spot_img
Home Blog Page 2217

ପାକିସ୍ତାନରେ କିଏ ଗଢିବ ସରକାର, ଆସିପାରୁନି ସ୍ପଷ୍ଟ ଚିତ୍ର

କରାଚି: ଦିନ ପରେ ଦିନ ଗଡୁଛି। ତଥାପି ସରୁନି ପାକିସ୍ତାନ ସସପେନସ। ସରକାର ଗଠନ ନେଇ ଆସିପାରୁନି ସ୍ପଷ୍ଟ ଚିତ୍ର। ତେଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ଏନ ଓ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ବାଧୀନ ପାକିସ୍ତାନ ପିପୁଲସ ପାର୍ଟି ମଧ୍ଯରେ ସରକାର ଗଠନ ନେଇ ଚାଲିଛି ଆଲୋଚନା। ଦେଶକୁ ରାଜନୈତିକ ଅସ୍ଥିରତାରୁ ରକ୍ଷା କରିବା ଲାଗି ଦୁଇ ଦଳ ମଧ୍ଯରେ ଚେଷ୍ଟା ଜାରି ରହିଛି ବୋଲି କୁହାଯାଇଛି।

ସରକାର ଗଠନ ଲାଗି ଦୁଇ ଦଳ ଏକରକମ ସହମତି ହୋଇଥିବା ସୂଚନା ମିଳିଛି। ପିଏମଏଲଏନ ୭୫ ଆସନ ପାଇଥିବାବେଳେ ପିପିପି ହାସଲ କରିଛି ୫୪ ଆସନ। ପାକିସ୍ତାନ ତେହରିକ ଇ ଇନସାଫ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ଯା ରହିଛି ୧୦୧ । ସେହିପରି ୧୭ ଆସନ ଲାଭ କରିଥିବା ମୁତାହିଦା କ୍ବାମୀ ମୁଭମେଣ୍ଟ ସହ ମଧ୍ଯ ସରକାର ଗଠନ ଲାଗି ଆଲୋଚନା କରିଛନ୍ତି ପିଏମଏଲଏନ ଓ ପିପିପି। ୩୩୬ ଆସନ ବିଶିଷ୍ଟ ନ୍ଯାସନାଲ ଆସେମ୍ବ୍ଲିରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନିଜ ସପକ୍ଷରେ ୧୬୯ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ଯକ।

ତେଣେ ଅନ୍ଯ କୌଣସି ଏକ ସ୍ବୀକୃତିପ୍ରାପ୍ତ ଦଳ ସହ ମିଶି ସରକାର ଗଠନ ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛି ପିଟିଆଇ। ରାଷ୍ଟ୍ରପତି ଆରିଫ ଆଲଭି ଆସନ୍ତା ଫେବ୍ରୁଆରୀ ୨୯ ସୁଦ୍ଧା ନ୍ଯାସନାଲ ଆସେମ୍ବ୍ଲି ଅଧିବେଶନ ଡାକିବା ଲାଗି ଖୁବ୍ ଶୀଘ୍ର ସମନ ଜାରି କରିବେ ବୋଲି ସୂଚନା ମିଳିଛି।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୨ ପ୍ରାର୍ଥୀଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି । ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଉପରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଛନ୍ତି ମୋହର ।

ବିଭିନ୍ନ ସମାଜ ଓ ସଂସ୍ଥା ଲାଗି କ୍ଯାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ବର: ବିଭିନ୍ନ ସମାଜ ଓ ସଂସ୍ଥା ଲାଗି କ୍ଯାବିନେଟର ନିଷ୍ପତ୍ତି। ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଅଗ୍ରଗାମୀ ଅଘରିଆ ସମାଜ ଲାଗି ଏବଂ ଭୁବନେଶ୍ବରରେ ସଞ୍ଚାର ଉପଯୋଗିତା ଲାଗି ଏକ ଭବନ ନିର୍ମାଣ ସକାଶେ ଜମି ଅଧିମୂଲ୍ଯ ବାବଦକୁ ୫ କୋଟି ୬ ଲକ୍ଷ ଟଙ୍କା ଛାଡ କରାଯାଇଛି। ଭୁବନେଶ୍ବର ଡୁମୁଡୁମାରେ ସନ୍ଥ ଭୀମଭୋଇ ମହିମା ଅଲେଖ ଟ୍ରଷ୍ଟ ଲାଗି ଜମିର ଅଧିମୂଲ୍ଯ ବାବଦକୁ ୩ କୋଟି ୩୦ ଲକ୍ଷ ଟଙ୍କା ଢାଡ଼ କରାଯାଇଛି। ସେହିପରି ମେହେର ସମାଜର ଗଙ୍ଗାଧର ମେହେର ଭବନ ନିର୍ମାଣ ଲାଗି ଜମିର ଅଧିମୂଲ୍ୟ ବାବଦକୁ ୫ କୋଟି ୬ ଲକ୍ଷ ଟଙ୍କା ଛାଡ଼ କରାଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଗୋଣ୍ଡ ଭବନ ନିର୍ମାଣ ଲାଗି ଜମିର ଅଧିମୂଲ୍ଯ ବାବଦକୁ ୫ କୋଟି ୬ ଲକ୍ଷ ଟଙ୍କା ଛାଡ କରାଯାଇଛି। ଭୁବନେଶ୍ବର ମଧୁସୂଦନ ନଗରରେ ରିଜର୍ଭ ପୋଲିସ ଲାଇନ ମସଜିଦ ଲାଗି ଜମି ଅଧିମୂଲ୍ଯ ବାବଦକୁ ୨ କୋଟି ୭୦ ଲକ୍ଷ ୪୦ ହଜାର ଟଙ୍କା ଛାଡ଼ କରାଯାଇଛି।

ଯୁବବର୍ଗଙ୍କ ପାଇଁ ନୂଆ ଯୋଜନା ’ସ୍ବୟମ’

ଭୁବନେଶ୍ବର: ରାଜ୍ଯର ଯୁବଶକ୍ତିଙ୍କୁ ଆତ୍ମନିର୍ଭର କରିବାକୁ ରାଜ୍ଯ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଯୁବପିଢିଙ୍କୁ ସ୍ବତନ୍ତ୍ର ଯୁବ ଉଦ୍ଯମୀ ଭାବେ ଗଡିତୋଳିବାକୁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ସ୍ବୟଂ । ଯୋଜନାରେ ବ୍ଯବସାୟ କରିବା ଓ ବ୍ଯବସାୟକୁ ସଂପ୍ରସାରଣ ନିମନ୍ତେ ମିଳିବ ସୁଧମୁକ୍ତ ଋଣ । ଏହାକୁ କ୍ଯାବିନେଟରେ ଅନୁମୋଦନ କରାଯାଇଛି । ଯୋଜନାରେ ଗ୍ରାମୀଣ ବେରୋଜଗାର ଯୁବକଯୁବତୀ ଅଥବା ରାଜ୍ଯ ସହାୟକ କୌଣସି ଯୋଜନାରେ ଋଣ ନେଇନଥିବା ଏବଂ ଋଣ ନେଇ ପରିଶୋଧ କରିସାରିଥିବା ଯୁବବର୍ଗ ଯୋଜନାର ଲାଭପାଇବେ । ୧୮ରୁ ୩୫ ବର୍ଷୀୟ ଯୁବକଯୁବତୀମାନେ ନୂତନ ବ୍ଯବସାୟ ଆରମ୍ଭ ଓ ବ୍ଯବସାୟକୁ ସଂପ୍ରସାରଣ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଏକ ଲକ୍ଷ ଯୋଗ୍ଯ ଗ୍ରାମୀଣ ଯୁବକ ଓ ଯୁବତୀଙ୍କୁ ଋଣ ଯୋଗାଇ ଦେବାକୁ ରାଜ୍ଯ ସରକାର ଲକ୍ଷ ରଖିଛନ୍ତି । ଏଥିପାଇଁ ବଜେଟରେ ୪୪୮ କୋଟି ଟଙ୍କାର ବ୍ଯୟ କରାଯିବ । ଯୋଜନାଟି ବିଜ୍ଞପ୍ତି ପ୍ରକାଶ ପାଇବାଠାରୁ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ।  ଋଣ ସମ୍ପୂର୍ଣ୍ଣ ସୁଧ ରାଜ୍ଯ ସରକାର ବହନ କରିବେ । ଋଣ ନିମନ୍ତେ କୋ-ଲାଟେରାଲ ଏବଂ ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ । ଋଣ ପରିଶୋଧର ଅବଧି ୪ ବର୍ଷ ରଖାଯାଇଛି । ଏଥିରେ ୩ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି । ସମ୍ପର୍ଣ୍ଣ ସୁଧଭାର ଏବଂ ବାର୍ଷିକ ଗ୍ଯାରେଣ୍ଟି ନିମନ୍ତେ ନିର୍ଦ୍ଧାରିତ ଦେୟ ଭାର ବହନ କରିବାକୁ ରାଜ୍ଯ ସରକାର ୨୨୪ କୋଟି ଟଙ୍କା ବ୍ଯୟବରାଦ କରିବେ ।

ରାଜ୍ଯ କ୍ଯାବିନେଟରେ ବଡ଼ ଘୋଷଣା, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା  

ଭୁବନେଶ୍ବର: ରାଜ୍ଯ କ୍ଯାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୨୭ଟି ପ୍ରସ୍ତାବରେ ବାଜିଛି କ୍ଯାବିନେଟ ମୋହର । ରାଜ୍ଯ ଖାଦ୍ଯ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ଯ ସରକାର । ରାଜ୍ଯର ୯୫ ଦଶମିକ ୯୦ ଲକ୍ଷ ହିତାଧିକାରୀ  ପରିବାରକୁ ମିଳିବ ଆର୍ଥିକ ସହାୟତା । ପ୍ରତି ପରିବାରକୁ ୧ ହଜାର ଟଙ୍କା ସହ ୨ଟି ଲେଖାଏଁ ଝୋଟ ତିଆରି ବ୍ଯାଗ ପ୍ରଦାନ କରାଯିବ । ରାଜ୍ଯ ସରକାରଙ୍କ ଏହି ନିଷ୍ପତ୍ତି ଖାଦ୍ଯ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀ ପରିବାରକୁ ଦୈନନ୍ଦିନ ଜୀବନରେ ବ୍ଯବହୃତ ହେଉଥିବା ସାମଗ୍ରୀକୁ ନେବାଆଣିବାରେ ସହାୟତା କରିବ । ସେହିପରି ଆର୍ଥିକ ସହାୟତା ବଜାରରେ ଦରଦାମ ବୃଦ୍ଧି ସମୟରେ ଅତ୍ଯାବଶ୍ଯକ ସାମଗ୍ରୀ କ୍ରୟ କରିବାରେ ସାହାଯ୍ଯ କରିବ । ହିତାଧିକାରୀଙ୍କୁ ମୋଟ ୧ କୋଟି ୯୧ ଲକ୍ଷ ୮୧ ହଜାର ୫୨ଟି ବ୍ଯାଗ ବଣ୍ଟନ ହେବ । ଏଥିପାଇଁ ୧୭୮ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହା ସହ ଏକ ହଜାର ଟଙ୍କା ଲେଖାଏ ସହାୟତା ବାବଦକୁ ୯୫୯ କୋଟି ୫ ଲକ୍ଷ ଟଙ୍କା ବହନ କରିବେଲ ରାଜ୍ଯ ସରକାର ।

ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ଯ କ୍ଯାବିନେଟରେ ୨୭ ପ୍ରସ୍ତାବକୁ ବାଜିଛି ମୋହର । ମୁଖ୍ଯମନ୍ତ୍ରୀ ମତ୍ସ୍ଯଜୀବୀ କଲ୍ଯାଣ ଯୋଜନାକୁ କ୍ଯାବିନେଟ ଆଜି ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ଯକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ଯଜୀବୀ ଉପକୃତ ହେବେ।  ମାଆ ସମଲେଶ୍ବରୀ ମନ୍ଦିରର ଯୋଜନା କାର୍ଯ୍ଯ କାରିତା ବୃଦ୍ଧିକୁ କ୍ଯାବିନେଟ ମୋହର ମାରିଛି । ଏହା ୨୦୨୧-୨୨ରୁ ବଢି ୨୦୨୪-୨୫ ପର୍ଯ୍ଯନ୍ତ ଜାରି ରହିବ। ସେହିପରି ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ଯକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି । ମାଳତି ପ୍ରାକ ବିଦ୍ଯାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। ଏଥିରେ ୩ରୁ ୬ ବର୍ଷ ଶିଶୁ ମାନଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ବିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ଖୁସି ଯୋଜନାକୁ ଖୁସି ପ୍ଲସକୁ ବିସ୍ତାର କରାଯାଇଛି। ଏହାଦ୍ବାରା ରାଜ୍ଯର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ଯବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ବତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ଯାବିନେଟ ମୋହର ମାରିଛି।

୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ ବେନ ଷ୍ଟୋକ୍ସ, ଭାରତକୁ..

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆସନ୍ତା ୧୫ ତାରିଖରୁ ଖେଳାଯିବ । ପ୍ରଥମ ଦୁଇ ମ୍ୟାଚ ୧-୧ ରହିଥିବାବେଳେ ଶେଷ ତିନୋଟି ମ୍ୟାଚ ଉପରେ ନଜର ରହିଛି । ତେବେ ଇଂଲଣ୍ଡର ବେନ ଷ୍ଟୋକ ନିଜର ୧୦୦ତମ ମ୍ୟାଚ ଖେଳିବେ । ଇଂଲଣ୍ଡର ୧୪ତମ ଖେଳାଳିଭାବେ ଶହେ ଟେଷ୍ଟ ମ୍ୟାଚ ଖେଳିବେ ବେନ ଷ୍ଟୋକ । ଜେମ୍ସ ଆଣ୍ଡରସନ, ଜୋ ରୁଟଙ୍କ ଭଳି ଖେଳାଳି ଏହି ତାଲିକାରେ ରହିଛନ୍ତି । ତେବେ ଷ୍ଟୋକ୍ସ ନିଜର ୧୦୦ତମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ଦଳକୁ ବିଜୟ କରାଇବେ ବୋଲି ପ୍ରଶଂସକ ମାନେ ଆଶା ରଖିଛନ୍ତି । ତେବେ ଟେଷ୍ଟରେ ସ୍ବାଧିକ ମ୍ୟାଚ ଖେଳିଥିବା ଖେଳାଳିଙ୍କ କଥା ଯଦି କହିବା ତାହେଲେ ଶୀର୍ଷରେ ରହିଛନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ୨୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୧୫ ହଜାରରୁ ଅଧିକ ସ୍କୋର ମଧ୍ୟ ଟେଷ୍ଟରେ ସଂଗ୍ରହ କରିଛନ୍ତି ।

ଭାରତ-ଇଂଲଣ୍ଡ ୫ଟି ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ପ୍ରଥମରୁ ସିରିଜ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିଥିବାବେଳେ ଭାରତ ପ୍ରଥମ ଦୁଇ ମ୍ୟାଚ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିଥିଲା । ଏବେ ବାକି ତିନୋଟି ମ୍ୟାଚ ପାଇଁ ଟିମ ଘୋଷଣା କରିଛି । ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚଟି ଜିତିଥିବାବେଳେ ଭାରତ ଦ୍ବିତୀୟ ମ୍ୟାଚ ଜିତିଛି । ବାକି ତିନୋଟି ମ୍ୟାଚରେ କଣ ହେବ ତାକୁ ନେଇ କ୍ରିଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

 

ଦଳ ଛାଡିଲେ ବରଗଡର ଟାଣୁଆ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ

ବରଗଡ଼: କଂଗ୍ରେସ ଛାଡିଲେ ବରଗଡର ଟାଣୁଆ କଂଗ୍ରେସ ନେତା,ପୁର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସର ପୁର୍ବତନ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ AICC ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି । ନିହାର ମହାନନ୍ଦ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଅତାବିରା ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଧାୟକ ଥିଲେ ।  ଗତକାଲି ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ,ନିହାର ଅସନ୍ତୋଷ ଥିବା କୁହାଯାଉଛି । ହେଲେ ଏ ସଂପର୍କରେ ନିହାର ମହାନନ୍ଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେହିପରି ରାଉରକେଲା ମହିଳା କଂଗ୍ରେସ ସଭାପତି ନିରୁପମା ବଳିୟାର ସିଂହ ଛାଡିଲେ କଂଗ୍ରେସ । ରାଉଲକେଲା ସାଂଗଠନିକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଓ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ସେ ନିଜ ଇସ୍ତଫା ପତ୍ର ପ୍ରଦେଶ ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଓ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  କଂଗ୍ରେସ ଦଳର ବିଚାର ଧାରାରେ  କଂଗ୍ରେସ ନେତାମାନେ କାମ କରୁନଥିବା ଅଭିଯୋଗ କରିଛନ୍ତି ନିରୁପମା । ରାଉରକେଲା ସହରରୁ ରାହୁଲ ଗାନ୍ଧୀ ପଦଯାତ୍ରା କରିବା ଵଦଳରେ ଗାଡ଼ିରେ ନ୍ୟାୟ ଯାତ୍ରା କରିବାରୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ହୋଇଥିଲେ ବୋଲି କହିଛନ୍ତି ନିରୁପମା ।

କାରର ସିକ୍ରେଟ ଚାମ୍ବରରେ ହେଉଥିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ

ନନ୍ଦିଘୋଷ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ । କାରର ସିକ୍ରେଟ ଚାମ୍ବରରେ ଚାଲାଣ ହେଉଥିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ । ଏକ ଘଣ୍ଟାର ଛକାପଞ୍ଝା ପରେ ଝାଡଖଣ୍ଡର ୩ ଯୁବକଙ୍କୁ କାବୁକଲା ସ୍ପେଶାଲ କ୍ରାଇମ ୟୁନିଟ । ମାଲକାନଗିରିରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ୱର । ଫିଲ୍ମ ଷ୍ଟାଇଲରେ ପୋଲିସ ମାଫିଆଙ୍କ ଭିତରେ ଛକାପଞ୍ଝା । ଘଣ୍ଟାଏ ମିଶନ ପରେ ସ୍ପେଶାଲ କ୍ରାଇମ ୟୁନିଟକୁ ସଫଳତା । ଆପଣ ସାଧାରଣତଃ ଫିଲ୍ମରେ ଏଭଳି ଦୃଶ୍ୟ ଦେଖିଥିବେ । କିନ୍ତୁ ଏ କୌଣସି ଫିଲ୍ମ ନୁହେଁ । ରିୟଲ ଲାଇଫରେ ଘଟିଥିବା ଏଭଳି ଘଟଣା ନିଶା ମାଫିଆଙ୍କ ନିଦ ହଯାଇଦେଇଛି ।

ମାଲକନାଗିରିରୁ ପଶ୍ଚିମବଙ୍ଗ ଏକ ଇଣ୍ଡେଭର କାରରେ ଗଞ୍ଜେଇ ଚାଲାଣ ନେଇ ଖବର ମିଳିଥିଲା। ସୁରାକ ପାଇବା ମାତ୍ରେ ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ଟିମ ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଛକି ବସିଥିଲା । ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା ଟିମ । କିନ୍ତୁ ପଛରୁ ଆସୁଥିବା ଏହି ନାଲି ରଙ୍ଗର କାର ପୋଲିସକୁ ଧକ୍କା ଦେଇ ଖସିଯାଇଥିଲା । କିନ୍ତୁ ଟିମ ସଞ୍ଜୀବ ଥିଲେ ନଛୋଡବନ୍ଧା । ପ୍ରାୟ ୬୦ କିଲୋମିଟର ଚକାପଞ୍ଝା ପରେ ପାହାଳ ନିକଟରେ ଦୁଇଟି ଗାଡି, ୩ ଅଭିଯୁକ୍ତଙ୍କ ସହ ୩ ଶହ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।

ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ ହେବ । ୩ ଅଭିଯୁକ୍ତଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି । ଦେଖନ୍ତୁ କିଭଳି ଗାଡି ସିଟ ପଛପଟେ ଚାମ୍ବର କରି ଗଞ୍ଜେଇ କାରବାର କରୁଥିଲେ ଅଭିଯୁକ୍ତ । କିଲେ କିମ୍ବା ଦୁଇକିଲୋ ନୁହେଁ, ଚାମ୍ବର ଭିତରେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଯାଉଥିଲା । ପୋଲିସକୁ ଚକମା ଦେବା ପାଇଁ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ ମାଫିଆ । ୩ ଦିନିଆ ରିମାଣ୍ଡରେ ଆଣି ସେମାନଙ୍କ ପୁରୁଣା କେସ ହିଷ୍ଟ୍ରି, ମାଷ୍ଟରମାଇଣ୍ଡ ସମ୍ପର୍କରେ ଖୋଳତାଡ଼ କରିବ ସ୍ପେଶାଲ କ୍ରାଇମ ୟୁନିଟ ।

ସାରା ଓଡ଼ିଶାରେ ବୌଦ୍ଧ ଜିଲ୍ଲା ଗଞ୍ଜେଇର ହଟସ୍ପଟ ପାଲଟିଥିବା ବେଳେ ପଛକୁ ରହିଛି ମାଲକନାଗିରି ଓ କନ୍ଧମାଳ । ନିଶାଦ୍ରବ୍ୟ ଜବତରେ ସାରା ଦେଶରେ ଓଡିଶା ପୋଲିସ ଏକ ନମ୍ବର ପାଲଟିଥିବା ବେଳେ ମାଫିଆଙ୍କ ବିରୋଧରେ ଦଣ୍ଡବିଧାନ ହାର ବଢିଛି ।

ଗୁପ୍ତେଶ୍ବର ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା

ନନ୍ଦିଘୋଷ ବ୍ୟୁରୋ: ଗୁପ୍ତେଶ୍ବର ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ମିଳିଛି । ଗୁପ୍ତେଶ୍ବର ଶିବ ମନ୍ଦିର ଠାରୁ ଜୟପୁର ଫରେଷ୍ଟ ଡିଭିଜନର ଧନ୍ଦ୍ରାଖୋଲ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଞ୍ଚଳକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ଦେବାକୁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୩୫୦ ହେକ୍ଟର ପରିମିତ ଏହି ସଂରକ୍ଷିତ ଜଙ୍ଗଲରେ ଅନେକ ପବିତ୍ର ଗଛ ରହିଛି, ଯାହାକୁ ସ୍ଥାନୀୟ ଲୋକେ ପୂଜା କରନ୍ତି । ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଏକ ସର୍ଭେ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସର୍ଭେ ଅନୁଯାୟୀ, ଏହି ସଂରକ୍ଷିତ ଜଙ୍ଗଲରେ ୬୦୮ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ୨୮ ପ୍ରଜାତିର ସ୍ତନ୍ଯପାୟୀ, ୧୮୮ ପ୍ରଜାତିର ପକ୍ଷୀ, ୪୮ ପ୍ରଜାତିର ସରିସୃପ, ୧୪୧ ପ୍ରକାରର ପ୍ରଜାପତି, ୩୦ ପ୍ରଜାତିର ବୁଢିଆଣୀ, ୪୩ ପ୍ରଜାତିର କୀଟ, ୬ ପ୍ରକାରର ବିଛା ଓ ୨୦ ପ୍ରକାର ଅମେରୁଦଣ୍ଡୀ ପ୍ରାଣୀ ଅଛନ୍ତି । ଏହାସହ ମଗର ପ୍ରଜାତିର କୁମ୍ଭୀର, ବୁଦା ବେଙ୍ଗ ମଧ୍ୟ ଏଠାରେ ଅଛନ୍ତି । ଗୁପ୍ତେଶ୍ବରର ଚୁନପଥର ଗୁମ୍ଫାରେ ଅଛନ୍ତି ୮ ପ୍ରଜାତିର ବାଦୁଡି । ଦକ୍ଷିଣ ଓଡିଶାରେ ୧୬ ପ୍ରକାର ବାଦୁଡି ଦେଖାଯାଆନ୍ତି ।

ସେମଧ୍ୟରୁ କେବଳ ଗୁପ୍ତେଶ୍ବରରେ ୮ ପ୍ରଜାତିର ବାଦୁଡି ଅଛନ୍ତି । ଏହାଛଡା ଏହି ସଂରକ୍ଷିତ ଜଙ୍ଗଲରେ ରହିଛି ୧୮୨ ପ୍ରଜାତିର ଗଛ, ୭୬ ପ୍ରଜାତିର ଗୁଳ୍ମ, ୬୨ ପ୍ରକାରର ଔଷଧୀୟ ବୃକ୍ଷ ଓ ୧୪ ପ୍ରକାରର ଅର୍ଚିଡ । ଏହି ସଂରକ୍ଷିତ ଜଙ୍ଗଲରେ ରହିଛି ଅନେକ ଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ । ଗୁପ୍ତେଶ୍ବର ସଂରକ୍ଷିତ ଜଙ୍ଗଲକୁ ଜୈବ ବିବିଧତା ହେରିଟେଜ ସାଇଟର ମାନ୍ୟତା ମିଳିବା ପରେ ଏଠାରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷରାଜିର ସୁରକ୍ଷା କରାଯାଇପାରିବ । ଜୈବ ବିବିଧତା ହେରିଟେଜ ସାଇଟ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ୩୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏବେ ରାଜ୍ୟରେ ବୈଜ ବିବିଧତା ହେରିଟେଜ ସାଇଟ ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି । ଅନ୍ୟ ଜୈବ ବିବିଧତା ହେରିଟେଜ ସାଇଟ ଗୁଡିକ ହେଲା କନ୍ଧମାଳର ମଣ୍ଡାସୁର, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଏବଂ ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ।