ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ଧୀରଜ ସାହୁ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢିଲା କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଅଡୁଆ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇପାରନ୍ତି ଧୀରଜ । ବେଆଇନ ଅର୍ଥ ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କ୍ରମେ ଧୀରଜଙ୍କ ବିରୋଧରେ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତବର୍ଷ ଡିସେମ୍ବରରେ ଉଭୟ ଝାଡଖଣ୍ଡ ଓ ଓଡ଼ିଶାରେ ଆୟକର ବିଭାଗ ପକ୍ଷରୁ  ଧୀରଜଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ହୋଇଥିଲା ମାରାଥନ ରେଡ । ଜବତ ହୋଇଥଲା ୩୫୧ କୋଟିରୁ ଅଧିକ ଟଙ୍କା । ହେମନ୍ତ ସୋରେନଙ୍କ ଧୀରଜଙ୍କ ସମ୍ପର୍କ ଥିବା ନେଇ ପ୍ରମାଣ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ଜାନୁଆରୀ ୨୯ ତାରିଖରେ ହେମନ୍ତଙ୍କ ଦିଲ୍ଲୀ ବାସଭବନରୁ ଜବତ ହୋଇଥିବା ବିଏମଡବ୍ଲୁ କାର୍ ସହ ଧୀରଜଙ୍କ ସମ୍ପର୍କ ରହିଛି ବୋଲି କିଛି ସୁରାକ ପାଇଛି ଇଡି । କାରରେ ଲାଗିଥିବା ହରିଆଣା ନମ୍ବର ପ୍ଲେଟର ଠିକଣାକୁ ଆଧାର କରି ଗୁରୁଗ୍ରାମରେ ଏକ ସ୍ଥାନରେ ଗତ ବୁଧବାର ରେଡ କରିଥିଲା ଇଡି । ସେହିପରି କୋଲକାତାର ୨ଟି ସ୍ଥାନରେ ବି ଇଡି କରିଥିଲା ଛାନବିନ । ଗତ ଜାନୁଆରୀ ୩୧ରେ ବେଆଇନ ଜମି କାରବାର ମାମଲାରେ ହେମନ୍ତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।