spot_img
Home Blog Page 2334

ଅଭ୍ୟାସ୍ ମ୍ୟାଚ୍ ବେଳେ ମୁଣ୍ଡରେ ବାଜିଲା ବଲ୍, ହସ୍ପିଟାଲରେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର୍

ସିଡନୀ: ଅଷ୍ଟ୍ରେଲିଆର ବିଗ୍ ବେଶ ଲିଗର ଟିମ୍ ମେଲବର୍ଣ୍ଣ ଷ୍ଟାର୍ସର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ସାମ ହାରପର୍ ଗୁରୁତର ଆହତ ହୋଇଛନ୍ତି । ଏକ ଅଭ୍ୟାସ ମ୍ୟାଚ୍ ବେଳେ ତାଙ୍କ ମୁଣ୍ଡରେ ବଲ୍ ବାଜିଛି । ଯାହାଫଳରେ ସେ ମୈଦାନରେ ହିଁ ଟଳିପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାରପରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଅଧିନାୟକତ୍ୱରେ ଟିମର ଅଭ୍ୟାସ ମ୍ୟାଚ୍ ବେଳେ ଘଟିଛି ଅଘଟଣ । ଶୁକ୍ରବାର ଦିନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଅନ୍ୟ ଖେଳାଳିଙ୍କ ପରି ହାରପର ମଧ୍ୟ ନେଟରେ ପ୍ରାକ୍ଟିସ୍ କରୁଥିଲେ । ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ବଲକୁ ମିସ୍ କରିଦେଇଥିଲେ ହାରପର । ଏହି ସମୟରେ ବଲଟି ତାଙ୍କ ମୁଣ୍ଡ ପାଖରେ ବାଜିଥିଲା ।

ଯାହାଫଳରେ ହାରପରଙ୍କ ବେକରେ ଗଭୀର ଆଘାତ ଲାଗିଥିଲା ​​ଏବଂ ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା। ହାରପର୍ ତଳେ ପଡିଯିବାରୁ ମେଡିକାଲ୍ ଟିମ୍ ତାଙ୍କୁ ପରୀକ୍ଷା କରିଥିଲେ । ପରେ ତାଙ୍କୁ ପଡ଼ିଆରୁ ଡାକ୍ତରଖାନା ନିଆଯାଇଥିଲା। ହାରପରଙ୍କ ସହିତ ଅଭ୍ୟାସ କରୁଥିବା ଅନ୍ୟ ଖେଳାଳି ମାନେ ଭୟଭୀତ ହୋଇପଡିଥିଲା ବେଳେ ମ୍ୟାଚକୁ ବାତିଲ କରାଯାଇଥିଲା। ତେବେ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଜାରି ବୟାନ ଅନୁସାରେ ଏବେ ହାରପରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଶନିବାର ଦିନ ହାରପରଙ୍କ ବିନା ହିଁ ମଇଦାନକୁ ଓହ୍ଲାଇବ ଟିମ୍ ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୫ରେ ଘଟିଥିବା ଏହି ଘଟଣା ୧୦ ବର୍ଷ ତଳର ଆଉ ଏକ ଘଟଣାକୁ ମନେ ପକାଇଦେଇଛି । ଯେତେବେଳେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର୍ ଫିଲ୍ ହ୍ୱୁଜ ମଧ୍ୟ ମୁଣ୍ଡରେ ବଲ ବାଜିବା ଯୋଗୁଁ ପିଚରେ ହିଁ ବେହୋସ୍ ହୋଇଯାଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ଏହି ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ସେସମୟରେ ଏହି ଘଟଣା କ୍ରିକେଟ୍ ଜଗତକୁ ଦୋହୋଲାଇ ଦେଇଥିଲା ।

 

ଗଜପତିରେ ବାଘ ଆତଙ୍କ, ଛେଳିକୁ ଟାଣିନେଇଥିବା ଅଭିଯୋଗ

ମୋହନା: ଗଜପତି ମୋହନା ଭାଲିଆଗଣି ଗାଁ ଜଙ୍ଗଲରେ ବାଘ ଆତଙ୍କ। ଛେଳିକୁ ବାଘଟି ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ନିକଟସ୍ଥ ବଡ଼ଡ଼ଙ୍ଗା ପାହାଡ଼କୁ କିଛି ଲୋକ ଛେଳି ଚରାଇବା ପାଇଁ ନେଇଥିଲେ। ସେଥିରୁ ଗୋଟିଏ ଛେଳି ନିଖୋଜ ଥିବା ଜଣାପଡିବା ପରେ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ।

ପରେ ପଥର ଚାଞ୍ଚଡା ଉପରେ ଛେଳିର ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଥିବା ଦେଖାଯାଇଥିଲା । ଏନେଇ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଲଖାରୀ ଅଭୟାରଣ୍ୟକୁ ଉକ୍ତ ଜଙ୍ଗଲଟି ଲାଗି ରହିଥିବା ଯୋଗୁଁ କଲରାପତରିଆ ବାଘ ଉକ୍ତ ଛେଳିଟିକୁ ଆକ୍ରମଣ କରି ମାରିଖାଇଥିବା ସନ୍ଦେହ କରାଯାଉଛି। ବାଘ ଭୟରେ ଲୋକେ ଜଙ୍ଗଲକୁ ଜାଳେଣି ପାଇଁ ଯାଉନାହାନ୍ତି।

ଏଣିକି ୟୁପିଆଇରେ ଟ୍ରାଞ୍ଜାକସନରେ ଲାଗିବ ଚାର୍ଜ, ଜାଣନ୍ତୁ କେଉଁମାନଙ୍କୁ ଦେବାକୁ ପଡିବ?

ନୂଆଦିଲ୍ଲୀ: ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ ଖବର। ଏଣିକି ୟୁପିଆଇରେ ନେଣଦେଣ କଲେ ଲାଗିବ ଚାର୍ଜ। ସାଧାରଣତଃ ଆଜିକାଲି ଟଙ୍କା କାରବାର କରିବା ଲାଗି ଅନଲାଇନ ଆପର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏହାର ବ୍ୟବହାର ସହଜ ହେବା ସହ ସୁରକ୍ଷିତ ମଧ୍ଯ ହୋଇଥାଏ। ତେବେ ଯଦି ଆପଣ ବି ଏହି ଆପ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି ତାହାଲେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ମୁଖ୍ୟ ଦିଲ୍ଲୀପ ଅସବେ କହିଛନ୍ତି ଯେ, ଆସନ୍ତା ତିନି ବର୍ଷମଧ୍ୟରେ ବୃହତ ବ୍ୟବସାୟୀଙ୍କୁ ୟୁପିଆଇ ଭିତ୍ତିକ ଦେୟ ପାଇଁ ଯୁକ୍ତିଯୁକ୍ତ ଶୁଳ୍କ ଦେବାକୁ ପଡିବ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ NPCI ର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ ଭବିଷ୍ୟତରେ ନୂତନ ଉଦ୍ଭାବନ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ।  ଏହି ବ୍ୟବସ୍ଥାରେ ଅଧିକ ଲୋକଙ୍କୁ ସଂଯୋଗ କରାଯିବ ଏବଂ ‘କ୍ୟାସବ୍ୟାକ୍’ ଭଳି ପ୍ରୋତ୍ସାହନ ମିଳିବ। ଏହି ସିଷ୍ଟମ ସହିତ ଆଉ ୫୦ କୋଟି ଲୋକଙ୍କୁ ସଂଯୋଗ କରିବାର ଆବଶ୍ୟକତା ରହିଛି। ବମ୍ବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ସୋସାଇଟି କାର୍ଯ୍ୟକ୍ରମରେ ଏନପିସି ମୁଖ୍ୟ କହିଛନ୍ତି ଯେ, ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଏକ ଯୁକ୍ତିଯୁକ୍ତ ଶୁଳ୍କ ଲାଗୁ କରାଯିବ। ଏହି ଦେୟ ଛୋଟ ବ୍ୟବସାୟୀଙ୍କଠାରୁ ନୁହେଁ ବରଂ ବଡ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ | ଏହା କେବେ କାର୍ଯ୍ୟକାରୀ ହେବ ମୁଁ ଜାଣେ ନାହିଁ | ଗୋଟିଏ ବର୍ଷ, ଦୁଇ ବର୍ଷ କିମ୍ବା ତିନି ବର୍ଷ ପରେ ଏହା ହୋଇପାରେ।

ତେବେ ୟୁପିଆଇ ଟ୍ରାଞ୍ଜାକସନ ଉପରେ ଶୁଲ୍କ ଲାଗିବାକୁ ନେଇ ଅନେକ ବିବାଦ ହୋଇଛି। ଏଭଳି ଚାର୍ଜ ଲାଗୁ କରିବାକୁ ଶିଳ୍ପ ଜଗତରେ ଦାବି ହୋଇଛି। ଅସବେ ଆହୁରି ମଧ୍ୟ କହିଛନ୍ତି, ସାଇବର ସୁରକ୍ଷା ଏବଂ ସୂଚନା ସୁରକ୍ଷା ପାଇଁ ହେଉଥିବା ଖର୍ଚ୍ଚକୁ ବ୍ୟାଙ୍କର ଆଇଟି ଅନୁଯାୟୀ ୧୦ ପ୍ରତିଶତରୁ ୨୫ ପ୍ରତିଶତକୁ ବୃଦ୍ଧି କରିବା ନେଇ ଆଲୋଚନା କରାଯାଉଛି।

ମୋହଲ୍ଲା କ୍ଲିନିକରେ ନିମ୍ନମାନର ଔଷଧ ପ୍ରଦାନ ଅଭିଯୋଗ ପ୍ରସଙ୍ଗ; ମାମଲାର ତଦନ୍ତ କରିବ CBI

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ମୋହଲ୍ଲା କ୍ଲିନିକରେ ନିମ୍ନମାନର ଔଷଧ ପ୍ରଦାନ ଅଭିଯୋଗ ପ୍ରସଙ୍ଗ। ମାମଲାର ତଦନ୍ତ କରିବ ସିବିଆଇ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ବାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ମୋହଲ୍ଲା କ୍ଲିନିକରେ ନିମ୍ନମାନର ଔଷଧ ଦିଆଯାଉଥିବା ଅଭିଯୋଗ ହୋଇଛି।

ଦିଲ୍ଲୀ ଉପରାଜ୍ୟପାଳଙ୍କ ପରାମର୍ଶ ପରେ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନାଙ୍କ ରିପୋର୍ଟ ପରେ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ ମୋହଲ୍ଲା କ୍ଲିନିକରେ କରାଯାଉଥିବା ପାଥୋଲଜି ଟେଷ୍ଟ ରିପୋର୍ଟରେ ବ୍ୟାପକ ହେରଫେର ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍ଷାଧିକ ସଂଖ୍ୟାରେ ଜାଲ ଟେଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ମିଛ ରୋଗୀଙ୍କ ନାଁରେ ଏହି ସବୁ ଟେଷ୍ଟ କରାଯାଇଛି। ମୋହଲ୍ଲା କ୍ଲିନିକ ଜରିଆରେ ଶହ ଶହ କୋଟି ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଆମ ଆଦମୀ ପାର୍ଟିର ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି ମୋହଲ୍ଲା କ୍ଲିନିକ।

ନ୍ୟାସନାଲ ଜିଓଗ୍ରାଫିରେ ଶନିବାର ପ୍ରଦର୍ଶିତ ହେବ ‘ଲୋୟର ସୁକତେଲ କାହାଣୀ’

ଭୁବନେଶ୍ୱର: ନ୍ୟାସନାଲ ଜିଓଗ୍ରାଫିରେ ଆସନ୍ତାକାଲି ପ୍ରଦର୍ଶିତ ହେବ ଲୋୟର ସୁକତେଲ କାହାଣୀ। ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ। କେମିତି ତିଆରି ହୋଇଥିଲା ଲୋୟର ସୁକତେଲ ଡ୍ୟାମ। ପୂରା କାହାଣୀ ନ୍ୟାସନାଲ ଜିଓଗ୍ରାଫିର ସ୍ବତନ୍ତ୍ର କାର୍ଯ୍ୟକ୍ରମ ସୁପରଷ୍ଟ୍ରକ୍ଚରରେ ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଦର୍ଶିତ ହେବ।

ଏନେଇ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୩ ତାରିଖରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। ୭୦ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ପାଇବେ।

ହିଟ୍ ଆଣ୍ଡ ରନ୍ ମାମଲାକୁ ବିରୋଧ; ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ଆନ୍ଦୋଳନ

ଭୁବନେଶ୍ୱର: ହିଟ୍ ଆଣ୍ଡ ରନ୍ ମାମଲାର ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଭୁବନେଶ୍ୱର ରସୁଲଗଡ଼ରେ ଅଟକଛି ଶହଶହ ଗାଡି। ଡ୍ରାଇଭର ମାନେ ଏକାଠି ଆଇନକୁ ବିରୋଧ କରିଛନ୍ତି। ଏ ଆଇନ ଯେପର୍ଯ୍ୟନ୍ତ ବନ୍ଦ କରାନଯିବ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଗାଡି ଚଳା ଚଳ ବନ୍ଦ ହେବା ଦ୍ୱାରା ସାଧାରଣ ଲୋକ ଅସୁବିଧାରେ ପଡିବେ ବୋଲି ଡ୍ରାଇଭରମାନେ କହିଛନ୍ତି।

ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ

ଭୁବନେଶ୍ୱର : ଉଚ୍ଚ ଶିକ୍ଷାକୁ ବୁଷ୍ଟର ଡୋଜ । ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ । ୨୦୨୪-୨୫ରୁ ଏହି କଲେଜ ଖୋଲିବ ଏବଂ ପାଠପଢା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ନବରଙ୍ଗପୁରରେ ସର୍ବାଧିକ ୪ଟି ଖୋଲିବ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ।

ସେହିପରି ରାୟଗଡ଼ା, ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୩ଟି ଲେଖାଏଁ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ଖୋଲିବ । ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଖୋଲିବ କଲେଜ । ସେହିପରି ରାୟଗଡ଼ାର କାଶୀପୁରସ ରମଣଗୁଡ଼ା ଓ ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଖୋଲିବ ଡିଗ୍ରୀ କଲେଜ । କୋରାପୁଟର ଦୁଇଟି ବ୍ଲକରେ ଖୋଲିବାକୁ ଥିବାବେଳେ ସେଗୁଡିକ ହେଲା ବନ୍ଧୁଗାଁ ଓ ନାରାୟଣପାଟଣା ।

ଅନ୍ୟପଟେ ଗଜପତିର ଗୁମ୍ମା ଓ ଗଂଜାମର ଧରାକୋଟରେ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା ହୋଇଛି । କଳାହାଣ୍ଡିର ଥୁଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଙ୍ଗରେ ଖୋଲିବ ଏହି ଡିଗ୍ରୀ କଲେଜ । ଗତକାଲି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିବା ସହ ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା କରିଥିଲେ ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ପୁରୀ :  ଆଗାମୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି ।

ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ଆସିବେ। ଭବ୍ୟ ଲୋକାର୍ପଣ ଉତ୍ସବ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସମସ୍ତ ଆୟୋଜନ ନେଇ ବୈଠକରେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ। ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥ୍ୟୁ ଭାଥାନନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍, ଅତିରିକ୍ତ ଡିଜିପି ସଂଜୟ କୁମାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି ।

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ପାର୍କିଂ ସ୍ଥଳ ବୁଲି ଦେଖିଥିବା ବେଳେ ଶ୍ରୀସେତୁ ରାସ୍ତା ମଧ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀଜଗନ୍ନାଥ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ। ନୂଆ କରି ନିର୍ମାଣ କରାଯାଉଥିବା ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି।

ସର୍ଚ୍ଚ ଅପରେସନ ବେଳେ ଫୁଟିଲା ଲ୍ୟାଣ୍ଡମାଇନ ; ୩ ଯବାନ ଆହତ

ବୌଦ୍ଧ : ପୁଣି ମାଓବାଦୀ ସକ୍ରିୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଫୁଟିଲା ଲ୍ୟାଣ୍ଡମାଇନ । ୩ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର ପାଇଁ ପଠାଯାଇଛି ୨ ଟିମ । ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହୋଇଥିବା ସୂଚନା ।

ସରକାରୀ କର୍ମଚାରୀ ଓ ସହରାଞ୍ଚଳ ଲୋକ ପାଇବେ ବିଏସକେୱାଇ ନବୀନ କାର୍ଡ

କଟକ :  ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପାଇବେ ବିଏସକେଓ୍ବାଇ ନବୀନ କାର୍ଡ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ। କଟକ ବାଲିଯାତ୍ରା ଉପର ପଡ଼ିଆରେ ଏନେଇ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଆସନ୍ତାକାଲିଠୁ ଏଥିପାଇଁ ଅନଲାଇନରେ ପଂଜୀକରଣ କରାଯିବ। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି। ସହରାଞ୍ଚଳର ଲୋକ ପରବର୍ତ୍ତୀ ପର୍ଯ୍ୟାୟରେ ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବ। କଟକରେ ଫେବ୍ରୁଆରୀ ଶେଷ ସୁଦ୍ଧା ଯୋଜନାର ଶୁଭାରମ୍ଭ କରାଯିବ।

ଆମ ବ୍ୟାଙ୍କ ଯୋଜନାରେ କଟକ ଜିଲ୍ଲାର ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ। 5Tରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି। ୮୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି। ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ସଶକ୍ତ କରାଯାଉଛି। କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯାଇଛି। ଥରେ କେନ୍ଦ୍ରାପଡ଼ାରୁ ହେଲିକପ୍ଟରରେ ଆସିଲା ବେଳେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ କଥା କହିଥିଲେ। ତାଙ୍କ ଆଖିରେ କଟକ ପ୍ରତି ଭଲ ପାଇବା ଦେଖିଥିଲେ 5T ଅଧ୍ୟକ୍ଷ। ପହଞ୍ଚିବା ପରେ ତାଳଦଣ୍ଡା କେନାଲ ସଫା କରିବାକୁ ସ୍ଥାନୀୟ ନେତୃବୃନ୍ଦ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଗୋଟିଏ ବର୍ଷ ଭିତରେ ତାଳଦଣ୍ଡା କେନାଲ ପ୍ୟାରିସ, ଭେନିସ ଭଳି ଲାଗୁଛି। ସେଠାରେ ରାତିରେ ବୋଟିଂ ଚାଲିଛି।

କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ। ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ବାଦାମବାଡ଼ି ବସଷ୍ଟାଣ୍ଡକୁ ନେତାଜୀ ବସ ଟର୍ମିନାଲ କରିଛନ୍ତି। ସାରା ରାଜ୍ୟରେ କଟକରେ ସବୁଠୁ ବେଶୀ ରୂପାନ୍ତରଣ କରାଯାଇଛି।

କଟକ ଜିଲ୍ଲାରେ ବିଜେଡିର ସ୍ଥିତି ମଜବୁତ ରହିଛି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ଜିତିକି ଆସିବ। ୨୦୧୪ ଓ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀରେ କେତେ ମାର୍ଜିନରେ ଜିତିଛନ୍ତି। ୨୦୨୪ରେ ରେକର୍ଡ ମାର୍ଜିନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି। ଯେଉଁ ବୁଥରେ ପୂର୍ବ ମାର୍ଜିନରୁ ଅଧିକ କରିକି ନେଲେ ନବୀନ ନିବାସ ଡାକି ମୁଖ୍ୟମନ୍ତ୍ରୀଙ୍କୁ ପରିଚୟ କରାଇବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।