spot_img
Home Blog Page 2281

ରେଳଧାରଣରୁ ବଣିକ ସଂଘର ସଭାପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀରରେ ରେଳ ଧାରଣରୁ ସୁନା ଦୋକାନୀ ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତକ ହେଲେ ତ୍ରିପୁରାରି ପାଣିଗ୍ରାହୀ । ସେ ଜିଲ୍ଲା ବଣିକ ସଂଘର ସଭାପତି ବି ଥିଲେ । ବଲାଙ୍ଗୀରର ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ ତ୍ରିପୁରାରି  । ଆଜି ରେଳ ଧାରଣାରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।  ମୃତଦେହ ମଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି  । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ  ରେଲୱ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତଦେହ ନିକଟରୁ ତ୍ରିପୁରାରିଙ୍କ ମୋବାଇଲ ମିଳିଛି । ରାତି ପ୍ରାୟ ୧୧ଟା ପରେ ପାରିବାରିକ ବଚସା ପରେ ଘରୁ ବାହାରି ଆସିଥିବା ନେଇ ସୂଚନା ମିଳିଛି । ଏପରିକି ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଜି ସକାଳ ପ୍ରାୟ ୬ଟା ୪୫ରେ ବଲାଙ୍ଗୀର ଜିଆରପି ପୋଲିସ ମୃତଦେହକୁ ରେଳଧାରଣା ନିକଟରୁ ଠାବ କରାଯାଇଥିଲା । କେସ ନମ୍ବର ୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ତ୍ରିପୁରାରି ପାଣିଗ୍ରାହୀ ବିଗତ ୧୦ ବର୍ଷ ଧରି ବଲାଙ୍ଗୀର ବଣିକ ସଂଘର ସଭାପତି ଥିଲେ । ଏହା ସହ ଜଣେ ସଫଳ ଓ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଥିଲେ । ତାଙ୍କର ଏହିଭଳି ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।

ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ଆଜିଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତ ଆରମ୍ଭ ହୁଏ । ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ। ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି ।

ରାହୁଲ ଗାନ୍ଧୀଙ୍କ ବଡ଼ ଲଢେଇ; ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ହିଂସାଗ୍ରସ୍ତ ମଣିପୁରର ଥୋବାଲ ଠାରୁ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି । ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ସେ ପ୍ରବଳ ବର୍ଷିଛନ୍ତି ।

ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆରମ୍ଭ କରି ରାହୁଲ କହିଛନ୍ତି ଯେ ଜୁନ ୨୯ ପରଠାରୁ ମଣିପୁରରେ ଶାସନ ପୂରା ଢ଼ାଞ୍ଚା ନଷ୍ଟ ହୋଇଯାଇଛି । ପୂରା ରାଜ୍ୟରେ ଘୃଣା ବ୍ୟାପି ଯାଇଛି । ଲଜ୍ଜାଜନକ ଯେ ପ୍ରଧାନମନ୍ତ୍ରୀଙ୍କୁ ଆଜି ଯାଏଁ ମଣିପୁର ଯିବାକୁ ସମୟ ମିଳିନାହିଁ । ସେ ମଣିପୁରକୁ ଥରଟିଏ ବି ଗସ୍ତ କରିନାହାଁନ୍ତି । ବିଜେପିର ରାଜନୀତି ଯୋଗୁଁ ମଣିପୁର ଯାହା ପାଇବା ଆବଶ୍ୟକ ତାହା ହରାଇଛି । ମଣିପୁର ହିଂସାରେ ଏତେ ଲୋକ ମରିଲେ । ଲୋକେ ଦୁଃଖ ଭୋଗିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ହାତ ଧରିବାକୁ ଆସିଲେ ନାହିଁ । ବୋଧହୁଏ ବିଜେପି ପାଇଁ ମଣିପୁର ଭାରତର ଅଂଶ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ମଣିପୁରର ରାଜଧାନୀ ଇମ୍ଫାଲରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପତାକା ଦେଖାଇ ଏହି ଯାତ୍ରା ଶୁଭାରମ୍ଭ କରିଥିଲେ । ରାହୁଲ ଗାନ୍ଧିଙ୍କ ବ୍ୟତୀତ ଅନ୍ୟ ବହୁ ବରିଷ୍ଠ ନେତା ମଧ୍ୟ ଏହି ଯାତ୍ରାରେ ଭାଗ ନେଉଛନ୍ତି ।

ଦିନକ ପରେ ବଦଳିବ ପାଗ; ୧୭ ତାରିଖରେ ହାଲୁକାରୁ ମଧ୍ୟମଧରଣର ବର୍ଷା !

ଭୁବନେଶ୍ୱର : ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୧୭ ତାରିଖରୁ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ଥିବାରୁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

୧୭ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି । ଆଜି ଘନ କୁହୁଡି ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିବ ।

ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ଶୁଭିବ କଂସର ଅଟ୍ଟହାସ୍ୟ

ବରଗଡ :  ଆଜିଠୁ ଦୁଲୁକିବ ବରଗଡ । ଶୁଭିବ କଂସର ଅଟହାସ୍ୟ । ଆରମ୍ଭ ହେବ ୭୬ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଚାଲିବ ମହାରାଜା କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା  ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଜଣେ ଜଣେ କଳାକାର । ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରାଠାରୁ ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାର ମାନେ ନିଜ ନିଜର ଅଭ୍ୟାସ ଶେଷକରିଛନ୍ତି । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଭିନ୍ନ ଭିନ୍ନ ଧରଣର ଝୁଲା ସହିତ ମୀନା ବଜାର ଓ ବ୍ୟବସାୟୀ ମାନେ ଆସି ପହଞ୍ଚି ସାରିଛନ୍ତି । ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି | କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯିବା ସହିତ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ଉପରେ ନଜର ରଖାଯାଇଛି ।

ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ୍ ; ବିଭିନ୍ନ ପୀଠରେ ହେବ ମକର ଚାଉଳ ଭୋଗ

ଭୁବନେଶ୍ୱର : ଆଜି ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏପଟେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଅଟ୍ରିର ହଟକେଶ୍ବର ପୀଠ । ବିଶ୍ବାସ ରହିଛି ବନ୍ଧ୍ୟା ନାରୀ ମହାଦେବଙ୍କ ପାଖରେ ଗୁହାରି ପଡ଼ି ମାନସିକ କୁଣ୍ଡରେ ଗାଧୋଇ ଗୁଆ ପାଇଲେ ପୁତ୍ରସନ୍ତାନ ଲାଭ କରନ୍ତି । ପୀଠରେ ମକର ସଂକ୍ରାନ୍ତିଠାରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ମେଳା ଚାଲିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅପୂର୍ବ ଭକ୍ତି ପ୍ଲାବନ; ଆଜି ଅଗ୍ନି ସ୍ଥାପନ ସହ ଆରମ୍ଭ ହେବ ମହାଯଜ୍ଞ

ପୁରୀ : ପବିତ୍ର ପୁରୀ ମାଟିରେ ଆଧ୍ୟାତ୍ମିକତାର ମହାଉତ୍ସବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅପୂର୍ବ ଭକ୍ତି ପ୍ଲାବନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତ । ଲୋକାର୍ପଣ ପୂର୍ବରୁ ପୂଜାର୍ଚ୍ଚନା ସହ ମହାଯଜ୍ଞ ପାଇଁ ବେଦୀ ପ୍ରସ୍ତୁତ । ଆଦ୍ୟପୂଜାର ଆଜି ଚତୁର୍ଥ ଦିନ । ଆଜି ଅଗ୍ନି ସ୍ଥାପନ ସହ ଆରମ୍ଭ ହେବ ମହାଯଜ୍ଞ । ମହାଯଜ୍ଞ ସହିତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦପାଠ କରାଯିବ । ଏଥିପାଇଁ ଚାରିଦ୍ବାରକୁ ସୁନ୍ଦର ଭାବେ ସଜା ଯାଇଛି ।

ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ଅପରାହ୍ନ ୩ଟାରୁ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ କରାଯିବ । ଶ୍ରୀମନ୍ଦିର ଚତୁଃପାର୍ଶର ପୂର୍ବଚିତ୍ରରେ ପରିବର୍ତ୍ତନ ସମସ୍ତଙ୍କୁ କରୁଛି ଅଭିଭୂତ । ପରିକ୍ରମା ପ୍ରକଳ୍ପ ଅପୂର୍ବ ଦିବ୍ୟ ଅନୁଭୂତି ପ୍ରଦାନ କରିବ । ଏଥିରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ଶ୍ରୀ ଆହୁରି ବୃଦ୍ଧି ପାଇବ । ୭ ଶହ ବର୍ଷ ପରେ କରାଯାଇଥିବା ଏହି କାର୍ଯ୍ୟ ଇତିହାସରେ ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇରହିବ ।

ଦରବୃଦ୍ଧି ରାକ୍ଷସ କବଳରେ ଦେଶବାସୀ

ଭୁବନେଶ୍ବର: ଦରବୃଦ୍ଧି ରାକ୍ଷସ କବଳରେ ଦେଶବାସୀ, ଉଦାସୀନ କେନ୍ଦ୍ର ସରକାର। ଗଲା ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସବୁ ରେକର୍ଡ ଭାଙ୍ଗି ୫.୬୯ ପ୍ରତିଶତ ହୋଇଛି। ଜାତୀୟ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଦର ଲଗାତର ଭାବେ ବଢୁଥିବାରୁ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୫୩ ପ୍ରତିଶତକୁ ବୃଦ୍ଧି ହେଲାଣି। ଲୋହିତ ସାଗରରେ ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଜାରି ଥିବାରୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି। ଆଗକୁ ଦରବୃଦ୍ଧି ଆହୁରି ହେବ। ସେପଟେ ଗୃହଋଣ ଉପରେ ସୁଧହାର ବୃଦ୍ଧି ଲୋକଙ୍କ ନିଦ ହଜାଇ ଦେଲାଣି।

ଭାତ, ଡାଲି, ରୁଟି ମହଙ୍ଗା। ନିୟନ୍ତ୍ରଣ ବାହାରକୁ ଗଲାଣି ବଜାର ଦର। କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର ସରକାର । ଜାତୀୟ ପରିସଂଖ୍ୟାନ ରିପୋର୍ଟ ବଢାଇଲା ଚିନ୍ତା। ୪ମାସର ରେକର୍ଡ ଭାଙ୍ଗିଲା ଖୁଚୁରା ମୁଦ୍ରାସ୍ଫୀତି। ଗତ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତକୁ ବୃଦ୍ଧି। ଆଗକୁ ସ୍ଥିତି ଆହୁରି ହେବ ସଙ୍ଗୀନ। ଦରଦାମ ବୃଦ୍ଧିରୁ ଖାଉଟିଙ୍କୁ ମିଳିବନି ନିସ୍ତାର। ଖାଦ୍ୟ ମୁଦ୍ରାସ୍ଫୀତି ସବୁ ସୀମା ପାର୍ କରିଛି। ୨୦୨୩ ନଭେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭ ପ୍ରତିଶତ ଥିଲା। ଡିସେମ୍ବରରେ ବଢି ଏହା ହୋଇଛି ୯.୫୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିରେ ଯେତେ ସଂଶୋଧନ କଲେ ବି କିଛି କାମ ଦେଉନି। ଆର୍ବିଆଇ ଗଭର୍ଣ୍ଣର କହିଥିଲେ, ୨୦୨୩-୨୪ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪ ପ୍ରତିଶତ ରହିବ। କିନ୍ତୁ ଆରବିଆଇ ଗଭର୍ଣ୍ଣରଙ୍କ ଏହି ଆକଳନ ଗତ ନଭେମ୍ବରରୁ ଫେଲ୍ ମାରିଲାଣି। ଖାଲି ଏତିକି ନୁହେଁ ଋଣ ଆଣି ଘର ଖଣ୍ଡିଏ କରିବା ବି ଅସମ୍ଭବ ହେଲାଣି। କାରଣ ଗୃହ ଋଣ ଉପରେ ସୁଧହାର ଏବେ ବଢ଼ି ୯ ପ୍ରତିଶତରୁ ୯.୧୨ ପ୍ରତିଶତରେ ପହଞ୍ଚିଛି। ଯାହା ଗତ ୫ବର୍ଷରେ ସର୍ବାକାଳୀନ ଅଧିକ ବୃଦ୍ଧି।

୨୦୧୪ରେ ଏବେର କେନ୍ଦ୍ର ସରକାର ଆସିବା ପରଠୁ ଖାଦ୍ୟ ସାମଗ୍ରୀ ଦର ମହଙ୍ଗା ହୋଇଚାଲିଛି। ଲଗାତର ଭାବେ ଖୁଚୁରା ଓ ପାଇକାରୀ ମୁଦ୍ରାସ୍ଫୀତି ବଢ଼ୁଛି। କେନ୍ଦ୍ର ସରକାର ଯୋଗାଣ ଶୃଙ୍ଖଳ ପରିଚାଳନା କରିବାରେ ସବୁବେଳେ ବିଫଳ ହୋଇଛନ୍ତି। ଚଳିତବର୍ଷ ଶୀତଦିନରେ ବି ପନିପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ପିଆଜ, ରସୁଣ ଓ ଅଦା ଦର ଅମଳ ସିଜିନରେ ବି ମହଙ୍ଗା ରହିଛି। ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ କିଣିବେ ତ କଣ କିଣିବେ? ଯେତେ ରୋଜଗାର କଲେ ବି ଅଣ୍ଟୁନି। ଅଶୋଧିତ ତୈଳ ଦର ଶସ୍ତା ଯୋଗୁ କେନ୍ଦ୍ର ଓ ତୈଳ ବିପଣନ କମ୍ପାନୀ ଲକ୍ଷାଧିକ କୋଟି ଲାଭ କରିଆସୁଛନ୍ତି । କିନ୍ତୁ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲ ଦର ଶସ୍ତା ହେଉନି। ଦେଶର ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ଏନେଇ ମୁହଁ ଖୋଲିଲେ ବି କେନ୍ଦ୍ର ସରକାରଙ୍କୁ କିଛି ଫରକ୍ ପଡ଼ୁନି।

ଏବର୍ଷ ଦେଶର ଅଭିବୃଦ୍ଧି ୭ପ୍ରତିଶତ ରହିବ ବୋଲି କେନ୍ଦ୍ର ସରକାର ବର୍ଷ ଆରମ୍ଭରୁ କହିଥିଲେ। କିନ୍ତୁ ଆର୍ଥିକ ବର୍ଷ ସରିବାକୁ ବସିଲାଣି ଅଭିବୃଦ୍ଧି ହାର ୬.୫ ପ୍ରତିଶତରେ ସୀମିତ ରହିଛି। ଯଦି ଆଗକୁ ଖାଦ୍ୟସାମଗ୍ରୀ ଦର ଆହୁରି ବଢିବ ତାହେଲେ ଲୋକଙ୍କ କ୍ରୟଶକ୍ତି ସାଂଘାତିକ ଭାବେ ପ୍ରଭାବିତ ହେବ। ପ୍ରଶ୍ନ ଉଠୁଛି, ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାର ବିକାଶର କେଉଁ ନକ୍ସା ଦେଖାଇ ଚାଲିଛନ୍ତି?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସରକାରୀ ଛୁଟି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ  ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର  ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ ।

ଜାଭେଦ ଅଖତର କହିଲେ କିଏ ହେବେ ଭବିଷ୍ୟତର ସୁପରଷ୍ଟାର

ମୁମ୍ବାଇ: ଦୀର୍ଘବର୍ଷ ଧରି ବଲିଉଡରେ ଷ୍ଟାର କିଡମାନେ ନିଜର ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି । କିଛି ଷ୍ଟାର ଦର୍ଶକଙ୍କ ମହଲରେ ଆଦୃତ ହୋଇଥିବାବେଳେ ଆଉ କିଛିଙ୍କ ଫିଲ୍ମ ଫ୍ଲପ ହେଉଛି । ତେବେ ଷ୍ଟାର କିଡଙ୍କୁ ନେଇ ଏକ ପ୍ରତିକ୍ରିୟା ରଖିଛନ୍ତି ଜାଭେଦ ଅଖତର । ସେ କହିଛନ୍ତି କି, ଅଗସ୍ତ୍ୟ ନନ୍ଦା ହେବେ ଭବିଷ୍ୟତ ସୁପରଷ୍ଟାର । ଶ୍ବେତା ବଚ୍ଚନଙ୍କୁ ଜାଭେଦ କହିଛନ୍ତି କି, ତୁମ ପୁଅ ବଲିଉଡର ଭବିଷ୍ୟତ ସୁପରଷ୍ଟାର । ଏକ ଇଣ୍ଟରଭିୟୁରେ ଏଭଳି କହିଛନ୍ତି ଜାଭେଦ ଅଖତର । ଋଷି କପୁରଙ୍କ ପରେ ଅଗସ୍ତ୍ୟ ହେବେ ତାଙ୍କ ଭଳି ଜଣେ କଳାକାର । ଋଷି କପୁରଙ୍କ ପରେ ଏମିତି ଷ୍ଟାରଙ୍କୁ ଦେଖିବାକୁ ମିଳିନାହିଁ । ଯାହାକି ଅଗସ୍ତ୍ୟଙ୍କ ପାଖରେ ଦେଖିବାକୁ ମିଳେ । ତେବେ କହି ରଖୁଛୁ କି, ଅଗସ୍ତ୍ୟ ହେଉଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତି । ସେ ତାଙ୍କ ମା’ ଙ୍କୁ ବେଶ ଭଲ ଭଲା ପାଉଥିବାବେଳେ ତାଙ୍କଠାରୁ ନମ୍ର ଭାବନା ଶିଖିଥିବା କହିଛନ୍ତି ।