spot_img
Home Blog Page 2327

ସାମୟିକ ବନ୍ଦ ଭାରତ ଯୋଡ ନ୍ୟାୟ ଯାତ୍ରା, କୋର୍ଟରେ ଆଜି ହାଜର ହେବେ ରାହୁଲ ଗାନ୍ଧୀ

0

ଲକ୍ଷ୍ନୌ: ଏକ ମାନିହାନି ମାମଲା କ୍ରମେ ଉତ୍ତରପ୍ରଦେଶ ସୁଲତାନପୁର ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ଆଜି ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ହେବ ବୋଲି କହିଛନ୍ତି କଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ। ବର୍ତ୍ତମାନ ଭାରତ ଯୋଡ ନ୍ୟାୟ ଯାତ୍ରା ୩୭ ଦିନରେ ପହଞ୍ଚିଛି।

କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ। ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ସେହି ମାମଲାର ଶୁଣାଣି ଲାଗି ୨୦ ତାରିଖ ଧାର୍ଯ୍ୟ ହୋଇଛି।

ପଞ୍ଜାବ ଚାଷୀଙ୍କ ନୂଆ ଉପାୟ, ଆଜିଠାରୁ ରାଜ୍ୟ ବିଜେପି ନେତାଙ୍କ ବାସଭବନ ଘେରାଉ

0

ନୂଆଦିଲ୍ଲୀ: କେନ୍ଦ୍ରର ସମସ୍ତ ଉଦ୍ୟମ ପରେ ବି ଥମୁନି ଚାଷୀ ଆନ୍ଦୋଳନ। ଜିଦରେ ଅଟଳ ଅନ୍ନଦାତା। ଆସନ୍ତା ୨୧ରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଡାକରା।
MSP ଗ୍ୟାରେଣ୍ଟି ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି କୃଷକ ସଂଗଠନ। ୪ ଫସଲ ଉପରେ ଏମଏସପି ନେଇ ୫ ବର୍ଷର ଚୁକ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛନ୍ତି ଚାଷୀ ସଂଗଠନ। ସେପଟେ ଦାବି ପୂରଣ ଲାଗି ପଞ୍ଜାବ ଚାଷୀଙ୍କ ନୂଆ ତରିକା ।

ରାଜ୍ୟ ବିଜେପି ନେତାଙ୍କ ବାସଭବନକୁ ଆଜିଠାରୁ ଘେରାଉ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା । କୃଷକ ନେତା ବଲବୀର ସିଂ ରାଜେଓ୍ବାଲଙ୍କ ଘୋଷଣା ଅନୁସାରେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଘେରାଉ କରିବେ । ଏହା ସହ ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ଟୋଲଗେଟକୁ ଟୋଲ ଫ୍ରି କରିଦିଆଯିବ ।

37ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଘୋଷଣା କେନ୍ଦ୍ର ଉପରେ ଅଧିକ ଚାପ ପକାଇବା ଆଶା କରାଯାଉଛି । ତେଣେ କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି । ତେଣେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି- ଗତ ୧୮ ତାରିଖରେ ଚାଷୀ ନେତାଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିଲା ।

କୃଷକ ନେତାମାନେ କେତେକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଯାହାକି ପଞ୍ଜାବ ଓ ହରିଆଣା ଚାଷୀଙ୍କ କଲ୍ଯାଣ କରିବ । ଏହା ସହ ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା କିଣିବା ଲାଗି ଚାଷୀଙ୍କ ସହ ଏକ ୫ ବର୍ଷିଆ ଆଇନଗତ ରାଜିନାମା କରିବା ଲାଗି ଭାରତର କପା ନିଗମ ପଦକ୍ଷେପ ନେବ । ସେହିପରି ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା କ୍ରୟ ସକାଶେ ନ୍ୟାସନାଲ କୋପରେଟିଭ କଞ୍ଜ୍ୟୁମର୍ସ ଫେଡେରେସନ ବା ଏନସିସିଏଫ ଏବଂ ନ୍ଯାସନାଲ ଏଗ୍ରିକଲଚର କୋପରେଟିଭି ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ବା ନାଫେଡ 5 ବର୍ଷିଆ ଚୁକ୍ତି କରିବେ । ସଂଗ୍ରହ ହେଉଥିବା ସାମଗ୍ରୀ ପରିମାଣରେ କୌଣସି ସୀମା ରହିବ ନାହିଁ ବୋଲି ସରକାର ପରାମର୍ଶ ଦେଇଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ସହ ଚାଷୀ ନେତାଙ୍କ ହୋଇଥିଲା ଆଲୋଚନା ।

ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ, ଆଜି ସୁପ୍ରିମକୋର୍ଟରେ ଭିଡିଓ ଦାଖଲ

0

ଚଣ୍ଡିଗଡ: ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର ଭିଡିଓ ଆଜି ସୁପ୍ରିମକୋର୍ଟରେ ହେବ ଦାଖଲ। ଏହାକୁ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ମାମଲାର ଶୁଣାଣି କରି ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିବା ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବା ଲାଗି ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାନି ନିର୍ବାଚନ କରିବାକୁ ଅଗ୍ରାହ୍ଯ କରିଥିଲେ କୋର୍ଟ।

ଗତ ଜାନୁଆରୀ ୩୦ ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ଜାଲିଆତି କରି ୮ଟି ଭୋଟକୁ ନାକଚ କରିଦେବା ନେଇ ଅଭିଯୋଗ କରିଥିଲା ଆପ। ଭୋଟଗଣତି ବେଳେ ବାଲଟ ପେପର ଉପରେ ଟିକ୍ ମାର୍କିଂ କରିବାବେଳେ ଅନିଲ ସିସିଟିଭି ଆଡକୁ ଚାହିଁଥିବା ଭିଡିଓ ଭାଇରାଲ ହୋଇଥିଲା।

କାହିଁକି ସିସିଟିଭି ଆଡକୁ ମୁହଁ କରିଥିଲେ ଏବଂ କାହିଁକି ବାଲଟ ପେପର ଉପରେ ମାର୍କିଂ କରିଥିଲେ ବୋଲି ଶୁଣାଣି ବେଳେ ଅନିଲଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଏଣୁ ତାଙ୍କ ବିରୋଧରେ ମାମଲା ଦାୟର ହେବା ଆବଶ୍ଯକ ବୋଲି ସୁପ୍ରିମକୋର୍ଟ କହିଥିଲେ। ନିର୍ବାଚନଭିତ୍ତିକ ଗଣତନ୍ତ୍ରରେ ଏହା ଅଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ। ସେପଟେ ଚଣ୍ଡୀଗଡ଼ ମେୟର ପଦରୁ ବିଜେପିର ମନୋଜ ଶଙ୍କର ଇସ୍ତଫା ଦେଇଥିବାବେଳେ ଆପର ୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି।

ଗତ ଜାନୁଆରୀ ୩୦ରେ ହୋଇଥିବା ମେୟର ନିର୍ବାଚନରେ ଆପର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେପିର ମନୋଜ ଶଙ୍କର। ମନୋଜ ୧୬ ଭୋଟ ପାଇଥିବାବେଳେ କୁଲଦୀପ ୧୨ଟି ଭୋଟ ପାଇଥିଲେ। ୮ଟି ଭୋଟ ଆପ୍ ସପକ୍ଷରେ ଯାଇଥିଲେ ବି ତାହାକୁ ରଦ୍ଦ କରିଥିଲେ ପ୍ରିଜାଇଡିଂ ଅଫିସର।

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା, ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ବର: ଆଜିଠୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ଚଳିତବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ସକାଳ ୭ଟା ୧୫ ମିନିଟରେ ଖୋଲିବା ପରେ ପରୀକ୍ଷାର୍ଥୀ ସାଢେ ୭ଟାରେ ହଲକୁ ପ୍ରବେଶ କରିବେ । ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ । ୯ ଟାରେ ପରୀକ୍ଷା ଆରମ୍ଭ ହେବ ।

ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ସର୍ଭିଲାନସରେ ରଖାଯାଇଛି । କୌଣସି ସ୍ଥାନରେ ବିଶୃଙ୍ଖଳା ଓ ଅନିୟମିତା ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କୌଣସି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଛଡାଯିବ ନାହିଁ । ପରୀକ୍ଷାର ମାତ୍ର ୧୫ ମିନିଟ ଆଗରୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଓ ଦୁଇଜଣ ଛାତ୍ରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ ।

ସାରା ରାଜ୍ଯରେ ବୋର୍ଡ ପକ୍ଷରୁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ୍ ହାଉସରେ ନୋଡାଲ ସେଣ୍ଟର କରାଯାଇଛି । ମାଟ୍ରିକ ସହ ୭ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ଯ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ଏଥର ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି ।

ପଶ୍ଚିମ ଓଡ଼ିଶା ସ୍ବାସ୍ଥ୍ଯସେବାରେ ନୂଆ ଅଧ୍ଯାୟ, ଆଜି ଲୋକାର୍ପିତ ହେବ ବରଗଡ଼ କ୍ଯାନସର ହସ୍ପିଟାଲ

ବରଗଡ: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ଯସେବାରେ ନୂଆ ଅଧ୍ଯାୟ । ଆଜି ଲୋକାର୍ପିତ ହେବ ବରଗଡ଼ କ୍ଯାନସର ହସପିଟାଲ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୫ ମହଲା ବିଶିଷ୍ଟ ଏକ ବିରାଟ କ୍ୟାନ୍ସର ହସ୍ପିଟାଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୧୦୬ କୋଟି ୬ ଲକ୍ଷ ଟଙ୍କା ବିନିମୟରେ ୧୨ ହଜାର ୬୮୨ ବର୍ଗ ମିଟରରେ ନିର୍ମାଣ ହୋଇଛି ଏହି ହସ୍ପିଟାଲ ।

୨୦୧୯ ମସିହାରେ ସୋହେଲା ଠାରେ ଆୟୋଜିତ ଏକ ସଭାରେ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ଆଜି ବାସ୍ତବରୂପ ନେବାକୁ ଯାଉଛି । କ୍ଯାନ୍ସର ହସପିଟାଲରେ ରହିଛି ୧୦୦ ଶଯ୍ୟା । ଇନଡୋର ୱାର୍ଡ ପାଇଁ ୪୦ ଶଯ୍ୟା, ଡେ- କେୟାର କେମୋଥେରାପି ପାଇଁ ୨୦ ଶଯ୍ୟା , ଆଇସିୟୁ ପାଇଁ ୬ ଶଯ୍ୟା, ହାଇ ଡିପେନ୍ଡେସି ଇଉନିଟ୍ ପାଇଁ ୬ ଶଯ୍ୟା, ପ୍ରି-ସର୍ଜରୀ ପାଇଁ ୬ ଟି, ପୋଷ୍ଟ୍ ସର୍ଜରୀ ପାଇଁ ୬ଟି ଶଯ୍ଯା।

ସେହିପରି ଆଇସୋଲେସନ୍ ଶଯ୍ୟା ୪ ଟି ଥିବାବେଳେ ୧୨ ଟି କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ରେଡିଏନ୍ସ ଅଙ୍କୋଲୋଜିଷ୍ଟ, ମେଡିକାଲ ଅଙ୍କୋଲୋଜିଷ୍ଟ, ପାଲୋଜିଷ୍ଟ, ସର୍ଜରୀ ସ୍ପେସିଆଲିଷ୍ଟ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, କର୍ଣ୍ଣ-ନାଶା-ଗଳା ବିଶେଷଜ୍ଞ, ଦାନ୍ତ ରୋଗ ବିଶେଷଜ୍ଞ, ମେଡିସିନ ସ୍ପେସିଆଲିଷ୍ଟ, ରେଡିଏଂଶ ଟେକ୍ନୋଲୋଜିଷ୍ଟ , ଫାର୍ମାସିଷ୍ଟ, ଲ୍ଯାବ ଟେକ୍ନିସିଆନ ଓ ନର୍ସିଂ ଅଫିସରର ଆଦି ନିଯୁକ୍ତି ପାଇସାରିଛନ୍ତି ।

ସେହିଭଳି ୨୨ କୋଟି ୭୮ ଲକ୍ଷ ଟଙ୍କା ବିନିମୟରେ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ୫୯ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ସହ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଣିକି ବର୍ଷସାରା ଚାଷ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଆଜି ଲୋକାର୍ପଣ

ବରଗଡ: ଓଡ଼ିଶା ଜଳସେଚନ ଇତିହାସରେ ଆଉ ଏକ ସବୁଜ କ୍ରାନ୍ତି । ରବି ହେଉକି ଖରିଫ । ଏଣିକି ସବୁବେଳେ ଚାଲିବ ଚାଷ, ଜମି ହେବ ଶସ୍ୟ ଶ୍ୟାମଳା। ଆଜି ପୂରଣ ହେବ ବରଗଡ଼ବାସୀଙ୍କ ସ୍ବପ୍ନ । ବହୁପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଚିରମରୁଡ଼ି ପ୍ରପୀଡ଼ିତ ବିଜେପୁର, ସୋହେଲା, ବରପାଲି ଓ ବରଗଡ଼ ବ୍ଲକ ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରୀପାଲି ବ୍ଲକରେ କ୍ଷେତକୁ ନିଶ୍ଚିତ ହେବ ଜଳଯୋଗାଣ। ଏଥିପାଇଁ ହୀରାକୁଦ, ତୁରଙ୍ଗା ଓ କନାପାଲିଠାରେ ତିନୋଟି ପମ୍ପହାଉସ ପ୍ରତିଷ୍ଠା ହୋଇଛି।

ପ୍ରକଳ୍ପରେ ୧୨୯ରୁ ଅଧିକ ଗାଁର ପ୍ରାୟ ୨୫ହଜାର ୬୦୦ ହେକ୍ଟର ଜମିରେ ପାଣି ପହଞ୍ଚିବ। ବିଜେପୁର ବ୍ଲକର ୭୭ଟି ଗାଁର ୧୫ ହଜାର ୨୦୦, ସୋହେଲା ବ୍ଲକର ୬ ହଜାର ୪୦୦, ବରପାଲି ବ୍ଲକର ୩ ହଜାର ୮୪୦ ସହ ବରଗଡ଼ ବ୍ଲକ ଏବଂ ଡୁଙ୍ଗୁରୀପାଲି ବ୍ଲକର ଆଂଶିକ ଅଞ୍ଚଳକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ। ୨୦୧୯ ମସିହାରେ ଫେବ୍ରୁଆରୀରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ୨୦୨୦ ସେପ୍ଟେମ୍ବରରେ କାମ ଆରମ୍ଭ ହୋଇଥିଲା ।

୧୨୭୫.୨୬କୋଟି ଟଙ୍କା ବିନିମୟରେ ରେକର୍ଡ ୩ବର୍ଷରେ ପ୍ରକଳ୍ପ କାମ ଶେଷ ହୋଇଛି। କେବଳ ଖରିଫ ଫସଲ ହେଉଥିବା ବେଳେ ଏହା ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲା। ତେବେ ବର୍ତ୍ତମାନ ବର୍ଷା ନ ହେଲେ ମଧ୍ୟ ଖରିଫ ସମୟରେ ଏବଂ ସମ୍ପୂର୍ଣ୍ଣ ଭାବରେ ଏଠାରେ ରବି ଚାଷ ମଧ୍ୟ ହୋଇପାରିବ। କେନାଲ ବଦଳରେ ପାଇପ ଯୋଗେ ଜଳଯୋଗାଣ ହେଉଥିବାରୁ ଧାନ ବ୍ୟତୀତ ଅନ୍ୟ ଫସଲ ମଧ୍ୟ ହୋଇପାରିବ। ଯାହାକି ଚାଷୀଙ୍କ ପାଇଁ ବରଦାନ ସାଜିବ। ଫାଇଭ-ଟି ଉପକ୍ରମରେ ଏହି ପ୍ରକଳ୍ପ ରେକର୍ଡ ସମୟରେ ପୂର୍ଣ୍ଣ ହୋଇଛି ।

ଏହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସବୁଠାରୁ କମ୍

ନନ୍ଦିଘୋଷ ବ୍ୟୁରୋ: ସ୍ୱଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ରେକର୍ଡ କାହା ନାମରେ ରହିଛି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ, କିନ୍ତୁ ଆପଣ ଜାଣନ୍ତି କି ସ୍ୱଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ କିଏ ? ଯେକୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପଦବୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଖ୍ୟମନ୍ତ୍ରୀଙ୍କ ପଦବୀ ସାଧାରଣତ ୫ ବର୍ଷ ଅଟେ। ତେବେ ରାଜନୈତିକତା ଅସ୍ଥିରତା ହେତୁ ଅନେକ ଥର ଜଣେ ରାଜନେତାଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ପଦ ଛାଡିବାକୁ ପଡିବ। ଏଭଳି ପରିସ୍ଥିତିରେ, ଆପଣ ଜାଣନ୍ତି କି ମୁଖ୍ୟମନ୍ତ୍ରୀ କିଏ ଯାହାର କାର୍ଯ୍ୟକାଳ ସବୁଠାରୁ କମ୍ ଥିଲା? ଯଦି ନୁହେଁ ତେବେ ଆମକୁ ଜଣାନ୍ତୁ |

ଏହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସବୁଠାରୁ କମ୍

ସ୍ୱଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିବାର ଆଖ୍ୟା ହରିଶ ରାୱତଙ୍କ ନାମରେ ଅଛି। କଂଗ୍ରେସର ବଡ ନେତାଙ୍କ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ସିଏମ୍ ହରିଶ ରାୱତ ଗଣିତ ହୋଇଛନ୍ତି। ହରିଶ ରାୱତ ତିନିଥର ଉତ୍ତରାଖଣ୍ଡର ସିଏମ୍ ହୋଇଛନ୍ତି, ଯଦିଓ ଏହି ସମୟ ମଧ୍ୟରେ ସେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇନଥିଲେ। ତାଙ୍କ ନାମରେ ଏକ ରେକର୍ଡ ଅଛି ଯାହା ଏପର୍ଯ୍ୟନ୍ତ କୌଣସି ସିଏମ୍ ମେଳ କରି ପାରି ନାହିଁ। ବାସ୍ତବରେ ହରିଶ ରାୱତ ସ୍ୱଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରଖିଛନ୍ତି। ସେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ମାତ୍ର ଗୋଟିଏ ଦିନ ପାଇଁ ସିଏମ୍ ହୋଇଥିଲେ।

ତାଙ୍କୁ ମାତ୍ର ଗୋଟିଏ ଦିନ ପରେ ସିଏମ ପଦରୁ ଇସ୍ତଫା ଦେବାକୁ ପଡିଲା କାହିଁକି?

୧ ଫେବୃଆରୀ ୨୦୧୪ରେ ହରିଶ ରାୱତ ପ୍ରଥମେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବାର ପ୍ରାୟ ଦୁଇ ବର୍ଷ ପରେ, ରାଜନୈତିକତା ଅସ୍ଥିରତା କାରଣରୁ ମାର୍ଚ୍ଚ ୨୭, ୨୦୧୬ରେ ରାଜ୍ୟରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରାଯାଇଥିଲା। ଏହା ପରେ ହରିଶ ରାୱତ ୨୧ ଏପ୍ରିଲ ୨୦୧୬ରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ, କିନ୍ତୁ ପରଦିନ ରାଜ୍ୟରେ ପୁନର୍ବାର ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରାଯାଇଥିଲା ଏବଂ ଏହିପରି ଭାବରେ ତାଙ୍କ ନାମରେ ଏକ ରେକର୍ଡ କେବଳ ୧ ଦିନ ପାଇଁ ପଞ୍ଜୀକୃତ ହୋଇଥିଲା। । ଯଦିଓ ସେ ପରବର୍ତ୍ତୀ ମାସରେ ପୁନର୍ବାର ସିଏମ୍ ହୋଇଥିଲେ, ତଥାପି ତାଙ୍କର ରେକର୍ଡ ସ୍ଥିର ହୋଇଛି ଏବଂ ଏହା ଅନ୍ୟ କୌଣସି ନେତାଙ୍କ ନାମରେ ହୋଇନାହିଁ | ଏହା ବ୍ୟତୀତ ଦେବେନ୍ଦ୍ର ଫଡନାଭିସ୍, ବି.ୟେଡିୟୁରପ୍ପା ଏବଂ ନେତା ଜଗଦମ୍ବିକା ତିନି ଦିନ ଧରି ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରଖିଛନ୍ତି।

ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଲେ 5T ଅଧ୍ଯକ୍ଷ

ନନ୍ଦିଘୋଷ ବ୍ୟୁରୋ: 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ବରରେ ନିର୍ମାଣଧୀନ ମିଶନ ଶକ୍ତି ବଜାର ବୁଲି ଦେଖିଛନ୍ତି । 5T ଉପକ୍ରମରେ ଏହି ମିଶନ ଶକ୍ତି ବଜାର ପ୍ରତିଷ୍ଠା ହେଉଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ଯକ୍ଷମ ହେବ। ସହରାଞ୍ଚଳ ଲୋକଙ୍କ ପାଇଁ ଏହି ମିଶନ ଶକ୍ତି ବଜାର ପ୍ରମୁଖ ଆକର୍ଷଣ ହେବ। ୧୦ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣଧୀନ ଏହି ମିଶନ ଶକ୍ତି ବଜାରରେ ରାଜ୍ଯର ବିଭିନ୍ନ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ଉତ୍ପାଦକୁ ବିକ୍ରି କରାଯିବ। ରାଜ୍ଯର ପ୍ରାୟ ଏକ ହଜାର ଉତ୍ପାଦ ଏଠାରେ ବିକ୍ରି କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ହାତ ତିଆରି ନାଲି ଚାଉଳ, ବ୍ରହ୍ମପୁର ଆଚାର, କନ୍ଧମାଳ ହଳଦୀ, ନୂଆପଡା ମହୁ, କେନ୍ଦ୍ରାପଡ଼ାର କାଇଁଚ, ମୟୂରଭଂଜର ସବାଇ ଘାସ, କେନ୍ଦୁଝରର ଫୁଲ ବଡି ଆଦିର ବିକ୍ରି କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ନିର୍ମିତ ଉତ୍ପାଦ ସାମଗ୍ରୀ ପାଇଁ ଏହା ଏକ ବୁଟିକ ଭାବେ କାମ କରିବ । ଏପରିକି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭୁବନେଶ୍ବରର ବଡ ବଡ ଗ୍ରାହକଙ୍କ ସହ ମଧ୍ଯ ଯୋଗାଯୋଗ କରି ବ୍ଯବସାୟ କରିପାରିବେ। ମହିଳାଙ୍କ ଦ୍ବାରା ନିର୍ମିତ ମୌଳିକ ହାତ ତିଆରି ସାମଗ୍ରୀ ପାଇଁ ଏହି ମିଶନ ଶକ୍ତି ବଜାର ଓଡିଶା ପର୍ଯ୍ୟଟନ ମ୍ଯାପରେ ସ୍ଥାନ ପାଇବ। ଏସଏଚଜିକୁ ଏସଏମଇରେ ରୂପାନ୍ତରିତ କରିବାରେ ଏହି ମିଶନ ଶକ୍ତି ବଜାର ଏକ ମାଇଲଖୁଣ୍ଟ ହେବ। ମିଶନ ଶକ୍ତି ବଜାର ନିର୍ମାଣର ଅଗ୍ରଗତିରେ ଖୁସି ପ୍ରକାଶ କରିଛନ୍ତି 5T ଅଧ୍ଯକ୍ଷ। ମହିଳାଙ୍କ ନେତୃତ୍ବରେ ଚାଲୁଥିବା ଉଦ୍ଯୋଗୀକରଣରେ ଏହା ଏକ ବଳିଷ୍ଠ ଉଦାହାରଣ। ଏହି ବଜାରର ପରିଚାଳନା ଦାୟିତ୍ବରେ ରହିବ ଖୋର୍ଦ୍ଧା ମାତୃଶକ୍ତି ଫାରମର୍ସ ପ୍ରଡ୍ଯୁସର କମ୍ପାନୀ। ମହିଳା ଏସଏଚଜିମାନଙ୍କୁ ନେଇ ଏହି କମ୍ପାନୀ ପ୍ରତିଷ୍ଠା ହୋଇଥିବା ବେଳେ ଏସଏଚଜିମାନେ ଏହାର ସେୟାର ହୋଲଡର ଅଛନ୍ତି।

ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ, ଚଳିତବର୍ଷ ପ୍ରଥମଥର ୩୬ ଡିଗ୍ରୀ ପାର୍

ଭୁବନେଶ୍ବର: ରାଜ୍ୟରେ ବଢିଲା ଗ୍ରୀଷ୍ମପ୍ରବାହ। ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ ଡିଗ୍ରୀ ଅତିକ୍ରମ କଲା ଦିନର ତାପମାତ୍ରା । ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ଆଜି ସର୍ବୋଚ୍ଚ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ବଲାଙ୍ଗୀରରେ ୩୫.୯ଡିଗ୍ରୀ ତାତି ରହିଥିବାବେଳେ ବୌଦ୍ଧରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ପାରଳାଖେମୁଣ୍ଡି ଏବଂ ସୋନପୁରରେ ୩୪.୮, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରିରେ ୩୪.୭, ନୟାଗଡ଼ରେ ୩୪.୫, ରାୟଗଡାରେ ୩୪.୨ ଓ ଅନୁଗୁଳରେ ୩୪.୧ ଡିଗ୍ରୀ ତାତି ରେକର୍ଡ ହୋଇଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ବଢୁଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆହୁରି  ତାତି ବଢିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ତାତିବ।

‘ଭବିଷ୍ୟତ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ସୋମବାର ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏଭଳି ପଦକ୍ଷେପ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ତଥା ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଲାଗି ଏକ ମାର୍ଗଦର୍ଶନ ହେବ ବୋଲି କହିଛନ୍ତି।

‘‘ବର୍ତ୍ତମାନ ସମୟରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି। ତେଣୁ ଏହା ସହିତ ତାଳ ଦେଇ ଆମକୁ ଆମର ସାମାଜିକ ଓ ଅର୍ଥନୈତିକ ଧାରାକୁ ସମୃଦ୍ଧ କରିବାକୁ ହେବ। ଭବିଷ୍ୟତ ଲାଗି ଆମ ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ସମ୍ମିଳନୀ ଆମକୁ ରାଜ୍ୟର ଦ୍ରୁତ ଅଭିବୃଦ୍ଧି, ଭବିଷ୍ୟତ ଲାଗି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ଏବଂ ଯୁବପିଢ଼ିଙ୍କ ଲାଗି ନୂତନ ଓ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଶେଷ ସହାୟକ ହେବ’’, କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାର ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ‘‘ରୂପାନ୍ତରଣ ଆମ ପାଇଁ କେବଳ ଏକ ନୂଆ ବାଟ ନୁହେଁ, ଏହା ଏକ ଆବଶ୍ୟକତା। ପ୍ରମୁଖ ଶିଳ୍ପ ନେତୃତ୍ୱ ଏବଂ ବିଭିନ୍ନ ଅଂଶୀଦାରମାନେ ଏକାଠି ହୋଇ ଭବିଷ୍ୟତର ମାନବ ସମ୍ବଳ ଲାଗି ଅପାର ସମ୍ଭାବନା ତଥା ଓଡ଼ିଶା ପାଇଁ ଅସୀମ ସମୃଦ୍ଧି ସୃଷ୍ଟି ଲାଗି ରାସ୍ତା ପ୍ରସ୍ତୁତ କରିବା ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ଆଜି ସ୍କିଲ୍ଡ-ଇନ୍-ଓଡ଼ିଶା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇଥିବା ବେଳେ ଓଡ଼ିଶା ଏକ ପ୍ରମୁଖ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଗଣିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିଖର ସମ୍ମିଳନୀ ଦେଶ ବିଦେଶର ନିଯୁକ୍ତିଦାତା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ।’’

ଏହି ଅବସରରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରମୁଖ ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷର କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଏବଂ ନାନୋ ୟୁନିକର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦେଶରେ ଓଡ଼ିଶାର ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଏବେ ଏକ ରିକ୍ରୁଟମେଣ୍ଟ ଏଜେନ୍ସି ଭାବେ କାମ କରିବ। ଏହି କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଥିଲା।

ଏହି ଅଧିବେଶନରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇଥିଲେ। ଆରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।

ସୋମବାର ଦିନ ପୂର୍ବହ୍ନରୁ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଥିଲା। ବିଭିନ୍ନ ଅଧିବେଶନରେ ଓଡ଼ିଶାର ଅଭିବୃଦ୍ଧି, ଶିଳ୍ପ ସମ୍ଭାବନା ଏବଂ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଆଦି ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଦେଶ ବିଦେଶରୁ ଆସିଥିବା ବିଭିନ୍ନ ଶିଳ୍ପ କ୍ଷେତ୍ର, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଓ ମାନବ ସମ୍ବଳ ବିକାଶ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ସେମାନଙ୍କ ସହ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶେଷକରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ପ୍ରଶାସକ ଓ ପ୍ରଶିକ୍ଷକମାନେ ଯୋଡ଼ି ହୋଇଛନ୍ତି।

ସୋମବାର ଦିନ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଥମ ଅଧିବେଶନ ଅବସରରେ ‘ଷ୍ଟ୍ରାଟେଜି ଆଣ୍ଡ ଆକ୍ସନ ପ୍ଲାନ୍ ଫର୍ ଡିଜିଟାଲ ସ୍କିଲିଂ’ ବିଷୟରେ ଏକ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ସେହିପରି ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମର ସଫଳତାକୁ ନେଇ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।