ମୟୂରଭଞ୍ଜ: କ୍ରିକେଟ ଖେଳ ବେଳେ ଚାଲିଗଲା ଜୀବନ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରି ମିନି ଷ୍ଟାଡିୟମରେ ଅଘଟଣ । ଖେଳୁଥିବାବେଳେ ଖେଳାଳିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମାଣତ୍ରି ଗାଁର ବିକାଶ କର । ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିବାବେଳେ ହଠାତ ବିକାଶ ତଳେ ପଡ଼ିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶର ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା
ନନ୍ଦିଘୋଷ ବ୍ୟୁରୋ: ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା । କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ । ସେ କହିଛନ୍ତି ଆଜିଠାରୁ କଂଗ୍ରେସ ସହ ତାଙ୍କ ପରିବାରର ଥିବା ୫୫ ବର୍ଷର ସମ୍ପର୍କକୁ ସେ ଛିନ୍ନ କରିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ମୁମ୍ବାଇ ସାଉଥ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଢିବା ଲାଗି ଆଶାୟୀ ଥିଲେ ମିଲିନ୍ଦ । ତେବେ ଏହି ଆସନ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ସେ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ଯାଏ ମୁମ୍ବାଇ ସାଉଥ ଆସନରୁ ସାଂସଦ ଥିବା ସହ କେନ୍ଦ୍ରମନ୍ତ୍ରୀ ଥିଲେ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଷ୍ଟମଥର ଲାଗି ଇଡିର ସମନ
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଷ୍ଟମ ଥର ଲାଗି ଜାରି ହୋଇଛି ସମନ । ଆସନ୍ତା ଜାନୁଆରୀ ୧୬ରୁ ୨୦ ମଧ୍ୟରେ ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୬ରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ଲାଗି ହେମନ୍ତଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ନିର୍ଦ୍ଦେଶ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥଚାଲାଣ ଓ ବେଆଇନ ଖଣି ମାମଲାରେ ହେମନ୍ତକୁ ବାରମ୍ବାର ସମନ ଜାରି କରିଆସୁଛି ଇଡି । ପୂର୍ବରୁ ଅଭିଷେକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିବସବ୍ୟାପୀ ସର୍ଚ୍ଚ ଅପରେସନ କରିଥିଲା । ଦୁର୍ନୀତି ମାମଲାରେ ଅଭିଷେକ ପ୍ରସାଦ ଓ ସାହେବଗଞ୍ଜ ଡେପୁଟି କମିଶନର ରାମ ନିବାସ ଯାଦବଙ୍କ ଘର ସମେତ ୧୨ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାମ ନିବାସଙ୍କ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ୨୧ଟି କାଟ୍ରିଜ ଜବତ କରିଥିଲା ଇଡି । ପୂର୍ବରୁ ଗତ ୨୦୨୩ ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨, ଡିସେମ୍ବର ୩୦ରେ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି ।
ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିବା ଅଧ୍ୟାପକଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ବର: ପୋଲିସ ଜାଲରେ ଠକ ଅଧ୍ୟାପକ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଠିକାଦାରଙ୍କୁ ଲଗାଇଥିଲେ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ । ପେଶା ଶିକ୍ଷାଦାନ ହୋଇଥିବା ବେଳେ ଅଧ୍ୟାପକଙ୍କ କାମ ଥିଲା ଅନ୍ୟଙ୍କୁ ଚୂନ ଲଗାଇ ସେମାନଙ୍କ ପାଖରୁ ଟଙ୍କା ଲୁଟିବା ।
ଅଭିଯୋଗ ଅନୁସାରେ, ଗତବର୍ଷ ମେ’ ୩୧ ତାରିଖରେ ରାୟଗଡା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ଗିରଫ କରିଛି ପୋଲିସ । ଏତଲାକାରୀଙ୍କୁ ଠକ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ କାମ ହେବ ବୋଲି କହିଥିଲେ । ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲା ଠକ । ଏପରିକି ବିଶ୍ବାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ଦେଇଥିଲା ଠକ । ଏହାପରେ ମନୋଜକୁ ପ୍ରଥମେ ଅନଲାଇନରେ ୫ ଲକ୍ଷ ଓ ପରେ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ । ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନଥିଲା ଅଭିଯୁକ୍ତ । ତଦନ୍ତ ପରେ କେସ ନମ୍ବର ୫୦ ଦଫା ୪୧୯, ୪୨୦, ୪୬୭, ୪୬୮ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।
ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ । ଅଭିଯୁକ୍ତ ନାଁରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜ ମାଝୀଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ ହୋଇଛି ।
ନିର୍ବାଚନ ପ୍ରସ୍ତୁତି: ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ହ୍ବିଲଚେୟାର ମଗାଇଲେ ରାଜ୍ୟ ସରକାର
ଭୁବନେଶ୍ବର: ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଦିବ୍ୟାଙ୍ଗଙ୍କ ପାଇଁ ମଗାଯାଇଛି ଅଧିକ ହ୍ବିଲଚେୟାର । ଯେଉଁଠି ଅଧିକ ଆବଶ୍ୟକ ଅଛି, ସେଠାରେ ଅଧିକ ହ୍ବିଲଚେୟାର ଦିଆଯିବ । ନିର୍ବାଚନ ପାଇଁ ପାଖପାଖି ୩ ଲକ୍ଷରୁ ଅଧିକ ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବୁଥ ପିଛା ଗୋଟେ ହ୍ବିଲଚେୟାର ବ୍ୟବସ୍ଥା କରାଯାଉଥିଲା । ଏବେ ବୁଥ ପିଛା ଦୁଇଟି ହ୍ବିଲଚେୟାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ଜନଗଣନା ଅନୁସାରେ ଯେଉଁ ଅଞ୍ଚଳରେ ଅଧିକ ଦିବ୍ୟାଙ୍ଗ ଥିବେ, ସେଠାରେ ବୁଥ ପିଛା ୫ଟି ହ୍ବିଲଚେୟାରର ବ୍ୟବସ୍ଥା କରାଯିବ । ଯେହେତୁ ଓଡ଼ିଶାରେ ହ୍ବିଲଚେୟାର ନିର୍ମାଣ କମ୍ପାନୀ ନାହିଁ, ସେଥିପାଇଁ କାନପୁରରେ ଥିବା କେନ୍ଦ୍ର ସରକାରଙ୍କ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMCOକୁ ଆବଶ୍ୟକତା ଅନୁସାରେ ବରାଦ ଦିଆଯାଇଛି । ହ୍ବିଲଚେୟାର ଆବଶ୍ୟକତା ଯେମିତି କମ ନହେବ ସେଥିପାଇଁ ଅତିରିକ୍ତ ୫ ପ୍ରତିଶତ ହ୍ବିଲଚେୟାର ବରାଦ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
ଶିଶୁର ମୁଣ୍ଡ ଧରି ବୁଲୁଥିଲା କୁକୁର, ଜବତ କଲା ପୋଲିସ
ଯାଜପୁର: ଗାଁ ଦାଣ୍ଡରେ ଏକ ଶିଶୁର ମୁଣ୍ଡ ଧରି ବୁଲୁଥିଲା କୁକୁର । ଗାଁ ଲୋକ ଦେଖିବା ପରେ ପଡ଼ିଗଲା ହଇଚଇ । ଘଟଣା ଘଟିଛି ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗାଁରେ ।
ଗାଁର ଜଣେ ବ୍ୟକ୍ତିଙ୍କ ଖଳାରୁ ଉଦ୍ଧାର ହେଲା ଶିଶୁର କଟାମୁଣ୍ଡ । କଟା ମୁଣ୍ଡକୁ କୁକୁର ଖାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟାମୁଣ୍ଡକୁ ଜବତ କରିଛି । ମୃତ ଶିଶୁର ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

