spot_img
Home Blog Page 2209

ସୁନା ହାର ଦେବାକୁ ମନା କରିବାରୁ ସ୍ବାମୀଙ୍କ ହାତ ଭାଙ୍ଗିଦେଲା ସ୍ତ୍ରୀ

ଆଲିଗଡ: ଦବଙ୍ଗ ପତ୍ନୀକୁ ୬ ଲକ୍ଷର ସୁନା ହାର ଦେଇ ନ ପାରିବାରୁ ସ୍ବାମୀର ହାତ ଭାଙ୍ଗିଦେଲା ସ୍ତ୍ରୀ । ସ୍ବାମୀ ଏବେ ହସ୍ପିଟାଲ ବେଡରେ । ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏବେ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆଲିଗଡ଼ର କୋଟବାଲୀ ନଗରରେ ରହୁଥିବା ପୀଡ଼ିତ ୱାଜିଦ ଖାନ କହିଛନ୍ତି ଯେ, ୨୦୨୨ ଜୁଲାଇ ୧୭ରେ ଇକ୍ରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା | ମୁସଲମାନ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା । ଏହା ପରେ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୱାଜିଦ୍ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିବାହ ପରଠାରୁ ପତ୍ନୀ ଇକ୍ରା ସବୁବେଳେ ଯୁକ୍ତିତର୍କ କରନ୍ତି । ସବୁବେଳେ ଝଗଡ଼ା ଏବଂ ମାଡ଼ପିଟ କରୁଥିବାରୁ ଏ ନେଇ ନିକଟସ୍ଥ ପୋଲିସ୍ ଷ୍ଟେସନରେ ସ୍ବାମୀ ଅଭିଯୋଗ କରିଥିଲେ ।

ଇକ୍ରାଙ୍କ ବିରୋଧରେ ମାମଲା ଦାୟର ହୋଇଥିବା ସେ ଜାଣିବା ପରେ ତାଙ୍କ ବାପଘର ଲୋକେ ରାଗି ଯାଇଥିଲେ। ମାମଲା ଶାନ୍ତ ପଡ଼ିବା ପରେ ଦୁହେଁ ଅଲଗା ଘରେ ରହୁଥିଲେ । କିନ୍ତୁ ଇକ୍ରା ତାଙ୍କ ସ୍ବାମୀଙ୍କୁ ସବୁବେଳେ ହଇରାଣ କରୁଥିଲେ | କେବଳ ଏତିକି ନୁହେଁ, ଇକ୍ରାଙ୍କ ପରିବାର ସଦସ୍ୟ ଅତିକ୍ ଅହମ୍ମଦ ନାଁରେ ୱାଜିଦଙ୍କୁ ଧମକ ଦେଇଥିଲେ ଏବଂ ଇକ୍ରାଙ୍କୁ ୬ ଲକ୍ଷ ଟଙ୍କାର ଏକ ସୁନା ହାର କିମ୍ବା ତାଙ୍କ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ୱାଜିଦ୍ ପତ୍ନୀଙ୍କ ଏହି ଦାବି ପୂରଣ କରିବାକୁ ମନା କରିଦେଲେ । ଏହା ପରେ ପତ୍ନୀ କ୍ରୋଧିରେ ବେଲଣା କାଠିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ତାଙ୍କର ହାତ ଭାଙ୍ଗି ଯାଇଥିଲା। ପାଟିରେ ତକିଆ ଦେଇ ବି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଗଛକଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୩ ଆହତ

ଯାଜପୁର: ଗଛକଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଆହତ । ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅରୁଆଳ ଗାଁରେ ଏହି ଘଟଣା ଘଟିଛି । ଆକ୍ରମଣରେ ସୁବାସ ଜେନା ପ୍ରାଣ ହରାଇଛନ୍ତି । ଆହତ ହୋଇଛନ୍ତି ଉଭୟ ଗୋଷ୍ଠୀର ୩ଜଣ । ଆହତମାନେ ହେଲେ ବିକାଶ ପରିଡ଼ା, ଅମରେଶ ପରିଡ଼ା ଓ ଶ୍ରୀନିବାସ ଜେନା। ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୁବାସ ଜେନାଙ୍କ ଜମି ନିକଟରେ ଥିବା ଗୋଚର ଜମିରେ ଏକ ଗଛକଟାକୁ ନେଇ ପୂର୍ବରୁ ବିବାଦ ଲାଗିଥିଲା। ଅଭିଯୋଗ ପରେ କାଠ ଜବତ କରିଥିଲା ତହସିଲ ପ୍ରଶାସନ । ଆଜି ଏହି କାଠକୁ ବିକାଶ ପରିଡ଼ା ଓ ସହଯୋଗୀ ନେବା ସମୟରେ ଦୁଇଗୋଷ୍ଠୀ ହାତାହାତି ହୋଇଥିଲେ । ଆକ୍ରମଣରେ ସୁବାସ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ମୃତହେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ମାଲକାନଗିରି ପାଇଁ ମୋଟ୍ ୪ହଜାର ୧୮୦ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି ଲକ୍ଷ୍ମୀ ଯୋଜନା, ମାଲକାନଗିରିରୁ ହିଁ ହୋଇଛି ଅନେକ ବିକାଶମୂଳକ ଯୋଜନାର ଶୁଭାରମ୍ଭ। ମାଲକାନଗିରି ଜିଲ୍ଲାକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ବିକାଶର ହିସାବ ରଖିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ମାର୍ଚ୍ଚ ମାସରେ ଆସି ସେ ଲୋକଙ୍କଠାରୁ ୮୫୦ଟି ଦରଖାସ୍ତ ନେଇଥିଲେ। ଏହାମଧ୍ୟରୁ ୮ଶହ ଦରଖାସ୍ତ ପାଇଁ ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେସବୁ କାମ ଚାଲିଛି। ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ପୁଣି ୧୬କୋଟି ଟଙ୍କା ଅନୁମୋଦନ କରାଯାଇଛି। ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲା । ପ୍ରକଳ୍ପ ପାଇଁ ୪ହଜାର ୫କୋଟି ଟଙ୍କା ମଂଜୁର ହୋଇଛି ।

ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ଖୁବ୍ ଶୀଘ୍ର ଆରମ୍ଭ ହେବ କାମ । ମାଛକୁଣ୍ଡ ନଦୀ ଉପରେ ଦେଶୀଗୁଡ଼ା ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୪୦ କୋଟି, କୁମୁଟୁପୁଡା ନଦୀ ଉପରେ ଦାନାବେଡା ରାସ୍ତାରେ ସେତୁ ପାଇଁ ୨୭କୋଟି, କାଳିଆଘର ନାଳ ଉପରେ ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୨୦କୋଟି ଟଙ୍କା ମଂଜୁର ହୋଇଛି । ମାଲକାନଗିରି ଜିଲ୍ଲା ପାଇଁ ମୋଟ୍ ୪ହଜାର ୧୮୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ଆହୁରି ଅଧିକ ଲକ୍ଷ୍ମୀ ବସ୍ ଚଲାଇବା ପାଇଁ ହେଉଥିବା ଦାବି ଖୁବ୍ ଶୀଘ୍ର ପୂରଣ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ନୂଆ ସୂର୍ଯ୍ୟ । ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିଲେ । ଆକାଶ ପଥରେ ଯୋଡି ହୋଇଛି ମାଲକାନଗିରି । ବିମାନସେବାର ଲୋକାର୍ପଣ ପରେ ଫଟୋ ସୁଟ୍ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ । ଜିଲ୍ଲାକୁ ବିମାନସେବା ସ୍ବପ୍ନ ଭଳି ଲାଗୁଥିଲେ ବି ରାଜ୍ୟ ସରକାରଙ୍କ ଉଦ୍ୟମରେ ଆକାଶରେ ଉଡ଼ାଣ ଆଶା ପୂରଣ ହୋଇଛି ।

ପ୍ରାୟ ୨୩୩ ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ଇନଟୁ ୩୦ ମିଟର ରନଓ୍ବେ ନିର୍ମାଣ ହୋଇଛି । ୭୦ କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ଉନ୍ନତିକରଣ ହୋଇଛି । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି  । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶ ପଥରେ ଯୋଡି ହୋଇଛି ମାଲକାନଗିରି । ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।

୪ ବର୍ଷର ପୁଅକୁ ହତ୍ୟା କଲା CEO ମାଆ, ବ୍ୟାଗରେ ଧରି ଆସିଲାବେଳେ ଧରିଲା ପୋଲିସ

ବେଙ୍ଗାଲୁରୁ: ନିଜ ୪ ବର୍ଷର ପୁଅକୁ ମାରି ବ୍ୟାଗରେ ଭର୍ତ୍ତି କରି ଯାତ୍ରା କଲା ମାଆ । ବେଙ୍ଗାଲୁରୁର ଏକ AI କମ୍ପାନୀର CEOଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୁଅକୁ ଗୋଆରେ ହତ୍ୟା କରି ସେଠାରୁ ବେଙ୍ଗାଲୁରୁ ଆଣୁଥିଲେ ମହିଳା । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

ସୁଚନା ଅନୁସାରେ, ମହିଳାଙ୍କ ବୟସ ୩୯ ବର୍ଷ । ସେ ବେଙ୍ଗାଲୁରୁରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଅଛନ୍ତି । ସେ ଗୋଆର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଛାଡପତ୍ର ଦେଇଥିବା ପୂର୍ବତନ ସ୍ବାମୀ ସହ ପୁଅକୁ ଭେଟ କରାଇବାକୁ ଚାହୁଁନଥିଲେ ମହିଳା । ସେଥିଲାଗି ମହିଳା ଜଣକ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କେମିତି ଘଟିଥିଲା ଏ ହତ୍ୟାକାଣ୍ଡ?

ସୂଚନା ଅନୁସାରେ, ଗୋଆରେ ଏକ ହୋଟେଲରେ ରହିଥିଲେ ମହିଳା ଜଣଙ୍କ। ହୋଟେଲରୁ ଚେକ୍ ଆଉଟ୍ କରି ବାହାରିବା ପରେ ସେହି ହୋଟେଲର କର୍ମଚାରୀ ରୁମକୁ ଯାଞ୍ଚ କରିବାକୁ ଯାଇଥିଲେ। ସେତେବେଳେ ହୋଟେଲ ରୁମରେ ସେ ରକ୍ତର ଛିଟା ଦେଖିଥିଲେ। ଏହାପରେ ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ଗୋଆର ସ୍ଥାନୀୟ ପୋଲିସକୁ ସମ୍ପର୍କ କରିବା ପରେ ଗୋଆ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଯାଞ୍ଚରୁ ସମ୍ପୃକ୍ତ ମହିଳା ଜଣକ ପୁଅ ବିନା ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୂଚନା ହୋଟେଲରୁ ବାହାରି ଏକ ଟାକ୍ସି ଯୋଗେ ବେଙ୍ଗାଳୁରୁ ଯାଇଥିଲେ । ଏହାପରେ ଗୋଆ ପୋଲିସ ହୋଟେଲ କର୍ତ୍ତୃପକ୍ଷଙ୍କ ସମ୍ପର୍କ କରି ଟାକ୍ସି ଡ୍ରାଇଭର ନମ୍ବରକୁ ଯୋଗାଯୋଗ କରିଥିଲା। ଫୋନରେ ସମ୍ପର୍କ ହେବା ସମୟରେ ସେ କର୍ଣ୍ଣାଟକର ଚିତ୍ରଦୁର୍ଗ ଅଂଚଳରେ ଥିଲେ । ପୋଲିସ ତୁରନ୍ତ ଡ୍ରାଇଭରକୁ ସ୍ଥାନୀୟ ଥାନାକୁ ଗାଡି ନେଇଯିବାକୁ କହିଥିଲା। ଏହାପରେ ସ୍ଥାନୀୟ ଏମଙ୍ଗଳା ଥାନାର ଅଧିକାରୀଙ୍କୁ କାରରେ ଥିବା ମହିଳାଙ୍କ ବ୍ୟାଗ୍ ଯାଞ୍ଚ କରିବାକୁ କହିଥିଲେ। ଯାଞ୍ଚବେଳେ ବ୍ୟାଗରୁ ୪ ବର୍ଷ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ମାମଲାର ଛାନବିନ ପାଇଁ ଗୋଆ ପୋଲିସ ଚିତ୍ରଦୁର୍ଗ ଅଭିମୁଖେ ଯାତ୍ରା କରି ମହିଳାଙ୍କୁ ଟ୍ରାଜିଂଟ ରିମାଣ୍ଡରେ ଗୋଆ ଆଣି ଅଧିକ ତଦନ୍ତ କରିବ ।

 

ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍, ଭୋରରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବର: ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍ । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ । ଘରେ ଶୋଇଥିବା ବେଳେ ଭୋର ୫ଟା ସମୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ଗହଣା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଲା, ଲୁଟ ସମୟରେ ସ୍ବାମୀ ସ୍ତ୍ରୀ ଯେଉଁ ରୁମରେ ଶୋଇଥିଲେ ସେଇ ରୁମରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ, ବାସଭବନରେ ଚାଲିଛି ରେଡ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ପଞ୍ଚାନନ ବେହେରାଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ନୟାଗଡ ସହରର ଶ୍ରୀବିହାର ବାସଭବନରେ ଚଢ଼ାଉ ଜାରି ରହିଛି । ନୟାଗଡ଼ ଅଫିସ ଓ ଭଡା ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଛି । ଭୁବନେଶ୍ବର ଶୈଳଶ୍ରୀବିହାରରେ ଦୁଇ ମହଲା କୋଠା, ପାଣ୍ଡରାରେ ଏକ ମହଲା କୋଠା ଠାବ ହୋଇଛି । ସେହିପରି ସାଲେପୁର ବାଲିଆପଦା ସ୍ଥିତ ପୈତୃକ ବାସଭବନ ସାଙ୍ଗକୁ ସମ୍ପର୍କୀୟ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । ଖାନତଲାସିରେ ୬ ଡି,ସପି, ୩ ଇନ୍ସପେକ୍ଟର ଓ ୮ ଏଏସଆଇଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ୟୁରିଆ ମିଶା ପକୁଡି ଖାଇ ୪ ଗୁରୁତର, ସୋଡା ଭାବି ପକାଇ ଦେଇଥିଲେ ସାର

ଗଜପତି: ୟୁରିଆ ମିଶା ପକୁଡି ଖାଇ ୪ ଗୁରୁତର । ଘଟଣା ଘଟିଛି ଗଜପତି କାଶୀନଗର ବ୍ଲକ ଏସ ବୁରୁଡି ଗାଁରେ । ଘରେ ପକୁଡି ତିଆରି କରିବା ବେଳେ  ୟୁରିଆ ଗୁଣ୍ଡକୁ ସୋଡା ଭାବି ପକାଇ ଦେଇଥିଲେ ଘରର ବଡ଼ ଝିଅ । ପରିବାର ସଦସ୍ୟ ଖାଇବା ପରେ ଜଣେ ଶିଶୁ ସମେତ ପରିବାରର ଅନ୍ୟ ତିନି ସଦସ୍ୟ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଅସୁସ୍ଥ ୪ ଜଣଙ୍କୁ କାଶୀନଗର ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନା ଅନୁସାରେ, ଜମିରେ ସାର ପକାଇବା ପରେ ବଳକା କିଛି ସାର ଗୁଣ୍ଡ ଏକ ଡବାରେ ରଖିଥିଲେ ବାପା । ହେଲେ ଗତକାଲି ସନ୍ଧ୍ୟାରେ ପକୁଡ଼ି ପ୍ରସ୍ତୁତ ପିଠଉରେ ଖାଇବା ସୋଡା ଭାବି ୟୁରିଆ ଗୁଣ୍ଡ ମିଶାଇ ପକୁଡ଼ି ପ୍ରସ୍ତୁତ କରିଥିଲେ ଘରର ବଡ଼ ଝିଅ । ଯାହାକୁ ଖାଇବା ପରେ ବେହୋସ୍ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ ପରିବାର ଲୋକେ ।

 

ବ୍ରହ୍ମପୁରରେ ଉତ୍ପାଦନ ହେବ ଆନ୍ଥ୍ରାକ୍ସ ଓଇଏନଟିଭି ଟିକା

ବ୍ରହ୍ମପୁର: ବ୍ରହ୍ମପୁରରେ ଉତ୍ପାଦନ ହେବ ଆନ୍ଥ୍ରାକ୍ସ ଓଇଏନଟିଭି ଟିକା  । ଏନେଇ ଅତ୍ୟାଧୁନିକ ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ  ଚୁକ୍ତିନାମା ସ୍ବାକ୍ଷରିତ । ଚୁକ୍ତିନାମା ସ୍ବାକ୍ଷରିତ ବେଳେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପସ୍ଥିତ ରହିଥିଲେ  ।  ୩୬ ମାସ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ଅତ୍ୟାଧୁନିକ ଲାବୋରେଟୋରୀ  ।  ବାର୍ଷିକ ୫୦ ଲକ୍ଷ ଆନ୍ଥ୍ରାକ୍ସ ଓ ୨ କୋଟି ଇ.ଏନ୍‌.ଟି.ଭି ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଚୁକ୍ତିନାମାରେ ପ୍ରାଣୀପାଳନ ଓ ପାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରମାଶିଷ ହାଜରା ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ସିନିୟର ଜେନେରାଲ୍‌ ମ୍ୟାନେଜର ସୁନୀଲ ସିହ୍ନା ସ୍ବାକ୍ଷର କରିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଫଳରେ ରାଜ୍ୟ ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପ୍ରାଣୀପାଳନ ରାଜ୍ୟର ଚାଷୀମାନଙ୍କ ରୋଜଗାର ଓ ଆୟବୃଦ୍ଧି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି  । ଏହା ରାଜ୍ୟର ପ୍ରାଣୀସଂପଦ କଲ୍ୟାଣ କ୍ଷେତ୍ର୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛି ମନ୍ତ୍ରୀ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ବରିଷ୍ଠ ଜେନେରାଲ ମ୍ୟାନେଜର  ସୁନୀଲ ସିହ୍ନା, ନାବାର୍ଡର ସିଜିଏମ୍‌ ସୁଧାଂଶୁ କେ. କେ. ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ  ।

ବାଂଲାଦେଶରେ ସରୁନି ଟେନସନ୍, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଆହ୍ବାନ ଦେଲା ବାଂଲାଦେଶ ନ୍ଯାସନାଲ ପାର୍ଟି

ଢାକା: ସରିଲା ବାଂଲାଦେଶ ନିର୍ବାଚନ। ମାତ୍ର ସରୁନି ଟେନସନ। ଆଜିଠାରୁ ସାରା ଦେଶରେ ଆଓ୍ବାମି ଲିଗ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛି ବିରୋଧୀ ବାଂଲାଦେଶ ନ୍ଯାସନାଲ ପାର୍ଟି। ସରିଥିବା ନିର୍ବାଚନରେ କମ୍ ଭୋଟ ହାର ହୋଇଥିବାରୁ ଭୋଟ ବର୍ଜନର ପ୍ରଭାବ ପଡିଛି ବୋଲି କହିଛି ବିଏନପି ଓ ସହଯୋଗୀ ଦଳ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜରିଆରେ ଜନଅଧିକାରକୁ ସାବ୍ଯସ୍ତ କରିବାକୁ ଦଳ ଉଦ୍ଯମ କରିବ ବୋଲି କହିଛନ୍ତି ବିଏନପି ନେତା।

ଦ୍ବାଦଶ ଜାତୀୟ ନିର୍ବାଚନରେ ବିଏନପି ସମେତ ଅନେକ ଦଳ ଭାଗ ନନେଇ ଭୋଟ ବର୍ଜନ କରିଥିଲେ। ଅନେକ ବିଏନପି ନେତାଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ଦାୟର ହୋଇଥିବା ସୂଚନା ମିଳିଛି। ଏହି ସଂସଦୀୟ ନିର୍ବାଚନ ଫେକ୍ ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କ୍ରମେ ଆମେରିକା ଓ ବିଶ୍ବ ସମୁଦାୟର ପ୍ରତିକ୍ରିୟା ଉପରେ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ଦଳର ନେତା ମୋଯିମ ଖାଁ। ଗତ ୭ ତାରିଖରେ ହୋଇଥିବା ଭୋଟରେ ଆଓ୍ବାମି ଲିଗ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ପଞ୍ଚମ ଥର ଲାଗି ଶେଖ ହାସିନା ପ୍ରଧାନମନ୍ତ୍ରୀ ହେବା ଲାଗି ବାଟ ଫିଟାଇଥିଲା। ୩ ଶହ ଆସନ ମଧ୍ୟରୁ ଆଓ୍ବାମି ଲିଗକୁ ୨୦୦ ଆସନ ମିଳିଥିବା ଘୋଷଣା କରାଯାଇଥିଲା। ୧୯୮୬ରୁ ଲଗାତାର ଅଷ୍ଟମ ଥର ଲାଗି ଗୋପାଳଗଞ୍ଜ-୩ ଆସନରୁ ବିଜୟୀ ହୋଇଥିଲେ ହାସିନା। ଏହି ଆସନରେ ହାସିନା ୨ ଲକ୍ଷ ୪୯ ହଜାର ଭୋଟ ପାଇଥିବାବେଳେ ପ୍ରତିପକ୍ଷ ତଥା ବାଂଲାଦେଶ ସୁପ୍ରିମପାର୍ଟି ପ୍ରାର୍ଥୀ ଏମ. ନିଜାମ ଉଦ୍ଦିନ ଲସକର ମାତ୍ର ୪୬୯ ଭୋଟ ପାଇଥିଲେ।