ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ

1 min read

ଭୁବନେଶ୍ୱର : ଉଚ୍ଚ ଶିକ୍ଷାକୁ ବୁଷ୍ଟର ଡୋଜ । ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ । ୨୦୨୪-୨୫ରୁ ଏହି କଲେଜ ଖୋଲିବ ଏବଂ ପାଠପଢା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ନବରଙ୍ଗପୁରରେ ସର୍ବାଧିକ ୪ଟି ଖୋଲିବ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ।

ସେହିପରି ରାୟଗଡ଼ା, ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୩ଟି ଲେଖାଏଁ ପ୍ଲସ ଥ୍ରୀ କଳା ଡିଗ୍ରୀ କଲେଜ ଖୋଲିବ । ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଖୋଲିବ କଲେଜ । ସେହିପରି ରାୟଗଡ଼ାର କାଶୀପୁରସ ରମଣଗୁଡ଼ା ଓ ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଖୋଲିବ ଡିଗ୍ରୀ କଲେଜ । କୋରାପୁଟର ଦୁଇଟି ବ୍ଲକରେ ଖୋଲିବାକୁ ଥିବାବେଳେ ସେଗୁଡିକ ହେଲା ବନ୍ଧୁଗାଁ ଓ ନାରାୟଣପାଟଣା ।

ଅନ୍ୟପଟେ ଗଜପତିର ଗୁମ୍ମା ଓ ଗଂଜାମର ଧରାକୋଟରେ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା ହୋଇଛି । କଳାହାଣ୍ଡିର ଥୁଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଙ୍ଗରେ ଖୋଲିବ ଏହି ଡିଗ୍ରୀ କଲେଜ । ଗତକାଲି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିବା ସହ ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଡିଗ୍ରୀ କଲେଜ ଖୋଲିବା ନେଇ ଘୋଷଣା କରିଥିଲେ ।