ନୂଆବର୍ଷ ଆରମ୍ଭରୁ ବୋରଓ୍ବେଲ ଟ୍ରାଜେଡି, ୩୦ ଫୁଟ ତଳେ ଶିଶୁ

ଅହମ୍ମଦାବାଦ: ଦେଶରେ ପିଛା ଛାଡୁନି ବୋରଓ୍ବେଲ ଟ୍ରାଜେଡି । ନୂଆ ବର୍ଷ ଆରମ୍ଭରୁ ବିପତ୍ତି । ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଖୋଲା ନଳକୂଅରେ ଖସିପଡିଛି ଅଢ଼େଇ ବର୍ଷର ଶିଶୁକନ୍ୟା । ଦ୍ବାରକାର କଲ୍ୟାଣପୁର ତାଲୁକାର ରାନ ଗ୍ରାମରେ ଖେଳୁଥିବା ଅବସ୍ଥାରେ ଖୋଲା ନଳକୂଅରେ ଖସିପଡିଥିଲା ଆଞ୍ଜେଲ ସଖ୍ରା । ଖବର ପାଇବା ପରେ ଜିଲ୍ଲାପାଳ ଅଶୋକ ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଶିଶୁଟି ୩୦ ଫୁଟ ଭିତରେ ଲାଖିଛି । ସେଠାରେ ସ୍ବାସ୍ଥ୍ୟ, ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ୍ ଉପସ୍ଥିତ ଥାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ଇଣ୍ଡିଆନ ଆର୍ମିର ଏକ ଟିମ ।