ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଲୱେ ବିଭାଗର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମଃ ପର୍ଯ୍ୟାୟରେ ଟ୍ରେନ୍ ଚଳାଚଳ ଯେପରି ସ୍ଵାଭାବିକ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏଥିସହିତ ଟ୍ରେନ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ରେଳ ବିଭାଗ ।
ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ
ଭୁବନେଶ୍ବର: ଧରାହେଲା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ । ରାଜଧାନୀର ବିଭିନ୍ନ ଆପାର୍ଟମେଂଟରୁ ହୋଇଥିବା ସିରିଜ ଲୁଟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ରାଜଧାନୀର ପାଞ୍ଚଟି ଆପାର୍ଟମେଣ୍ଟରେ ୧୨ ଫ୍ଲାଟ୍ ରୁ ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । ଏମାନେ ଚନ୍ଦକା ଥାନା ଅଞ୍ଚଳ ଆପାର୍ଟମେଣ୍ଟ, ଇନ୍ଫୋସିଟ ଥାନା ଅଞ୍ଚଳ ରାଜ ବାଟିକା, ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଲୁଟ୍ କରିଥିଲେ । ଲୁଟେରା ଗ୍ୟାଙ୍ଗ ବାହାର ରାଜ୍ୟର । ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ମିଳିଥିବା ଭିଜୁଆଲ ଅନୁସାରେ କିଛି ଦିନ ତଳେ ସର୍ବସାଧାରଣରେ ଫଟୋ ଜାରି କରିଥିଲା କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ପ୍ରକଳ୍ପ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଧିରାଜ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଧିରାଜ ଯୋଗ ଦେବା ପରେ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦଳ ମତ ନିର୍ବିଶେଷରେ ଏଭଳି କାର୍ଯ୍ୟରେ ସମସ୍ତେ ସାମିଲ ହେବା କଥା ବୋଲି କହିଥିଲେ ଅଧିରାଜ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ଏ ଖବର ପିସିସି ସଭାପତି ଓ ପ୍ରଭାରୀଙ୍କ ପାଖେ ପହଞ୍ଚିଛି । ଅନ୍ୟପଟେ ସୁରଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଅଧିରାଜ । ଅଧିରାଜ କହିଛନ୍ତି ଯେ, ଦଳ ତରଫରୁ କେବେ କୁହାଯାଇ ନଥିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନ ଯିବା ପାଇଁ । ପ୍ରକଳ୍ପକୁ ବିରୋଧ ପାଇଁ କଂଗ୍ରେସ କେବେ କହିନି । ତେଣୁ ଏଭଳି ଏକ ଐତିହାସିକ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସେ କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି ଅଧିରାଜ।
ଅନଲାଇନ୍ ଗେମ ଆଇଡି ନଦେବାରୁ ନାବାଳକ ସାଙ୍ଗକୁ ମାରିଦେଲେ ଅନ୍ୟ ୪ ସାଙ୍ଗ
କୋଲକତା: ଅନଲାଇନ୍ ଗେମ ଆଇଡି ନଦେବାରୁ ନାବାଳକ ସାଙ୍ଗକୁ ମାରିଦେଲେ ଅନ୍ୟ ୪ ସାଙ୍ଗ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନାବାଳକଙ୍କ ମୃତଦେହକୁ ପୋଡ଼ିଦେଲେ। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଂଚଳରେ ଘଟିଛି ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୃତ ନାବାଳକ ମୁର୍ଶିଦାବାଦ ଫରକ୍କା ଡ୍ୟାମ୍ ପ୍ରୋଜେକ୍ଟ ହାଉସିଂ ଅଂଚଳରେ ରହୁଥିଲେ।
ଗତ କିଛିଦିନ ହେବ ସେ ନିଖୋଜ ଥିଲେ । ନାବାଳକ ନିଖୋଜ ନେଇ ତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ପୋଲିସ ନାବାଳକଙ୍କ ୪ ବନ୍ଧୁକୁ ପଚରାଉଚରା କରିଥିଲା। ଏହାପରେ ସ୍ଥାନୀୟ ଅଂଚଳରେ ନାବାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ମୃତଦେହକୁ ଚିହ୍ନଟ ପରେ ତାର ୪ ସାଙ୍ଗ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରିଥିଲା।
ତନାଘନା ପରେ ଅନଲାଇନ୍ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ମୃତ ନାବାଳକଙ୍କ ନାଁରେ ଏହି ଅନଲାଇନ୍ ଗେମ୍ ଆଇଡି ଥିଲା । ତାର ଅନ୍ୟ ସାଙ୍ଗ ଏହି ଆଡିର ପାସୱାର୍ଡ ମାଗିବାରୁ ସେ ଦେଇନଥିଲେ । ଏହାପରେ ୪ ସାଙ୍ଗ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଜଙ୍ଗଲକୁ ଡାକି ନେଇ ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡି ଦେଇଥିଲେ
ତାଇୱାନ ଆକାଶରେ ପଇଁତରା ମାରିଲା ୧୧ ଚୀନ ବିମାନ
ତାଇପେଇ ସିଟି: ତାଇୱାନ ବାୟୁସୀମାରେ ପଶିଲେ ଚୀନର ଏକାଧିକ ଯୁଦ୍ଧ ବିମାନ । ଚୀନ ସେନାର ୧୮ ଯୁଦ୍ଧ ବିମାନ ତାଇୱାନ ପରିସୀମାରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଯୁଦ୍ଧ ବିମାନ ସହ ଯୁଦ୍ଧପୋତ ମଧ୍ୟ ତାଇୱାନ ଅଂଚଳରେ ଠାବ କରାଯାଇଛି । ଯୁଦ୍ଧଭ୍ୟାସ କରୁଥିବା ବିମାନ ମଧ୍ୟରୁ ୧୧ଟି ବିମାନ ତାଇୱାନ ବାୟୁସୀମା ଅତିକ୍ରମ କରିଥିଲେ । ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଚୀନ ପକ୍ଷରୁ ଏହି ପାଟ୍ରୋଲିଂ କରାଯାଇଛି।
ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚୀନ ସେନା ପକ୍ଷରୁ ମିଳିତ ସମରାଭ୍ୟାସ କରାଯାଉଥିବା କହିଛି ତାଇୱାନ। ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ପରେ ଚୀନର ଏହା ସବୁଠାରୁ ବଡ଼ଧରଣର ସାମରିକ ଅଭ୍ୟାସ। ତାଇୱାନକୁ ପୂର୍ବରୁ ନିଜର ଦର୍ଶାଇ ଆସୁଛି ଚୀନ। ଚୀନର ଏହି ବୟାନକୁ ନେଇ ବିବାଦ ଲାଗି ରହିଛି।
ତାଇୱାନରେ ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଲାଇ ଚିଙ୍ଗ ତେଙ୍କ ବିଜୟ ହୋଇଛି। ରାଷ୍ଟ୍ରପତି ଲାଇ ଚିଙ୍ଗ ଚୀନ ବିରୋଧୀ ଚିନ୍ତାଧାରା ରଖୁଥିବାରୁ ଚୀନ ପକ୍ଷରୁ ଏହି ସମରାଭ୍ୟାସ କରାଯାଇଥିବା କୁହାଯାଉଛି। ଉଭୟ ଦେଶ ମଧ୍ୟରେ ଥିବା ସୀମାକୁ ଚୀନ ସେନା ମାନୁନଥବା ଅଭିଯୋଗ କରିଆସୁଛି ତାଇୱାନ । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆମେରିକା ସତର୍କ ଦୃଷ୍ଟି ରଖିଛି।
ପ୍ରବଳ କୁହୁଡିରେ ଡ୍ରମବାଜା ତାଳେ ତାଳେ କମ୍ପୁଛି ଦିଲ୍ଲୀ ରାଜପଥ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି । କର୍ତ୍ତବ୍ୟ ପଥ ରେ ପରେଡ ପାଇଁ ରିହରସାଲ । ଚଳିତ ବର୍ଷ ପରେଡର ଥିମ୍ ରହିଛି ନାରୀ ଶକ୍ତି । ସେଥିପାଇଁ ସମଗ୍ର କଣ୍ଟିଜେଣ୍ଟରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଦିଲ୍ଲୀରେ ଶୀତ ଲହରୀ ଜାରି ଥିବା ସତ୍ତ୍ବେ ତାହାକୁ ଖାତିର ନକରି ସକାଳ ୬ ରୁ ଜାରି ରହିଛି ପ୍ରାକ୍ଟିସ୍ ।
ଜଳ,ସ୍ଥଳ, ଏବଂ ବାୟୁ ସେନାର ବିଭନ୍ନ କଣ୍ଟିଜେଣ୍ଟ ସହ ବିଏସଏଫ, ସିଆଇଏସଏଫ, ଦିଲ୍ଲୀ ପୋଲିସ, ଏନସିସି, ଏନଏସଏସର କଣ୍ଟିଜେଣ୍ଟ ରହିଛନ୍ତି ।
ଚଳିତ ବର୍ଷ ପରେଡରେ ସୀମା ସୁରକ୍ଷା ବଳର ସମସ୍ତ ମହିଳା ଏବଂ ବ୍ରାସ ବ୍ୟାଣ୍ଡ କଣ୍ଟିଜେଣ୍ଟ୍ ପରେଡରେ ଅଂଶଗ୍ରହଣ କରୁଛନ୍ତି।
ସେହିଭଳି ପ୍ରତିରକ୍ଷା ବାହିନୀର ଦୁଇଟି ସ୍ୱତନ୍ତ୍ର ମହିଳା କଣ୍ଟିଜେଣ୍ଟ ପରେଡରେ ଭାଗ ନେଉଛନ୍ତି । ୧୪୪ ଜଣଙ୍କୁ ନେଇ ଗଠିତ ପ୍ରଥମ କଣ୍ଟିଜେଣ୍ଟରେ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାର ମହିଳା ସୈନିକ ମାନେ ଦେଶର ପ୍ରତିରକ୍ଷା ଉପକରଣରେ ସେମାନଙ୍କର ଅବିଚ୍ଛେଦ୍ୟ ଭୂମିକାକୁ ଗୁରୁତ୍ୱ ଦେଇଛନ୍ତି।
ଜୈସ ସଂଗଠନକୁ ନେଇ ଇରାନ ଓ ପାକିସ୍ତାନ ମଧ୍ୟରେ କାହିଁକି ତିକ୍ତତା ?
ନନ୍ଦିଘୋଷ ବ୍ୟୁରୋ: ଏବେ ଆସନ୍ତୁ ନଜର ପକାଇବା କାହିଁକି ଜୈସ ସଂଗଠନକୁ ନେଇ ଇରାନ ଓ ପାକିସ୍ତାନ ମଧ୍ୟରେ ଚାଲିଛି ଟେନସନ ? ଆଫଗାନିସ୍ତାନ, ଇରାନ ସହ ସୀମାରେ ଲାଗିଛି ପାକିସ୍ତାନ । ଇରାନ ସିହାବହୁଳ ହୋଇଥିବାବେଳେ ଆଫଗାନିସ୍ତାନ ଓ ପାକିସ୍ତାନ ସୁନ୍ନୀବହୁଳ ରାଷ୍ଟ୍ର । ଜୈସ ଅଲ-ଆଦଲ ସଂଗଠନ ହେଉଛି ଏକ ସୁନ୍ନୀ ବାଲୁଚ ଆତଙ୍କୀ ସଂଗଠନ । ଏହି ସଂଗଠନ ବାଲୁଚିସ୍ତାନରେ ରହିଛି ।
ବିଗତ ୨୦୧୨ରେ ସୁନ୍ନି ଆତଙ୍କବାଦୀ ସଂଗଠନ ଜୈସ ଉଲ ଆଦଲ ବା ଆର୍ମି ଅଫ ଜଷ୍ଟିସ ଗଠିତ ହୋଇଥିଲା । ଇରାନ ଓ ପାକିସ୍ତାନର ସୀମା ୯୦୪ କିଲୋମିଟର ହୋଇଥିବାବେଳେ ଡ୍ରଗ ଟ୍ରାଫିକିଂ ଓ ଆତଙ୍କବାଦରେ ଜର୍ଜରିତ ରହିଛି ଏହି ସୀମା । ବାଲୋଚିସ୍ତାନ ଉଭୟ ଇରାନ ଓ ପାକିସ୍ତାନ ସୀମାକୁ ସ୍ପର୍ଶ କରିଛି । ଆମେରିକା ଓ ଇରାନ ଦ୍ବାରା ଜୈସ ଅଲ-ଆଦଲ ସଂଗଠନକୁ ସୁନ୍ନୀ ଆତଙ୍କୀ ସଂଗଠନ ଘୋଷିତ ହୋଇସାରିଛି ।
ଦକ୍ଷିଣ-ପୂର୍ବ ଇରାନରେ ଅନେକ ଆକ୍ରମଣ କରିଛି ଜୈଶ ସଂଗଠନ । ୨୦୧୩ରୁ ଇରାନରେ ହତ୍ୟା, ପଣବନ୍ଦୀ, ଅପହରଣ, ଆକ୍ରମଣ ଆଦି ହିଂସା ଘଟାଇଆସିଛି ଜୈସ ।୨୦୧୩ ଅକ୍ଟୋବରରେ ୧୪ ଇରାନୀୟ ଗାର୍ଡଙ୍କୁ କରିଥିଲା ହତ୍ୟା ।

