ପିକନିକ ପାଇଁ ଏସଓପି ଜାରି କଲା ପରିବହନ ବିଭାଗ

ଭୁବନେଶ୍ବର: ପିକନିକ ପାଇଁ ଏସଓପି ଜାରି କରିଛି ପରିବହନ ବିଭାଗ । ପିକନିକ ସମୟରେ ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ କଠୋର ହୋଇଛି ବିଭାଗ । ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ। ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ୍ ସ୍ପଟ୍ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ। ଯେଉଁ ଯାନଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ବଳବତ୍ତର ଅଛି, କେବଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ । ପ୍ରମୁଖ ପିକନିକ୍ ସ୍ପଟ୍ ଗୁଡିକରେ ଦୁର୍ଘଟଣା ଜନିତ ସଚେତନତା କରାଯିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀ ପରିବହନ ରୋକିବା ପାଇଁ ପିକନିକ୍ ସ୍ପଟ୍ ବା ତୀର୍ଥ ସ୍ଥାନଗୁଡିକ ନିକଟରେ ପୋଲିସ୍ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ । ଓଭରଲୋଡିଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବହନ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ ଏବଂ ପିକନିକ୍ ସ୍ପଟ୍ ଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ଏବଂ ପ୍ରଶଂସାପତ୍ର, ସଡ଼କ ଦୁର୍ଘଟଣା ପୀଡିତଙ୍କ ପରିବାରର ଆବେଦନପତ୍ର ଲିଫଲେଟ୍, ପାମ୍ପଲେଟ୍ ବଣ୍ଟନ କରିବ ।