ଦିଲ୍ଲୀରେ ମହିଳାଙ୍କ ପ୍ରତିନିଧିତ୍ବ ନେଇ ନୈରାଶ୍ୟଜନକ ତଥ୍ୟ

1 min read

ନୂଆଦିଲ୍ଲୀ: ଫେଲ୍ ମାରିଛି ମହିଳା ବିକାଶ ସ୍ଲୋଗାନ। ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ପ୍ରତିନିଧିତ୍ବ ନେଇ ନୈରାଶ୍ୟଜନକ ତଥ୍ୟ। ୧୯୫୧ ମସିହାଠାରୁ ବର୍ତ୍ତମାନ ଯାଏ ମାତ୍ର ୯ ଜଣ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ସୁଚେତା କ୍ରିପାଳିନୀ, ସୁଷମା ସ୍ବରାଜ, ମୀରା କୁମାର, କ୍ରିଷ୍ଣା ତିରଥ, ମୀନାକ୍ଷୀ ଲେଖି ପ୍ରମୁଖ।

ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ୧୭ଟି ଲୋକସଭା ନିର୍ବାଚନରେ ମହିଳାଙ୍କ ଏହି ନଗଣ୍ଯ ପ୍ରତିନିଧିତ୍ବ ମହିଳା ସଶକ୍ତିକରଣ ନାରାର ବାସ୍ତବ ଚିତ୍ର ପ୍ରତିଫଳିତ କରିଛି। ୧୯୭୧, ୧୯୯୬ ଓ ୧୯୯୮ରେ ଦୁଇ ଜଣ ଲେଖାଏ ମହିଳା ସାଂସଦ ହୋଇଥିବାବେଳେ ଅବଶିଷ୍ଟ ନିର୍ବାଚନରେ ଜଣେ ଲେଖାଏ ମହିଳା ସାଂସଦ ହୋଇଛନ୍ତି । ୧୯୫୧ ଓ ୧୯୫୭ରେ ନୂଆଦିଲ୍ଲୀ ଆସନରୁ ସୁଚେତା କ୍ରିପଲାନୀ ବିଜୟୀ ହୋଇଥିଲେ। ୧୯୬୭ରେ ଦିଲ୍ଲୀର ଲୋକସଭା ଆସନ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା।୧୯୬୭ ପରଠାରୁ ଦିଲ୍ଲୀରୁ ୧୦୦ରୁ ଅଧିକ ସାଂସଦ ହୋଇଛନ୍ତି। ମାତ୍ର କେବଳ ୯ ଜଣ ମହିଳା ସାଂସଦ ହୋଇଛନ୍ତି। ୧୯୭୧ରେ ନୂଆଦିଲ୍ଲୀରୁ ମୁକୁଲ ବାନାର୍ଜୀ ଓ ଚାନ୍ଦିନୀଚୌକରୁ ସୁଭଦ୍ରା ଯୋଶୀ ନିର୍ବାଚିତ ହୋଇଥିଲେ।

୧୯୬୨, ୧୯୬୭, ୧୯୭୭, ୧୯୮୦, ୧୯୮୯ ଓ ୧୯୯୧ରେ କେହି ମହିଳା ନିର୍ବାଚିତ ହୋଇ ନଥିଲେ। ୧୯୮୪ରେ କାରୋଲବାଗରୁ ସୁନ୍ଦରବତୀ ନଓ୍ବାଲ, ୧୯୯୬ ଓ ୧୯୯୮ରେ ସାଉଥ ଦିଲ୍ଲୀରୁ ବିଜେପିର ସୁଷମା ସ୍ବରାଜ ଓ ୧୯୯୬ ଓ ୧୯୯୮ରେ କାରୋଲବାଗରୁ କଂଗ୍ରେସର ମୀରା କୁମାର ବିଜୟୀ ହୋଇଥିଲେ। ୧୯୯୯ରେ କାରୋଲବାଗରୁ ବିଜେପିର ଅନୀତା ଆର୍ଯ୍ୟ, ୨୦୦୪ ଓ ୨୦୦୯ରେ ନର୍ଥଓ୍ବେଷ୍ଟ ଦିଲ୍ଲୀରୁ କଂଗ୍ରେସର କ୍ରିଷ୍ଣା ତିରଥ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ଦିଲ୍ଲୀରୁ ବିଜେପିର ମୀନାକ୍ଷୀ ଲେଖି ନିର୍ବାଚିତ ହୋଇଥିଲେ।

ଦିଲ୍ଲୀ ଇତିହାସ କହୁଛି- ସୁଚେତା କ୍ରିପାଳିନୀ, ମୀରା କୁମାର, ସୁଷମା ସ୍ବରାଜ, କ୍ରିଷ୍ଣା ତିରଥ ଓ ମୀନାକ୍ଷୀ ଲେଖି ଦୁଇ ଥର ଲେଖାଏ ସାଂସଦ ହୋଇଛନ୍ତି। ୨୦୧୯ ନିର୍ବାଚନରେ ମୋଟ ୧୬୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ୧୬ ଜଣ ମହିଳା ପ୍ରାର୍ଥୀ। ହେଲେ କେବଳ ଜଣେ ମହିଳା ମୀନାକ୍ଷୀ ଲେଖି ବିଜୟୀ ହୋଇଥିଲେ। ନର୍ଥଇଷ୍ଟ ଦିଲ୍ଲୀରେ ବିଜେପିର ମନୋଜ ତିଓ୍ବାରୀଙ୍କଠାରୁ ହାରିଯାଇଥିଲେ ତିନି ଥରର ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ। ଦିଲ୍ଲୀର ଭୋଟର ସଂଖ୍ଯା ପ୍ରାୟ ଦେଢକୋଟି । ସେମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ଯା ୬୭ ଲକ୍ଷ ୩୦ ହଜାର।