କେନ୍ଦ୍ରାପଡ଼ା: ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ଗଣନା ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏଥିରେ ଥିବା ଆର୍ଦ୍ରଭୂମିରେ ଏବେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଆଜି ଆଗନ୍ତୁକ ବିଦେଶାଗତ ପକ୍ଷୀମାନଙ୍କ ଗଣନାକାର୍ଯ୍ୟ ଆରମ୍ଭ ହୋଇଛି । ଭିତରକନିକା, ଗହୀରମଥା, ରାଜନଗର, ମହାକାଳପଡା, କୁଜଙ୍ଗ ସମେତ ୫ଟି ରେଂଜରେ ଏହି ପକ୍ଷୀମାନଙ୍କର ଗଣନା ହୋଇଛି । ଏହି ବିଦେଶାଗତ ପକ୍ଷୀଙ୍କ ଗଣନା ପାଇଁ ୧୮ଟି ଟିମ୍ ନିୟୋଜିତ ହୋଇଥିଲେ । ପ୍ରତ୍ୟେକଟି ଟିମ୍ରେ ୪ ରୁ ୫ଜଣ ବନକର୍ମଚାରୀ ରହି ଗଣନା କରିଥିଲେ । ଏହି ଗଣନା କାର୍ଯ୍ୟରେ ପକ୍ଷୀ ବିଷାରଦଙ୍କ ସମେତ ଏନଜିଓ ସଂସ୍ଥାର କର୍ମଚାରୀ ଓ ପରିବେଶବିତ୍ ମାନେ ସାମିଲ ଥିଲେ ।
କମୁନି ବିଷ୍ଣୁପୂର ଗାଁରେ ବ୍ୟାପୁଥିବା ଝାଡାବାନ୍ତି
ଆଠଗଡ଼: କମୁନି ଆଠଗଡ଼ ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗାଁରେ ବ୍ୟାପୁଥିବା ଝାଡାବାନ୍ତି। ପୂର୍ବରୁ ଗ୍ରାମର ୧୮ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଆହୁରି ୫ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଘରେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ୧୦ ଉର୍ଦ୍ଧ ଚିକିତ୍ସାଧୀନ ରହିଥିବା ବେଳେ ୨ ଜଣ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।
ଗାଁରେ ଗତ ତିନି ଦିନ ହେବ ଜଣଙ୍କ ପରେ ଜଣେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦୂଷିତ ପାଣି ପିଇବା ଦ୍ବାରା ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ବିନ୍ଧାଣିମା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଦଳ ଗ୍ରାମରେ ରହି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଗ୍ରାମ ପରିମଳ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ବିଭିନ୍ନ ଖୋଲା କୂପର ପାଣିକୁ ବ୍ଲିଚିଂ ପକାଇ ବିଶୋଧନ କରାଯାଇଛି।
ସେହିପରି ଝାଡ଼ାବାନ୍ତି ବ୍ୟାପିଥିବା ପରିବାର ଗୁଡ଼ିକର ୬୦ ଜଣ ଲୋକଙ୍କୁ ପ୍ରତିଷେଧକ ମୂଳକ ଔଷଧ ପ୍ରଦାନ କରାଯାଉଛି। ସେପଟେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଆଠଗଡ ଡାକ୍ତରଖାନାରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ଆଠଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଆଠଗଡ଼ରେ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ତୁରନ୍ତ ଗ୍ରାମକୁ ଏକ ଡାକ୍ତରୀ ଟିମ ଯାଇ ବିଶୋଧନ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମେଡିକାଲ୍ ଛାତ୍ରଛାତ୍ରୀଙ୍କୁ ଏଣିକି ସାପ୍ତାହିକ ଛୁଟି ସହ ମିଳିବ କାଜୁଆଲ୍ ଛୁଟି
ନୂଆଦିଲ୍ଲୀ: ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି NMC। ଏଣିକି ସାପ୍ତାହିକ ଛୁଟି ବ୍ୟତୀତ, କାଜୁଆଲ୍ ଛୁଟି ମଧ୍ୟ ପାଇବେ। ଏହା ଅଧୀନରେ, ସାପ୍ତାହିକ ଛୁଟି ସହିତ, ସେମାନେ ଗୋଟିଏ ବର୍ଷ ମଧ୍ୟରେ ୨୦ଟି କାଜୁଆଲ୍ ଛୁଟି ପାଇବେ।
ଦୀର୍ଘ ଦିନ ଧରି ଡାକ୍ତରଙ୍କ କାର୍ଯ୍ୟ ସମୟ ନିର୍ଣ୍ଣୟ ପାଇଁ ଦାବି ହୋଇଆସୁଛି। ଏହି ନୂଆ ନିଷ୍ପତ୍ତି ପରେ ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କାର୍ଯ୍ୟ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ।
ତେବେ ଏନଏମସି ଅନୁଯାୟୀ, ଛାତ୍ରଛାତ୍ରୀ ମାନଙ୍କୁ ‘ଯୁକ୍ତିଯୁକ୍ତ କାର୍ଯ୍ୟ ସମୟ’ ଦିଆଯିବ ଏବଂ ସେମାନେ ବିଶ୍ରାମ ପାଇଁ ମଧ୍ୟ ଉପଯୁକ୍ତ ସମୟ ପାଇବେ। ରିପୋର୍ଟ ଅନୁଯାୟୀ, ଏନଏମସି ପିଜି ଛାତ୍ରମାନେ ଅତି କମରେ ତିନିମାସ ଜିଲ୍ଲା ଡାକ୍ତରଖାନାରେ କାର୍ଯ୍ୟ କରିବେ । ଏହା ସେମାନଙ୍କ ପାଠ୍ୟକ୍ରମ ଅନ୍ତର୍ଗତ।
କେବଳ ଏତିକି ନୁହେଁ, ଏଣିକି ପିଜି ପାଠ୍ୟକ୍ରମରେ ଆଡମିଶନ ପାଇଁ କାଉନସେଲିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନରେ କରାଯିବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହାଦ୍ୱାରା କୌଣସି ଦୁର୍ନୀତି ଘଟିବ ନାହିଁ।
ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ଦେହାନ୍ତ
ଲସ୍ ଆଞ୍ଜେଲସ୍: ହଲିଉଡ୍ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ମୃତ୍ୟୁ। ଏକ ବିମାନ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଛି। ୫୧ ବର୍ଷୀୟ ଅଲିଭରଙ୍କ ସମେତ ତାଙ୍କର ଦୁଇ ଝିଅ ୧୦ ବର୍ଷୀୟା ମାଦିତା ଏବଂ ୧୨ ବର୍ଷୀୟା ଏନିକ ଦୁର୍ଘଟଣାରେ ମତ୍ୟୁ ହୋଇଛି। ଦୁର୍ଘଟଣାରେ ବିମାନର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି।
କାରିବିଆନ୍ ସମୁଦ୍ର ଅଂଚଳରେ୍ ତାଙ୍କର ବିମାନ ସମୁଦ୍ର ଗର୍ଭକୁ ଖସି ପଡିଥିଲା। ବିମାନ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଇଂଜିନ ବିଶିଷ୍ଟ ଏକ ଛୋଟ ଘରୋଇ ବିମାନରେ ଯାତ୍ରା କରୁଥିଲେ ଓଲିଭର। କୌଣସି ତ୍ରୁଟିରୁ ବିମାନଟି ସମୁଦ୍ରକୁ ଖସି ପଡିଥିଲା। ବିମାନ ଖସିବା ପରେ ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ମତ୍ସ୍ୟଜୀବୀ, ପୋଲିସ ଏବଂ କୋଷ୍ଟଗାର୍ଡ ସହାୟତାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା।
ଓଲିଭରଙ୍କ ପରିବାର ଛୁଟି କାଟିବାକୁ ବେକିଆ ଦ୍ବିୀପକୁ ଯାଇଥିଲେ । ସେଠାରୁ ସେଣ୍ଟ ଲୁସିଆ ଦ୍ବିପକୁ ଯାତ୍ରା କରୁଥିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଲିଉଡରେ ୬୦ରୁ ଅଧିକ ସିନେମାରେ ଅଭିନୟର ଛାପ ଛାଡିଯାଇଛନ୍ତି କ୍ରିଷ୍ଟିଆନ ଓଲିଭର। ଜର୍ମାନୀରେ ଜନ୍ମିତ ଏହି ହଲିଉଡ୍ ଅଭିନେତା ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସାଥି କଳାକାର ଜର୍ଜ କ୍ଲୁନିଙ୍କ ସହ ଦ ଗୁଡ୍ ଜର୍ମାନ, ଆକ୍ସନ କମେଡି ସ୍ପିଡ୍ ରେସର ତାଙ୍କର ଲୋକପ୍ରିୟ ସିନେମା।

