‘ସକାଳ’ ସାମ୍ବାଦିକଙ୍କୁ ରକ୍ତାକ୍ତ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ରାଇରଙ୍ଗପୁର: ସତ ଲେଖି ଲହୁଲୁହାଣ ହେଲେ ସାମ୍ବାଦିକ । ସକାଳ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ । ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହେଲେ ରାଜେଶ ଶର୍ମା । ମୁଣ୍ଡରେ ଲାଗିଛି ଶକ୍ତ ଆଘାତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଲିଛି ଚିକିତ୍ସା ।

ଗୁରୁବାର ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ କଦଳୀଗାଁର ନବବିବାହିତା ରିଙ୍କି ମହାନ୍ତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ଝିଅର ବାପା ଆଣିଥିଲେ ଶ୍ବଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ । ପୁରୁଣାପାଣି ଗାଁର ସଞ୍ଜୟ ମହାନ୍ତଙ୍କ ପରିବାର ବିରୋଧରେ ବାଦାମପାହାଡ ଥାନାରେ ଏତଲା ମଧ୍ୟ ଦେଲେ । ଏପରିକି ଅଭିଯୋଗ ପାଇବା ପରେ ପୋଲିସ୍ ମୃତ ରିଙ୍କିଙ୍କ ସ୍ବାମୀ ଗଣେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏହି ଖବରକୁ ରିପୋର୍ଟିଂ କରିଥିଲେ ସକାଳର ପ୍ରତିନିଧି ରାଜେଶ ଶର୍ମା । ପ୍ରକାଶିତ ଖବର ଥିଲା ତଥ୍ୟଭିତ୍ତିକ । ଆଜି କିଛି ଲୋକେ ସକାଳର ପ୍ରତିନିଧି ରାଜେଶଙ୍କୁ ଫୋନ କରି ରାଇରଙ୍ଗପୁର ଥାନାକୁ ଡକାଇଥିଲେ । ରାଜେଶ ଥାନା ନିକଟରେ ପହଞ୍ଚିବା କ୍ଷଣି ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ୧୨ରୁ ୧୪ ଜଣ ଯୁବକ ରାଜେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସଡିପିଓ ଡାକ୍ତରଖାନାରେ ରାଜେଶଙ୍କୁ ଭେଟିବା ସହ ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।