ଅଭ୍ୟାସ୍ ମ୍ୟାଚ୍ ବେଳେ ମୁଣ୍ଡରେ ବାଜିଲା ବଲ୍, ହସ୍ପିଟାଲରେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର୍

1 min read

ସିଡନୀ: ଅଷ୍ଟ୍ରେଲିଆର ବିଗ୍ ବେଶ ଲିଗର ଟିମ୍ ମେଲବର୍ଣ୍ଣ ଷ୍ଟାର୍ସର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ସାମ ହାରପର୍ ଗୁରୁତର ଆହତ ହୋଇଛନ୍ତି । ଏକ ଅଭ୍ୟାସ ମ୍ୟାଚ୍ ବେଳେ ତାଙ୍କ ମୁଣ୍ଡରେ ବଲ୍ ବାଜିଛି । ଯାହାଫଳରେ ସେ ମୈଦାନରେ ହିଁ ଟଳିପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାରପରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଅଧିନାୟକତ୍ୱରେ ଟିମର ଅଭ୍ୟାସ ମ୍ୟାଚ୍ ବେଳେ ଘଟିଛି ଅଘଟଣ । ଶୁକ୍ରବାର ଦିନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ଅଭ୍ୟାସ ମ୍ୟାଚରେ ଅନ୍ୟ ଖେଳାଳିଙ୍କ ପରି ହାରପର ମଧ୍ୟ ନେଟରେ ପ୍ରାକ୍ଟିସ୍ କରୁଥିଲେ । ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ବଲକୁ ମିସ୍ କରିଦେଇଥିଲେ ହାରପର । ଏହି ସମୟରେ ବଲଟି ତାଙ୍କ ମୁଣ୍ଡ ପାଖରେ ବାଜିଥିଲା ।

ଯାହାଫଳରେ ହାରପରଙ୍କ ବେକରେ ଗଭୀର ଆଘାତ ଲାଗିଥିଲା ​​ଏବଂ ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା। ହାରପର୍ ତଳେ ପଡିଯିବାରୁ ମେଡିକାଲ୍ ଟିମ୍ ତାଙ୍କୁ ପରୀକ୍ଷା କରିଥିଲେ । ପରେ ତାଙ୍କୁ ପଡ଼ିଆରୁ ଡାକ୍ତରଖାନା ନିଆଯାଇଥିଲା। ହାରପରଙ୍କ ସହିତ ଅଭ୍ୟାସ କରୁଥିବା ଅନ୍ୟ ଖେଳାଳି ମାନେ ଭୟଭୀତ ହୋଇପଡିଥିଲା ବେଳେ ମ୍ୟାଚକୁ ବାତିଲ କରାଯାଇଥିଲା। ତେବେ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଜାରି ବୟାନ ଅନୁସାରେ ଏବେ ହାରପରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ଶନିବାର ଦିନ ହାରପରଙ୍କ ବିନା ହିଁ ମଇଦାନକୁ ଓହ୍ଲାଇବ ଟିମ୍ ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୫ରେ ଘଟିଥିବା ଏହି ଘଟଣା ୧୦ ବର୍ଷ ତଳର ଆଉ ଏକ ଘଟଣାକୁ ମନେ ପକାଇଦେଇଛି । ଯେତେବେଳେ ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର୍ ଫିଲ୍ ହ୍ୱୁଜ ମଧ୍ୟ ମୁଣ୍ଡରେ ବଲ ବାଜିବା ଯୋଗୁଁ ପିଚରେ ହିଁ ବେହୋସ୍ ହୋଇଯାଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ଏହି ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ସେସମୟରେ ଏହି ଘଟଣା କ୍ରିକେଟ୍ ଜଗତକୁ ଦୋହୋଲାଇ ଦେଇଥିଲା ।