spot_img
Home Blog Page 2332

ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପିଏମଙ୍କୁ ଜାମିନ, ଲଣ୍ଡନରେ ବିତାଉଛନ୍ତି ଆତ୍ମନିର୍ବାସିତ ଜୀବନ

ଇସଲାମାବାଦ: ୪ ବର୍ଷ ପରେ ସ୍ବଦେଶ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଆସନ୍ତାକାଲି ସେ ପାକିସ୍ତାନ ଫେରିପାରନ୍ତି ବୋଲି ସୂଚନା ମିଲିଛି । ପାକିସ୍ତାନ କୋର୍ଟ ତାଙ୍କୁ ଆଭେନଫିଲ୍ଡ ଓ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏଣୁ ନଓ୍ବାଜ ଦେଶକୁ ଫେରିବେ ବୋଲି ସୂଚନା ମିଳିଛି । ଗତ ୪ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ ବିତାଉଛନ୍ତି ନଓ୍ବାଜ ।

ପାକିସ୍ତାନର ଡନ୍ ଖବରକାଗଜର ରିପୋର୍ଟ ଅନୁସାରେ ନଓ୍ବାଜ ଦେଶକୁ ଫେରିବା ନେଇ ଇସଲାମାବାଦ କୋର୍ଟଙ୍କୁ ସୁରକ୍ଷା ମାଗିଥିଲେ । କୋର୍ଟ ଜାମିନ ଦେବାପରେ ଆସନ୍ତା କାଲି ସେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛିଦିନ ତଳେ ନଓ୍ବାଜ ଲଣ୍ଡନରେ ନିଜ ଦଳର କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଖୁବଶୀଘ୍ର ସେ ଦେଶକୁ ଫେରିବେ ବୋଲି କହିଥିଲେ ।

୨୦୧୮ ମସିହାରେ ଅଲ-ଅଜିଜିଆ ଏବଂ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ନଓ୍ବାଜ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଲାହୋରର କୋଟ ଲଖପାଟ ଜେଲରେ ରହିବା ସମୟରେ ନଓ୍ବାଜ ସରିଫଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ମିଳିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନଓ୍ବାଜ ସରିଫ ଲଣ୍ଡନରେ ରହୁଛନ୍ତି।

୨୪ରୁ ବର୍ଷା, ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି । କାଲି ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ୨୩ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୪ ତାରିଖରେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସଜୀବୀମାନେ ସତର୍କ ରହିବା ପାଇଁ ପରାମର୍ଶ କରିଛି ପାଣିପାଗ ବିଭାଗ । ଅବପାତଟି ପ୍ରଥମେ ଆନ୍ଧ୍ର ମୁହାଁ ହୋଇ ଦିଗ ପରିବର୍ତ୍ତନ କରି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି ।

ଗ୍ଲୋବାଲ ମ୍ୟାରିଟାଇମ ଇଣ୍ଡିଆ ସମିଟ- ୨୦୨୩ରେ ଓଡ଼ିଶାର ଷ୍ଟଲକୁ ଶ୍ରେଷ୍ଠ ଷ୍ଟଲର ପୁରସ୍କାର

ଭୁବନେଶ୍ବର: ଗ୍ଲୋବାଲ ମ୍ୟାରିଟାଇମ ଇଣ୍ଡିଆ ସମିଟ- 2023ରେ ଓଡ଼ିଶାର ଷ୍ଟଲକୁ ଶ୍ରେଷ୍ଠ ଷ୍ଟଲର ପୁରସ୍କାର ମିଳିଛି । ଏହା ବ୍ୟତୀତ ମହାରାଷ୍ଟ୍ର ସହ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ ଆୟୋଜନ ପାଇଁ ମଧ୍ୟ ରନର୍ସ ଅପ ହୋଇଛି ଓଡ଼ିଶା । ଏହି ସମିଟରେ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ଅନେକ ଷ୍ଟଲ ନିଜର ନୌବାଣିଜ୍ୟ ପରମ୍ପରା ଓ ଜଳପଥ ଗମନାଗମନ ଉପରେ ମଡେଲ ପ୍ରଦର୍ଶନ କରିଥିଲେ । ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁମ୍ବାଇରେ ଆୟୋଜିତ ଏହି ସମିଟରେ ଅଂଶଗ୍ରହଣ କରି ଓଡ଼ିଶା ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି । ଜଳପଥରେ ଓଡ଼ିଶାର ଉପଲବ୍ଧିକୁ ନେଇ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେବସହ ଧନ୍ୟବାଦ ଜଣାଇଛନ୍ତି ।

ଦୋକାନୀ ଆଖିରେ ଲଙ୍କାଗୁଣ୍ଡ ପକାଇ ସୁନା ହାର ଲୁଟ୍ ଉଦ୍ୟମ

ଖୋର୍ଦ୍ଧା: ଦୋକାନୀ ଆଖିରେ ଲଙ୍କାଗୁଣ୍ଡ ପକାଇ ସୁନା ହାର ଲୁଟ୍ ଉଦ୍ୟମ । ଦୋକାନୀ ଧରି ପକାଇବାରୁ ବ୍ୟାଗ୍ ଛାଡି ଚମ୍ପଟ ମାରିଲା ଚୋର । ସିସିଟିଭିରେ କଏଦ ହୋଇଛି ଲୁଟ ସମୟର ଭିଡ଼ିଓ । ପୂଜା ପୂର୍ବରୁ ଲୁଟେରାଙ୍କ ଆଖି ବିଭିନ୍ନ ସୁନା ଦୋକାନ ଉପରେ ରହିଛି । ବିଭିନ୍ନ କୌଶଳରେ ଲୁଟ ପାଇଁ ବ୍ୟାଗ୍ ରେ ଲଙ୍କାଗୁଣ୍ଡ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଲୁଟେରା । ଆଜି ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ଥିବା ମହାଦେବ ଜୁଏଲର୍ସରେ ରୁପା ମୁଦି, ସୁନା ମୁଦି କିଣିବାକୁ ଆସି ବ୍ୟାଗ୍ ରୁ ଲଙ୍କା ଗୁଣ୍ଡ କାଢି ଦୋକାନୀ ଆଖିକୁ ଫୋପାଡି ସୁନା ହାର ନେବାକୁ ଉଦ୍ୟମ କରିଥିଲେ ଜଣେ ଲୁଟେରା । ତେବେ ଦୋକାନୀ ମାଡ଼ି ବସିବାରୁ ବ୍ୟାଗ୍ ଚପସଲ ଛାଡି ଦୌଡ଼ି ପଳାଇଥିଲା । ରାସ୍ତାରେ ଦୌଡୁ ଥିବାର ଦୃଶ୍ୟ ସିସିଟିଭି ରେ କଏଦ୍ ହୋଇଛି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା 

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷା ଦେଇସାରି ହଷ୍ଟେଲ ଫେରିବା ପରେ ଆତ୍ମହତ୍ୟା କଲେ ଛାତ୍ର। ମୃତକ ବାଣିଜ୍ୟ ବିଭାଗର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଘନଶ୍ଯାମ ପରୁଆ । ପରୀକ୍ଷାରୁ ଫେରି ନିଜକୁ ରୁମ ଭିତରେ ସେ ବନ୍ଦ କରିଦେଇଥିଲେ । ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ପୋଲିସକୁ ଖବର ଦିଆଯାଇଥିଲା। ହଷ୍ଟେଲ ରୁମର ଫ୍ୟାନରେ ରଶି ଲଗାଇ ଘନଶ୍ୟାମ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ଟାଉନ ଥାନା ପୋଲିସ। ମୃତକଙ୍କ ଘର କଳାହାଣ୍ଡି ଜିଲ୍ଲାରପ ନର୍ଲାରେ ହୋଇଥିବା ସୂଚନା ମିଳିଛି।

ବସ ଧର୍ମଘଟ ନକରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ

ଘରୋଇ ବସ ଧର୍ମଘଟକୁ ନେଇ ପ୍ରତିକ୍ରିୟା କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବସ ଧର୍ମଘଟ ନକରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାର୍ବଣ ସମୟରେ ବସ ଧର୍ମଘଟ ନକରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବସ ମାଲିକ ସଂଘର ଏଭଳି ଏକତରଫା ନିଷ୍ପତ୍ତି ଦ୍ବାରା ଯାତ୍ରୀ ଅସୁବିଧାରେ ପଡ଼ିବେ । ସରକାରଙ୍କ ସହ ଆଲୋଚନା କରି ବସ୍ ମାଲିକ ସଂଘର ଧର୍ମଘଟ ନ କରିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୬ ତାରିଖରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ରହିଛି। ତେଣୁ ବସମାଲିକ ସଂଘ ସରକାରଙ୍କୁ ସହଯୋଗ କରିବେ ବୋଲି ଆଶା ରହିଛି । ଲକ୍ଷ୍ମୀ ବସ ଯେଭଳି ଚାଲିଛି ସେଭଳି ଚାଲିବ । ଏକତରଫା ଭାବେ ଏଭଳି ଧର୍ମଘଟ ନକରନ୍ତୁ ବସ୍ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

ବିଶ୍ବକପରେ ଭାରତର ଚତୁର୍ଥ ବିଜୟ

ପୁନେ: ବିଶ୍ବକପରେ ଭାରତର ବିଜୟଧାରା ଜାରି । ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ଭାରତ । ରାଟ କୋହଲିଙ୍କ ଅପରାଜିତ ଶତକ, ରୋହିତ ଶର୍ମା (୪୮ରନ) ଓ ଶୁଭମନ ଗିଲ( ୫୩ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ବିରାଟ କୋହଲି ୪୧.୩ ତମ ଓଭରରେ ଛକା ମାରି ନିଜର ୪୮ ତମ ଶତକ ପୂରଣ କରିବା ସହ ଦଳ ପାଇଁ ବିଜୟ ଆଣିଦେଇଥିଲେ ।

୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ନେବ ପ୍ରମୁଖ ଭୂମିକା  

ବ୍ୟୁରୋ ରିପୋର୍ଟ: ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ନେବ ପ୍ରମୁଖ ଭୂମିକା । ସାରା କ୍ରୀଡ଼ା ଜଗତର ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ହକି ପରେ ଏବେ ଓଡ଼ିଶାର ଇନଡୋର ଆଥଲେଟିକ୍‌ ଷ୍ଟାଡିୟମକୁ ନେଇ ବିଶ୍ବରେ ଚର୍ଚ୍ଚା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ । ଦୁଇଦୁଇ ଥର ହକି ବିଶ୍ବକପ୍, ଏସିଆନ ଆଥଲେଟିକ ଚମ୍ପିୟନସିପ୍, ଅନେକ ଜାତୀୟ, ଅନ୍ତଜାର୍ତୀୟ କ୍ରୀଡ଼ାର ସଫଳ ଆୟୋଜନ ସ୍ଥାନ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏବେ ବିଶ୍ବସ୍ତରୀୟ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ ହେବା ପରେ ଭାରତ ଅଲିମ୍ପିକ୍ସ ପାଇଁ ଦାବିଦାର ରହିଛି । ଭୁବନେଶ୍ବର ହୋଷ୍ଟ ସିଟି ହେବାର ସମ୍ଭାବନା ବଢ଼ିଛି ।

ବିଶ୍ବକ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ ନିର୍ମାଣରେ ଓଡ଼ିଶା କେବଳ ଦେଶରେ ନୁହେଁ, ସାରା ଦକ୍ଷିଣ ଏସିଆରେ ପ୍ରଥମ । ସୋସିଆଲ ମିଡିଆରେ ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନ ଏହାର ଫଟୋ ସେୟାର କରିବା ପରେ କ୍ରୀଡ଼ା ବିଭାଗ ମଧ୍ୟ ଟ୍ବିଟରରେ ଫଟୋ ସେୟାର କରିଛି । ଆଥଲେଟିକ୍‌ ଇନଡୋର ଷ୍ଟାଡିୟମକୁ ଓଡ଼ିଶାର ଜାଭେଲିନ ହିରୋ ତଥା ସିଲଭର ବୟ କିଶୋର ଜେନାଙ୍କୁ ବୁଲାଇ ଦେଖାଇଛନ୍ତି କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ହେବ । ଆଥଲେଟିକର ବିକାଶ  ଆହୁରି ତ୍ବରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ ।

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ିହୋଇଛି ୧୨୦ କୋଟି ଟଙ୍କାରେ ନିର୍ମିତ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ । ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ଆଥଲେଟିକ୍ ଇଭେଣ୍ଟ ବିନା ବାଧାରେ ଆୟୋଜନ ହୋଇପାରିବ ବୋଲି ଅଲିମ୍ପିଆନ ଓ କ୍ରୀଡ଼ା ସମୀକ୍ଷକ କହିଛନ୍ତି ।…

ଇନଡୋର ଆଥଲେଟିକ୍ ଷ୍ଟାଡିୟମ ଆଥଲେଟମାନଙ୍କ ସାମଗ୍ରିକ ବିକାଶ ପାଇଁ ଏକ ପ୍ରମୁଖ ଉତ୍ସ ପାଲଟିବ । ଦୁଇ ଦୁଇ ଥର ହକି ବିଶ୍ବକପ୍, ଏସିଆନ ଆଥଲେଟିକ୍ ଚମ୍ପିଅନସିପ୍, ନ୍ୟାସନାଲ ଆକ୍ୱାଟିକ ଚାମ୍ପିୟନସିପ୍ ଭଳି ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହ ଆୟୋଜନ କରିବାର ଅଭିଜ୍ଞତା ରଖିଥିବା କଳିଙ୍ଗ ଷ୍ଟାଡିଅମ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ।

 

ମିଛ କହୁଥିଲେ ସାବଧାନ !

ଭୁବନେଶ୍ବର: ପୁଣେ ନୁହେଁ, ଏଣିକି ଭୁବନେଶ୍ବରରେ ହେବ ନାର୍କୋ ଆନାଲିସିସ୍ ଟେଷ୍ଟ । ଅପରାଧୀଙ୍କ ଠାରୁ ଆଦାୟ ହେବ ସତ । ଖର୍ଚ୍ଚ କମ୍ ହେବା ସହ ବଞ୍ଚିବ ସମୟ । ଆସନ୍ତା ମାସରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ଏହି ଟେଷ୍ଟ । ମେସିନ ବି ଆସି ସାରିଛି ।  ଏନେଇ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ ଓ କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ବୈଠକ ହୋଇଛି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲର ଆନାସ୍ତେସିଆ ବିଶେଷଜ୍ଞ ଓ ମନସ୍ତତ୍ବବିତଙ୍କୁ ତାଲିମ୍ ଦିଆଯାଇଛି ।

ମିଛ କହୁଥିଲେ ସାବଧାନ । ଆଉ ବର୍ତ୍ତି ପାରିବେନି ଅପରାଧୀ । ଏଣିକି ଭୁବନେଶ୍ବରରେ ଧରା ପଡ଼ିବ ମିଛ । ଅଭିଯୁକ୍ତଙ୍କ ଠାରୁ ସତ ଓଗାରିବାକୁ ଆଉ ଯିବାକୁ ପଡ଼ିବନି ପୁଣେ । ନଭେମ୍ବରରୁ କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ୍ ଟେଷ୍ଟ । ମିଳିତ ଭାବେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ କ୍ୟାପିଟାଲ ହସପିଟାଲ ଓ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ । ପହଞ୍ଚି ସାରିଛି ମିଛ ଧରା ମେସିନ୍ । ପୂର୍ବରୁ କୋର୍ଟଙ୍କ ଅନୁମତି ସାଙ୍ଗକୁ ପୁଣେ ଲ୍ୟାବ ପାଇଁ ମଗାଯାଉଥିଲା ସମୟ । ଯେଉଁଥିରେ ସମୟ ନଷ୍ଟ ହେବା ସହ ଖର୍ଚ୍ଚ ବି ବଢୁଥିଲା । ହେଲେ ଏବେ କ୍ୟାପିଟାଲ ହସପିଟାଲରେ ନାର୍କୋ ଟେଷ୍ଟ କରାଗଲେ, କୋର୍ଟଙ୍କ ଅନୁମତି ମିଳିବା ସହ ସମୟ ଓ ଅର୍ଥ ବଞ୍ଚିବ । ଟେଷ୍ଟ ସମୟରେ ମିଛ ଧରା ମେସିନକୁ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯିବ । କ୍ୟାପିଟାଲ ହସପିଟାଲ ଓଟିରେ ଟେଷ୍ଟ କରାଯିବା ସହ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ ।

ପୂର୍ବରୁ ଷ୍ଟେଟ୍ ଫରେନସିକ୍ ଲ୍ୟାବରେ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଉଥିଲା । ପଲିଗ୍ରାଫ୍ ଟେଷ୍ଟ ସମୟରେ ଅଭିଯୁକ୍ତଙ୍କ ବ୍ୟବହାରରୁ ମିଛ ଧରାପଡ଼େ । ଯେଉଁଥିରେ ଅଭିଯୁକ୍ତଙ୍କୁ ପ୍ରଶ୍ନ କରାଯାଏ । ପ୍ରଶ୍ନକୁ ନେଇ ଅଭିଯୁକ୍ତଙ୍କ ବ୍ୟବହାର ଓ ରକ୍ତଚାପ ଦେଖାଯାଏ । ବ୍ୟବହାରରେ ପରିବର୍ତ୍ତନ ହେବାରୁ ସତମିଛର ପରୀକ୍ଷା କରାଯାଏ । ହେଲେ ନାର୍କୋ ଆନାଲିସିସ୍ ଟେଷ୍ଟ ସଂପୂର୍ଣ୍ଣ ଭିନ୍ନ । ଏହି ପ୍ରକ୍ରିୟାରେ ଅଭିଯୁକ୍ତଙ୍କୁ ସାଲାଇନରେ ସୋଡିୟମ୍ ପେନ୍ଥୋଥାଲ ଦିଆଯାଏ । ଏହା ଦ୍ବାରା ଅଭିଯୁକ୍ତଙ୍କୁ ନିଶାଶକ୍ତ କରାଯାଇ ସତ ବାହାର କରାଯାଏ ।

 

 

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଇଓସି ଅଧିବେଶନ ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଲେ ଓଭିଇପିର ଛାତ୍ରଛାତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଓଭିଇପି କାର୍ଯ୍ୟକ୍ରମ, ଶିକ୍ଷା ଓ କ୍ରୀଡ଼ାକ୍ଷେତ୍ରରେ ସଫଳତା ଏବଂ ଅବଦାନକୁ ପ୍ରଶଂସା । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ ଓଡ଼ିଶାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓଭିଇପିର ଛାତ୍ରଛାତ୍ରୀ । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇଓସି ଅଧିବେଶନ ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଥିଲେ । ସାକ୍ଷାତ ବେଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତିଙ୍କ ପ୍ରଶଂସାଭରା ଚିଠି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଛାତ୍ରଛାତ୍ରୀ । ଚିଠିରେ ଥୋମାସ ବାକ୍ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରିଡଲେ ପ୍ରକଳ୍ପ ପାଇଁ ଆଇଓସି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଉତ୍ତମ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି ।

ଅଲିମ୍ପିକ୍ ମୂଲ୍ୟବୋଧ ପ୍ରତି ଅତୁଟ ସମର୍ଥନ ପାଇଁ ସଭାପତି ବାକ୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁମ୍ବାଇରେ ଆୟୋଜିତ  ଆଇଓସି ଅଧିବେଶନରେ ଯୋଗ ଦେବାର ଅନୁଭୂତିକୁ ଛାତ୍ରୀ ଭାରତୀ ଶବର, ମହମ୍ମଦ ହମ୍ମାଦ ନୁରେନ୍, ପ୍ରତ୍ୟାଶା ସାହୁ, ସୋମ୍ୟ ରଞ୍ଜନ ବାରିକ ଓ ସୁଚିସ୍ମିତା ସାହୁ ଉତ୍ସାହର ସହ ବର୍ଣ୍ଣନା କରିଥିଲେ । ସେଠାରେ ପିଲାଙ୍କ ଲାଗି ଅନ୍ୟତମ ସ୍ମରଣୀୟ ଆକର୍ଷଣ ଥିଲା କିମ୍ବଦନ୍ତୀ ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ସହ  ଗୋଟିଏ ମଞ୍ଚରେ ଏକାଠି ହେବା ଥିଲା ଏକ ବିଶେଷ ଅନୂଭୁତି ।  ଆଇଓସି ଅଧିବେଶନ ଭଳି ବିଶ୍ବସ୍ତରୀୟ ମଞ୍ଚରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ରହି ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ୨୦୨୨ ମେ ୨୪ ତାରିଖରେ ରାଉରକେଲା ଓ ଭୁବନେଶ୍ବରର ୯୦ଟି ବିଦ୍ୟାଳୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ- ଓଭିଇପିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ ଓ କଟକ ସମେତ ୫ଟି ଜିଲ୍ଲାର ୨୫୦ଟି ବିଦ୍ୟାଳୟରେ ଓଭିଇପି କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ  ୨ରୁ ୧୦ମ ଶ୍ରେଣୀରେ ୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ୫୦୦ ଶିକ୍ଷକଙ୍କୁ ମାଷ୍ଟର ଟ୍ରେନର ଭାବେ ତାଲିମ ଦିଆଯାଇଛି।