ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା। କଂଗ୍ରେସକୁ ପୁଣି ଫେରିଛନ୍ତି ଶ୍ରୀକାନ୍ତ। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହୋଇଛି ମିଶ୍ରଣ ପର୍ବ। ୨୦୧୯ରେ ତାଙ୍କୁ କେତେକ କାରଣରୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ କଂଗ୍ରେସ ନେତା ବିନୀତ ପୁନିଆ ଉପସ୍ଥିତି ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ।
ମେଣ୍ଟ ହେବ କି ନାହିଁ, କାହାକୁ ଟିକେଟ ମିଳିବ ସବୁ ନିଷ୍ପତ୍ତି କେନ୍ଦ୍ର ନେବ: ଜୁଏଲ ଓରାମ
ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ବିଜେପିର କୋର୍ କମିଟି ବୈଠକ ଶେଷ ହୋଇଛି। ବୈଠକ ସମ୍ପର୍କରେ ସାଂସଦ ଜୁଏଲ ଓରାମ ଦେଇଛନ୍ତି ସୂଚନା । ସେ କହିଛନ୍ତି, ବୈଠକରେ ସମସ୍ତ ସିଟ ଉପରେ ଆଲୋଚନା ହୋଇଛି । ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଛି ।ମେଣ୍ଟ ଉପରେ ନିର୍ଦ୍ଦିଷ୍ଟ ଆଲୋଚନା ହୋଇନାହିଁ। ତେବେ ମେଣ୍ଟ ସମ୍ପର୍କରେ ଶେଷ ନିଷ୍ପତ୍ତି ଶୀର୍ଷ ନେତୃତ୍ୱ ନେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ।
କୋର୍ କମିଟିରେ ଥିବା ୧୮ ଜଣ ସଦସ୍ଯ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିବାବେଳେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ । ଏହା ସହ ପ୍ରଭାରୀ ବିଜୟପାଲ ସିଂହ ତୋମର ବି ଉପସ୍ଥିତ ଥିଲେ।
ବୋର୍ଡ ପରୀକ୍ଷା ବେଳେ ୨ ମହଲା ଝରକାରେ ଲଟକି ଯୋଗାଇଲେ କପି
ନନ୍ଦିଘୋଷ ବ୍ୟୁରୋ : ନା ଅଛି ପରୀକ୍ଷକଙ୍କ ଡର , ନା ଅଛି ଧରାପଡିବାର ଭୟ । ବୋର୍ଡ ପରୀକ୍ଷାରେ ବେଧଡକ କପି କଲେ ଛାତ୍ରଛାତ୍ରୀ । ହରିୟାଣାରେ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଗୁରୁଗ୍ରାମର ଏକ ପରୀକ୍ଷା କେନ୍ଦ୍ରରେ ଏପରି କପି ହେବାର ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯେ କେହି ମୁଣ୍ଡରେ ହାତ ଦେବେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଚନ୍ଦ୍ରବାତୀ ନାମକ ଏକ ସ୍କୁଲର ପରୀକ୍ଷା କେନ୍ଦ୍ରରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ କପି କରିବାର ସବୁ ସୀମା ଲଂଘି ଯାଇଛନ୍ତି ଛାତ୍ରଛାତ୍ରୀ । ମଙ୍ଗଳବାର ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହିଁ କାଗଜ ଫିଙ୍ଗିବା ଏବଂ ଛାତ, ଝରକାରେ ଚଢି ସହଯୋଗୀଙ୍କୁ କପି ଯୋଗାଇବା ପରି କାମ ଆରମ୍ଭ ହୋଇଯାଇଥିଲା । ଭାଇରାଲ ହୋଉଥିବା ଫଟୋରେ କିଛି ଲୋକ ପରୀକ୍ଷା କେନ୍ଦ୍ରର ପ୍ରଥମ ଏବଂ ଦ୍ୱିତୀୟ ମହଲା ଝରକାକୁ ଚଢି କପି ଯୋଗାଉଥିବାର ଚିତ୍ର ସାମ୍ନାକୁ ଆସିଛି ।
ପରୀକ୍ଷା ରୁମରେ ଏପରି ଭୟଙ୍କର କପି ଚାଲିଥିଲେ ମଧ୍ୟ ପରୀକ୍ଷକ କିଛି ଆକ୍ସନ ନେଇଛନ୍ତି କି ନାହିଁ ତାହା ଜଣା ପଡି ନାହିଁ । ଏସବୁ ଚାଲିଥିବା ବେଳେ ସ୍କୁଲ ବାହାରେ ଡ୍ୟୁଟିରେ ଥିବା ପୋଲିସ ମଧ୍ୟ କିଛି ଆପତ୍ତି ଜଣାଇନଥିବା ସ୍ଥାନୀୟ ଲୋକ କହିଛନ୍ତି । ଏହି ଚିତ୍ରକୁ ଭିଡ଼ ଭିତରେ ଥିବା କେହି ବ୍ୟକ୍ତି ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲା । ଯାହା ପରେ ବହୁ ପରିମାଣରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ରାଜସ୍ଥାନ ପୋଲିସର ୧୪ ଇନସପେକ୍ଟର ଗିରଫ, ଲିକ୍ ପେପର ସାହାଯ୍ୟରେ ହୋଇଥିଲେ ପାସ
ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ ପୋଲିସ ସବଇନସ୍ପେକ୍ଟର ଭର୍ତ୍ତି ପରୀକ୍ଷା ୨୦୨୧ ର ପେପର ଲିକ୍ ଘଟଣା । ସାମ୍ନାକୁ ଆସିଲା ବଡ଼ ଖୁଲାସା । ଲିକ୍ ପେପର ସାହାଯ୍ୟରେ ପାସ୍ ହୋଇଥିଲେ ପରୀକ୍ଷାର୍ଥୀ । ଏହି ଘଟଣାରେ ଗିରଫ ହୋଇଥିବା ୧୪ ଟ୍ରେନି ପୋଲିସଙ୍କ ମଧ୍ୟରେ ପୋଲିସ ଡିଏସପିଙ୍କ ପୁଅ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଡିଏସପିଙ୍କ ପୁଅ କରଣପାଲ ଗୋଦାରା ଏହି ପରୀକ୍ଷାରେ ୨୨ନଂ ରାଙ୍କ ହାସଲ କରିଥିଲେ । ସୂଚନା ଅନୁସାରେ କରଣପାଲଙ୍କ ପିତା ଓମପ୍ରକାଶ ଗୋଦାରା ଏବେ ନାଗୌର ଠାରେ ପୋଲିସ ଉପାଧ୍ୟକ୍ଷ ଅଛନ୍ତି । ଗିରଫ ହୋଇଥିବା ୧୪ ତାଲିମପ୍ରାପ୍ତ ପୋଲିସଙ୍କର ଆଜି ଫଟୋ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରେ ଟପ୍ପର ନରେଶ କୁମାରଙ୍କୁ ମଧ୍ୟ ଗରିଫ କରାଯାଇଛି ।
ପୋଲିସ ଅନୁଯାୟୀ, ଏହି ମାମଲାରେ ପେପର ଲିକ୍ ହେଇଥିବା ଜୟପୁରର ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ରାଜେଶ ଖଡେଲଓ୍ୱାଲଙ୍କୁ ମଧ୍ୟ ଗରଫ କରାଯାଇ ପଚରାଉଚରା କରାଯାଉଛି । ଗିରଫ ହୋଇଥିବା ଟ୍ରେନି ପୋଲିସଙ୍କ ମଧ୍ୟରୁ ଅଧିକାଂଶ ଜାଲୋର , ସାନଚୋର, ବାରମର୍, ଯୋଧପୁର ଏବଂ ଚୁରୁ ଜିଲ୍ଲାର ଅଟନ୍ତି ।

