୧୯ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ଭିତ୍ତି ପକାଇଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି । ଏଥିପାଇଁ ୪ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ବହୁଳ ଭାବେ ଉପକୃତ ହେବେ । ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ଆସିବ ସୁଧାର । ଏହାସହ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ । ଏହି ପ୍ରକଳ୍ପ ସବୁ ଭୂତଳ ଜଳସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ ବୋଲି ପ୍ରକଳ୍ପର ଭିତ୍ତି ସ୍ଥାପନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ନିରନ୍ତର ବିକାଶ ପାଇଁ ଏପରି ପ୍ରକଳ୍ପ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହି ପ୍ରକଳ୍ପଗୁଡିକ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ କାର୍ଯ୍ୟକ୍ରମ ଲୋକମତ ଓ ଜନ ସହଭାଗିତା ଭିତ୍ତିରେ କରାଯାଉଛି । ତାଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବା ସମୟରେ ଲୋକଙ୍କଠାରୁ ଏପରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା । ଲୋକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । 5T ଉପକ୍ରମରେ ଏହି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି ପ୍ରକଳ୍ପଗୁଡିକର ନିର୍ମାଣ କ୍ଷେତ୍ରରେ  ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ୱାରା କୌଣସି ଲୋକ ବିସ୍ଥାପିତ ହେବେ ନାହିଁ ।

ରାଜ୍ୟରେ ଚାଷୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରକଳ୍ପ ଚାଷୀଙ୍କ ବିକାଶ ଓ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । କାଳିଆ ଯୋଜନା, କୃଷକଙ୍କ ପାଇଁ ବିନା ସୁଧରେ ଋଣ ସୁବିଧା, ଶସ୍ୟ ବୀମା ପ୍ରିମିୟମ ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ରାଜ୍ୟରେ ଚାଷୀଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି । ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ । ସେମାନଙ୍କ ଉନ୍ନତି ପାଇଁ ସରକାର କାମ କରୁଛନ୍ତି ଓ ଆଗାମୀ ଦିନରେ କାମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୦ରେ ଅନ୍ତଃନଦୀ ଜଳାଶୟ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାରେ ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଆଜି ବରଗଡ, ବଲାଙ୍ଗିର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ମୋଟ ୧୩ଟି ଜିଲ୍ଲାରେ ୧୯ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡାରେ ୧୫ ହଜାରରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଥିଲେ ମହିଳା । କାର୍ଯ୍ୟକ୍ରମରେ ଉପସ୍ଥିତ ତିନି ଜଣ ଚାଷୀ ସେମାନଙ୍କ ମତାମତ ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ଆମ ଭଳି ଚାଷୀଙ୍କ ମରୁଡି ସମସ୍ୟା ଦୂର ହେବ । ଚାଷୀ ବିଭିନ୍ନ ପ୍ରକାର ଚାଷ କରିପାରିବେ । ପିଇବା ପାଣିର ସମସ୍ୟା ମଧ୍ୟ ରହିବ ନାହିଁ ବୋଲି କହିଥିଲେ । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଗୋଧନେଶ୍ୱରଠାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଶିଳାନ୍ୟାସ କରିଛନ୍ତି । ପ୍ରାୟ ୧ ହଜାର ୨୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଏହି ଇନଷ୍ଟ୍ରିମ ଷ୍ଟୋରେଜ ସିଷ୍ଟମ । ଏହାଦ୍ବାରା ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ଉପକୃତ ହେବେ । ପାନୀୟ ଜଳର ସୁବ୍ୟବସ୍ଥା ସହ ଭୂତଳ ଜଳ ସଂରକ୍ଷଣରେ ସୁବିଧା ହେବ ।

ସେହିପରି କୃଷି ଓ ପାନୀୟଜଳ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ୍ଦ । ଆଜି ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପ୍ରକଳ୍ପ ଭେଟି ଦେଇଛନ୍ତି । ଶହେ ୯୯ କୋଟି ୯୧ ଲକ୍ଷ ଟଙ୍କାରେ ଖଡ଼ଙ୍ଗ ନଦୀରେ ନଦୀଗର୍ଭ ଜଳାଶୟ ଓ ୯ ଶହ ୨୫ କୋଟି ୬୦ ଲକ୍ଷ ଟଙ୍କାରେ ଖଇରମାଳରେ ମହାନଦୀରେ ବ୍ୟାରେଜ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି । କଣ୍ଟାମାଳ ହାଇସ୍କୁଲ ପଡ଼ିଆରେ ବିଧାୟକ ନହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ବିଡିଓ ଏବଂ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହି ଅବସରରେ ସେ କେନ୍ଦ୍ରାପଡାବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ଉନ୍ନତି ପାଇଁ ପ୍ରକଳ୍ପ କରୁଛନ୍ତି । କେନ୍ଦ୍ରାପଡାର ସବୁ ବିକାଶ କାର୍ଯ୍ୟକ୍ରମରେ ଲୋକଙ୍କ ଭରପୁର ସହଯୋଗ ମିଳୁଛି । ସେଥିପାଇଁ କେନ୍ଦ୍ରାପଡାବାସୀ ଧନ୍ୟବାଦର ପାତ୍ର  । କେନ୍ଦ୍ରାପଡାରେ ଆର୍ସେଲର୍ ମିତ୍ତଲ ନିପନ୍ ଷ୍ଟିଲ ପ୍ରକଳ୍ପ ପାଇଁ ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଖୁବ୍ ଉଦ୍ୟମ କରିଥିଲେ । ଲୋକଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏଥିପାଇଁ ଶୁଭ ଦେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ । କେନ୍ଦ୍ରାପଡ଼ା ମହାକାଳପଡାଠାରେ ଉପସ୍ଥିତ ଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । କେବଳ ଆର୍ସେଲର୍ ମିତ୍ତଲ ପ୍ରକଳ୍ପ ନୁହେଁ, କେନ୍ଦ୍ରାପଡାରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି କହିବା ସହିତ ଧନ୍ୟବାଦ ଜଣାଇଥିଲେ ମନ୍ତ୍ରୀ ।