ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର, ଦାୟିତ୍ବ ନେଲେ ଆଇପିଏସ ସଞ୍ଜୀବ ପଣ୍ଡା

1 min read

ଭୁବନେଶ୍ବର: ନୂଆ ବର୍ଷରୁ ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର । ଦାୟିତ୍ବ ନେଲେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡା । ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟରେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସଞ୍ଜୀବ ପଣ୍ଡାଙ୍କୁ ଭୁବନେଶ୍ବର- କଟକ ଟୁଇନସିଟି ପୋଲିସ କମିଶନର ଦାୟିତ୍ୱ ମିଳିଛି । ତେବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ପୋଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ କାମ କରିବେ । 5T ଓ ମୋ ସରକାର ଅଧୀନରେ ଟୁଇନସିଟି ବାସିନ୍ଦାଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ସେ ଗୁରୁତ୍ୱ ଦେବେ । ପୋଲିସ ଲୋକଙ୍କ ସେବାରେ ରହିଛି ଓ ଆଗାମୀ ଦିନରେ କାମ କରିଚାଲିବ । ନୂଆ କମିଶନର ଭାବେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିବା ସହ ଅପରାଧ ନିୟନ୍ତ୍ରଣ ସହ ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ ଫେକ ଫଟୋ ନେଇ ଖୁବଶୀଘ୍ର ଆଲୋଚନା କରାଯିବ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ସଂଜୀବ ପଣ୍ଡା ।