରକାରୀ ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରେ ସ୍ଥିତିର ଆକଳନ କରାଯାଉଛି। ଜାପାନ ବିଶ୍ୱର ସବୁଠାରୁ ଅଧିକ ଭୂକମ୍ପ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଦେଶ ପ୍ରଶାନ୍ତ ମହାସାଗରର ‘ରିଙ୍ଗ ଅଫ୍ ଫାୟାର’ ଅଞ୍ଚଳରେ ଅବସ୍ଥିତ, ଯେଉଁଠାରେ ପ୍ରାୟତଃ ଭୂକମ୍ପ ଏବଂ ଜ୍ୱାଲାମୁଖୀ କାର୍ଯ୍ୟକଳାପ ଘଟୁଥାଏ। ଏହି କାରଣରୁ ଜାପାନରେ ଭୂକମ୍ପର ମୁକାବିଲା କରିବା ପାଇଁ ଏକ ଦୃଢ଼ ବିପର୍ଯ୍ୟୟ ପରିଚଳନା ବ୍ୟବସ୍ଥା ବିକଶିତ କରାଯାଇଛି।

