ମୁସଲିମ୍ ବହୁଳ ଆସନରେ ମୁସଲିମ୍ ନେତାଙ୍କୁ ହରାଇ ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ନେତା

1 min read

ଇସଲାମବାଦ: ପାକିସ୍ତାନରେ ହିନ୍ଦୁ ନେତାଙ୍କ ବିଜୟ । ମୁସଲିମ ବହୁଳ ଆସନରେ ହିନ୍ଦୁ ନେତାଙ୍କ ବିଜୟକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବଡ଼ ବ୍ୟବଧାନରେ ମୁସଲିମ ନେତାଙ୍କୁ ହରାଇଛନ୍ତି ଏହି ହିନ୍ଦୁ ନେତା । ପାକିସ୍ତାନ ପିପୁଲ୍ସ ପାର୍ଟିର ହିନ୍ଦୁ ନେତା ମହେଶ କୁମାର ମଲାନି ଦକ୍ଷିଣ ସିନ୍ଧ ଅଞ୍ଚଳର ଥାରପାରକର ଆସନରେ ଅତି ସହଜରେ ବିଜୟ ହାସଲ କରିଛନ୍ତି । ସେ ୧ ଲକ୍ଷ ୧୩ ହଜାର ୩୪୬ ଭୋଟରେ ଡେମେକ୍ରେସି ଆଲାଏନ୍ସର ଅରବାବ ଗୁଲାମ ରହିମଙ୍କୁ ପରାସ୍ତ କରିଛନ୍ତି । ଦଳର ଜଣେ ପୁରୁଖା ନେତା ଭାବେ ଜଣାଶୁଣା ମହେଶ କୁମାର ୨୦୧୮ ମସିହାରେ ମଧ୍ୟ ବିଜୟ ହାସଲ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ମୁସଲିମଙ୍କ ସଂଖ୍ୟା ଅଧିକ ରହିଥିଲେ ସୁଦ୍ଧା ତାଙ୍କର ବହୁ ଲୋକପ୍ରିୟତା ରହିଛି । ମୁସଲିମ ସଂପ୍ରଦାୟର ଲୋକେ ତାଙ୍କୁ ବେଶ ଭଲ ପାଉଥିବାବେଳେ ଏହା ଭୋଟରେ ମଧ୍ୟ ପରିଣତ ହୋଇଛି ।

ପିପିପିର ବରିଷ୍ଠ ନେତା ହେଉଛନ୍ତି ମହେଶ କୁମାର ମଲାନି । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋଙ୍କ ସମୟରୁ ଦଳ ସହ ଜଡିତ ରହିଛନ୍ତି । ମଲାନି ବ୍ରାହ୍ମଣ ସଂପ୍ରଦାୟର । ପାକିସ୍ତାନର ଦକ୍ଷିଣ ପ୍ରାନ୍ତର ଥାରପାରକର ହେଉଛି ସବୁଠାରୁ ବଡ଼ ଜିଲ୍ଲା । ଏଠାରେ ହିନ୍ଦୁ ସଂଖ୍ୟାଲଘୁ ସଂପ୍ରଦାୟ ହୋଇଥିବାବେଳେ ଉଭୟଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ମଲାନି । ଏଣୁ ଏହା ତାଙ୍କ ବିଜୟର ମୁଖ୍ୟ କାରଣ ବୋଲି କୁହାଯାଇପାରେ ।

ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କିଏ ସରକାର ଗଢ଼ିବ ତାକୁ ନେଇ ଦ୍ବନ୍ଦ ଲାଗି ରହିଛି । ଏହି ନିର୍ବାଚନରେ ବହୁ ଓଲଟ ପାଲଟ ହୋଇଛି । ଦେଶରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ଏଣୁ ସରକାର ଗଠନ ପାଇଁ ସ୍ବାଧୀନ ନେତାଙ୍କ ଗୁରୁତ୍ବ ରହିଛି । ତେବେ ନିର୍ବାଚନ ପୂର୍ବରୁ ଏଭଳି ଲାଗୁଥିଲା କି, ପାକିସ୍ତାନ ମୁସଲିମ ଲିଗ-ନବାଜ (ପିଏମଏଲ)ର ବିଜୟ ସୁନିଶ୍ଚିତ ହେବ । ଏଭଳି ଲାଗୁଥିଲା କି, ପୁଣିଥରେ ନଓ୍ବାଜ ସରିଫ ପୁଣିଥରେ ସରକାର ଗଢ଼ିବେ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଯାଇଛି । ସମୁଦାୟ ୨୬୬ ଆସନରୁ ୯୯ ଆସନରେ ସ୍ବାଧୀନ ବିଧାୟକ ଜିତିଛନ୍ତି । ଯେଉଁମାନେ ଇମ୍ରାନ ଖାନଙ୍କ ସମର୍ଥିତ । ଏଣୁ ସମସ୍ତଙ୍କ ନଜର ଏହି ବିଧାୟକଙ୍କ ଉପରେ । ପିଏମଏଲ ପକ୍ଷରୁ ନଓ୍ବାଜ ସରିଫ ସରକାର ଗଠନ ପାଇଁ ଦାବି କରିଥିବାବେଳେ ସେପଟେ ଇମ୍ରାନ ଖାନଙ୍କ ପିଟିଆଇ ମଧ୍ୟ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ।