ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ଏ ସଂପର୍କିତ ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣୀ କରି ହାଇକୋର୍ଟ ସ୍ପଷ୍ଟ ଭାବେ ଏହି ଯୋଜନାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଗ୍ରାମାଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସମ୍ବିଧାନ ଓ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଆଧାରରେ ଏହି ଯୋଜନା ପ୍ରସ୍ତୁତ ହୋଇଛି।

ତେଣୁ ଯୋଜନା ଚୟନ, ଏହାର କାର୍ଯ୍ୟକାରିତା ଓ ଯୋଜନା ପାଇଁ ଅର୍ଥ ବରାଦ କୌଣସି କାର୍ଯ୍ୟରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ତେବେ ରାଜ୍ୟ ସରକାର ଚାହିଁଲେ ପ୍ରକଳ୍ପ ଚୟନରେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସାମିଲ କରିପାରନ୍ତି ବୋଲି ହାଇକୋର୍ଟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଥିବା ବ୍ୟବସ୍ଥା ଅନୁଯାୟୀ ବିଭାଗ ଜରିଆରେ ପଂଚାୟତ ସମିତି ଏହି ଯୋଜନାକୁ କାର୍ଯ୍ୟକାରୀ କରିବ।

ଜିଲ୍ଲାପାଳ ଚାହିଁଲେ ଯୋଜନାର କାର୍ଯ୍ୟକାରୀତା ପାଇଁ ଜିଲ୍ଲାପାଳ ଅନ୍ୟ ଏଜେନ୍ସିକୁ ମଧ୍ୟ ନିୟୋଜିତ କରିପାରିବେ। ଯୋଜନାର ଏହି ବ୍ୟବସ୍ଥାକୁ ଚ୍ୟାଲେଂଜ କରି ପଂଚାୟତ ପ୍ରତିନିଧି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏଥିସହିତ ଯୋଜନାର କାର୍ଯ୍ୟକାରିତା ରେ ସେମାନଙ୍କ ସମ୍ପୃକ୍ତି ଦାବି କରିଥିଲେ । କିନ୍ତୁ ଯୋଜନା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ କେବଳ ପଂଚାୟତ ସମିତିର ନୁହେଁ, ପଂଚାୟତ ପ୍ରତିନିଧିମାନେ ଏଥିରେ ସେମାନଙ୍କ ସମ୍ପୃକ୍ତି ଦାବି କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।