spot_img
Home Blog Page 2247

ବଢ଼ିଲା କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା

ଭୁବନେଶ୍ବର: କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖକୁ ବୃଦ୍ଧି ହୋଇଛି । ଜାନୁୟାରୀ ୩୧ ତାରିଖରେ ଏହି ଅବଧି ସରିବାକୁ ଥିବାବେଳେ ଫେବୃଆରୀ ୮ ତାରିଖକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମୟସୀମା ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । କାଳିଆ ହିତାଧିକାରୀଙ୍କ ପିଲାମାନେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ବୈଷୟିକ ଶିକ୍ଷାନୁଷ୍ଠାନ ନିମନ୍ତେ କାଳିଆ ଛାତ୍ରବୃତ୍ତି ପାଇବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ଜାନୁଆରୀ ୯ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ  ଖୋଲା ରଖିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ମାତ୍ର କାଳିଆ ଛାତ୍ରବୃତ୍ତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଆବେଦନ ସମୟସୀମା ବୃଦ୍ଧି ନିମନ୍ତେ ଅନେକ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ  ପରାମର୍ଶ କ୍ରମେ ଅନଲାଇନ ଆବେଦନ ସମୟସୀମା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି  ।

ଭାରତର କେଉଁ ସହରକୁ ପ୍ରଥମେ ଆସିଥିଲା କାର?

ନନ୍ଦିଘୋଷ ବ୍ୟୁରୋ: ଭାରତର ଛୋଟ ହେଉ କିମ୍ବା ବଡ ସହରକୁ  ଯାଆନ୍ତୁ, ରାସ୍ତାରେ ଅଗଣିତ କାର ଚାଲୁଥିବାର ନଜର ଆସିବ। କିନ୍ତୁ ଆପଣ ଜାଣନ୍ତି କି ଯେତେବେଳେ ଭାରତକୁ ପ୍ରଥମେ କାର୍ ଆସିଥିଲା ଏହା କେଉଁ ସହରକୁ ଆସିଥିଲା। ଆପଣ ଭାବୁଥିବେ ଦିଲ୍ଲୀ କିମ୍ବା ମୁମ୍ବାଇ ପରି ବଡ ସହରକୁ ପ୍ରଥମେ କାର୍ ଆସିଥିବ। ଯେଉଁଠାରେ ଦେଶର ସବୁଠାରୁ ଧନୀ ଲୋକ ବାସ କରନ୍ତି। ଯଦି ଆପଣ ଏଭଳି ଭାବୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ। ବାସ୍ତବରେ ଦେଶର ପ୍ରଥମ କାର କଲିକତାରେ ପହଞ୍ଚିଥିଲା। କାରଣ ସେତେବେଳେ କଲିକତା ଭାରତର ଏପରି ଏକ ସହର ଥିଲା ଯାହା ନିଜର ଶିଳ୍ପ ଉଦ୍ୟଗ ପାଇଁ ଜଣାଶୁଣା ଥିଲା। ଏହି କାରଣରୁ କଲିକତାରେ ଅନେକ ଧନୀ ଲୋକ ଥିଲେ ତେଣୁ ଭାରତକୁ ପ୍ରଥମ କାର ୧୮୯୭ରେ ଆସିଥିଲା। ୧୮୯୭ ମସିହାରେ ଭାରତର ପ୍ରଥମ କାର କିଣାଯାଇଥିଲା। ଏହି କାରଟି ଫ୍ରାନ୍ସର ଡେଡିଅନ୍ ଥିଲା। ଏହାକୁ କିଣିଥିଲେ କ୍ରମ୍ପଟନ୍ ଗ୍ରୀଭସ୍ କମ୍ପାନୀ ସହିତ ଜଡିତ ଶ୍ରୀ ଫୋଷ୍ଟର। ଯେତେବେଳେ କଲିକତାରେ ଏହି କାରର ଶୁଭାରମ୍ଭ ପାଇଁ ବିଜ୍ଞାପନ ଲାଗିଥିଲା ସେତେବେଳେ କୋଲାତା ରାସ୍ତାରେ ଦେଖିବାକୁ ମିଳିଥିଲା ଲୋକଙ୍କ ଗହଳି। ତେବେ ଟାଟା ଗ୍ରୁର ମୁଖ୍ୟ ଜାମସେଦ୍ ଜି ଟାଟା ପ୍ରଥମ ଭାରତୀୟ ଯିଏକି ପ୍ରଥମେ କାର କିଣିଥିଲେ। ୧୮୯୮ରେ ଜାମସେଦ ଜି ଟାଟା ଏହି କାର କିଣିଥିଲେ। ଯେତେବେଳେ ଜାମସେଦ ଟାଟା ଏହି କାର କିଣିଥିଲେ ସେତେବେଳେ ମୁମ୍ବାଇରେ ଆଉ ୩ଟି କାର ବିକ୍ରି ହୋଇଥିଲା। ଏହାକୁ ପାର୍ସୀ ସମ୍ପ୍ରଦାୟର ଲୋକ କିଣିଥିଲେ।

ସ୍କୁଲ ଭିତରେ ଫୁଟିଲା ଗୁଳି, ସାଙ୍ଘାତିକ ହେଲା ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପ୍ରେମ

ନନ୍ଦିଘୋଷ ବ୍ୟୁରୋ: ଜଣେ ଶିକ୍ଷୟିତ୍ରୀଙ୍କ ପ୍ରେମ ପଡ଼ିଥିଲେ ଦୁଇ ଜଣ ଶିକ୍ଷକ। ଏକାସଙ୍ଗରେ ଦୁଇ ଜଣଙ୍କ ସହ ରୋମାନ୍ସ କରୁଥିଲେ ଶିକ୍ଷୟିତ୍ରୀ। ହେଲେ ଶିକ୍ଷୟିତ୍ରୀଙ୍କ ପ୍ରେମ ଜଟିଳ ଫର୍ମୁଲାକୁ ବୁଝି ପାରି ନଥିଲେ ଦୁଇ ଶିକ୍ଷକ । ଶେଷରେ ଏହି ତ୍ରିପାକ୍ଷିକ ପ୍ରେମ କାହାଣୀ ଭୟଙ୍କର ରୂପ ନେଇଛି। ସ୍କୁଲ ଭିତରେ ଫୁଟିଛି ଗୁଳି। ଜଣେ ଶିକ୍ଷକ ପ୍ରେମରେ ଧୋକା ଖାଇବା ପରେ ଶିକ୍ଷୟିତ୍ରୀ ଓ ତାଙ୍କର ସହଯୋଗୀ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଶିକ୍ଷକ ଜଣଙ୍କ ନିଜ ମୁଣ୍ଡକୁ ମଧ୍ୟ ଗୁଳି କରି ଦେଇଛନ୍ତି। ଏବେ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଝାରଖଣ୍ଡର ଗୋଡ୍ଡା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଏପରି ଘଟଣା ଘଟିଛି। ପୁଲିସ୍ କହିଛି ଯେ ରାଜଧାନୀ ରାଞ୍ଚି ଠାରୁ ୩୦୦ କିମି ଦୂର ପୋରାଇୟାହାଟ ଅଞ୍ଚଳରେ ଥିବା ଛାତ୍ରା ଅପଗ୍ରେଡେଡ ସ୍କୁଲରେ ୩ ଜଣ ଯାକ ପିଲାଙ୍କୁ ପାଠ ପଢ଼ାଉଥିଲେ। ସ୍କୁଲ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ସ୍କୁଲର ଗୋଟିଏ ରୁମରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଅଭିଯୁକ୍ତ ଶିକ୍ଷକ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ର ଶବ୍ଦ ଶୁଣି ସ୍କୁଲର ପିଲା ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ରୁମ ଆଡ଼କୁ ଦୌଡ଼ିଥିଲେ।

କିନ୍ତୁ ଉକ୍ତ ରୁମଟି ଭିତରୁ ବନ୍ଦ ରହିଥିଲା । ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ରୁମ ଭିତରକୁ ପଶିଥିଲା। କିନ୍ତୁ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ଅଭିଯୁକ୍ତ ଶିକ୍ଷକ ଜଣଙ୍କୁ ନିଜକୁ ମୁଣ୍ଡର ଡାହାଣ ପଟକୁ ଗୁଳି କରି ସାରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତ୍ରିପାକ୍ଷିକ ପ୍ରେମ ସମ୍ପର୍କରୁ ଏତେ ବଡ଼ ଘଟଣା ଘଟିଛି। ଗାଁ ଲୋକ ଓ ସ୍କୁଲ ପିଲାଙ୍କ କହିବା କଥା ଯେ ଦୁଇ ଶିକ୍ଷକଙ୍କ ସହ ଶିକ୍ଷୟିତ୍ରୀଙ୍କ ସମ୍ପର୍କ ରହିଥିଲା । ମୃତ ଦୁଇ ଜଣ ହେଲେ ସୁଜାତା ମିଶ୍ରା ଓ ଆଦର୍ଶ ସିଂହ। ସୁଜାତାଙ୍କ ଘର ପୋରାଇୟାହାଟରେ ହୋଇଥିବା ବେଳେ ଆଦର୍ଶଙ୍କ ଘର ଉତ୍ତର ପ୍ରଦେଶର ଚାଣ୍ଡୋଲିରେ। ଆହତ ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ରବି ରଞ୍ଜନ। ରବି ରଞ୍ଜନ ୩ଟି ଗୁଳି ଆଦର୍ଶଙ୍କ ଉପରୁ ଚଳାଇଥିଲେ। ସେହିପରି ସୁଜାତା ଗୋଟିଏ ଗୁଳିରେ ପ୍ରାଣ ହରାଇଛନ୍ତି। ରବିଙ୍କ ଠାରୁ ଦୁଇଟି ଦେଶ ବନ୍ଧୁକ ଜବତ ହୋଇଛି। କିନ୍ତୁ ହତ୍ୟାକାଣ୍ଡ ପାଇଁ ସେ ଗୋଟିଏ ବନ୍ଧୁକର ବ୍ୟବହାର କରିଥିଲେ।

ଗିରଫ ହେଲେ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଜମି ଦୁର୍ନୀତୀ ମାମଲାରେ ଶେଷରେ ଝାଡ଼ଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡି । ଜମି ଦୁର୍ନୀତି ମାମଲାରେ ଆଜି ଇଡି ତାଙ୍କୁ ଦୀର୍ଘ ୮ ଘଣ୍ଟାରରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି । କିଛି ସମୟ ପୂର୍ବରୁ ଇସ୍ତଫା ଦେଇଥିଲେ ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ନିକଟତର ଚମ୍ପଇ ସୋରେନ ହେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନଙ୍କୁ ଇଡି ମାରଥାନ ଜେରା କରିବା ପରେ ତାଙ୍କୁ ଗିରଫ କରିଛି । ଏହି କାରଣରୁ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଚମ୍ପଇ ସୋରେନ ଝାରଖଣ୍ଡ ଟାଇଗର ଭାବେ ମଧ୍ୟ ପରିଚିତ । ଇଡି ଆଜି ଅପରାହ୍ନରୁ ହେମନ୍ତଙ୍କୁ ଜେରା ଆରମ୍ଭ କରିଥିଲା। ୮ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିର ଅଧିକାରୀମାନେ ବାହାରିଥିଲେ । ଜେରା ଶେଷ ହେବା ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

କଣ ରହିବ କେନ୍ଦ୍ରୀୟ ବଜେଟ-୨୦୨୪ର ରୂପରେଖ ?

ନନ୍ଦିଘୋଷ ବ୍ୟୁରୋ: ବଜେଟ ପୂର୍ବରୁ ଅଙ୍କକଷା । କାହାକୁ ମିଳିବ ଅଧିକ ଫୋକସ । ସ୍ବାସ୍ଥ୍ୟ , ଶିକ୍ଷା, ରୋଜଗାର, କୃଷି ପାଇଁ କଣ ରହିଛି ବଡ଼ ଯୋଜନା। ଗୁରୁବାର ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ। ଏଥର ବଜେଟରେ କଣ ରହିଛି ତାକୁ ନେଇ ସାରା ଦେଶର ନଜର ରହିଛି । ଏପଟେ ଦରଦାମ ନିୟନ୍ତ୍ରଣ ନିହାତି ଜରୁରୀ ବୋଲି ବିରୋଧୀ କହିଛନ୍ତି।

କଣ ରହିବ କେନ୍ଦ୍ରୀୟ ବଜେଟ-୨୦୨୪ର ରୂପରେଖ ? ପକେଟକୁ ବାଧିବ ନା ବଢିବ ସେଭିଂ ? ମଧ୍ୟବିତ୍ତଙ୍କ ପାଇଁ କଣ ରହିଛି ଯୋଜନା ? ସାଧାରଣ ନିର୍ବାଚନ ପୂର୍ବରୁ କେଉଁ ବର୍ଗକୁ ଫୋକସ କରିବେ କେନ୍ଦ୍ର ସରକାର ? ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ବଜେଟ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଥର ଅନ୍ତରୀଣ ବଜେଟ ଉପସ୍ଥାପନ ହେବ । ପୂର୍ଣ୍ଣ ବଜେଟ ଉପସ୍ଥାପନ ନହେବା ଯାଏଁ ଅନ୍ତରୀଣ ବଜେଟ ଅର୍ଥରୁ ଖର୍ଚ୍ଚ କରାଯିବ । ସରକାର ଉଭୟ ଟିକସ ଓ ଅଣଟିକସ ଉତ୍ସରୁ ଅର୍ଥ ପାଇଥାନ୍ତି। ଏଥିସହିତ ସରକାର ସୁଧ, ସବସିଡି ଏବଂ ଯୋଜନା ସହିତ ଅନ୍ଯ କାର୍ଯ୍ଯରେ ଟଙ୍କା ଖର୍ଚ୍ଚ କରିଥାନ୍ତି। ସବୁଠୁ ବଡ଼ କଥା ହେଲା ସରକାର ବଜେଟର ୩୪ ପ୍ରତିଶତ ଅର୍ଥ କରଜରୁ ଆଣିଥାନ୍ତି । ଟଙ୍କାଏରୁ ୨୦ ପଇସା ସରକାର ସୁଧ ପୈଠ କରିଥାନ୍ତି । ତେବେ ଏଥର ବଜେଟ ସାଧାରଣ ଲୋକଙ୍କ ସମସ୍ଯାକୁ ଫୋକସ କରିବା ଦରକାର ବୋଲି ବିରୋଧୀ କହିଛନ୍ତି। ଦରଦାମ, ନିଯୁକ୍ତି, ସାମାଜିକ ନ୍ୟାୟ, ଜିଏସଟି, ଆୟକର କ୍ଷେତ୍ରରେ ରିହାତିକୁ ଫୋକସ କରିବା ଦରକାର । ଦରଦାମ ବୃଦ୍ଧି ଯୋଗୁଁ ମଧ୍ଯବିତ୍ତ ଓ ନିମ୍ନ ମଧ୍ଯବିତ୍ତ ଶ୍ରେଣୀ ଅଧିକ ପ୍ରଭାବିତ ହେଉଥିବା ବେଳେ ସେମାନଙ୍କୁ ଆଶ୍ବସ୍ଥିର ଆବଶ୍ଯକତା ରହିଛି ।

ଜିଏସଟି ଓ ଟ୍ଯାକ୍ସ ସ୍ଲାବରେ ନିହାତି ପରିବର୍ତ୍ତନର ଆବଶ୍ଯକତା ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା, ଗମନାଗମନ କ୍ଷେତ୍ରକୁ ମଧ୍ଯ ଫୋକସ କରାଯିବାର ଆବଶ୍ଯକତା ରହିଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ଯ ସରକାର କି ଯୋଜନା କରୁଛନ୍ତି ତା ଉପରେ ନଜର ରହିବ। ସବୁଠୁ ବଡ଼ କଥା ହେଲା ଚାଷୀଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ରର ଦରଦ କେତେ ଏହି ବଜେଟରୁ ସ୍ପଷ୍ଟ ହୋଇଯିବ। ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନ ହେଉଥିବାରୁ ସେୟାର ମାର୍କେଟରେ ମଧ୍ଯ ହଲଚଲ ଦେଖିବାକୁ ମିଳିଛି`

ଇସ୍ତଫା ଦେଲେ ହେମନ୍ତ ସୋରେନ, ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । JMM       ବିଧାୟକ ଦଳ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଘୋଷଣା କରାଯାଇଛି । ତେବେ ଇସ୍ତଫା ଦେବା ପରେ ଗିରଫ ହୋଇପାରନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସାଂସଦ ମହୁଆ ମାଝୀ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସୋରେନଙ୍କ ସହ ରାଜଭବନ ଯାଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି। ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଇଡି ଟିମ୍ ସହ ରାଜ୍ୟପାଳଙ୍କ ନିକଟକୁ ଯାଇଛନ୍ତି ବୋଲି ମାଝୀ କହିଛନ୍ତି।

କୌଣସି ସମୟରେ ଗିରଫ ହୋଇପାରନ୍ତି ହେମନ୍ତ ସୋରେନ, ରାଜ୍ୟପାଳଙ୍କୁ ଭେଟିବେ JMM ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ବଢ଼ି ଚାଲିଛି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚିନ୍ତା । ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ହେମନ୍ତ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଡ଼ା ସୁରକ୍ଷା ବଳୟ ରହିଛି । ଦୀର୍ଘ ସମୟରେ ଇଡି ହେମନ୍ତଙ୍କୁ ପଚରା ଉଚରା କରୁଛି । ହେମନ୍ତ ସୋରେନଙ୍କ ବାସଭବନରେ ଇଡି। ଖଣି ଦୁର୍ନୀତି ମାମଲାରେ ଝାରଖଣ୍ଡ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତନାଘନା ଚଲାଇଛି ଇଡି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଟିମ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟରେ ରହିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା ନେଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧ କରିବା ସମ୍ଭାବନା ଥିବାରୁ ସୁରକ୍ଷା କଡ଼ାକଡ଼ି କରିଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଶହେ ମିଟର ମଧ୍ୟରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧକ ରାତି ୧୦ଟା ପର୍ଯ୍ୟନ୍ତ ଲାଗୁ ରହିବ। ବହୁମାତ୍ରାରେ ସିଆରପିଏଫର ଯବାନ ମୁତୟନ ହୋଇଛନ୍ତି। ଏହା ପରେ ବି ଝାରଖଣ୍ଡ ସରକାରକୁ ଅଧିକ ଫୋର୍ସ ମାଗିଛି ଇଡି। ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ଅଧିକ ଫୋର୍ସ ମାଗିଛି ଇଡି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଖରେ କୌଣସି ପ୍ରକାରର ଧାରଣା ଏବଂ ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ହେମନ୍ତ ସୋରେନ । ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ । ଯଦି ହେମନ୍ତ ସୋରେନ୍ ଇସ୍ତଫା ଦିଅନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । ଦୁଇ ଦିନ ଧରି ହେମନ୍ତ ସୋରେନ୍ ଗାଏବ ଥିଲେ। ହଠାତ୍ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଇଡି ସମନ୍ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜେପି ଉପରେ ବର୍ଷିଛି । ଜେଏମ୍ଏମ୍ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମ୍ଏମ୍ କହିଛି ।

ଆସନ୍ତା ଫେବୃଆରୀ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଏକାମ୍ର ଉତ୍ସବ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଉତ୍ସବର ମଜା ନେବେ ରାଜଧାନୀବାସୀ । ଲୋକଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ । ଏଥିରେ ଅନୁଷ୍ଠିତ ହେବ ସଙ୍ଗୀତର ମୂର୍ଚ୍ଛନା । ଯେଉଁଠାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପରିବେଷଣ । ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକ କାର୍ଯ୍ୟକ୍ରମ ରହିଛି। ଏଥିରେ ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁଙ୍କ ଭଳି କଳାକାର ଯୋଗଦେବେ । ସେହିପରି ୪ ଫେବ୍ରୁଆରୀ ସଙ୍ଗୀତର ତାଳେ ତାଳେ କାର୍ଯ୍ୟକ୍ରମରେ ଅନୁରାଧା ପୌଡୱାଲ,ସୁରେଶ ୱାଡେକର ଯୋଗଦେବେ । ୫ ତାରିଖରେ  ଅଭୁଲା ଅତୀତ, ୬ରେ ଭାଷା ହିଁ ଭବିଷ୍ୟତ, ୭ରେ ବସନ୍ତର ସ୍ୱର, ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା, ୯ରେ ତୁମେ ଚାହିଁଲ ବୋଲି କାର୍ଯ୍ୟକ୍ରମରେ ଜୁବିନ ନୌତାଆଲ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଉତ୍ସବରେ ଓଡିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ  ସାମିଲ କରାଯାଇଛି। ଗୋଟିଏ ଷ୍ଟଲରେ ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ।  ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ରାତ୍ରିକାଳୀନ ବଜାର ଖୋଲିବ। ଭୁବନେଶ୍ୱର କାହାଣୀ ଉତ୍ସବ ବା ଭୁ-ଫେଷ୍ଟୋର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଏପିଜେ ଅବଦୁଲ କାଲାମ ପାର୍କ, ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ୭,୮, ୯ରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ।  ଏଥିରେ ୨୦୦ଟି ଡ୍ରୋନ ସାମିଲ ହେବ ।

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ବର: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ । ଦେବୀପ୍ରସନ୍ନଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ବିଶ୍ଵ ଓଡିଆ  ଭାଷା ସମ୍ମିଳନୀ ଅବସରରେ ତାଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ  ସମ୍ମାନିତ କରାଯିବ। ଓଡ଼ିଆ  ଭାଷା  ଉପରେ ତାଙ୍କର  ଉଚ୍ଚକୋଟିର  ଗବେଷଣା  ଦିଗରେ ଜୀବନ ବ୍ୟାପୀ  ସାଧନାର  ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ  ଓଡିଆ  ସମ୍ମାନରେ  ସମ୍ମାନିତ  କରିବେ ମୁଖ୍ଯମନ୍ତ୍ରୀ । ଦେବୀପ୍ରସନ୍ନଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ  ବିଦ୍ୱାନ  ଓ  ଭାଷାବିତ୍  ଭାବରେ  ଦେବୀପ୍ରସନ୍ନଙ୍କର ବେଶ୍  ନାଁ ରହିଛି । ଭାରତୀୟ ଭାଷା  ପ୍ରତିଷ୍ଠାନର ପ୍ରତିଷ୍ଠାତା  ନିର୍ଦ୍ଦେଶକ  ଭାବରେ ସେ ଅନେକ  ସୁନାମ  ଅର୍ଜନ  କରିଛନ୍ତି ।

ଭାରତୀୟ  ଭାଷା   ସମୂହର  ବିକାଶ  ଦିଗରେ  ତାଙ୍କର   ସମର୍ପିତ  ଉଦ୍ୟମ  ପାଇଁ  ତାଙ୍କୁ  ପଦ୍ମଶ୍ରୀ  ସମ୍ମାନରେ  ସମ୍ମାନିତ କରିଛନ୍ତି ଭାରତ ସରକାର । ସେହିପରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ  ଦିଗରେ ଡକ୍ଟର ପଟ୍ଟନାୟକଙ୍କ  ବହୁମୂଲ୍ୟ  ଅବଦାନ ରହିଛି । ରାଜ୍ଯ ସରକାରଙ୍କ ଦ୍ୱାରା  ଗଠିତ କମିଟି ସର୍ବସମ୍ମତି କ୍ରମେ  ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ  କରିଥିଲେ । କମିଟିରେ ଭାରତୀୟ  ଭାଷା  ପରିଷଦର  ସଭାପତି ତଥା ହାଇଦ୍ରାବାଦ  ବିଶ୍ୱବିଦ୍ୟାଳୟର  ଭାଷା  ବିଭାଗର  ପୂର୍ବତନ  ପ୍ରଫେସର ଜି. ଉମା  ମହେଶ୍ଵର ରାଓ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା  ପ୍ରଧାନ, ଉତ୍କଳ  ସଂସ୍କୃତି  ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ପି.  କେ.  ସ୍ଵାଇଁ  ଏବଂ  କେନ୍ଦ୍ରଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ପ୍ରମୁଖ ବିଦ୍ବାନ ବିଚାରକଙ୍କୁ ନିଆଯାଇଥିଲା ।

ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

ଭୁବନେଶ୍ବର: ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ। ଶିକ୍ଷାକ୍ଷେତ୍ରରେ ଅବଦାନ ଲାଗି ବିଭିନ୍ନ ବର୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି। ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ଏବଂ ଅନୁଷ୍ଠାନିକ ବର୍ଗରେ ରାଜ୍ୟରେ ପ୍ରଥମ ଥର ଲାଗି ଶିକ୍ଷା ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆନୁଷ୍ଠାନିକ କ୍ଷେତ୍ରରେ ସ୍କୁଲ ପରିଚାଳା କମିଟି ଏବଂ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ବର୍ଗରେ ମାଧ୍ୟମିକ ବିଦ୍ୟାଳୟରୁ ୨ ହଜାର ଛାତ୍ରଛାତ୍ରୀ, ୭ଶହ ଶିକ୍ଷକ ଶିକ୍ଷୟିତ୍ରୀ, ୪୧୯ ପ୍ରଧାନ ଶିକ୍ଷୟିତ୍ରୀ, ୧୦ ବ୍ଲକ ଶିକ୍ଷାଧିକାରୀ ଓ ୩ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପ୍ରାଥମିକ ବର୍ଗରେ ୩୫୦ ଶିକ୍ଷକ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ୫୮ ସିଆରସିସି, ୩୧୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବ। ସେହିପରି ଆନୁଷ୍ଠାନିକ ବର୍ଗରେ ଜିଲ୍ଲା, ବ୍ଲକ, ସ୍କୁଲ ଓ ବିଦ୍ଯାଳୟ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ କମିଟି ଓ ଗ୍ରାମପଞ୍ଚାୟତକୁ ମୁଖ୍ଯମନ୍ତ୍ରୀ ପୁରସ୍କାର ପ୍ରଦାନ।ଶିକ୍ଷାକ୍ଷେତ୍ରରେ ଅବଦାନ ଲାଗି ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନକୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଛନ୍ତି ପାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷକଙ୍କୁ ସମ୍ମାନ ପ୍ରଦାନ ଲାଗି ରାଜ୍ୟ ସରକାର ଏ ଭିନ୍ନ ପ୍ରୟାସ କରିଛନ୍ତି।