spot_img
Home Blog Page 2267

ବନ୍ଦ କୋଠରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲୋକନାଥପୁର ଶାସନ ଗାଁରେ ଚାଞ୍ଚଲ୍ଯ । ବନ୍ଦ କୋଠରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ,ହତ୍ଯା ସନ୍ଦେହ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ମାନସିକ ଅନଗ୍ରସର ଭଉଣୀଙ୍କ ସହିତ ଶୋଇଥିବା ବେଳେ ଘଟିଛି ଅଘଟଣ । ଲକ୍ଷ୍ମୀପ୍ରିୟାଙ୍କ ବେକରେ କଟା ଦାଗ ରହିଛି । ତାଙ୍କୁ ହତ୍ୟା ପରେ କେହି ଦୁର୍ବୁତ୍ତ ଛାତ ଉପର କବାଟ ଖୋଲି ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସମ୍ପର୍କୀୟ ଏବଂ ପଡୋଶୀ। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ବିଶ୍ବବାସୀଙ୍କୁ ଚମକାଇବେ ଋଷ ଓ ଚୀନ, ଚନ୍ଦ୍ରରେ ପ୍ରତିଷ୍ଠା ହେବ ନ୍ୟୁକ୍ଳିୟର ରିଆକ୍ଟର

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରରେ ପ୍ରତିଷ୍ଠା ହେବ ନ୍ୟୁକ୍ଳିୟର ରିଆକ୍ଟର । ଆସନ୍ତା ଦଶନ୍ଧିରେ ଏହି ରିଆକ୍ଟର ପ୍ରତିଷ୍ଠା କରିବା ଲାଗି ଯୋଜନା କରୁଛନ୍ତି ଦୁଇ ସୁପରପାଓ୍ବାର ଋଷ ଓ ଚୀନ । ଏନେଇ ସୂଚନା ଦେଇଛନ୍ତି ଋଷର ମହାକାଶ ଗବେଷଣା ସଂସ୍ଥା ରସକସମସର ସିଇଓ  ୟୁରୀ ବୋରିସୋଭ ।  ସେ କହିଛନ୍ତି ଚନ୍ଦ୍ରରେ ଆଣବିକ ରିଆକ୍ଟର ପ୍ରତିଷ୍ଠା ନିମନ୍ତେ ଗବେଷଣା ଜାରି ରହିଛି। ଆବଶ୍ଯକୀୟ ପ୍ରଯୁକ୍ତିଭିତ୍ତିକ କାର୍ଯ୍ୟକଳାପ ବି ପ୍ରସ୍ତୁତ ହୋଇଛି। ଆସନ୍ତା ୨୦୩୩ରୁ ୨୦୩୫ ମଧ୍ଯରେ ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ରିଆକ୍ଟର ପ୍ରତିଷ୍ଠା ଲାଗି ଆଭିମୁଖ୍ଯ ରଖାଯାଇଛି। ଏନେଇ ଦୁଇ ଦେଶ ମଧ୍ଯରେ ସହଭାଗିତା ଭିତ୍ତିରେ ଗବେଷଣା ଜାରି ରହିଛି। ପୂର୍ବରୁ ଗତ ୨୦୨୧ ମାର୍ଚ୍ଚରେ ରସକସମସ ଓ ଚୀନର ନ୍ଯାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ବା ସିଏନଏସ ମଧ୍ଯରେ ଆନ୍ତର୍ଜାତିକ ଚନ୍ଦ୍ର ଗବେଷଣା ଷ୍ଟେସନ ବା ଆଇଏଲଆରଏସ ପ୍ରତିଷ୍ଠା ଲାଗି ବୁଝାମଣା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପ ଅନୁସାରେ ଆସନ୍ତା ୨୦୨୬ରେ ଚୀନ ଚନ୍ଦ୍ରକୁ ଚାଙ୍ଗ ୬, ଚାଙ୍ଗ ୭ ଓ ଚାଙ୍ଗ ୮ ନାମକ ୩ଟି ଯାନ ପଠାଇବ।

ପୁଣି ଚାଇନିଜ୍ ଆପକୁ ଲାଗିପାରେ ଝଟକା, ଆମେରିକାରେ ବ୍ୟାନ ହେବ ଟିକଟିକ!

ନନ୍ଦିଘୋଷ ବ୍ୟୁରୋ: ଚୀନ ସହ ସମ୍ପର୍କ ଖରାପ ହେବା ପରେ ଭାରତରେ ଚାଇନିଜ୍ ଆପ ଟିକଟକ ବ୍ୟାନ ହୋଇଥିଲା । ଏବେ ଭାରତ ରାସ୍ତାରେ ଆମେରିକା । ଆମେରିକାରେ ମଧ୍ୟ ଟିକଟକ ବ୍ୟାନ୍ ହେବା ନେଇ ମିଳିଛି ସୂଚନା । ସଂସଦରେ ସାଂସଦ ଏକ ପ୍ରସ୍ତାବ ଉଠାଇଛନ୍ତି କି, ଆମେରିକାର ସୁରକ୍ଷା ଦୃଷ୍ଟିରୁ ଟିକଟକକୁ ବ୍ୟାନ କରାଯାଉ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଟିକଟକର ସମଦ୍ଧ ଥିବାରୁ ଏହା ରାଷ୍ଟ୍ରୀୟ ସୁରକ୍ଷାରେ ଅସୁବିଧା ଉପୁଯାଇପାରେ । ଏହାସହ  ଟିକଟକ କମ୍ପାନୀକୁ ଚେତାବନୀ ମଧ୍ୟ ଚେତାବନି ଦିଆଯାଇଥିବା କୁହାଯାଉଛି । ତେବେ ଆମେରିକାରେ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଲ ପାରିତ କରିବା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଯୋଜନା କରାଯାଇଥିଲା । ଆମେରିକାର ଶତୃ ଦେଶଙ୍କ କଣ୍ଟ୍ରୋଲରେ ଥିବା ଦେଶ ମାନଙ୍କରେ ପ୍ରତିବନ୍ଧକ ଲଗାଇବା ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି ।

ଉପସ୍ଥାପିତ ବିଲରେ ଟିକ୍-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି। ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ଵାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ ।

ତିଲେଇବଣି ପାଇଁ ୧୨୫ କୋଟି ଟଙ୍କା ଅନୁମୋଦନ

ନନ୍ଦିଘୋଷ ବ୍ୟୁରୋ: ଆଜି ଯାହା ଦରଖାସ୍ତ ମିଳିଛି ସେ ନେଇ କାଲି ସକାଳେ ଖୁସି ଖବର ପାଇବେ । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ଯୁନିଟି ସେଣ୍ଟର ପାଇଁ କାଲି ସକାଳ ସୁଦ୍ଧା ଟଙ୍କା ଅନୁମୋଦନ ହୋଇ କାମ ଆରମ୍ଭ ହେବ । ଦେବଗଡ଼ ତିଲେଇବଣି ସାଧାରଣ ସଭାକୁ ସମ୍ବୋଧନ କରି ଏହା କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତଥର ଜୁଲାଇରେ ଆସି ଅନେକ ଗୁଡିଏ ଦରଖାସ୍ତ ପାଇଥିଲେ । ଏହା ଉପରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଯକ ବିଚାର କରି ପ୍ରାୟ ସବୁ ଦରଖାସ୍ତକୁ ଅନୁମୋଦନ କରି ତିଲେଇବଣି ପାଇଁ ୧୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି କହିଛନ୍ତି 5T ଅଧ୍ଯକ୍ଷ । ମୁଖ୍ଯମନ୍ତ୍ରୀଙ୍କ ହଠାତ କାମ ଆସିବାରୁ ସେ ତିଲେଇବଣି ଯାଇପାରିନାହାଁନ୍ତି । କିନ୍ତୁ ବିକାଶର ହିସାବ ଦେଇ କହିଥିଲେ, ଝାଡେଶ୍ବର ମନ୍ଦିରର ଉନ୍ନତି ପାଇଁ ୩କୋଟି ୧୦ ଲକ୍ଷ ଟଙ୍କା ଦିଆଯାଇଛି । ଦେବଗଡ଼ରେ ସର୍ବାଧିକ ସିସି ରୋଡ ଥିବାବେଳେ ୮୦ଟି CC ରୋଡ ପାଇଁ ୭ କୋଟି ମଂଜୁର କରାଯାଇଛି । ଟିକିରା ଏନଏଚ ଉପରେ ତିଲେଇପୋଷି ଓ ବୁଦାପୋଲ ରାସ୍ତାରେ ସେତୁ ପାଇଁ ୨୦ କୋଟି, ଗୋହିରା ଡ୍ଯାମ କେନାଲକୁ କଂକ୍ରିଟ କରିବା ପାଇଁ ୧୭ କୋଟି ୬୦ ଲକ୍ଷ, ତିଲେବଣିରେ ସିନ୍ଥେଟିକ ହକି ଟର୍ଫ ଓ ଟ୍ରେନିଂ ସେଣ୍ଟର ନିର୍ମାଣ ଲାଗି ୧୧.୯୦ କୋଟି ଟଙ୍କା ମୁଖ୍ଯମନ୍ତ୍ରୀ ଅନୁମୋଦନ କରିଛନ୍ତି । ଶରଧାପାଲି ଗାଁରେ ଏହି ସେଣ୍ଟର ନିର୍ମାଣ କରାଯିବ । ଏହାସହ ମମତା ଯୋଜନା, ମିଶନ ଶକ୍ତି ପାଇଁ ଋଣ ସୀମା ବୃଦ୍ଧି ବିଷୟରେ 5T ଅଧ୍ଯକ୍ଷ ସଚେତନ କରାଇଥିଲେ । ଏକ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ଲାଗି ସେ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଲୋଡିଥିଲେ ।

ଜୟା ବଚ୍ଚନ କହିଲେ କାହିଁକି ସୋସିଆଲ ମିଡିଆଠାରୁ ରୁହନ୍ତି ଦୂରରେ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ନିଜର କଡ଼ା ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତେବେ ସୋସିଆଲ ମିଡିଆ କମ ବ୍ୟବହାର କରନ୍ତି ଜୟା । ଯାହାକି ସେ ନିଜେ କହିଛନ୍ତି । ସୋସିଆଲ ମିଡିଆଠାରୁ କାହିଁକି ଦୂରେଇ ରୁହନ୍ତି ସେ ସମ୍ପର୍କରେ କହିଛନ୍ତି ଜୟା । ଏବେ ସାଧାରଣତଃ ସୋସିଆଲ ମିଡିଆ ଏକକ ବଡ଼ ମାଧ୍ୟମ ପାଲଟିଯାଇଛି । କିନ୍ତୁ ଜୟା କହିଛନ୍ତି କି, ତାଙ୍କ ପରିବାରର କେବଳ ସେ ଏକା ଏଥିରୁ ଦୂରେଇ ରୁହନ୍ତି । ନାତୁଣୀ ନବ୍ୟା କରୁଥିବା ଏକ ପୋଡକାଷ୍ଟ ସୋ’ରେ ନଜର ଆସିଥିଲେ ଜୟା । ଏହାସହ ନବ୍ୟା ମା’ ଶ୍ବେତା ମଧ୍ୟ ଏହି ସୋ’ରେ ଭାଗ ନେଇଥିଲେ । ଅଭିନୟ ଦୁନିଆରୁ ନୂରେଇ ଏବେ ସୋ’ କରୁଥିବା ନବ୍ୟାଙ୍କ ଏହି ସୋ’ ଦର୍ଶକଙ୍କ ପସନ୍ଦ ଆସୁଥିବା ମଧ୍ୟ ରିଭ୍ୟୁ ମିଳୁଛି । ତେବେ ନଭ୍ୟାଙ୍କ ଏହି ସୋ’ର ନାମ ହେଉଛି ’ହ୍ବାଟ ଦ ହେଲ୍ ନଭ୍ୟା’ ।

ନଭ୍ୟା ସୋ’ର ନୂଆ ପ୍ରୋମୋ ରିଲିଜ ହୋଇଛି । ଯାହାକି ସେ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଯେଉଁଥିରେ ଜୟା କହିଛନ୍ତି କି, ମୋତେ ନିଜ ସମ୍ପର୍କରେ ଅଧିକ କିଛି କହିବାର ନାହିଁ । ଦୁନିଆ ଆମ ସମ୍ପର୍କରେ ଜାଣିଛି । ମୁଁ ଯେତେବେଳେ ଛୋଟଥିଲି ସେତେବେଳେ ମୁଁ କଲବୁକ କରେ । ଗୋଟିଏ ନର୍ମାଲ ଏବଂ ଅନ୍ୟଟି ଏମରଜେନ୍ସିଂ ରହିଥିଲା । ଯଦି ତୁମେ ତୁମ ବୟଫ୍ରେଣ୍ଡକୁ କଲ କରୁଛ ତାହେଲେ ଏହା ଏକ ଏମରଜେନ୍ସି କଲ ରହୁଥିଲା । ଏଭଳି ଥଟ୍ଟା ମଜା କରୁଥିବା ଏହି ସୋ’ରେ ଦେଖିବାକୁ ମିଳିଛି ।

ରେଢ଼ାଖୋଲ ଅଞ୍ଚଳର ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି : 5T ଅଧ୍ୟକ୍ଷ

ସମ୍ବଲପୁର: ରେଢ଼ାଖୋଲ ଅଞ୍ଚଳର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି। ଅଞ୍ଚଳର ବିକାଶ ଲାଗି ଯାହା କାମ ଦରକାର ତାହାକୁ ମୁଖ୍ଯମନ୍ତ୍ରୀ ପୂରଣ କରିବେ ବୋଲି କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଭିଡିଓ କନଫରେନ୍ସିଂ ଜରିଆରେ ରେଢାଖୋଲବାସୀଙ୍କୁ ସେ କହିଛନ୍ତି- ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସେ ସର୍ବଦା ସ୍ନେହ ପାଇଆସିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ ନେଇ ଆସନ୍ତାକାଲି ସୁଦ୍ଧା ଖୁସି ଖବର ମିଳିବ। ୨୪ ଘଣ୍ଟା ଭିତରେ ଅର୍ଡର ମିଳିଯିବ। ମାମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଯୋଜନା କରିଛନ୍ତି। ୫ ଲକ୍ଷ ବଦଳରେ ମାମାନଙ୍କୁ ମିଳୁଛି ବିନା ସୁଧରେ ୧୦ ଲକ୍ଷ ଟଙ୍କ । ମମତା ଯୋଜନାରେ ଆଗରୁ ମା ମାନେ ୫ ହଜାର ଟଙ୍କା ପାଉଥିଲେ। ବର୍ତ୍ତମାନ ତାହା ୧୦ ହଜାର ହୋଇଛି। ସ୍ବୟଂ ଯୋଜନାରେ ଯୁବକଙ୍କ ଲାଗି ସୁଯୋଗ ସୃଷ୍ଟି ହୋଇଛି । ଯୁବକମାନେ ୧ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ପାଇପାରିବେ। ଏହି ଯୋଜନା ଲାଗି ୧୦ ହଜାରରୁ ଅଧିକ ଯୁବକ ଆବେଦନ କଲେଣି। ସମସ୍ତେ ମିଶି ଭଲ କାମ କରିବାକୁ ଆହ୍ବାନ ଦେଇଥିଲେ 5T ଅଧ୍ୟକ୍ଷ।

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ମ୍ଯୁନିସପାଲଟି ଅନ୍ତର୍ଗତ ଅଲଭା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ  । ଝିଅକୁ ଯୌତୁକ ପାଇଁ ମାରିଦିଆ ଯାଇଛି ବୋଲି ଅଭିଯୋଗ ଆଣିଲ ବାପଘର ଲୋକେ  । ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ସାନମୋହନପୁର ଗ୍ରାମର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ବେହେରା ୧୩ ବର୍ଷ ତଳେ ଅଳଭା ଗ୍ରାମର ମହେଶ୍ୱର ପାତ୍ରଙ୍କ ପୁଅକୁ ଭଲପାଇ ବିବାହ କରିଥିଲେ । ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ଯରେ କଳହ ଲାଗିଥିଲା ଯାହାକି ଉଗ୍ର ରୂପ ଧାରଣ କରିଥିଲା । ଯାହାଫଳରେ ସ୍ୱାମୀ ସୁକାନ୍ତିଙ୍କୁ ଜୀବନରୁ ମାରିଦେଇଥିବା  ନେଇ ଝିଅର ବାପା ଧରଣୀଧର ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି ପୋଲିସ ।

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏହି ମିଶ୍ରଣ ପର୍ବ ସମୟରେ ଉପସ୍ଥିତ ରହିଥିଲେ । ବିଦ୍ଧିବଧଭାବେ ବିଜେଡିରେ ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଅରବିନ୍ଦ କହିଛନ୍ତି କି, ପାଟକୁରାର ବିକାଶକୁ ଆଗକୁ ନେବି । ଆଶା କରୁଛି ନବୀନବାବୁଙ୍କ ଆଶୀର୍ବାଦ ମୋ ଉପରେ ରହିବ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଓହରିଲେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲେ

ନନ୍ଦିଘୋଷ ବ୍ୟୁରୋ; ହ୍ବାଇଟହାଉସ ଅଭିଯାନରୁ ନିଜକୁ ବାଦ୍ ଦେଲେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲେ । ବିଭିନ୍ନ ପର୍ଯ୍ୟାୟ ନିର୍ବାଚନରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଠାରୁ ପରାଜିତ ହେବା ପରେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଛନ୍ତି ଜାତିସଂଘର ପୂର୍ବତନ ଆମ୍ବାସାଡର ନିକ୍କି । ଗତ ମଙ୍ଗଳବାର ହୋଇଥିବା ୧୫ଟି ପ୍ରଦେଶ ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିଲେ ନିକ୍କି । ପ୍ରତିଦ୍ବନ୍ଦ୍ବିତାରୁ ଓହରିବା ପରେ ନିକ୍କି କହିଛନ୍ତି- ଏଣିକି ଆମେରିକାବାସୀ ନିଷ୍ପତ୍ତି ନେବେ । ଯେଉଁମାନେ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସମର୍ଥନ କରିଛନ୍ତି ସେମାନଙ୍କୁ ସେ ଧନ୍ଯବାଦ ଜଣାଉଛନ୍ତି । ଗତ ମଙ୍ଗଳବାର ଅନୁଷ୍ଠିତ ଭୋଟରେ କେବଳ ଗୋଟିଏ ପ୍ରଦେଶକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପ୍ରଦେଶରେ ହାରିଥିଲେ ନିକ୍କି । ସେପଟେ ୨୦୨୦ ନିର୍ବାଚନରେ ପରାସ୍ତ ପରେ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସକାଶେ ସେ ଯେଉଁ ପନ୍ଥା ଅବଲମ୍ବନ କରିଥିଲେ ସେହି ମାମଲାରୁ ତାଙ୍କୁ ମୁକ୍ତି ଦିଆଯିବା ନେଇ ସେ କରିଥିବା ଆବେଦନର ଶୁଣାଣି ଆସନ୍ତା ଏପ୍ରିଲ 25ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ନୟାଗଡ଼ ଜିଲ୍ଲାରେ ଫଳିଛି ଥାଇଲାଣ୍ଡ ବରକୋଳି

ନୟାଗଡ଼: ଓଡିଶା ମାଟିରେ ବିଦେଶୀ ଫଳ। ୟୁଟ୍ଯୁବ ଦେଖି ଓଡିଶା ମାଟିରେ ଥାଇଲାଣ୍ଡ ବରକୋଳି ଚାଷ କରି ଆତ୍ମନିର୍ଭରଶୀଳ ପାଲଟିଛନ୍ତି ନୟାଗଡର ଚାଷୀ ନକୁଳ । ଏହା କେବଳ ସମ୍ଭବ ହୋଇଛି ନିଜର ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା। ମାସିକ ଦୁଇରୁ ଅଢେଇ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର। ଅନ୍ଯପାଇଁ ପାଲଟିଛନ୍ତି ଉଦାହରଣ।

ଓଡିଶା ମାଟିରେ ବିଦେଶୀ ଫଳ । ଗଛରେ ଫଳିଛି ପେନ୍ଥା ପେନ୍ଥା ଥାଇଲାଣ୍ଡ ବରକୋଳି । କୋଳି ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ଯ ସେତିକି ସ୍ଵାଦିଷ୍ଟ । ପାରମ୍ପରିକ କୃଷି ପଦ୍ଧତିକୁ ଛାଡି ଥାଇଲାଣ୍ଡ ବରକୋଳି ଚାଷ କରି ସ୍ଵାବଲମ୍ବୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବାଲିଆ ଗାଁର ଚାଷୀ ନକୁଳ ନାୟକ । ୟୁଟ୍ଯୁବ ଦେଖି ଆରମ୍ଭ କରିଥିଲେ ଚାଷ । କଲିକତାରୁ ସମ୍ପର୍କୀୟଙ୍କ ସହାୟତାରେ  ୫୦୦ ଚାରା ଆଣି ଆରମ୍ଭ କରିଥିଲେ ଚାଷ । ଏବେ ଏହି ଚାଷରୁ ମାସିକ ଦୁଇରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଥାଇଲାଣ୍ଡ ବରକୋଳି ଚାଷ କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି ନକୁଳ । ବଜାରରେ କୋଳିର ଭଲ ଚାହିଦା ରହିଛି । ମାସକୁ ଦୁଇରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।