ପ୍ରସିଦ୍ଧ ଆଇନଜୀବୀ ତଥା ସାମ୍ବିଧାନିକ ବିଶେଷଜ୍ଞ ଫଲି ଏସ. ନରିମାନଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ପ୍ରସିଦ୍ଧ ଆଇନଜୀବୀ ତଥା କିମ୍ବଦନ୍ତୀ ସାମ୍ବିଧାନିକ ବିଶେଷଜ୍ଞ ଫଲି ଏସ. ନରିମାନ । ନୂଆଦିଲ୍ଲୀରେ ୯୫ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ନରିମାନ । ସେ ନଭେମ୍ବର ୧୯୫୦ରେ ବମ୍ବେ ହାଇକୋର୍ଟରେ ଆଇନଜୀବୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘ ୭୦ ବର୍ଷରୁ ଅଧିକ ଦିନ ଧରି ସେ ଆଇନ ସେବା କରିଆସିଥିଲେ ।

ସେ ବମ୍ବେ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ କାର୍ଯ୍ୟ କରି ଅନେକ ସଫଳତା ଲାଭ କରିଥିଲେ । ୧୯୭୨ରେ ସେ ସୁପ୍ରିମକୋର୍ଟରେ ଯୋଗ ଦେଇଥିଲେ । ମେ ୧୯୭୨ରେ ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ବ ନେଇଥିଲେ । ୧୯୯୧ଜାନୁଆରୀରେ ନରିମାନ ପଦ୍ମଭୂଷଣ ଓ ୨୦୦୭ରେ ପଦ୍ମବିଭୂଷଣ ସମ୍ମାନରେ ବିଭୂଷିତ ହୋଇଥିଲେ ।

୧୯୯୧ ରୁ ୨୦୧୦ଯାଏ ସେ ବାର୍ କାଉନସିଲ ଅଫ ଇଣ୍ଡିଆର ସଭାପତି ଥିଲେ । ଏହା ସହ ୧୯୮୯ ରୁ ୨୦୦୫ ଯାଏ ଆନ୍ତର୍ଜାତିକ ଚାମ୍ବର ଅଫ କମର୍ସର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଆର୍ବିଟ୍ରେସନର ଉପାଧ୍ୟକ୍ଷ ଥିଲେ । ଏହା ସହ ୧୯୯୫ରୁ ୧୯୯୭ ଇଣ୍ଟରନ୍ୟାସନାଲ କମିଶନ ଅଫ ଜୁରିଷ୍ଟସ କାର୍ଯ୍ୟନିର୍ବାହୀ କମିଟିର ଅଧ୍ଯକ୍ଷ ଥିଲେ ।