ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା, ଏ ଯାଏ ଗଲାଣି ୬ ଜୀବନ

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା । ଓ୍ବାଶିଂଟନର ଏକ ରେଷ୍ଟୁରାଣ୍ଟ ବାହାରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଭିର୍ଜିନିଆରେ ବାସ କରୁଥିବା ୪୧ ବର୍ଷ ବୟସ୍କ ବିବେକ ତାନେଜା ଆକ୍ରମଣର ଶିକାର ହୋଇଛନ୍ତି । ସେ ଏକ କମ୍ପାନୀର ଏକଜିକ୍ୟୁଟିଭ ଥିଲେ  । ଗତ ଫେବ୍ରୁଆରୀ 2 ତାରିଖରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ବିବେକଙ୍କୁ ମିଶାଇ କିଛି ଦିନ ମଧ୍ୟରେ ଆମେରିକାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ସଂଖ୍ଯା ୬ ରେ ପହଞ୍ଚିଛି । ପୋଲିସ ରିପୋର୍ଟ ଅନୁସାରେ କୌଣସି କାରଣରୁ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ପୋଲିସ ଉଠାଇନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଗତ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରିନାହିଁ । ଅବିଯୁକ୍ତ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ୨୫ହଜାର ଡଲାରର ପୁରସ୍କାର ଘୋଷଣା କରିଛି । ଗତ ସପ୍ତାହରେ ସିକାଗୋରେ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ କେତେକ ଦୁର୍ବୃତ୍ତ ମାଡ଼ ମାରି ଲହୁଲୁହାଣ କରିଥିଲେ । କିଛି ଦିନ ତଳେ ଆମେରିକାର ପୁରଦେ ବିଶ୍ବବିଦ୍ୟାଳୟରେ ସମୀର କାମାଥ ନାମକ ଜଣେ ବାରତୀୟ-ଆମେରିକୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା । ସେହିପରି ଶ୍ରେୟସ ରେଡ୍ଡୀ ବେନିଗର ନାମକ ଜଣେ ୧୯ ବର୍ଷ ବୟସ୍କ ଛାତ୍ରର ମୃତଦେହ ବି ମିଳିଥିଲା । ପୁରଦେ ବିଶ୍ବବିଦ୍ୟାଳୟର ଅନ୍ୟ ଜଣେ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତଦେହ ମିଳିବା ପରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଗତ ଜାନୁଆରୀ ୧୬ ରେ ଜର୍ଜିଆର ଲିଥୋନିଆରେ ବିବେକ ସାଇନ ନାମକ ଜଣେ ୨୫ ବର୍ଷ ବୟସ୍କ ଛାତ୍ରଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଥିଲା । ଗତ ଜାନୁଆରୀରେ ଇଲିଓନିସ ଅର୍ବାନା କ୍ୟାମ୍ପେନ ବିଶ୍ବବିଦ୍ୟାଳୟ ବାହାରେ ଆକୁଲ ଧାବନ ନାମକ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା ।