ପାକିସ୍ତାନରେ ବଢ଼ିଲା ଅସ୍ଥିରତା, ସାରା ଦେଶରେ ତେହରିକ-ଇ-ଇନସାଫ କର୍ମୀଙ୍କ ବିକ୍ଷୋଭ

1 min read

ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ବଢ଼ିଲା ଅସ୍ଥିରତା । ସାରା ଦେଶରେ ପାକିସ୍ତାନ ତେହରିକ-ଇ-ଇନସାଫ କର୍ମୀଙ୍କ ବିକ୍ଷୋଭ। ସାଧାରଣ ନିର୍ବାଚନରେ ବ୍ୟାପକ ଭୋଟ ରିଗିଂ କରାଯାଇଥିବା ଅଭିଯୋଗ କ୍ରମେ ଏହି ବିକ୍ଷୋଭ ହୋଇଛି । ଏହା ସହ ଗଣତି ପ୍ରକ୍ରିୟା ବିଳମ୍ବ ହେବା ଏବଂ ସ୍ପଷ୍ଟ ଫଳାଫଳ ପ୍ରକାଶ କରିବାରେ ବିଫଳତାକୁ କେନ୍ଦ୍ର କରି ତାତିଛନ୍ତି ଇମ୍ରାନ ଖାଁଙ୍କ ସମର୍ଥକ ।

ଗତ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ସରିଥିଲେ ବି ବର୍ତ୍ତମାନ ସୁଦ୍ଧା ରାଜନୈତିକ ସ୍ଥିତି ସୁଧୁରିପାରିନାହିଁ । ଇମ୍ରାନଙ୍କ ସମର୍ଥକ ଦେଶର ବିଭିନ୍ନ ରିଟର୍ଣ୍ଣିଂ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପିଟିଆଇ ୧୦୨ ଆସନ ହାସଲ କରିଥିବାବେଳେ ପିଏମଏଲ-ଏନ ୭୩ ଓ ପିପିପି ୫୪ ଆସନ ହାସଲ କରିଛି । ଅନ୍ୟାନ୍ୟ ଦଳ ୨୭ ଆସନରେ ବିଜୟୀ ହୋଇଛନ୍ତି।

ସେପଟେ ଭୋଟ ରିଗିଂ ଅଭିଯୋଗ ନେଇ ପିପିପି, ପିଟିଆଇ ଓ ପିଏମଏଲ-ଏନ ବିଭିନ୍ନ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ମତରେ ପ୍ରଥମେ ବିଜୟୀ ଘୋଷଣା କରାଯାଇଥିବା ଅନେକ ପ୍ରାର୍ଥୀଙ୍କୁ ପରେ ପରାସ୍ତ ଘୋଷଣା କରାଯାଇଛି। ଭୋଟ ରିଗିଂ ଓ ଜାଲିଆତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା, ବ୍ରିଟେନ ଓ ୟୁରୋପୀୟ ୟୁନିଅନ ।