spot_img
Home Blog Page 2238

ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ରାଜ୍ୟପାଳଙ୍କ ଭୁରି ଭୁରି ପ୍ରଶଂସା

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ।  ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଗୃହରେ ଅଭିଭାଷଣ ପ୍ରଦାନ କରି ଷୋଡ଼ଷ ବିଧାନସଭାର ୧୫ତମ ଅଧିବେଶନକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସୂଚନା ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ।

ପୁରୀରେ ୮୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପନ୍ନ ହୋଇଛି। ଏହାର ଭୁରି ଭୁରି ପ୍ରଶଂସା କରିଥିଲେ ରାଜ୍ୟପାଳ ରଘୁବର ଦାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ଭକ୍ତଙ୍କ ଲାଗି ସାମଗ୍ରିକ ଆତ୍ମତ୍ମିକ ଉପଲବ୍ଧୀ ସହ ପରିଭ୍ରମଣର ସୁବିଧା ପ୍ରଦାନ କରିଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ଶ୍ରୀମନ୍ଦିର, ନୀଳଚକ୍ର ଓ ମେଘନାଦ ପାଚେରୀ ଦର୍ଶନରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ଆତ୍ମାତ୍ମିକ ଅନୁଭବ ବୃଦ୍ଧି କରିଛି। ପୁରୀକୁ ଗମନାଗମନ ସୁବିଧା ଲାଗି ସରକାର ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସେହିପରି ୨ଶହ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ସମଲେଇ ପ୍ରକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ଓ ସମଲେଇ ପ୍ରକଳ୍ପ ଲାଗି ସ୍ଵେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତି ସରକାର କୃତଜ୍ଞତା ପ୍ରଦାନ କରିଛନ୍ତି। ପ୍ରାଚୀନ ମନ୍ଦିର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ଵର ଉନ୍ନତିକରଣ କାର୍ଯ୍ୟ ଚାଲିଛି।

ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଏବଂ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏକ ଅନନ୍ୟ ବିକାଶମୂଳକ ପଦକ୍ଷେପ। ଯୁବ ସମ୍ପୃକ୍ତିକରଣ ଏବଂ ସଶକ୍ତୀକରଣ ଲାଗି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଅଭିଯାନ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସମୃଦ୍ଧି, ସଂରକ୍ଷଣ ଓ ଉନ୍ନତି ସାଧନ ଲାଗି ସରକାରଙ୍କ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ-୨୦୨୪ ଆୟୋଜନ ଏକ ପ୍ରକୃଷ୍ଣ ଉଦ୍ୟମ। ଉତ୍କଳମଣି ଗୋପବନ୍ଧୁଙ୍କୁ କର୍ମଭୂମି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ। 5T ଏବଂ ମୋ ସରକାର ଉପକ୍ରମ ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖି କରାଇ ଲୋକଙ୍କ ଅଧିକ ନିକଟତର ହୋଇପାରିଛି ।

ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ସମଗ୍ର ମୂଲ୍ୟବୃଦ୍ଧି କ୍ଷେତ୍ରରେ ୨୨.୫ ପ୍ରତିଶତ ଯୋଗଦାନ କରିଥିଲା। କୃଷିକ୍ଷେତ୍ର  ମୋଟ ଶ୍ରମ ଶକ୍ତିର ପ୍ରାୟ ୪୫. ୮୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରି ସର୍ବାଧିକ କର୍ମଯୋଗାଣ କରିପାରିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧. ୩୬ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଧାନ ଉତ୍ପାଦନ ହେକ୍ଟର ପିଛା  ସର୍ବକାଳୀନ ସର୍ବୋଚ୍ଚ ୨ ହଜାର ୯୩୬ କେଜିରେ ପହଞ୍ଚିଛି। ସଫଳତାର ସହ କୃଷି ସମ୍ମିଳନୀ ଆୟୋଜନ।

ସେହିପରି ଓଡ଼ିଶା ମିଲେଟସ ମିଶନ ଆରମ୍ଭ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧୩ ଲକ୍ଷରୁ ଅଧିକ ରାସନକାର୍ଡଧାରୀଙ୍କୁ ୧ ଟଙ୍କାରେ ୪ ଲକ୍ଷ କ୍ଵିଣ୍ଟାଲ ମାଣ୍ଡିଆ ଯୋଗାଇ ଦିଆଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ମିଲେଟସ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୋଷକ ଅନାଜ ଆଵାର୍ଡରେ ସମ୍ମାନିତ କରାଯାଇଛି। କାଳିଆ ଯୋଜନା ମାଧ୍ୟମରେ ୬୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି।  ୩୧୪ ବ୍ଲକରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ମାଧ୍ୟମରେ ପ୍ରାଣୀଧନ ପଶୁପାଳକଙ୍କ ଘରେ ମିଳୁଛି ପ୍ରାଣୀ ଚିକିତ୍ସା ସେବା। ରାଜ୍ୟରେ ମତ୍ସ୍ୟ ଉତ୍ପାତନ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ଵ ଦେଇଛନ୍ତି ସରକାର। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଚତୁର୍ଥ ଜାତୀୟ ଜଳ ପୁରସ୍କାର ମିଳିଛି।

ବିଦେଶରେ ଚାକିରି କରାଇ ଦେବା କହି ଲକ୍ଷାଧିକ ଟଙ୍କା ଲୁଟ୍

ଚାନ୍ଦବାଲି: ବିଦେଶରେ ଚାକିରି କରାଇ ଦେବା କହି ଲକ୍ଷାଧିକ ଟଙ୍କା ଲୁଟ୍। ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗାଁ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ଇଛାପୁର ଗାଁରେ । ଗାଁର ୨୪ ଜଣ ଯୁବକ ବାହାର ଦେଶକୁ ଯିବା ପାଇଁ ୪୦ ହଜାର ଲେଖାଏଁ ମୋଟ ୯ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। କେନ୍ଦ୍ରାପଡା ରାଜନଗର ବ୍ଳକ କୋଇଲିପୁର କାଙ୍କଦିଆ  ଗାଁର ଦେବବ୍ରତ ଜେନାଙ୍କୁ ଟଙ୍କା ଦିଆଯାଇଥିଲା। ୩ ମାସ ବିତିଗଲା ପରେ ମଧ୍ୟ ଚାକିରି ନଦେଇ ଦିନ ଗଡେଇ ଚାଲିଥିଲା ଦେବବ୍ରତ। ଶେଷରେ ଜାଲ ଭିସା ଓ ନିଯୁକ୍ତି ପତ୍ର ଦେଇ ଆଉ କିଛି ଟଙ୍କା ମାଗିଥିଲା ବୋଲି ଅଭିଯୋଗ ହୋଇଛି। ଟଙ୍କା ଦେବୁ କହି ଯୁବକ ମାନେ ତାଙ୍କୁ ଗାଁକୁ ଡାକି ଅଟକ ରଖି ପୋଲିସକୁ ଧରାଇଥିଲେ।

୨ ଟି ଟ୍ରକ ଏବଂ ୩ଟି ବାଇକକୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଏନଏଚ ୨୦ ନିହାଲ ସିଂ ଛକ ଓଭର ବ୍ରିଜ ତଳେ ସିରିଜ ଟ୍ରକ ଦୁର୍ଘଟଣା । ୩ ଗୁରୁତର । ଏକା ସାଙ୍ଗରେ ୨ ଟି ଟ୍ରକ ଏଵଂ ୩ଟି ବାଇକକୁ ଧକା ଦେଲା ଟ୍ରକ। ୩ ଟି ବାଇକ୍ ଭାଙ୍ଗି ଚୁରମାର । କୋଲକତା ଆଭିମୁଖେ ଯାଉଥିବା ପିଗ ଆଇରନ ବୋଝେଇ ଟ୍ରକର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକଟି ଦ୍ରୁତ ଗତିରେ ମାଡି ଚାଲିଲା।

ଟ୍ରକଟି ୩ ଟି ଟ୍ରକ ଓ ୩ ଟି ବାଇକକୁ ଧକ୍କା ଦେଇଥିଲା। ବାଇକ ଗୁଡିକ ଚୁରମାର ହୋଇଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଁଚି ୭ ଜଣ ଗୁରୁତରଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଥିବା ବେଳେ ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଅନ୍ତିମ ଦିନ, ରହିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର: ଓଡ଼ିଆଙ୍କ ମଧ୍ଯରେ ଉତ୍ସାହ ଓ ଉଲ୍ଲାସ । ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଐତିହାସିକ ସମ୍ମିଳନୀର ଆଜି ଅନ୍ତିମ ଦିବସ । ତିନିଦିନିଆ ମହାଉତ୍ସବର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ରହିଛି । ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ । ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ସଂସ୍କୃତି ଏବଂ ଐତିହ୍ୟ, ରାଜ୍ୟର ସୁକ୍ଷ୍ମଶକ୍ତି, ବ୍ଯାସକବି ଫକୀରମୋହନ ସେନାପତି କକ୍ଷରେ ଅନୁବାଦ, ଓଡ଼ିଆରୁ ଏବଂ ଓଡ଼ିଆକୁ ଏବଂ ପ୍ରକୃତି କବି ଗଙ୍ଗାଧର ମେହେର ସମ୍ବର୍ଦ୍ଧନା କକ୍ଷରେ ବିଜ୍ଞାନର ଭାଷା ଭାବେ ଓଡ଼ିଆ ପ୍ରସଙ୍ଗରେ ସାରଗର୍ଭ ଆଲୋଚନା କରାଯିବ ।

JNUରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର

ଭୁବନେଶ୍ବର: ଜେଏନୟୁରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର । କେନ୍ଦ୍ରରେ ଓଡ଼ିଆ ଭାଷା ସହ ଜଗନ୍ନାଥ ସଂସ୍କୃତିର ଅଧ୍ୟୟନ କରାଯିବ । ଏହି କେନ୍ଦ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ଓ ଶାସନ ବ୍ୟବସ୍ଥାର ଅଧ୍ୟୟନ କରାଯିବ । କେନ୍ଦ୍ର ପ୍ରତିଷ୍ଠା ନେଇ ଜେଏନୟୁ ସହ ରାଜ୍ୟ ସରକାର କରିଛନ୍ତି ଏମଓୟୁ ସ୍ବାକ୍ଷର ।
ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପାଇଁ ୧୦ କୋଟି ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଜେଏନୟୁ କୁଳପତି ଏସ.ଡି. ପଣ୍ଡିତ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରୋତ୍ସାହନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି କୁଳପତି ।

ଆଧୁନିକ ଓଡ଼ିଶାର ଆବିର୍ଭାବରେ ଓଡ଼ିଆ ଭାଷାର ଗୁରୁତ୍ବ

ଭୁବନେଶ୍ବର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା, ଏହାର ଇତିହାସ ସମୃଦ୍ଧ । ଓଡ଼ିଆ ଭାଷାର ପ୍ରସାର ତଥା ଭବିଷ୍ଯତର ଆହ୍ବାନର ସଫଳ ମୁକାବିଲା ପାଇଁ ପାଳନ ହେଉଛି ଭାଷା ଉତ୍ସବ । ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଇଛି । ଏଥିସହ ପଦ୍ମ ପୁରସ୍କାର ଓ ଅନ୍ଯାନ୍ଯ ମର୍ଯ୍ୟାଦାଜନକ ପୁରସ୍କାରପ୍ରାପ୍ତ ବ୍ଯକ୍ତିବିଶେଷଙ୍କୁ କରାଯାଇଛି ସମ୍ବର୍ଦ୍ଧିତ ।

ଆଧୁନିକ ଓଡ଼ିଶାର ଆବିର୍ଭାବରେ ଓଡ଼ିଆ ଭାଷାର ଗୁରୁତ୍ବ କେତେ ? ଓଡ଼ିଶାର ପ୍ରତ୍ନତତ୍ତ୍ବକୁ କିଭଳି ସମୃଦ୍ଧ କରିଛି ଓଡ଼ିଆ ଭାଷା ? ଆଗାମୀ ପିଢିଙ୍କ ଉପରେ ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ କେତେ ପ୍ରଭାବ ପକାଇବ ? ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଏଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ କିଭଳି ଅଙ୍ଗାଅଙ୍ଗୀ ଭାବେ ଜଡିତ ସେ ନେଇ ମାନସ ମନ୍ଥନ ହୋଇଛି । ଅଧିବେଶନ ଆରମ୍ଭରେ ଜର୍ମାନ ପ୍ରଫେସର ଉଇ ସ୍କଡା ଓଡ଼ିଆ ଭାଷାକୁ ନେଇ କିଭଳି ରିସର୍ଚ୍ଚ କରୁଛନ୍ତି, ସେନେଇ ବକ୍ତବ୍ୟ ରଖିଥିଲେ । ଗତ ୨୫ ବର୍ଷ ପୂର୍ବେ ସେ ଓଡ଼ିଶା ଆସି ଓଡ଼ିଆ ଭାଷା ଶିଖିଥିଲେ । ଦୁଇଟି ପର୍ଯ୍ୟାୟ ସେ ରିସର୍ଚ୍ଚ ସାରିଥିବା ବେଳେ ତୃତୀୟ ପର୍ଯ୍ୟାୟ ରିସର୍ଚ୍ଚ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଓଡ଼ିଆ ଭାଷା ମିଠା ଏବଂ ଓଡ଼ିଶାର ଆତିଥେୟତାକୁ ବେଶ୍ ପ୍ରସଂଶା କରିଛନ୍ତି ସ୍କଡା । ଆଗକୁ ଓଡ଼ିଶାର ପୌରାଣିକ କଥାବସ୍ତୁର ପ୍ରଚାର ପ୍ରସାର କରିବାକୁ ସେ ଅତିଥିଙ୍କୁ ପରାମର୍ଶ ଦେଇଛନ୍ତି ।

ଅଧିବେଶନର ଆରମ୍ଭରେ ୧୯୩୬ ମସିହାରୁ ଆଧୁନିକ ଓଡ଼ିଶାର ଆବିର୍ଭାବ ଉପରେ ଆଲୋଚନା ହୋଇଥିଲା । ଡକ୍ଟର ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଆଲୋଚନାରେ ପ୍ରଫେସର ପ୍ରତିଶ ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ଦାଶ, ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ଏବଂ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଭାଷାକୁ ସମୃଦ୍ଧ କରିବା ସହ ଆଗକୁ ନେବାକୁ ହେଲେ କ’ଣ ଆବଶ୍ୟକ ସେ ନେଇ ପ୍ରସ୍ତାବ ମଧ୍ଯ ଦିଆଯାଇଛି । ସେହିଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ନେଇ ସରଗରମ ଆଲୋଚନା କରାଯାଇଛି । ଏହାସହ ଓଡ଼ିଶାର ଭାଷା ବିବିଧତା, ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଶାର ଲୋକ ସଂସ୍କୃତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେବା ସହ ମ୍ୟୁଜିୟମ୍ ବୁଲିବା ପାଇଁ ବିଭାଗୀୟ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ଲୋକଙ୍କୁ ଅପିଲ କରିଛନ୍ତି ।

ଦ୍ବିତୀୟ ଦିନରେ ମୋଟ ଆଠଟି ଅଧିବେଶନରେ ଆଲୋଚନା ହୋଇଛି । ଆଜି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପୁଣ୍ୟ ତିଥି ଅବସରରେ ମ୍ୟୁଜିୟମରେ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର କରିଡରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ।

କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କଲେ 5T ଅଧ୍ୟକ୍ଷ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ’ରେ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ । ସେ କହିଥିଲେ, ‘ ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ କବି । ପ୍ରତ୍ଯେକ ଜୀବର ପ୍ରଥମ କବିତା ହେଉଛି ତା ହୃଦୟରୁ ବାହାରିଥିବା ପ୍ରଥମ ଶ୍ବାସ । ଦୁନିଆରେ ସବୁକଥା ମସ୍ତିଷ୍କରୁ ହୋଇଥାଏ । ହେଲେ କବିତା ଏକମାତ୍ର ଜିନିଷ ଯାହା ହୃଦୟରୁ ସୃଷ୍ଟି ହୋଇଥାଏ ।’ କବିତାର ସଜ୍ଞା ସମ୍ପର୍କରେ ଏକ ସାରଗର୍ଭକ କବିତା ଆବୃତି କରିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।

ମଞ୍ଚ ଉପରେ କବିତାର ଶୀର୍ଷକରେ କବିତା ଆବୃତ୍ତି କରିଥିଲେ ପାଣ୍ଡିଆନ । ସେ କହିଥିଲେ, ‘ଜୀବନର ପ୍ରଥମ କବିତା ଶ୍ବାସ । ଅନ୍ତରର କବିତା ଜ୍ୟୋତି, ସମୁଦ୍ରର କବିତା ତରଙ୍ଗ । ସୌର୍ଯ୍ୟର କବିତା ଖାରବେଳ, ଜାଗରଣର କବିତା ଫକୀରମୋହନ, ଜ୍ଞାନର କବିତା ରାମକୃଷ୍ଣ, ତ୍ୟାଗର କବିତା ଗୋପବନ୍ଧୁ, ସେବାର କବିତା ମଦର ଟେରସା, ମହାନଦୀର କବିତା ଓଡ଼ିଶା । ଓଡ଼ିଶାର କବିତା ଓଡ଼ିଶୀ, ଓଲଚିକିର କବିତା ରଘୁନାଥ ମୁର୍ମୁ, ଅଲିମ୍ପିକ୍ସର କବିତା ହୁସେନ ବୋଲ୍ଟ । କ୍ରିକେଟର କବିତା ସଚିନ, ହକିର କବିତା ଦିଲ୍ଲୀପ, ସଂଗ୍ରାମର କବିତା ବୀର ସୁରେନ୍ଦ୍ର ସାଏ, ବୀରର କବିତା ସୁବାଷ ବୋଷ, ସାହସର କବିତା ବିଜୁ ପଟ୍ଟନାୟକ, ବଳୀଦାନର କବିତା ଅମର ସହିଦ, ବିବେକର କବିତା ବିବେକାନନ୍ଦ, କବିତାର କବିତା ରବି ଠାକୁର , କମ୍ପ୍ୟୁଟରର କବିତା ଆପଲ । ଅହିଂସାର କବିତା ମହାତ୍ମା, ଶୂନ୍ୟର କବିତା ଭୀମଭୋଇ, ସ୍ବଚ୍ଛତାର କବିତା ନବୀନ ପଟ୍ଟନାୟକ, ପ୍ରେମର କବିତା ତାଜମହଲ, ପ୍ରସ୍ତରର କବିତା କୋଣାର୍କ, ଭକ୍ତିର କବିତା ଶ୍ରୀମନ୍ଦିର, ଶ୍ରେଷ୍ଠ କବିତା କୃଷ୍ଣ । କୃଷ୍ଣର କବିତା ଜଗତ ଏବଂ ଜଗତର କବିତା ଜଗନ୍ନାଥ ।

ପାଣ୍ଡିଆନଙ୍କ କବିତା ଆବୃତ୍ତିରେ ମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଶ୍ରୋତାଗଣ । ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନଙ୍କ ଅବଦାନକୁ ବେଶ୍ ପ୍ରଂଶସା କରିଥିଲେ ସାଂସଦ ତଥା କିଟର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ । ସେ କହିଥିଲେ, ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଏକ ପ୍ରମୁଖ ଉପଲବ୍ଧି । କର୍ମ ହିଁ ଜଣେ ବ୍ୟକ୍ତିର ଜୀବନର ଅସଲ ପରିଚୟ । ଏହି ଉକ୍ତିର ସାର୍ଥକ ପରିଚୟ ଦେଇଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଭୌତିକ, ଆଧ୍ଯାତ୍ମିକ ଓ ସାଂସ୍କୃତିକ ଉପାଦାନକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରି ସେ ଓଡ଼ିଶାର ସାମଗ୍ରିକ ବିକାଶ କରୁଛନ୍ତି ।  ଯିଏ ଓଡ଼ିଶାର ସେବାକଲା ତାଙ୍କୁ ଏ ଜାତି ସ୍ନେହ, ଶ୍ରଦ୍ଧା ସମ୍ମାନ ଦେବାରେ କେବେ କୁଣ୍ଠାବୋଧ କରେନି । ଏହା ହିଁ ଓଡ଼ିଆ ଜାତିର ସୌନ୍ଦର୍ଯ୍ୟ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଭବ୍ଯ ଆୟୋଜନରେ କାର୍ତ୍ତିକ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ । ଭୂମିରୁ ଭାଷା ପର୍ଯ୍ୟନ୍ତ, ନବସୃଜନଠୁ ରୂପାନ୍ତରଣ, ମନ୍ଦିରଠୁ ଆଧୁନିକ ନିର୍ମାଣ ପର୍ଯ୍ୟନ୍ତ ତାଙ୍କ ଅବଦାନ ଚିରସ୍ମରଣୀୟ । ଏହି ଅବସରରେ ପାଣ୍ଡିଆନ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କ ସହ ସାହିତ୍ୟ ଓ କଳା କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ ।

କିଟ୍ ପରିସରରେ ‘ଓଡ଼ିଆ କବି ସମ୍ମିଳନୀ’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ଆଗକୁ ନେଇଥିବା କବିଙ୍କ ସମ୍ନାନର୍ଥ କିଟ୍ ପରିସରରେ ଆୟୋଜିତ ହୋଇଛି ‘ଓଡ଼ିଆ କବି ସମ୍ମିଳନୀ’ ।

କିଟ୍ କ୍ୟାମ୍ପସ ଅଡିଟୋରୀୟମରେ ଏହାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକାମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏ ଅବସରରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ, ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ସାତକଡ଼ି ହୋତା, ବରିଷ୍ଠ ରାଜନେତା ପ୍ରସନ୍ନ ପାଟ୍ଟଶାଣିଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବହୁ ପ୍ରତିଷ୍ଠିତ କବି, ଗାଳ୍ପିକ, କଥାକାର ଏହି କବି ସମ୍ମିଳନୀରେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ ।

ବିଧାନସଭା ବଜେଟ ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବ । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜି ଇନଚାର୍ଜ ଅରୁଣ ଷଡଙ୍ଗୀ ।

ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ଏସ୍‌ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି । ଆନ୍ଦୋଳନକାରୀଙ୍କ ଠାରୁ ଆରମ୍ଭ କରି ସନ୍ଦିଗ୍ଧ, ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯିବ ।

ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ର ମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି ।‌ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟରଙ୍କ ସହ ୧୦୦ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ନିୟୋଜିତ ହେବେ । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ । ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ମୁତୟନ ହେବେ । ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି ।

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନୀତ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନୀତ ହେଲେ ବିଶେଷ ପ୍ରତିଭା । ଓଡ଼ିଆ ଭାଷା ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ କରି ଗର୍ବ ଆଣିଥିବା ବିଶେଷ ବ୍ଯକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନିତ ହୋଇଛନ୍ତି । ୨୦୨୨ ଲାଗି ଗାୟତ୍ରୀବାଳା ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର । କବିତା ସଂକଳନ ଦୟାନଦୀ ଲାଗି ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ।

ଗଳ୍ପ, କବିତା, ଉପନ୍ୟାସ ରଚନା କରି ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ବିଶେଷ ଅବଦାନ ରହିଛି । ସେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ରଚନା କରିଛନ୍ତି । ତିନି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟରେ କରିଛନ୍ତି ବଳିଷ୍ଠ ସାଧନା । ତାଙ୍କ ସହ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅପୂର୍ବ ବୀର, ଯଶୋଧରା ମିଶ୍ର, ଡ. ରାଜେନ୍ଦ୍ର ପଣ୍ଡା, ସୌଭାଗ୍ୟ ମିଶ୍ର, ଡ. ପ୍ରଫୁଲ ମହାନ୍ତି, ଡ. ରାମଚନ୍ଦ୍ର ବେହେରା, ଡ. ବଂଶୀଧର ଷଡ଼ଙ୍ଗୀ, ଗୌରହରି ଦାସ, ଗାୟତ୍ରୀ ସରାଫ, ତରୁଣକାନ୍ତି ମିଶ୍ର, ଡ. ହୃଶିକେଷ ମଲ୍ଲିକ ଏବଂ ଡ. ଆଶୁତୋଷ ପରିଡା ସମ୍ମାନୀତ ହୋଇଛନ୍ତି । ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଣବ ପଟ୍ଟନାୟକ, ଘନଶ୍ୟାମ ମହାପାତ୍ରଙ୍କୁ ମଧ୍ଯ ସମ୍ମାନିତ କରାଯାଇଛି ।