ଜିଦରେ ଅଟଳ ଡ୍ରାଇଭର ମହାସଂଘ, ଆନ୍ଦୋଳନରେ ସାମିଲ ଅଟୋ କର୍ମଚାରୀ ସଂଘ

1 min read

ଭୁବନେଶ୍ୱର: ଜିଦରେ ଅଟଳ ଡ୍ରାଇଭର ମହାସଂଘ। କେନ୍ଦ୍ର ସରକାର ଡ୍ରାଇଭରଙ୍କ ପାଇଁ କରିଥିବା କଳା ଆଇନ୍କୁ ପ୍ରତ୍ୟାହାର କରନ୍ତୁ । ନ ହେଲେ ଚକା ଜାମ୍ । ଡ୍ରାଇଭର ମହାସଂଘ ଆରମ୍ଭ କରିଥିବା ଷ୍ଟିୟରିଂ ଛାଡ଼ ଅଭିଯାନର ପ୍ରଭାବ ଏବେ ଚାରିଆଡ଼େ ଦେଖିବାକୁ ମିଳିଲାଣି । ଗତକାଲି ରାଉରକେଲାର ଟ୍ରକ୍ ଓ ଟିପର ମାଲିକ ସଂଘ ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ କରିଛି । ଅଭିଯାନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଅଟୋ କର୍ମଚାରୀ ସଂଘ।

ପଞ୍ଜାବରେ ହଜାର ହଜାର ଟ୍ରକ୍ ଡ୍ରାଇଭର ଏକାଠି ହୋଇ କେନ୍ଦ୍ର ବିରୋଧରେ ନିର୍ଣ୍ଣାୟକ ଲଢେଇ କରିବାକୁ ନିଷ୍ପତ୍ତି ନେବାର ସୂଚନା ମିଳିଛି। ଭାରତୀୟ ନ୍ୟାୟ ସଂହିତା ଧାରା ୧୦୪ ଉପଧାରା-୨କୁ ବିରୋଧ କରୁଛି ନିଖିଳ ଓଡ଼ିଶା ପରିବହନ କର୍ମଚାରୀ ଫେଡେରେସନ୍। ଅଭିଯୋଗ ହୋଇଛି ଯେ କେନ୍ଦ୍ର ସରକାରଙ୍କ ଏପରି ଆଇନ ପ୍ରମାଣିତ କରୁଛି, ଦେଶରେ ଡ୍ରାଇଭରମାନେ ଯେପରି ଦ୍ବିତୀୟ ଶ୍ରେଣୀ ନାଗରିକ।

ଡ୍ରାଇଭରଙ୍କୁ ଇପିଏଏଫ୍ ଓ ଇଏସ୍ଆଇରେ ଅନ୍ତର୍ଭୁକ୍ତ କରିବାକୁ ବହୁ ଦିନରୁ ଦାବି ହୋଇଆସୁଛି । ଏଥିରେ ସରକାରଙ୍କୁ ଟଙ୍କାଟିଏ ଦେବାକୁ ପଡ଼ିବନି । କେବଳ କେନ୍ଦ୍ର ସରକାର ଇପିଏଫ୍ ଓ ଇଏସ୍ଆଇ ଆଇନରେ ସଂଶୋଧନ କରିବା ଦରକାର । ଚକା ଜାମ୍ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ-ଡିଜେଲ ଉପଲବ୍ଧ ହେବ ନାହିଁ । ଏଥିରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା ଦୁର୍ବିସହ ହୋଇପଡିବ।

ଆସନ୍ତାକାଲି ନିଖିଳ ଓଡ଼ିଶା ପରିବହନ କର୍ମଚାରୀ ଫେଡେରେସନ୍ ଓ ଡ୍ରାଇଭର ମହାସଂଘ ସହିତ ଆଲୋଚନା କରିବ । ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଡ୍ରାଇଭର କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ଆଉ ୭ରୁ ୧୦ ଦିନ ମହଲତ ଦେଇପାରନ୍ତି।