spot_img
Home Blog Page 22

ସତ୍ୟ ନିକେତନ କୋଠା ଭୁଶୁଡ଼ିବା ପରେ ଆକ୍ସନ, ଦିଲ୍ଲୀରେ ବେଆଇନ କୋଠାରେ ବୁଲଡୋଜର

ନନ୍ଦିଘୋଷ ବ୍ୟୁରୋ : ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣା ପରେ ଆକ୍ସନ ମୋଡରେ ଦିଲ୍ଲୀ ମୁନିସିପାଲ କର୍ପୋରେସନ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନେକ କୋଠାରେ ବୁଲିବାରେ ଲାଗିଛି ବୁଲଡୋଜର । ଏହି କ୍ରମରେ ମୟୂର ବିହାର ଫେଜ୍-୧ ଏକ୍ସଟେନ୍ସନ୍ର ଏକ ହାଉସିଂ ସୋସାଇଟିରେ ବେଆଇନ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୯ ତାରିଖର ଏକ ଆଦେଶରେ, କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ACJ) ମନମୋହନ ଏବଂ ବିଚାରପତି ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ହାଇକୋର୍ଟର ଖଣ୍ଡପୀଠ ରାୟ ଦେଇଛନ୍ତି ଯେ, ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନ୍ ଅନୁଯାୟୀ MCD ଯେକୌଣସି ଅନଧିକୃତ ନିର୍ମାଣକୁ ହଟାଇବା ପାଇଁ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ଅଟେ । ଗାନ୍ଧୀ ବିହାର ଏଫ-ବ୍ଲକରେ ଏକ ନଇଁଯାଇଥିବା କୋଠାକୁ ଭାଙ୍ଗିଛି ଦିଲ୍ଲୀ ମହାନଗର ନିଗମ । ସେହିପରି ମୁଖାର୍ଜୀ ନଗରରେ ବେଆଇନ ଭାବେ ନିର୍ମିତ କୋଠାକୁ ଭଙ୍ଗାଯାଇଛି  ।

୫୦ ମିଟର ଉଡ଼ି ଗଛରେ ପିଟିହେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ ଉଦଳା ଥାନା ଦୁତିକାଦେଇପୁର ଗାଁ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଦୃତଗତିରେ ବାଇକ୍ ଚଳାଇବା ସମୟରେ ଭାରସାମ୍ୟ ହରାଇ ବାଇକ୍‌ଟି ପ୍ରାୟ ୫୦ ମିଟର ଉଡ଼ି ଗଛରେ ପିଟି ହୋଇଥିଲା। ଏଥିରେ ବାଇକ୍‌ଟି ଚୁରମାର ହୋଇଯିବା ସହ ଯୁବକଙ୍କ ଜୀବନ ଚାଲିଯାଇଛି। ମୃତକ ହେଉଛନ୍ତି ତେଲଦିହୁଡି ଗାଁର ବିକାଶ ଦଳେଇ। ଗତକାଲି ବିଳମ୍ବିତ ରାତିରେ ସେ ବେପରୁଆ ଭାବେ ବାଇକ୍ ଚଳାଇ ଖଲାଡି ଅଭିମୁଖେ ଯାଉଥିଲେ। ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ମଧ୍ୟ କଟିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସକାଳୁ ପଥଚାରୀମାନେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ବ୍ରିକ୍ସ ପରେ ବଦଳିଲା ଟ୍ରମ୍ପଙ୍କ ସ୍ୱର, ଇରାନ ସହ ଚୁକ୍ତି ପାଇଁ ଆମେରିକା ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ : ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ପରେ ବଦଳୁଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନୋଭାବ। ସେ କହିଛନ୍ତି, ଇରାନ ଯଥାଶୀଘ୍ର ଆମେରିକା ସହିତ ଏକ ଚୁକ୍ତି କରିବାକୁ ଚାହୁଁଛି। ଏଥିସହ ଆମେରିକା ଆଲୋଚନା ପାଇଁ ଖୋଲା ଅଛି ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି। ପୂର୍ବରୁ, ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ ଆମେରିକାରେ ମୂଲ୍ୟ ବୃଦ୍ଧି ପାଇଁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପ୍ରଶାସନକୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ଦେଶରେ ମୂଲ୍ୟ ବୃଦ୍ଧି ଟ୍ରମ୍ପଙ୍କ ଯୋଗୁଁ ନୁହେଁ, ବରଂ ନିଦ୍ରାଗ୍ରସ୍ତ ଜୋ ବାଇଡେନ ଏବଂ ବାଇଡେନ ପ୍ରଶାସନ ଯୋଗୁଁ ହୋଇଥିଲା। ବାଇଡେନଙ୍କ କାର୍ଯ୍ୟକାଳରେ ତୈଳ ମୂଲ୍ୟ ବର୍ତ୍ତମାନର ମୂଲ୍ୟ ଅପେକ୍ଷା ଅଧିକ ଥିଲା। ତାଙ୍କ ପ୍ରଶାସନ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିଥିଲା। ଏବେ ତେଲ ବ୍ୟତୀତ ସମସ୍ତ ସାମଗ୍ରୀର ମୂଲ୍ୟ ଅସ୍ଥାୟୀ ଭାବରେ ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ଟ୍ରମ୍ପ କହିଛନ୍ତି। ଇରାନ ସହିତ ସାମରିକ ସଂଘର୍ଷ ଶେଷ ହେବା ପରେ ତୈଳ ମୂଲ୍ୟ ଆହୁରି ହ୍ରାସ ପାଇବ ଏବଂ ଏହି ସଂଘର୍ଷ ଅଧିକ ଦିନ ରହିବ ନାହିଁ ବୋଲି ସେ କହିଛନ୍ତି।

ହର୍ମୁଜ୍ ପ୍ରଣାଳୀର ସୁରକ୍ଷାରୁ ଲାଭ ପାଉଥିବା ଦେଶମାନେ ଏହି ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗର ସୁରକ୍ଷା ପାଇଁ ଆମେରିକାକୁ ଦେୟ ଦେବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ସେହିପରି, ଚାଲିଥିବା ସଂଘର୍ଷ ସମୟରେ ଅନ୍ୟ ଦେଶମାନେ ଆମେରିକାକୁ ସହାୟତା କରିନାହାନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ସତ୍ତ୍ୱେ, ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗ ଦେଇ ତେଲ ପ୍ରବାହିତ ହେଉଛି। ତେଣୁ ସାମରିକ ସଂଘର୍ଷ ଶେଷ ହେବା ପରେ ଏହି ମାର୍ଗର ସୁରକ୍ଷା ପାଇଁ ଆମେରିକାକୁ ଅନ୍ୟ ଦେଶମାନଙ୍କଠାରୁ ଦେୟ ପାଇବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି।

ଆଜି ଭାରତ-ଆଫଗାନିସ୍ତାନ ଦ୍ୱିତୀୟ T-20, ସିରିଜ୍ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ଆଫଗାନିସ୍ତାନ ଦ୍ୱିତୀୟ T-20 ମୁକାବିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରାତି ୭ଟା ୩୦ରେ ଖେଳାଯିବ ମ୍ୟାଚ୍। ପ୍ରଥମ ମ୍ୟାଚ୍‌କୁ ଟିମ୍ ଇଣ୍ଡିଆ ୭ ୱିକେଟ୍‌ରେ ଜିତି ସିରିଜ୍‌ରେ ୧-୦ରେ ଅଗ୍ରଣୀ ରହିଛି। ଓପନର୍ ଅଭିଷେକ ଶର୍ମା ଟପ୍ ଫର୍ମରେ ଅଛନ୍ତି। ସେପଟେ, ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମସନ୍ ବିଫଳ ହେବା ପରେ ଆଜି ତାଙ୍କ ସ୍ଥାନରେ ୟଙ୍ଗ ସେନ୍ସେସନ୍ ବୈଭବଙ୍କୁ ଟିମ୍ ମ୍ୟାନେଜମେଣ୍ଟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଇପାରେ। ଅର୍ଥାତ୍, ଟିମ୍ ଇଣ୍ଡିଆ ଆଜି ନିଜ ପ୍ଲେଇଂ ଇଲେଭେନ୍‌ରେ ପରିବର୍ତ୍ତନ କରିପାରେ। ମାଂସପେଶୀରେ ଆଘାତ କାରଣରୁ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ଏହି ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସିଧାସଳଖ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରାଯିବ ବୋଲି ଆଶା କରାଯାଉଛି।

ସେପଟେ, ମଷ୍ଟ-ୱିନ୍ ଗେମ୍‌ରେ ଆଫଗାନିସ୍ତାନ ମଧ୍ୟ ନିଜ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ। ଭାରତୀୟ ଓପନିଂ ଯୋଡ଼ିକୁ ଆରମ୍ଭରୁ ଚ୍ୟାଲେଞ୍ଜ ଦେବା ପାଇଁ ଦ୍ରୁତ ବୋଲର୍ ନବୀନ-ଉଲ୍-ହକ୍‌ଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି।

ଗଞ୍ଜେଇ ଚାଲାଣର ନୂଆ କରିଡର ବଲାଙ୍ଗୀର, ୨୪ କେଜି ଗଞ୍ଜେଇ ଜବତ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣର ନୂଆ କରିଡର ପାଲଟିଛି ବଲାଙ୍ଗୀର। କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଧରାପଡ଼ିବା ପରେ ମଧ୍ୟ ଗଞ୍ଜେଇ କାରବାରରେ ରୋକ୍ ଲାଗୁନାହିଁ। ଏହି କ୍ରମରେ ବଲାଙ୍ଗୀର-ସୋନପୁର ରାସ୍ତାର ଟୋଲ୍‌ଗେଟ୍ ନିକଟ ଡୁମେରିବାହାଲ ଛକରୁ ୨୪ କେଜି ଗଞ୍ଜେଇ ଜବତ କରିଛି ପୁଇଁନ୍ତଲା ପୋଲିସ। ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ୨ ଜଣ ମହିଳାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩ଟି ଏୟାର୍ ବ୍ୟାଗରୁ ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ସମୀର ଶିକାରୀ, ସିତୁ ଗୌଡ଼ ଓ ଶିଭ୍ କୁମାରୀ ଶିକାରୀ। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ବଲାଙ୍ଗୀରରୁ ଟ୍ରେନ୍ ଯୋଗେ ଝାଡ଼ଖଣ୍ଡକୁ ଗଞ୍ଜେଇ ଚାଲାଣ କରିବାକୁ ସେମାନେ ଯୋଜନା କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଇଁନ୍ତଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଦିଶା ସାଲିଆନ ମୃତ୍ୟୁ ମାମଲା: CBI FIRରେ ଆଦିତ୍ୟ-ଉଦ୍ଧବ ଠାକରେଙ୍କ ନାଁ

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ସେଲିବ୍ରିଟି ଦିଶା ସାଲିଆନ ମୃତ୍ୟୁ ଘଟଣାରେ ସିବିଆଇ FIRରେ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେ ଓ ତାଙ୍କ ବାପା ଉଦ୍ଧବ ଠାକରେଙ୍କ ନାଁ ରହିଛି। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହି ମାମଲାରେ FIR ରୁଜୁ କରିଥିଲା। ଏହି FIRରେ ଅଭିନେତା ଡିନୋ ମୋରିଆ, ସୂରଜ ପାଞ୍ଚୋଳି, ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌୟିକ ଚକ୍ରବର୍ତ୍ତୀଙ୍କ ନାଁ ମଧ୍ୟ ରହିଛି। ୨୦୨୦ ମସିହାରେ ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। ଦିଶା ସାଲିଆନ ପରଲୋକଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଥିଲେ। ଜଷ୍ଟିସ ସାରଙ୍ଗ କୋତୱାଲ ଓ ଜଷ୍ଟିସ ରଞ୍ଜିତ ସିହ୍ନା ରାଜା ଭୋସଲେ ମାମଲାର ଶୁଣାଣି କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସିବିଆଇକୁ FIR ରୁଜୁ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

୨୦୨୦ ଜୁନ୍ ୮ ତାରିଖରେ ଦିଶାଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟିଥିଲା। ମୁମ୍ବାଇର ମାଲାଡ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ୧୪ତମ ମହଲାରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଏକ ଆକସ୍ମିକ ମୃତ୍ୟୁ ରିପୋର୍ଟ ବା ADR ଦାଖଲ କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଏଥିରେ ଅରାଜି ଥିଲେ। ଦିଶାଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ ବାପା ହାଇକୋର୍ଟରେ ପିଟିସନ ଦାୟର କରିଥିଲେ।

ଅକ୍ଟୋବରରେ ଭାରତ ଆସିବ ପାକିସ୍ତାନ ହକି ଟିମ୍, ମୋହାଲି-ଜଳନ୍ଧରରେ ମୁକାବିଲା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ମାସରେ ଭାରତ ଆସିବ ପାକିସ୍ତାନ ହକି ଟିମ୍। ଗତକାଲି ଏନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଜାବ ହକି ବୋର୍ଡ ଦ୍ୱାରା ଆୟୋଜିତ ହେବ ୨୦୨୬ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ। ମୋହାଲିରେ AHF ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୬ର ତାରିଖ ଆନୁଷ୍ଠାନିକ ଭାବରେ ସେ ଘୋଷଣା କରିଛନ୍ତି। ମୋହାଲି ଏବଂ ଜଳନ୍ଧରରେ ଅନୁଷ୍ଠିତ ହେବ ୨୦୨୬ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ। ଏହି ଅବସରରେ ହକି ଇଣ୍ଡିଆର ମହାସଚିବ ଭୋଳା ନାଥ ସିଂହ, ମହାନିର୍ଦ୍ଦେଶକ କମାଣ୍ଡର ଆରକେ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଆରପି ସିଂହ ଏବଂ ହକି ପଞ୍ଜାବ ସଭାପତି ନୀତିନ କୋହଲି ମଧ୍ୟ ଉପସ୍ଥିତ ଥିଲେ।

ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ମୋହାଲି ଏବଂ ଜଳନ୍ଧରକୁ ଦୁଇଟି ସହର ଭାବରେ ଚୟନ କରାଯାଇଛି। ଉଦଘାଟନୀ ଉତ୍ସବ ଏବଂ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଜଳନ୍ଧରରେ ଅନୁଷ୍ଠିତ ହେବ, ଯେତେବେଳେ ସେମିଫାଇନାଲ ଏବଂ ଫାଇନାଲ୍ ମୋହାଲିରେ ଅନୁଷ୍ଠିତ ହେବ। ଭାରତ, ପାକିସ୍ତାନ, ଚୀନ୍, ଜାପାନ, କୋରିଆ ଏବଂ ମାଲେସିଆର ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ।

ଶ୍ରୀମନ୍ଦିରରେ ଆଜି ଅନ୍ଧହସ୍ତୀ ଲୀଳା, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ :  ଜନ୍ମାଷ୍ଟମୀ ଠାରୁ ପୁରୀ ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା । ଏହି ଲୀଳାକ୍ରମରେ ଆଜି ଶ୍ରୀମନ୍ଦିରରେ ଅନ୍ଧ ହାତୀ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବେ । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ ।ସେଠାରେ ଅନ୍ଧହସ୍ତୀ ଲୀଳା ପ୍ରସ୍ତାବ ଆଗତ ହେବ । ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ଏହି ଦିବ୍ୟ ଲୀଳାକୁ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଆଜି ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି

ନନ୍ଦିଘୋଷ ବ୍ୟୁରୋ :  ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ଦୁଇଦିନ ଧରି ଚଳଚଞ୍ଚଳ ରହିବ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆଁ ଖାଇବେ ପଶ୍ଚିମ ଓଡ଼ିଶାବାସୀ । ସେଥପାଇଁ ମାଆ ସମଲେଶ୍ୱରୀଙ୍କ ନିକଟରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି l ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆଜି ସକାଳ ୯ ଟା ୪୦ ମିନିଟରୁ ୯ ଟା ୫୪ ମିନିଟ୍ ମଧ୍ୟରେ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ । ତେଣୁ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ସମସ୍ତେ ନୂଆଁଖାଇ ସାରିଲା ପରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ।

ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ : ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ କୁତୁର୍ଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ ।  ଘଟଣାକୁ ତିନି ଦିନ ବିତିବା ପରେ ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୀବ ଉଦୁରୁକୂଳିଆ । ମୃତକ ହେଲେ କିଶୋରୀ ଉଦୁରୁକୂଳିଆ । ତାଙ୍କର ଦୁଇ ଜଣ ପୁଅ ଝିଅ ମଧ୍ୟ ରହିଛନ୍ତି । ରକ୍ଷା ବନ୍ଧନରେ ସ୍ତ୍ରୀ ସୁଭଦ୍ରା ଟଙ୍କା ପାଇଥିଲେ । ହେଲେ ସେହି ଟଙ୍କା ନଦେବାରୁ ସଞ୍ଜୀବ ନିଶାରେ ଚୁର ହୋଇ କିଶୋରୀକୁ ହତ୍ୟା କରିଥିଲା ।  ପରିବାର ଲୋକେ ଉଦ୍ଧାର କରି ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବାରୁ ଦେଓଗାଁ ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଥିଲା  । ଏନେଇ ଝିଅ ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।….