ଡାକ୍ତର ଅଭାବ ହେବ ଦୂର, ପ୍ରତି ମାସରେ ହେବ ଡାକ୍ତର ପଦବୀ ପାଇଁ ସାକ୍ଷାତକାର

ଭୁବନେଶ୍ବର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର କରାଯିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ, ପ୍ରତି ମାସରେ ସାକ୍ଷାତକାର ପାଇଁ ୧୨ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ଦିବସରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ପିଜିଆଇଏମ୍ଇଆର କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ । ସେହିପରି ଖାଲି ଥିବା ବିଭିନ୍ନ ପଦବୀ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ଡିଏମ୍ଇଟି ପଦକ୍ଷେପ ନେବେ । ରାଜ୍ୟସ୍ତରରେ ଡିଏମ୍ଇଟିଙ୍କ ପକ୍ଷରୁ ପ୍ରତି ମାସ ୨୫ ତାରିଖରେ ସାକ୍ଷାତକାର କରାଯିବ । ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରୀୟ ନିଯୁକ୍ତି ସମ୍ପର୍କରେ ପରବର୍ତ୍ତି ମାସର ୫ ତାରିଖ ସୁଦ୍ଧା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ।