spot_img
Home Blog Page 2276

ଇତିହାସ ରଚିବ ଇସ୍ରୋ; ଗନ୍ତବ୍ୟସ୍ଥଳ ଅଭିମୁଖେ ଆଦିତ୍ୟ L1

ନୂଆଦିଲ୍ଲୀ: ଆଉ ଏକ ସଫଳତା ପଥରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ। ହାଲୋ ପଏଣ୍ଟରେ ଆଜି ପ୍ରବେଶ କରିବ ଆଦିତ୍ୟ ଏଲ-ଓ୍ବାନ୍। ପୃଥିବୀ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରୁ ସୂର୍ଯ୍ୟଙ୍କୁ ବିନା ବାଧାରେ ଦେଖିହେବ। ଧାବନ ମହାକାଶ କେନ୍ଦ୍ରରୁ ଗତବର୍ଷ ଆଦିତ୍ୟ ଏଲ୍-୧କୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

ସୂର୍ଯ୍ୟ ଉପରେ ଅଧିକ ଅଧ୍ୟୟନ କରିବା ସହ ବୈଜ୍ଞାନିକ ତଥ୍ୟ ପ୍ରେରଣ ଏହାର ମୂଳ ଲକ୍ଷ୍ୟ ରହିଛି। ଆଦିତ୍ୟ ଏଲ୍୧ ଯାତ୍ରାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ଏବଂ ପରେ ସେହି ସ୍ଥାନର କକ୍ଷପଥକୁ ବଜାୟ ରଖିବା। ଏଲ୍୧ ହେଉଛି ମହାକାଶର ଏଭଳି ଏକ ସ୍ଥାନ ଯେଉଁଠି ପୃଥିବୀ ଏବଂ ସୂର୍ଯ୍ୟର ଆକର୍ଷଣ ଶକ୍ତି ମଧ୍ୟରେ ସମତୁଲତା ରହିଥାଏ। ଏଠାରୁ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରାଯାଇଥାଏ। ତେବେ ଉକ୍ତ ସ୍ଥାନରେ ଗବେଷଣା ପାଇଁ ଉଦ୍ଦିଷ୍ଟ ମହାକାଶ ଯାନ ପହଞ୍ଚାଇବା ଏକ ଜଟିଳ ବ୍ୟାପାର।

ଆଜିଠୁ ରାଜ୍ୟରେ ବୁଲିବ ଜଗନ୍ନାଥ ରଥ, ପରିକ୍ରମା ପ୍ରକଳ୍ପ ପାଇଁ ସଂଗ୍ରହ କରାଯିବ ଚାଉଳ ଓ ଗୁଆ

ପୁରୀ: ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ । ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ । ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ଠାରୁ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମା କରିବ।

ଏହା ରାଜ୍ୟରେ ସମସ୍ତ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରାଯିବ। ଆଜି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ।

ପିଇଓ ଏବଂ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ। ଉଲ୍ଲେଖଯୋଗ୍ୟ,କୋଟି କୋଟି ଓଡ଼ିଆଙ୍କ ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ଗାଁରୁ ସହର ପ୍ରତିଟି ଘରୁ ଚାଉଳ ଓ ଗୁଆ ସଂଗ୍ରହ ପାଇଁ ଜଗନ୍ନାଥ ରଥ ସାରା ରାଜ୍ୟ ପରିକ୍ରମା କରୁଛି।

ଜିଦରେ ଅଟଳ ଡ୍ରାଇଭର ମହାସଂଘ, ଆନ୍ଦୋଳନରେ ସାମିଲ ଅଟୋ କର୍ମଚାରୀ ସଂଘ

ଭୁବନେଶ୍ୱର: ଜିଦରେ ଅଟଳ ଡ୍ରାଇଭର ମହାସଂଘ। କେନ୍ଦ୍ର ସରକାର ଡ୍ରାଇଭରଙ୍କ ପାଇଁ କରିଥିବା କଳା ଆଇନ୍କୁ ପ୍ରତ୍ୟାହାର କରନ୍ତୁ । ନ ହେଲେ ଚକା ଜାମ୍ । ଡ୍ରାଇଭର ମହାସଂଘ ଆରମ୍ଭ କରିଥିବା ଷ୍ଟିୟରିଂ ଛାଡ଼ ଅଭିଯାନର ପ୍ରଭାବ ଏବେ ଚାରିଆଡ଼େ ଦେଖିବାକୁ ମିଳିଲାଣି । ଗତକାଲି ରାଉରକେଲାର ଟ୍ରକ୍ ଓ ଟିପର ମାଲିକ ସଂଘ ଡ୍ରାଇଭରଙ୍କ ଆନ୍ଦୋଳନକୁ ସମର୍ଥନ କରିଛି । ଅଭିଯାନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଅଟୋ କର୍ମଚାରୀ ସଂଘ।

ପଞ୍ଜାବରେ ହଜାର ହଜାର ଟ୍ରକ୍ ଡ୍ରାଇଭର ଏକାଠି ହୋଇ କେନ୍ଦ୍ର ବିରୋଧରେ ନିର୍ଣ୍ଣାୟକ ଲଢେଇ କରିବାକୁ ନିଷ୍ପତ୍ତି ନେବାର ସୂଚନା ମିଳିଛି। ଭାରତୀୟ ନ୍ୟାୟ ସଂହିତା ଧାରା ୧୦୪ ଉପଧାରା-୨କୁ ବିରୋଧ କରୁଛି ନିଖିଳ ଓଡ଼ିଶା ପରିବହନ କର୍ମଚାରୀ ଫେଡେରେସନ୍। ଅଭିଯୋଗ ହୋଇଛି ଯେ କେନ୍ଦ୍ର ସରକାରଙ୍କ ଏପରି ଆଇନ ପ୍ରମାଣିତ କରୁଛି, ଦେଶରେ ଡ୍ରାଇଭରମାନେ ଯେପରି ଦ୍ବିତୀୟ ଶ୍ରେଣୀ ନାଗରିକ।

ଡ୍ରାଇଭରଙ୍କୁ ଇପିଏଏଫ୍ ଓ ଇଏସ୍ଆଇରେ ଅନ୍ତର୍ଭୁକ୍ତ କରିବାକୁ ବହୁ ଦିନରୁ ଦାବି ହୋଇଆସୁଛି । ଏଥିରେ ସରକାରଙ୍କୁ ଟଙ୍କାଟିଏ ଦେବାକୁ ପଡ଼ିବନି । କେବଳ କେନ୍ଦ୍ର ସରକାର ଇପିଏଫ୍ ଓ ଇଏସ୍ଆଇ ଆଇନରେ ସଂଶୋଧନ କରିବା ଦରକାର । ଚକା ଜାମ୍ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ-ଡିଜେଲ ଉପଲବ୍ଧ ହେବ ନାହିଁ । ଏଥିରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା ଦୁର୍ବିସହ ହୋଇପଡିବ।

ଆସନ୍ତାକାଲି ନିଖିଳ ଓଡ଼ିଶା ପରିବହନ କର୍ମଚାରୀ ଫେଡେରେସନ୍ ଓ ଡ୍ରାଇଭର ମହାସଂଘ ସହିତ ଆଲୋଚନା କରିବ । ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଡ୍ରାଇଭର କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ଆଉ ୭ରୁ ୧୦ ଦିନ ମହଲତ ଦେଇପାରନ୍ତି।

ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା; ଆଉ ଜଣେ ଆହତଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା। ଚାଲିଗଲା ଆଉ ଜଣଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

୨୯ ତାରିଖରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ବେଳେ ଦିଲ୍ଲୀପ ସାମନ୍ତରାୟ, ସୀମାଞ୍ଚଳ ବିଶ୍ୱାଳ, ଶ୍ରୀତମ ସାହୁ, ଜ୍ୟୋତି ରଞ୍ଜନ ମଲ୍ଲିକ ଗୁରୁତର ହୋଇଥିଲେ। ପରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦୁଇ ଜଣ ଦିଲ୍ଲୀପ ଓ ଶ୍ରୀତମ ବୋଲି ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

କିନ୍ତୁ ଚିକିତ୍ସିତ ହେଉଥିବା ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଦ୍ଵନ୍ଦ୍ବ । ଯାହାକୁ ନେଇ ପରିବାର ବର୍ଗ ମଧ୍ୟ ସାମ୍ନାସାମ୍ନି ହୋଇଥିଲେ। ତେବେ ପରିଶେଷରେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ୩୧ ତାରିଖରେ ମୃତଦେହ ହସ୍ତାନ୍ତର ହୋଇଥିଲା । ପରିବାର ଲୋକ ଶବ ସତ୍କାର କରିଥିଲେ। ହେଲେ ସ୍ବାମୀଙ୍କ ମୃତ୍ୟୁ ଖବର ସହି ନ ପାରି ୧ ତାରିଖରେ ଦିଲ୍ଲୀପଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ଏହାର ଭିତରେ ୪ ତାରିଖରେ ହସ୍ପିଟାଲ ପକ୍ଷରୁ ଦିଲ୍ଲୀପଙ୍କ ପରିବାରଙ୍କୁ ଯୋଗଯୋଗ କରି ସେ ବଞ୍ଚିଥିବା କଥା କୁହାଯାଇଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଛି। ୧୫ ଜଣ ପୋଲିସ ଅଫିସରଙ୍କୁ ନେଇ ଟିମ ଗଠନ ହୋଇଛି। ହସ୍ପିଟାଲ ପକ୍ଷରୁ ପୋଲିସକୁ ମେଡିକୋ ଲିଗାଲ କେସ ଦିଆଯାଇଛି । ଏବେ ଦିଲ୍ଲୀପ ଓ ଜ୍ୟୋତିଙ୍କ ଡିଏନଏ ଟେଷ୍ଟ କରାଯିବ। ଦରକାର ପଡ଼ିଲେ ମୃତ ଦେହ ପ୍ରିଜଭ କରି ରଖାଯିବ। ଜ୍ୟୋତିଙ୍କ ଶବ ଦାହ ହୋଇଥିବାରୁ ତାଙ୍କର ଭିସେରାରୁ ଡିଏନଏ ଟେଷ୍ଟ କରାଯିବ। ଅନ୍ୟ ପଟେ ଦିଲ୍ଲୀପଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରାଯିବ।

ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ ମାମଲା

ନୂଆଦିଲ୍ଲୀ: ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ ମାମଲା ରୁଜୁ କଲେ। ଠକାମୀର ଶିକାର ହେଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଛନ୍ତି। ଯେଉଁଥିପାଇଁ ଆରକା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ରାଞ୍ଚି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଧୋନୀ।

ଧୋନୀଙ୍କର ଅତି ଘନିଷ୍ଠ ବନ୍ଧୁ ଭାବେ ମିହିର ଦିବାକର ଜଣାଶୁଣା । ଏପରିକି ମିହିରି ହେଉଛନ୍ତି ଧୋନୀଙ୍କର ବ୍ୟବସାୟିକ ବନ୍ଧୁ । ମିହିର ଦିବାକର ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ଖୋଲିବାକୁ ୨୦୧୭ ମସିହାରେ ଧୋନୀଙ୍କ ସହ ଚୁକ୍ତି କରିଥିଲେ । କିନ୍ତୁ ଚୁକ୍ତିରେ ଥିବା ସର୍ତ୍ତକୁ ପରବର୍ତ୍ତୀ ସମୟରେ ପାଳନ କରିନଥିଲେ ମିହିର। ପରେ ୨୦୨୧ରେ ଧୋନୀ ନିଜର ଅଥରିଟି ଲେଟର ଆରକା ସ୍ପୋର୍ଟ୍ସ ଠାରୁ ଫେରସ୍ତ ନେଇଥିଲେ।

ଏହାପରେ ଚୁକ୍ତି ଖିଲାପ ପାଇଁ ମିହିରଙ୍କୁ ଅନେକ ନୋଟିସ ପଠାଇଥିଲେ ମଧ୍ୟ ଏହାର ଉତ୍ତର ଦେଇନଥିଲେ ମିହିର। ପରେ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂ କହିଥିଲେ, ଆରକା ସ୍ପୋର୍ଟ୍ସ ଧୋନୀଙ୍କ ସହ ଠକାମୀ କରିଛି। ଯେଉଁଥିପାଇଁ ଧୋନୀଙ୍କର ୧୫ କୋଟି ଟଙ୍କାର କ୍ଷତି ହୋଇଛି। ଯାହାକୁ ନେଇ ମିହିରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି ଧୋନୀ।

ଗଞ୍ଜାମରେ ମର୍ମନ୍ତୁଦ ଦୁର୍ଘଟଣା; ୧ ମୃତ, ୧୦ ଆହତ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଢଉଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଆସିକା SDPO, ଧରାକୋଟ, ସୋରଡ଼ା ଓ ଆସିକା ପୋଲିସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି।

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ

ସମ୍ବଲପୁର: ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚଳିତ ମାସ ଶେଷ ବେଳକୁ ଥିବା ବେଳେ ନିମନ୍ତ୍ରଣ ପତ୍ର ବଣ୍ଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେବା ପାଇଁ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀ ମନ୍ଦିରରୁ ବାହାରିଥିବା ବେଳେ, ସମ୍ବଲପୁରର ମା’ ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା, ବାବା ସୋମନାଥ ଓ ପୁରୀ ଶ୍ରୀ ମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିବାପରେ ଏହି ପ୍ରତିନିଧି ଦଳ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବେ।

ଜଳଦସ୍ୟୁଙ୍କ କବଳରୁ ସୁରକ୍ଷିତ ଭାବେ ୧୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ଜଳଦସ୍ୟୁଙ୍କ କବଳରୁ ୧୫ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ନୌସେନା କମାଣ୍ଡୋ। ସୋମାଲିଆ ଉପକୂଳରୁ ‘MV LILA NORFOLK’ ମାଲବାହୀ ଜାହାଜକୁ ଅପହରଣ କରାଯାଇଥିଲା । ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କର୍ମଚାରୀ ।

ଅପହରଣ ଖବର ମିଳିବା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିଲା । ଏହାପରେ ନୌସେନାର ସ୍ୱତନ୍ତ୍ର ମାରିନ କମାଣ୍ଡୋ ବା ମାର୍କୋସ ଅପରେସନ ଆରମ୍ଭ କରିଥିଲେ । ସନ୍ଧ୍ୟା ସୁଦ୍ଧା ଜାହାଜ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ପଣବନ୍ଦୀ ହୋଇ ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିଲେ । ଏମଭି ଲିଲା ନୋରଫୋଲକ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋରୁ ବାହାରିଥିଲା । ଏହା ବାହାରିନର ଖଲିଫା ବିନ ସଲମାନ ପୋର୍ଟକୁ ଯିବାର ଥିଲା । କିନ୍ତୁ ସୋମାଲିଆ ଉପକୂଳରୁ ୩୦୦ ମାଇଲ ଦୂରରେ ଜଳଦସ୍ୟୁମାନେ ଏହାକୁ କବଜା କରି ନେଇଥିଲେ।

ଏହି ଜାହାଜ ମଧ୍ୟରେ ୧୫ ଜଣ ଭାରତୀୟ ରହିଥିଲେ । ଏହି ପଣ୍ୟବାହୀ ଜାହାଜଟି ଅପହରଣ ସମ୍ପର୍କରେ ତୁରନ୍ତ ୟୁନାଇଟେଡ କିଙ୍ଗଡମ ମାରିଟାଇ ଟ୍ରେଡ ଅପରେସନ ପୋର୍ଟାଲକୁ ବାର୍ତ୍ତା ପଠାଇଥିଲା। ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ ୫ରୁ ୬ ଜଣ ବନ୍ଧୁକଧାରୀ ଜାହାଜରେ ପ୍ରବେଶ କରିବା ସହ ସମସ୍ତଙ୍କୁ ପଣବନ୍ଦୀ କରି ରଖିଥିବା ଜାହାଜ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଗାଈଗୋଠ ପଛେପଛେ ଚାଲି ଆସିଲା ହାତୀଛୁଆ

ଅନୁଗୁଳ: ଗାଈଗୋଠରେ ହାତୀଛୁଆ। ଅନୁଗୁଳ ଗଣ୍ଠିଗାଡ଼ିଆ ଜଙ୍ଗଲରୁ ହାତୀଛୁଆ ଗୋଠରୁ ଅଲଗା ହୋଇ ଗଣ୍ଠିଗାଡ଼ିଆ ଗାଈଗୋଠ ପଛେ ପଛେ ଗାଁ ମଧ୍ୟକୁ ପଶିଆସିଥିଲା। ଗାଈ ଗୋଠରେ ହାତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗାଁ ଲୋକେ। ବନ କର୍ମଚାରୀମାନେ ହାତୀ ଛୁଆକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି।

ହାତୀ ଛୁଆର ବୟସ ପ୍ରାୟ ଦୁଇମାସ ହେବ ବୋଲି ଅନୁମାନ କରାଯାଉଛି। ଗଣ୍ଠିଗାଡ଼ିଆ ଜଙ୍ଗଲରେ ରହିଥ‌ିବା ହାତୀପଲ ମଧ୍ଯରେ ଏହି ଦୁଇ ମାସର ହାତୀଛୁଆ ରହିଥିଲା। ଜଙ୍ଗଲରେ ହାତୀଛୁଆକୁ ଛାଡ଼ି ମା’ ଓ ହାତୀପଲ ପଳାଇଥିଲେ। ଜଙ୍ଗଲକୁ ଚରିବାକୁ ଯାଇଥିବା ଗାଈଗୋରୁ ଯାଉଥିବା ବେଳେ ଗୋଠରେ ହାତୀଛୁଆ ଗାଁ ମଧ୍ୟକୁ ପଶି ଆସିଥିଲା। ଗାଈଗୋରୁ ନିଜ ନିଜ ଗୁହାଳକୁ ପଳାଇ ଥିବାବେଳେ ହାତୀଛୁଆଟି ଗାଁ ଦାଣ୍ଡରେ ବୁଲିଥିଲା। ଲୋକେ ତାକୁ ବାଲଟିରେ ପାଣି ପିଇବାକୁ ଦେଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।

T20 ବିଶ୍ୱକପ ମ୍ୟାଚ୍‌; ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚ୍‌ ସୂଚୀ ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ ଆମେରିକା ଓ କାନାଡା।

୧୮୪୪ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ। ଏବେ ପୁଣି ଥରେ ଆମେରିକା ଓ କାନାଡା ଲଢ଼େଇ କରିବେ। ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌ ଜୁନ ୯ରେ ଖେଳାଯିବ। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଟି-୨୦ ବିଶ୍ୱକପର ଗ୍ରୁପ ଏରେ ଭାରତ ରହିଛି। ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି।

ଭାରତ ତା’ର ବିଶ୍ୱକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍‌ କାନାଡା ବିପକ୍ଷରେ ଖେଳିବ । ଟି-୨୦ ବିଶ୍ୱକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ। ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ ।