spot_img
Home Blog Page 2227

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ଫସିଲେ ବୌଦ୍ଧ ପରିବହନ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବୌଦ୍ଧ ପରିବହନ ଅଧିକାରୀ। ଆରଟିଓ ବସନ୍ତ ମହାପାତ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍। ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ହୋଇଛି। ବସନ୍ତଙ୍କ ଅଫିସ, ଭଞ୍ଜନଗର ସ୍ଥିତ ପୈତୃକ ଘର, ବୌଦ୍ଧ ଜଗନ୍ନାଥ ବିହାର ସ୍ଥିତ ଭଡାଘର ସମେତ ଭୁବନେଶ୍ବର ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ରେଡ୍ ହୋଇଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର ପାହାଳରେ ଉତ୍କଳ ସିଗ୍ନେଚରର ଗୋଟଏ ରୁମ, ଉତ୍କଳ କନିକା ଗ୍ଯାଲେରିଆର ସପିଂ କମ୍ପ୍ଲେକ୍ସ, କଳାରାହଙ୍ଗର ଜେଡ୍ ୱାନ ଆପାର୍ଟମେଣ୍ଟ, କଳ୍ପନାର ଉତ୍କଳ ରୟାଲ ରେସିଡେନ୍ସିର ଫ୍ଲାଟ, ଶୈଳଶ୍ରୀ ବିହାର ଏବଂ ରଙ୍ଗମାଟିଆର ଆପାର୍ଟମେଣ୍ଟରେ ମଧ୍ଯ ଚଡାଉ ହେଉଛି। ରେଡରେ ୨ ଜଣ ଅତିରିକ୍ତ ଏସପିଙ୍କ ସମେତ ୬ ଜଣ ଲେଖାଏ ଡିଏସପି ଓ ଇନ୍ସପେକ୍ଟର ଏବଂ ଅନ୍ଯାନ୍ଯ ଅଧିକାରୀ ସାମିଲ ଅଛନ୍ତି।

ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ

ଭୁବନେଶ୍ବର: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ। ଆଜି ଲୋକାର୍ପିତ ହେବ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ। ୭୫୦ ଶଯ୍ଯା ବିଶିଷ୍ଟ ବିଶ୍ବସ୍ତରୀୟ କର୍କଟ ହସପିଟାଲକୁ ଲୋକାର୍ପଣ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଇନଫୋଭ୍ୟାଲି-୨ ରେ ରାଜ୍ଯ ସରକାର ଯୋଗାଇଦେଇଥିବା ୨୦ ଏକର ପରିମିତ ଅଂଚଳରେ ସ୍ବତନ୍ତ୍ର କ୍ଯାନସର ହସ୍ପିଟାଲ ନିର୍ମାଣ ହୋଇଛି।

ପ୍ରଥମେ ୫୦୦ ଶହ ଶଯ୍ଯା ବିଶିଷ୍ଟ ହସ୍ପିଟାଲ ପାଇଁ ଯୋଜନା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୭୫୦କୁ ବୃଦ୍ଧି କରାଯାଇଛି। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ୨୫ ପ୍ରତିଶତ ବେଡ୍ ରହିବ। କ୍ୟାନସର ଚିକିତ୍ସାର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲରେ ଉପଲବ୍ଧ ହେବ। କ୍ୟାନସର ହସ୍ପିଟାଲ ସମେତ ୧୦୦ ଶଯ୍ୟା ବିଶିଷ୍ଟ ପାଲିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ ହୋଇଛି।

ବିଶ୍ୱର ବୃହତ କ୍ଯାନସର ହସ୍ପିଟାଲରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଉପଲବ୍ଧ ହେବ। ଲୋକଙ୍କୁ ଉକୃଷ୍ଟ ଚିକିତ୍ସା ସେବା ଯୋଗାଇକୁ ଲକ୍ଷ୍ଯ ରଖାଯାଇଛି। ହସ୍ପିଟାଲରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ରହିଛି। ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରାକୃତିକ ଖାଲୁଆ ଜାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରାଯାଉଛି।

ଆଜିଠୁ ଭାରତ-ଇଂଲଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟ

ରାଜକୋଟ: ଆଜିଠୁ ଭାରତ ଇଂଲଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟ । ରାଜକୋଟରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ମ୍ଯାଚ୍ । ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ଯାଚ ଜିତି ୧-୧ରେ ବରାବର ରହିଛନ୍ତି । ୫ ଟିକିଆ ସିରିଜରେ ଆଜିର ମ୍ଯାଚ ଜିତି ଅଗ୍ରଣୀ ରହିବାକୁ ଉଭୟ ଦଳ ଲକ୍ଷ ରଖିଛନ୍ତି । ଏଥିପାଇଁ ଭାରତ ସ୍ବତନ୍ତ୍ର ରଣନୀତି କରିଛି । ତେବେ ସମ୍ପୂର୍ଣ୍ଣ ଫିଟ ହୋଇନଥିବାରୁ ମ୍ଯାଚରୁ କେ.ଏଲ ରାହୁଲ ବାଦ ପଡ଼ିଛନ୍ତି । ବିରାଟ କୋହଲି ମ୍ଯାଚ ଖେଳୁନଥିବାବେଳେ ରବୀନ୍ଦ୍ର ଜାଡେଜା ବି ବାଦ ପଡ଼ିଛନ୍ତି ।

ରାଜକୋଟ ପିଚ ପେସ ବୋଲିଂକୁ ସୁହାଇବ ବୋଲି କୁହାଯାଉଛି। ଏଥିପାଇଁ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଏହାସହ ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ଅନ୍ୟ ବୋଲରଙ୍କ ବୋଲିଂ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିବ। ଇଂଲଣ୍ଡଠାରୁ ସିରିଜର ପ୍ରଥମ ଟେଷ୍ଟ ୨୮ ରନରେ ହାରିବା ପରେ ଟିମ୍ ଇଣ୍ଡିଆ ଦ୍ଵିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଥିଲା। ତେବେ ତୃତୀୟ ଟେଷ୍ଟରେ ଇଂଲଣ୍ଡର ବୋଲରଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟରମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି।

ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୨୮ ରନରେ ବିଜୟୀ ହୋଇଥିଲା। ବିଶାଖପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ହରାଇ ସ୍ଥିତି ବରାବର କରିଥିଲା। ୨୩ ତାରିଖରୁ ସିରିଜର ଚତୁର୍ଥ ମ୍ଯାଚ ରାଞ୍ଚିରେ ଖେଳାଯିବାକୁ ଥିବାବେଳେ ଶେଷ ତଥା ଅନ୍ତିମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ ତାରିଖରେ ଖେଳାଯିବ ।

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା, ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ମାର୍ଚ୍ଚ ୧୩ ଯାଏଁ ଦଶମ ଓ ଏପ୍ରିଲ ଦୁଇ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । କେବଳ ଆର୍ଟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟକୁ ବାଦ ଦେଲେ ପ୍ରତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଘଣ୍ଟା ସମୟ ମିଳିବ । ଛାତ୍ରଛାତ୍ରୀମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଚଳିତବର୍ଷ ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେଉଛନ୍ତି । ଓଡ଼ିଶାରୁ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ଉଭୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ନିୟମାବଳୀ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଛି । ପରୀକ୍ଷା ସୁଚାରୁରୂପେ ପରିଚାଳନା ପାଇଁ ସମସ୍ତ ପ୍ରକାରର ବନ୍ଦବୋସ୍ତ କରାଯାଇଛି ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ପରୀକ୍ଷା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଗୁଜବ କରାଯାଉଛି । ଫେକ୍ ନ୍ଯୁଜ ଓ ଗୁଜବ ପ୍ରତି ସଚେତନ ରହିବାକୁ ସିବିଏସଇ ଅପିଲ କରିଛି ।

ଆଜି ଓଡ଼ିଶା ଆସିବେ ନିର୍ବାଚନ କମିଶନର, ଲୋକସଭା ନିର୍ବାଚନ ପରିଚାଳନା ନେଇ କରିବେ ସମୀକ୍ଷା

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ ନିର୍ବାଚନ କମିଶନର। ସିଇସି ରାଜୀବ କୁମାରଙ୍କ ନେତୃତ୍ବରେ ୭ ଜଣିଆ ଟିମ୍ ଓଡ଼ିଶା ଆସୁଛନ୍ତି । ଆଜିଠୁ ୧୭ ତାରିଖ ଯାଏ ଓଡ଼ିଶାରେ ଅବସ୍ଥାନ କରିବେ କମିଶନ। ଲୋକସଭା ନିର୍ବାଚନ ପରିଚାଳନା ନେଇ ସେ ସମୀକ୍ଷା କରିବେ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଅନ୍ଯତମ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ଯାସଙ୍କ ସମେତ ୭ ଜଣ ଓଡ଼ିଶା ଗସ୍ତରେ ଆସୁଛନ୍ତି । କାଲି ଜାତୀୟ ଓ ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ। ସେହିପରି ୧୭ ତାରିଖରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ, ରାଜ୍ଯ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ଯ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ। ସମସ୍ତଙ୍କ ସହ ବୈଠକ ପରେ ଇସିଆଇ ୧୭ ତାରିଖ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିବେ।…

ଟ୍ରାକ୍ଟର ଚଢାଇ ଜଣଙ୍କୁ ହତ୍ଯା ଅଭିଯୋଗ

କଟକ: ଗୋଷ୍ଠୀ ସଂଘର୍ଷରୁ ନିର୍ମମ ହତ୍ଯା । ଟ୍ରାକ୍ଟର ଚଢାଇ ଜଣଙ୍କୁ ହତ୍ଯା ଅଭିଯୋଗ ।  କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସୁଶାନ୍ତ ରଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ଯରେ ପ୍ରଥମେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏକ ନିର୍ବନ୍ଧ ଭୋଜିଖାଇ ଆସିବାବେଳେ ଉଭୟ ପକ୍ଷଙ୍କ ମଧ୍ଯରେ ବଚସା ଲାଗିଥିଲା । ଏଥିରେ ଉତ୍ଯକ୍ତ ହୋଇ ସ୍ବାଇଁ ପରିବାରର ଗୋଷ୍ଠୀ ସୁଶାନ୍ତଙ୍କୁ ଟ୍ରାକ୍ଟର ଚଢାଇ ଦେଇଥିଲେ । ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ଯୁ ହୋଇଛି । ପରେ ମୃତକଙ୍କ ସମ୍ପର୍କୀୟ ଅପର ଗୋଷ୍ଠୀର ଟ୍ରାକ୍ଟର, କାର ଓ ୨ଟି ମୋଟର ସାଇକେଲ ପୋଡ଼ିଦେଇଛନ୍ତି । ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି । ଅତିରିକ୍ତ ଏସପିଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହି ନୂଆ ବ୍ୟବସ୍ଥାରେ ଆଉ ଦେବାକୁ ପଡ଼ିବନି ଓଟିପି

ନନ୍ଦିଘୋଷ ବ୍ୟୁରୋ: UPI କାରବାରର ଅହେତୁକ ସଫଳତା ଫଳରେ ନଗଦ କାରବାର ଅନେକ ମାତ୍ରାରେ ହ୍ରାସ ପାଇଛି। ସମସ୍ତେ ଏବେ ଅନଲାଇନ ପେମେଣ୍ଟ ଉପରେ ନିର୍ଭର କରୁଛନ୍ତି । ଏହି ଅନଲାଇନ ପେମେଣ୍ଟ ଅନେକ କ୍ଷେତ୍ରରେ ସୁବିଧା ହେଉଥିଲେ ମଧ୍ୟ ଅନେକ ସମୟରେ ଏହାର ଫାଇଦା ନେଉଛନ୍ତି ସାଇବର ଲୁଟେରା। ତେବେ ଅନଲାଇନ ପେମଣ୍ଟ ପାଇଁ ଅନେକ ସମୟରେ ଓଟିପିର ବ୍ୟବହାର ମଧ୍ୟ ରହିଛି। ତେବ ଆଜି ଆମେ ଏହି ଓଟିପି ସମ୍ବନ୍ଧିୟ ଦୁଇଟି ଖବର ଦେଖିବା।

ଅନଲାଇନ୍ ଠକେଇକୁ ରୋକିବା ପାଇଁ ଆରବିଆଇ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ପେମେଣ୍ଟ ବା ଦେୟ ଦେବାକୁ ଆଉ ଓଟିପି ଦରକାର ହେବନାହିଁ । ସାଧାରଣତଃ ଅନ୍ଲାଇନ କାରବାର ସମୟରେ ଓ୍ବାନ ଟାଇମ୍ ପାସଓ୍ବାର୍ଡ ବା ଓଟିପି ଆବଶ୍ୟକ ହୋଇଥାଏ । କାରବାର ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇ-ମେଲ୍ରେ ଓଟିପି ଆସିବା ପରେ କାରବାର ସମ୍ପୂର୍ଣ୍ଣ ହୋଇଥାଏ । ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ କାରବାର ସୁରକ୍ଷିତ ରହିଛି ବୋଲି ଜାଣିଥାଉ। ବହୁ ସମୟରେ ଏହି ଓଟିପି ଦ୍ୱାରା ମଧ୍ୟ ବଡ ବଡ ଠକେଇ ହୋଇଥିବା ମାମଲା ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ପ୍ରଚଳିତ ଓଟିପି ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି । ତେବେ ଆରବିଆଇ ଆହୁରି ଅଧିକ ସୁରକ୍ଷା ପଦ୍ଧତି ଆଣିବାକୁ ଯୋଜନା କରୁଛି । ଏହା ମାଧ୍ୟମରେ ଗ୍ରାହକଙ୍କ ଅନଲାଇନ୍ କାରବାର ସୁରକ୍ଷା ପାଇବ ।

UPI  କାରବାରର ଅହେତୁକ ସଫଳତା ଫଳରେ ନଗଦ କାରବାର ଅନେକ ମାତ୍ରାରେ ହ୍ରାସ ପାଇଛି। ସମସ୍ତେ ମୋବାଇଲ ମାଧ୍ୟମରେ କାରବାର କରୁଛନ୍ତି। ତେବେ ନଗଦ କାରବାର ପାଇଁ କିଛି ଲୋକ ବ୍ୟାଙ୍କ କିମ୍ବା ଏଟିଏମ ଯାଉଛନ୍ତି। କିନ୍ତୁ ଏବେ ଏଟିଏମର ବିକଳ୍ପ ଭାବେଳ ଭର୍ଚୁଆଲ ଏଟିଏମ୍ ଆସିବାକୁ ଯାଉଛି। ଯାହା ଫଳରେ ଆପଣଙ୍କୁ ଆଉ ଏଟିଏମ୍ ଯିବାକୁ ପଡିବନି। କେବଳ ଓଟିପି ସାହାଯ୍ୟରେ ନିକଟସ୍ଥ ଯେକୌଣସି ଦୋକାନରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ। କେବଳ ସ୍ମାର୍ଟ ଫୋନ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ଆପ ସଂଯୋଗ ଦରକାର। ଫିଣ୍ଟେକ୍ କମ୍ପାନୀ ପେମାର୍ଟ ଇଣ୍ଡିଆ ଏହି ଭର୍ଚୁଆଲATM ର ଆଇଡିଆ ଆଣିଛି। ମୋବାଇଲ ବ୍ୟାଙ୍କିଙ୍ଗ ଆପରୁ ଟଙ୍କା ଉଠାଇବାକୁ ଆପଣଙ୍କୁ ଏକ ରିକ୍ବେଷ୍ଟ ଦେବାକୁ ହେବ। ଏହାପରେ ଏକ ଓଟିପି ଆସିବ। ଏହାପରେ ନିକଟସ୍ତ ଦୋକାନ ଯେଉଁଠାରେ ପେମାର୍ଟ ସହିତ ପଞ୍ଜିକୃତ ଥିବା ସେହି ଦୋକାନରେ ଓଟିପି ଦେଖାଇବାକୁ ପଡିବ। ଓଟିପିୁ ଯାଞ୍ଚ କରିବା ପରେ ଦୋକାନି ଆପଣଙ୍କୁ ନଗଦ ଟଙ୍କା ଦେବେ। ଏଥିପାଇଁ ଗ୍ରାହାକଙ୍କୁ କୌଣସି ଦେୟ ଦେବାକୁ ପଡିବନି।

ଭିକ ମାଗି କୋଟି ପାଲଟିଛନ୍ତି ମହିଳା

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଭିକ ମାଗି କୋଟିପତି ପାଲଟିଛନ୍ତି। ଭିକ ମାଗିବା ଅଭିଯୋଗରେ ମହିଳା ଜଣକୁ ପୁଲିସ ଗିରଫ କରିଛି। ପୁଲିସକୁ ମହିଳା ଜଣକ ଦେଇଥିବା ସୂଚନା ଅନୁସାରେ ୬ ସପ୍ତାହରେ ମହିଳାଜଣକ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛି। ମାସିକ ରୋଜଗାର ପ୍ରାୟ ଲକ୍ଷେ ୬୦ ହଜାର ଟଙ୍କା। ଭିକାରିଣୀ ଜଣକ ନାମ ହେଉଛି ଇନ୍ଦ୍ରା ବାଇ। ଇନ୍ଦ୍ରାର ୫ଟି ପିଲା ଓ ସ୍ବାମୀ ଅଛନ୍ତି। ଇନ୍ଦ୍ରା ପିଲାମାନଙ୍କୁ ଇନ୍ଦୋରରେ ଭିକ ମଗାଇବା କାର୍ଯ୍ୟରେ ନିୟୋଜିତ କରିଛି। ପିଲାମାନଙ୍କୁ ଭିକ ମଗାଇ ସେ ଦୁଇ ମହଲା ଘର ବି ତିଆରି କରିଛି। ଜମି ବି କିଣିଛି। ଏଥିସହିତ ୨୦ ହଜାର ଟଙ୍କିଆ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ଘରେ ମୋଟରସାଇକଲ ବି ଅଛି। ଇନ୍ଦ୍ରାକୁ ଗିରଫ କରାଯାଇ ଜେଲ ପଠାଯାଇଛି। ଇନ୍ଦ୍ରାର ୫ ଜଣ ପିଲାଙ୍କ ମଧ୍ୟରୁ ବଡ଼ର ବୟସ ୧୦ ବର୍ଷ ହୋଇଥିବାବେଳେ ଅନ୍ୟ ୪ ପିଲାଙ୍କର ବୟସ ଯଥାକ୍ରମେ ୮ ବର୍ଷ, ୭ ବର୍ଷ, ୩ ବର୍ଷ ଏବଂ ୨ ବର୍ଷ। ପୁଲିସ ସୂଚନା ଅନୁଯାୟୀ, ପିଲାମାନଙ୍କୁ ଇନ୍ଦୋରର ଲବ କୁଶ ଛକରେ ଭିକ ମାଗିବା ଲାଗି ନିୟୋଜିତ କରାଯାଉଥିଲା। ସେଠାରୁ ଇନ୍ଦୋରର ମହାକାଳ ମନ୍ଦିରକୁ ରାସ୍ତା ଯାଇଛି। ଗତ ୯ ତାରିଖରେ ଇନ୍ଦ୍ରା ତା’ର ୭ ବର୍ଷର ଝିଅ ସହିତ ଭିକ ମାଗିବା ସମୟରେ ପୁଲିସ ହାତରେ ଧରା ପଡ଼ିଥିଲା। ସେହି ସମୟରେ ତା’ର ସ୍ବାମୀ ଓ ଦୁଇ ପିଲା ଖସି ପଳାଇଥିଲେ। ପୁଲିସ ମହିଳା ନିକଟରୁ ୧୯ ହଜାର ଟଙ୍କା ଏବଂ ଝିଅ ନିକଟରୁ ୬୦୦ ଟଙ୍କା ଜବତ କରିଛି। ଇନ୍ଦ୍ରା କହିଛି ଗିରଫ ହେବାର ୪୫ ଦିନ ପୂର୍ବରୁ ସେ ୨.୫ ଲକ୍ଷ ଟଙ୍କା ରୋଜଗାର କରିଛି।

ଆମେରିକାରେ ଅସୁରକ୍ଷିତ ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଅସୁରକ୍ଷିତ ହୋଇପଡିଛନ୍ତି ଭାରତୀୟ। ଏଠାରେ ପ୍ରତିଦିନ ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି। ଏବେ ପୁଣିଥରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି । ମୃତେଦହରେ ଗୁଳି ମାଡ ଚିହ୍ନ ଅଛି । ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ୪୨ ବର୍ଷୀୟ ଆନନ୍ଦ ସୁଜିନ ହେନରୀ, ତାଙ୍କ ୪୦ ବର୍ଷୀୟ ପତ୍ନୀ ଏଲିସ ପ୍ରିୟଙ୍କା ଓ ୪ ବର୍ଷର ଯମଜ ପୁଅ ନୁହ ଓ ନିଥନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ସନ୍ଦେହ କରୁଛି। ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଫେବ୍ରୁଆର ୧୩ ତାରିଖ ଦିନ ପରିବାରର ଜଣେ ସମ୍ପର୍କୀୟ ତାଙ୍କ ଘରକୁ ଫୋନ୍ କରିଥିଲେ।

ତେବେ ବାରମ୍ବାର ଫୋନ୍ ରିଙ୍ଗ ହେଉଥିଲେ ସୁଦ୍ଧା କେହି ଉଠାଇ ନଥିଲେ। ଏନେଇ ପୁଲିସକୁ ସମ୍ପର୍କୀୟ ଜଣକ ଖବର ଦେଇଥିଲେ। ପୁଲିସ ଆସି କାଲିଫର୍ନିଆର ସାନ ମେଟେଓରେ ଥିବା ବିଳସପୂର୍ଣ୍ଣ ବଙ୍ଗଳା ଭିତରୁ ଦୁଇ ଯାଆଁଳା ଶିଶୁଙ୍କ ସମେତ ୪ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମୃତଦେହ ଉଦ୍ଧାର କରିଥିଲା । ପୋଲିସ କହିଛି ଯେ, ଗୁଳି ମାଡ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ସ୍ଥଳରୁ ୯ ଏମ୍ଏମ୍ ପିସ୍ତଲ ଓ ଗୋଟିଏ ମାଗାଜିନ ଜବତ ହୋଇଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି । ଆନନ୍ଦ ଓ ଏଲିସ ଦୁହେଁ ଆଇଟି ସେକ୍ଟରରେ କାମ କରୁଥିଲେ। ଗତ ୯ ବର୍ଷ ହେଲା ସେ ଆମେରିକାରେ ରହୁଥିଲେ। ଆନନ୍ଦ ସଫ୍ଟଓ୍ୱେୟାର ଇଂଜିନିୟର ଥିବା ବେଳେ ଏଲିସ ଥିଲେ ସିନିୟର ବିଶ୍ଲେଷକ। ସେ ଦୁଇ ବର୍ଷ ପୂର୍ବେ ନ୍ୟୁ ଜର୍ସିରୁ ସେନ୍ ମେଟୋ କାଉଣ୍ଟି ରହିବାକୁ ଆସିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଲୋକଙ୍କ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଗତ କିଛି ବର୍ଷ ହେଲା ଏଠାରେ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ଅନେକ ଆକ୍ରମଣ କିମ୍ବା ହତ୍ୟାକାଣ୍ଡ ହୋଇଚାଲିଛି । ଗତ ବର୍ଷ ଡିସେମ୍ବର ମାସରେ ଆମରିକାର ମାସାଚୁସେଟ୍ସରେ ରହୁଥିବା ଏକ ଧନୀ ଭାରତୀୟ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଥିଲା । ତାହାର ତଦନ୍ତ ଏବେ ବି ଜାରି ରହିଛି । ସେହିପରି ୨୦୨୨ରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଆମେରିକା-କାନାଡା ସୀମାର ଦୁର୍ଗମ ଅଂଚଳରୁ ମିଳିଥିଲା ।

ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ଯକ୍ଷଙ୍କୁ ଧନ୍ଯବାଦ ଜଣାଇଲେ ସମ୍ବଲପୁର ବାସିନ୍ଦା

ସମ୍ବଲପୁର: ବିକାଶ ପାଇଁ ଜଣାଇଲେ ଧନ୍ଯବାଦ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଧନ୍ଯବାଦ ଜଣାଇଛନ୍ତି ସମ୍ବଲପୁର ବାସିନ୍ଦା । କିଛିଦିନ ତଳେ ସମ୍ବଲପୁର ଗସ୍ତରେ ଯାଇ 5T ଅଧ୍ଯକ୍ଷ ଜିଲ୍ଲାର ଅନେକ ସମସ୍ଯା ତଥା ବହୁ ଦାବିପତ୍ର ଗ୍ରହଣ କରିଥିଲେ । ଆଜି ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ମୋଟ ୨୮୩ ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ତଥା ଅନେକ ପ୍ରକଳ୍ପରେ ମୋହର ବାଜିବା ପରେ ଏକାଠି ହୋଇ ଧନ୍ଯବାଦ ଜଣାଇଛନ୍ତି । ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ବହୁ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ତଥା ଅନେକ ପ୍ରକଳ୍ପରେ ମୋହର ବାଜିବା ପରେ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ । 5T ଅଧ୍ୟକ୍ଷ ଭିଡିଓ କନଫରେନ୍ସରେ ଭିସି ମାଧ୍ୟମରେ ଉପସ୍ଥିତ ଥିଲେ । ଜିଲ୍ଲା ବାସୀଙ୍କୁ ଏତେ ଗୁଡିଏ ପ୍ରକଳ୍ପ ରାଜ୍ୟ ସରକାର ଦେଇଥିବାରୁ ଜିଲ୍ଲାବାସୀ ଧନ୍ୟବାଦ୍ ଦେବାପାଇଁ ଏକତ୍ରିତ ହୋଇଥିଲେ । ସମ୍ବଲପୁର ରେମେଡ଼ ଅଞ୍ଚଳରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ । ଏହି ଅବସରରେ କିଛି ମନ୍ଦିର କର୍ମକର୍ତ୍ତା ମାନଙ୍କୁ ମନ୍ଦିରର ବିକାଶମୂଳକ କାର୍ଯ୍ୟ ପାଇଁ ଅନୁମତି ପତ୍ର ଦେଇଥିଲେ । ଗତ 12 ତାରିଖ 5T ଅଧ୍ୟକ୍ଷ ସମ୍ବଲପୁର ଆସିଥିଲେ  । ଲୋକମାନେ ମଧ୍ୟ ତାଙ୍କୁ ଅନେକ ସମସ୍ୟା ଜଣାଇଥିଲେ ।