ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା; ଆଉ ଜଣେ ଆହତଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା। ଚାଲିଗଲା ଆଉ ଜଣଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

୨୯ ତାରିଖରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ବେଳେ ଦିଲ୍ଲୀପ ସାମନ୍ତରାୟ, ସୀମାଞ୍ଚଳ ବିଶ୍ୱାଳ, ଶ୍ରୀତମ ସାହୁ, ଜ୍ୟୋତି ରଞ୍ଜନ ମଲ୍ଲିକ ଗୁରୁତର ହୋଇଥିଲେ। ପରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦୁଇ ଜଣ ଦିଲ୍ଲୀପ ଓ ଶ୍ରୀତମ ବୋଲି ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

କିନ୍ତୁ ଚିକିତ୍ସିତ ହେଉଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଦ୍ଵନ୍ଦ୍ବ । ଯାହାକୁ ନେଇ ପରିବାର ବର୍ଗ ମଧ୍ୟ ସାମ୍ନାସାମ୍ନି ହୋଇଥିଲେ। ତେବେ ପରିଶେଷରେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ୩୧ ତାରିଖରେ ମୃତଦେହ ହସ୍ତାନ୍ତର ହୋଇଥିଲା । ପରିବାର ଲୋକ ଶବ ସତ୍କାର କରିଥିଲେ। ହେଲେ ସ୍ବାମୀଙ୍କ ମୃତ୍ୟୁ ଖବର ସହି ନ ପାରି ୧ ତାରିଖରେ ଦିଲ୍ଲୀପଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ଏହାର ଭିତରେ ୪ ତାରିଖରେ ହସ୍ପିଟାଲ ପକ୍ଷରୁ ଦିଲ୍ଲୀପଙ୍କ ପରିବାରଙ୍କୁ ଯୋଗଯୋଗ କରି ସେ ବଞ୍ଚିଥିବା କଥା କୁହାଯାଇଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଛି। ୧୫ ଜଣ ପୋଲିସ ଅଫିସରଙ୍କୁ ନେଇ ଟିମ ଗଠନ ହୋଇଛି। ହସ୍ପିଟାଲ ପକ୍ଷରୁ ପୋଲିସକୁ ମେଡିକୋ ଲିଗାଲ କେସ ଦିଆଯାଇଛି । ଏବେ ଦିଲ୍ଲୀପ ଓ ଜ୍ୟୋତିଙ୍କ ଡିଏନଏ ଟେଷ୍ଟ କରାଯିବ। ଦରକାର ପଡ଼ିଲେ ମୃତ ଦେହ ପ୍ରିଜଭ କରି ରଖାଯିବ। ଜ୍ୟୋତିଙ୍କ ଶବ ଦାହ ହୋଇଥିବାରୁ ତାଙ୍କର ଭିସେରାରୁ ଡିଏନଏ ଟେଷ୍ଟ କରାଯିବ। ଅନ୍ୟ ପଟେ ଦିଲ୍ଲୀପଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରାଯିବ।