ପୁଣି ରକ୍ତରଞ୍ଜିତ ମଣିପୁର, ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ରକ୍ତରଞ୍ଜିତ ମଣିପୁର । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ମୃତ, ଅନେକ ଆହତ । ରାଜ୍ୟର ସ୍ଥିତି ଅଶାନ୍ତ ହେବା ପରେ ରାଜ୍ୟର ୫ଟି ଉପତ୍ୟକା ଜିଲ୍ଲାରେ ଜାରି ହୋଇଛି କର୍ଫ୍ୟୁ । ଥୋବାଲ ଜିଲ୍ଲାରେ କେତେକ ଅଜଣା ଦୁର୍ବୃତ୍ତ ସ୍ବୟଂଚାଳିତ ବନ୍ଧୁକ ଧରି ଖେଳାଇଛନ୍ତି ଆତଙ୍କ । ସେମାନେ ବଳପୂର୍ବକ ଅର୍ଥ ଦାବି କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ଶାନ୍ତି ରକ୍ଷା ଲାଗି ଆହ୍ବାନ କରିଛନ୍ତି । ହିଂସା ବଢିବା ଆଶଙ୍କାରେ ଥୋବାଲ, ଇମ୍ଫାଲ ଇଷ୍ଟ, ଇମ୍ଫାଲ ଓ୍ବେଷ୍ଟ, କାକଚିଙ୍ଗ, ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଗତବର୍ଷ ରାଜ୍ୟରେ ବ୍ୟାପକ ହିଂସା ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମେ ୩ ପରଠାରୁ ଘଟିଚାଲିଥିବା ହିଂସାରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସହ ୬୦ ହଜାରରୁ ଅଧିକ ଲୋକ ବାସହୀନ ହୋଇଛନ୍ତି । ତେବେ କିଛିଦିନ ପୂର୍ବେ ମଣିପୁରର ଲଜ୍ଜଘଟଣା ସାରା ଦେଶରେ ଚର୍ଚ୍ଚାରେ ରହିଥିବାବେଳେ ହିଂସା ଦେଖିବାକୁ ମିଳିଥିଲା । ପୁଣି ଏଭଳି ଏକ ଘଟଣା ସାରା ଦେଶରେ ମଣିପୁରକୁ ଖବରର ଶିରୋନାମା ପାଲଟାଇ ଦେଇଛି ।