spot_img
Home Blog Page 2350

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ 

ଭୁବନେଶ୍ବର: ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ  । ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଗତକାଲି ନୂଆବର୍ଷ ଥିବାରୁ ଏହାକୁ ଖୋଲା ରଖାଯାଇଥିଲା । ଏଣୁ ତା ପରିବର୍ତ୍ତେ ଆଜି ନନ୍ଦନକାନନକୁ ବନ୍ଦ ରଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ନୂଆବର୍ଷରେ ୩୦ ହଜାର ୫୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ ।  ଗତ ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ମଧ୍ୟରେ ୧ଲକ୍ଷ ୯୧ ହଜାର ୨୨୪ ଜଣ ପର୍ଯ୍ୟଟକ ଆସିଥିଲେ । ଯାହାକି ଗତବର୍ଷ ଗୁଡିକ ତୁଳନାରେ ବହୁ ଅଧିକ ।

ବଡଦିନ ଅବସରରେ ୧୯ ହଜାର ୬୨୬ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ୨୭ ତାରିଖରେ ୪୦ହଜାର ୩୧୬ ଜଣ ପର୍ଯ୍ୟଟକ, ୨୮ରେ ୩୧ ହଜାର ୨୩୭ ପର୍ଯ୍ୟଟକ, ୨୯ରେ ୩୧ହଜାର ୩୧୨ ପର୍ଯ୍ୟଟକ ଆସିଥିଲେ। ୩୦ରେ ୩୨ହଜାର ୨୦୧ ପର୍ଯ୍ୟଟକ ଆସିଥିଲେ। ବର୍ଷ ଶେଷ ଅର୍ଥାତ୍ ୩୧ରେ ୩୬ ହଜାର ୫୩୨ ପର୍ଯ୍ୟଟକ ଆସିଥିଲେ । ଗତବର୍ଷ ଏପ୍ରିଲ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ୧କୋଟି ୪୯ଲକ୍ଷ ୫୮ହଜାର ୭୦ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଥିଲେ ।

ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ

ପୁରୀ: ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ଜନସମୁଦ୍ର । ମହାପ୍ରଭୁଙ୍କୁ ଦର୍ଶନ କଲେ ରେକର୍ଡ ୫ ଲକ୍ଷରୁ ଅଧିକ ଭକ୍ତ । ଭକ୍ତଙ୍କୁ ଆକୃଷ୍ଟ କରିଛି ବହୁ ଆକାଂକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।  ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ସହ ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି  ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି । ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ  । ତଥାପି ସେମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ସହ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରିଥିଲେ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ସଅଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ଲାଗି ଯୋଗୁଁ ଭକ୍ତମାନେ ମଧ୍ୟ ଆନନ୍ଦିତ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ନିମନ୍ତେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ. ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ପ୍ରଶାସନର କାର୍ଯ୍ୟକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏକ ଦିବ୍ୟ ଅନୁଭୂତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଛନ୍ତି।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିୟମିତ ଭାବରେ ଏହାର ଅନୁଧ୍ୟାନ କରୁଛନ୍ତି  । ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଓ ଏହାର ଚତୁଃର୍ପାର୍ଶ୍ବରେ ସୁବିଧା ସୁଯୋଗ କରାଯାଇଛି । ଏପରିକି ପରିକ୍ରମା ଅଞ୍ଚଳ ମଧ୍ୟରେ ଭକ୍ତଙ୍କ ବାଧାମୁକ୍ତ ବିଚରଣ, ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ଦର୍ଶନ, ପରିକ୍ରମଣ ଏବଂ ବଡ଼ ଦେଉଳରେ ପ୍ରତିଦିନ ହେଉଥିବା ପତାକା ପରିବର୍ତ୍ତନର ଦୃଶ୍ୟ ଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ମେଘନାଦ ପାଚେରୀ ଚାରିପଟେ ଅଳ୍ପ ଦୂରତାରେ ଖଣ୍ଡେଲାଇଟ୍ ପଥରେ ସ୍ୱଳ୍ପ ଉଚ୍ଚତାର ପଥର ବ୍ୟାରିକେଡ଼ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ସେହିପରି ସ୍ଥାନାନ୍ତରଣକ୍ଷମ ଗଛ ଚାରା ମନ୍ଦିର ଚାରିପଟେ ଘନ ସବୁଜ ଉଦ୍ୟାନର ଭ୍ରମ ସୃଷ୍ଟି କରିଛି । ପୁରୀ ଜନସାଧାରଣ, ଛୋଟ ବ୍ୟବସାୟୀ, ସେବାୟତମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଯେଉଁଥିପାଇଁ ପୁରୀକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ନୂଆ ବର୍ଷରେ ପୁରୀକୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ଏହା ୩ରୁ ୪ଗୁଣ ବୃଦ୍ଧି ପାଇ ୫ ଲକ୍ଷ ଅତିକ୍ରମ କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋଭନୀୟ ଶୋଭା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି।

ଜାମ୍ମୁ ଓ କାଶ୍ମୀର ସ୍ଥିତି ନେଇ ନୂଆଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ

ଜାମ୍ମୁ କାଶ୍ମୀର: ସୁଧୁରୁନି ଜାମ୍ମୁ ଓ କାଶ୍ମୀର ସ୍ଥିତି । ଆଜି ନୂଆଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ । ବିଶେଷ କରି ରାଜୌରୀ ଓ ପୁଞ୍ଚରେ ଆତଙ୍କବାଦୀଙ୍କ ଦମନ ନେଇ ବୈଠକରେ କରାଯିବ ସମୀକ୍ଷା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।  ଗତ ଡିସେମ୍ବର ୨୭ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜୌରୀ ଗସ୍ତ କରିବା ସହ ସେଠାରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଏକେ ଭାଲ୍ଲା, ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେବେ । ବର୍ତ୍ତମାନ ସୁଦ୍ଧା 19 ଜଣ ଯବାନ ସହିଦ ହୋଇଥିବାବେଳେ 30 ଜଣ ଆତଙ୍କୀଙ୍କୁ ନିପାତ କରାଗଲାଣି । ଜାମ୍ମୁ ଓ କାଶ୍ମୀରରେ ଚଳିତବର୍ଷ ଆତଙ୍କବାଦୀ ଦମନ ନୀତି ନେଇ ବୈଠକରେ ଆଲୋଚନା ହେବ ।

ପିର ପଞ୍ଜାଲ ପାର୍ବତ୍ୟାଞ୍ଚଳରେ ରହି ଆତଙ୍କବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରୁଥିବା ସୂଚନା ମିଳିଛି । ଗତ ଡିସେମ୍ବର ୨୧ରେ ସୁରନକୋଟ ଇଲାକା ଅନ୍ତର୍ଗତ ଡେରା କି ଗଲି ରେ ଆତଙ୍କୀ ହମଲାରେ ୪ ଜଣ ଯବାନ ସହିଦ ହେବା ସହ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ସ୍ଥିତି ଅଧିକ ବିଗିଡିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ୨୭ ତାରିଖରେ ରାଜୌରୀ ଗସ୍ତ କରିଥିଲେ ।

ଆଜିଠୁ ଭାରତ-ୟୁଏଇ ମଧ୍ୟରେ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଆଜିଠାରୁ ଭାରତ-ୟୁଏଇ ମଧ୍ୟରେ ମିଳିତ ସମରାଭ୍ୟାସ । ଡେଜର୍ଟ ସାଇକ୍ଲୋନ ୨୦୨୪ ନାମରେ ନାମିତ ଏହି ସମରାଭ୍ୟାସ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଶକ୍ତିଶାଳୀ କରିବ । ପ୍ରାୟ ୨ ସପ୍ତାହ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସ ଆସନ୍ତା ୧୫ ତାରିଖ ଯାଏ ଚାଲିବ । ରାଜସ୍ଥାନରେ ଏହି ସମରାଭ୍ୟାସରେ ସାମିଲ ହେବ ଦୁଇ ଦେଶର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ।

ଏହି ସମରାଭ୍ୟାସ ସମୟରେ ଭାରତୀୟ ଓ ୟୁଏଇ ସୈନ୍ୟ ବିଭିନ୍ନ କଷ୍ଟସାଧ୍ୟ ସାମରିକ ପ୍ରଶିକ୍ଷଣ ନେବେ । ଏହା ଅର୍ବାନ ଅପରେସନ କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଭାରତୀୟ ସେନାର ଅତିରିକ୍ତ ସାଧାରଣ ସୂଚନା ମହାନିର୍ଦ୍ଦେଶକ- ଏଡିଜିପିଆଇ । ବିଭିନ୍ନ ଦେଶର ସେନା ସହ ଭାରତୀୟ ସେନାର ତାଲିମ କାର୍ଯ୍ୟକ୍ରମ ଅନେକ ସମୟରେ ହୋଇଥାଏ । ପ୍ରଯୁକ୍ତି. କୌଶଳ, ପ୍ରକ୍ରିୟା ଆଦି କ୍ଷେତ୍ରରେ ଦ୍ବିପାକ୍ଷିକ ଭାବ ବିନିମୟ ଘଟିଥାଏ । ମିଲିଟାରୀ ଅପରେସନର ଉନ୍ନତି ଓ ଆଧୁନିକୀକରଣ ଲାଗି ଏହା ସହାୟକ ହୋଇଥାଏ ।

ଗତବର୍ଷ ପ୍ରାରମ୍ଭିକ କାଳରେ ଭାରତୀୟ ନୌସେନାର ଦୁଇ ଜାହାଜ ଆଇଏନଏସ ବିଶାଖପାଟଣା ଓ ଆଇଏନଏସ ତ୍ରିକାଣ୍ଡ ଭାରତ-ୟୁଏଇ ମିଳିତ ସମରାଭ୍ୟାସ ଜାୟେଦ ତଲଓ୍ବାରରେ ଭାଗ ନେଇଥିଲେ । ୧୯୭୨ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହୋଇଥିବାବେଳେ ତାପରଠାରୁ ବିଭିନ୍ନ କ୍ଷେତ୍ରରେ ସହଭାଗିତା ଜାରି ରହିଛି ।

୯ ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ଦ୍ବାରକା: ୯ ଘଣ୍ଟାର ଅପରେସନ ପରେ ବୋରଓ୍ବେଲ ଉଦ୍ଧାର ହେଲା ଶିଶୁକନ୍ୟା । ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଖୋଲା ନଳକୂଅରେ ଖସିପଡିଥିଲା ଅଢ଼େଇ ବର୍ଷର ଶିଶୁକନ୍ୟା । ଦ୍ବାରକାର କଲ୍ୟାଣପୁର ତାଲୁକାର ରାନ ଗ୍ରାମରେ ଖେଳୁଥିବା ଅବସ୍ଥାରେ ଖୋଲା ନଳକୂଅରେ ଖସିପଡିଥିଲା ଆଞ୍ଜେଲ ସଖ୍ରା । ଖବର ପାଇବା ପରେ ଜିଲ୍ଲାପାଳ ଅଶୋକ ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଶିଶୁଟି ୩୦ ଫୁଟ ଭିତରେ ଲାଖିଥିଲା । ଆର୍ମିର ରେସ୍କ୍ୟୁ ଟିମ ସେଠାରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲା । ତାକୁ ସ୍ଥାନୀୟ ଜାମନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଣି ରକ୍ତରଞ୍ଜିତ ମଣିପୁର, ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ରକ୍ତରଞ୍ଜିତ ମଣିପୁର । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ, ଅନେକ ଆହତ । ରାଜ୍ୟର ସ୍ଥିତି ଅଶାନ୍ତ ହେବା ପରେ ରାଜ୍ୟର ୫ଟି ଉପତ୍ୟକା ଜିଲ୍ଲାରେ ଜାରି ହୋଇଛି କର୍ଫ୍ୟୁ । ଥୋବାଲ ଜିଲ୍ଲାରେ କେତେକ ଅଜଣା ଦୁର୍ବୃତ୍ତ ସ୍ବୟଂଚାଳିତ ବନ୍ଧୁକ ଧରି ଖେଳାଇଛନ୍ତି ଆତଙ୍କ । ସେମାନେ ବଳପୂର୍ବକ ଅର୍ଥ ଦାବି କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ଶାନ୍ତି ରକ୍ଷା ଲାଗି ଆହ୍ବାନ କରିଛନ୍ତି । ହିଂସା ବଢିବା ଆଶଙ୍କାରେ ଥୋବାଲ, ଇମ୍ଫାଲ ଇଷ୍ଟ, ଇମ୍ଫାଲ ଓ୍ବେଷ୍ଟ, କାକଚିଙ୍ଗ, ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଗତବର୍ଷ ରାଜ୍ୟରେ ବ୍ୟାପକ ହିଂସା ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମେ ୩ ପରଠାରୁ ଘଟିଚାଲିଥିବା ହିଂସାରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସହ ୬୦ ହଜାରରୁ ଅଧିକ ଲୋକ ବାସହୀନ ହୋଇଛନ୍ତି । ତେବେ କିଛିଦିନ ପୂର୍ବେ ମଣିପୁରର ଲଜ୍ଜଘଟଣା ସାରା ଦେଶରେ ଚର୍ଚ୍ଚାରେ ରହିଥିବାବେଳେ ହିଂସା ଦେଖିବାକୁ ମିଳିଥିଲା । ପୁଣି ଏଭଳି ଏକ ଘଟଣା ସାରା ଦେଶରେ ମଣିପୁରକୁ ଖବରର ଶିରୋନାମା ପାଲଟାଇ ଦେଇଛି ।

ପୋଲିସ-ମାଓବାଦୀ ଗୁଳିବିନିମୟ, ଟପ୍ ମାଓନେତା ଏନକାଉଣ୍ଟରରେ ଗୁରୁତର

ମାଲକାନଗିରି: ପୋଲିସ-ମାଓବାଦୀ ଗୁଳିବିନିମୟ । ଟପ୍ ମାଓ ନେତା ପୋଲିସ ଏନକାଉଣ୍ଟରରେ ଗୁରୁତର ସୂଚନା । ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଗୁରୁତର ବୋଲି ପୋଲିସ ଅନୁମାନ କରୁଛି। ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମା ହାତରେ ଲାଗିଛି ଗୁଳି। ଦୁଇ DRG ଯବାନ ଗୁରୁତର ହୋଇଛନ୍ତି।ଗୁରୁତର ଦୁଇ ଯବାନଙ୍କ ସହ ମହିଳାଙ୍କୁ ପୋଲିସ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ଝାଡ଼ଖଣ୍ଡରେ ଖୁବଶୀଘ୍ର ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ଖୁବ ଶୀଘ୍ର ହୋଇପାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ । ସିଏମ ହେମନ୍ତ ସୋରେନଙ୍କ ବଦଳରେ ତାଙ୍କ ସ୍ତ୍ରୀ କଳ୍ପନା ହୋଇପାରନ୍ତି ଶାସକ । ଏନେଇ ଜୋର ଧରିଛି କଳ୍ପନାଜଳ୍ପନା । ଜମି ଦୁର୍ନୀତି ମାମଲାରେ ହେମନ୍ତଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାନି ସମନ ଜାରି କରିବା ପରେ ନିଷ୍ପତ୍ତି ପରିବର୍ତ୍ତନ କରିପାରନ୍ତି ହେମନ୍ତ । ସେପଟେ ଏହି କଳ୍ପନାଜଳ୍ପନାରେ ଅଧିକ ଖୋରାକ ଯୋଗାଇଛି ବିଧାୟକ ସରଫରାଜ ଅହମ୍ମଦଙ୍କ ଇସ୍ତଫା । ତେବେ ତିକ୍ତତା କାରଣରୁ ନୁହେଁ ବରଂ ଜେଏମଏମକୁ ଶକ୍ତିଶାଳୀ କରିବା ଲାଗି ସେ ଇସ୍ତଫା ଦେଇଛନ୍ତି କହିଛନ୍ତି । ହେମନ୍ତ ଆଶଙ୍କା କରୁଛନ୍ତି ଜମି ଦୁର୍ନୀତି ମାମଲାରେ ତାଙ୍କୁ ଇଡି ଗିରଫ କରିପାରେ । ତେଣୁ ଆଗୁଆ କ୍ଷେତ୍ର ପ୍ରସ୍ତୁତ ଲାଗି ସେ ପତ୍ନୀ କଳ୍ପନାଙ୍କୁ ସିଏମ କରିବା ଲାଗି ଯୋଜନା କରୁଛନ୍ତି । ଜମି ଦୁର୍ନୀତି ମାମଲାରେ ସିଏମ ହେମନ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ୭ ଥର ସମନ ଜାରି କରିସାରିଲାଣି । ଇଡି ବିରୋଧରେ ହେମନ୍ତ ସୁପ୍ରିମକୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇସାରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ଆଶଙ୍କା କରାଯାଉଛି । ଝାଡଖଣ୍ଡରେ ଜମିର କିସମ ପରିବର୍ତ୍ତନ ଦୁର୍ନୀତି ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇସାରିଲେଣି ୧୪ ଅଭିଯୁକ୍ତ ।

ପିକନିକ ପାଇଁ ଏସଓପି ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ପିକନିକ ପାଇଁ ଏସଓପି ଜାରି କରିଛି ପରିବହନ ବିଭାଗ । ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ କଠୋର ହୋଇଛି ବିଭାଗ । ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ। ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ । ପ୍ରମୁଖ ପିକନିକ୍ ସ୍ପଟ୍ ଗୁଡିକରେ ଦୁର୍ଘଟଣା ଜନିତ ସଚେତନତା କରାଯିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀ ପରିବହନ ରୋକିବା ପାଇଁ ପିକନିକ୍ ସ୍ପଟ୍ ବା ତୀର୍ଥ ସ୍ଥାନଗୁଡିକ ନିକଟରେ ପୋଲିସ୍ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ । ଓଭରଲୋଡିଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବହନ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ ଏବଂ ପିକନିକ୍ ସ୍ପଟ୍ ଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ଏବଂ ପ୍ରଶଂସାପତ୍ର, ସଡ଼କ ଦୁର୍ଘଟଣା ପୀଡିତଙ୍କ ପରିବାରର ଆବେଦନପତ୍ର ଲିଫଲେଟ୍, ପାମ୍ପଲେଟ୍ ବଣ୍ଟନ କରିବ ।

ନୂଆବର୍ଷ ଆରମ୍ଭରୁ ବୋରଓ୍ବେଲ ଟ୍ରାଜେଡି, ୩୦ ଫୁଟ ତଳେ ଶିଶୁ

ଅହମ୍ମଦାବାଦ: ଦେଶରେ ପିଛା ଛାଡୁନି ବୋରଓ୍ବେଲ ଟ୍ରାଜେଡି । ନୂଆ ବର୍ଷ ଆରମ୍ଭରୁ ବିପତ୍ତି । ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଖୋଲା ନଳକୂଅରେ ଖସିପଡିଛି ଅଢ଼େଇ ବର୍ଷର ଶିଶୁକନ୍ୟା । ଦ୍ବାରକାର କଲ୍ୟାଣପୁର ତାଲୁକାର ରାନ ଗ୍ରାମରେ ଖେଳୁଥିବା ଅବସ୍ଥାରେ ଖୋଲା ନଳକୂଅରେ ଖସିପଡିଥିଲା ଆଞ୍ଜେଲ ସଖ୍ରା । ଖବର ପାଇବା ପରେ ଜିଲ୍ଲାପାଳ ଅଶୋକ ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଶିଶୁଟି ୩୦ ଫୁଟ ଭିତରେ ଲାଖିଛି । ସେଠାରେ ସ୍ବାସ୍ଥ୍ୟ, ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ୍ ଉପସ୍ଥିତ ଥାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ଇଣ୍ଡିଆନ ଆର୍ମିର ଏକ ଟିମ ।