spot_img
Home Blog Page 2194

ବଡ଼ଭାଇର ମୃତ୍ୟୁ ପରେ ବି ସାଥ ଛାଡି ନାହାନ୍ତି ସାନଭାଇ, ଏବେ ଗରିବୀ ସାଜିଛି ବାଧକ

ପୁରୀ: ଭାଇର ପରିବାର ପାଇଁ ସାହା ହୋଇଛି ଭାଇ । ବଡ ଭାଇର ମୃତ୍ୟୁ ପରେ ତାଙ୍କ ମାନସିକ ବିକୃତ ସ୍ତ୍ରୀ, ଝିଅ ଓ ପୁଅକୁ ସମ୍ଭାଳିଛନ୍ତି ସାନ ଭାଇ । ହେଲେ ତିନି ଜଣଙ୍କ ଔଷଧ ଖର୍ଚ୍ଚ ତୁଳାଇବା ପାଇଁ ଏବେ ସେ ସକ୍ଷମ ନୁହଁନ୍ତି । ଗରିବି ସାଜିଛି ସମସ୍ୟା । ତିନି ଜଣଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସାନ ଭାଇ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି ଏଭଳି ଖବର ।

ଭାଇ ହେବ ତ ଏମିତି । ବଡ଼ଭାଇର ମୃତ୍ୟୁ ପରେ ବି ସାଥ ଛାଡି ନାହାନ୍ତି । ମାନସିକ ବିକୃତ ଭାଉଜ, ଝିଆରୀ ଓ ପୁତୁରାର ଦାୟିତ୍ବ ନେଇଛନ୍ତି । ତିନି ଜଣଙ୍କ ଅଳି ଅର୍ଦ୍ଦଳି ସହୁଛନ୍ତି ସାନଭାଇ । ହେଲେ ଗରିବୀ ସାଜିଛି ବାଧକ । ସେମାନଙ୍କ ଚିକିତ୍ସା ପାଇଁ ଏବେ ସହାୟତା ମାଗୁଛନ୍ତି ପୁରୀ ବରପଦା ଗାଁର ଦେବେନ୍ଦ୍ର ଲେଙ୍କା । ବଡ ଭାଇ ରାଜକିଶୋର ଲେଙ୍କାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ବେସାହାରା ହୋଇ ପଡିଥିଲେ । ସେମାନଙ୍କ ଦାୟିତ୍ବ ନେବାକୁ କେହି ନଥିଲେ । ଫଳରେ ନିଜ ପରିବାରର ଅଙ୍ଗ ଭାବି ଏମାନଙ୍କ ଦାୟିତ୍ବ ମୁଣ୍ଡ ଉପରକୁ ନେଇଛନ୍ତି ଦେବେନ୍ଦ୍ର । ହେଲେ ତିନି ଜଣଙ୍କୁ ପୋଷିବାରେ ଦେବେନ୍ଦ୍ରଙ୍କ ବୃଦ୍ଧାବସ୍ତା ଏବଂ ଗରିବୀ ବାଧକ ସାଜିଛି । ଏବେ ସେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ଭାଉଜ, ଝିଆରୀ ଓ ପୁତୁରାଙ୍କ ସେବାରେ ଦିନ ଦିନ ବିତାଇ ଦେଇଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ରଙ୍କ ଏହି ବଳିଦାନକୁ ପ୍ରଶଂସା କରିବା ସହ ଏହି ମାନସିକ ବିକୃତଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ ପାଇଁ ବନ୍ଦୋବସ୍ତ କରାଇବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସେପଟେ ତିନି ମାନସିକ ବିକୃତଙ୍କ ଅତିଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ତହସିଲଦାର ।

 

ଏହି ମାମଲାରେ ବଲିଉଡର ସୁପରଷ୍ଟାରଙ୍କୁ ମଧ୍ୟ ପଛରେ ପକାଇଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ଏଭରଗ୍ରୀନ ଷ୍ଟାର ଅକ୍ଷୟ କୁମାରଙ୍କ ଅନେକ ହିଟ୍ ଫିଲ୍ମ ରହିଛି । ତାଙ୍କ କେମଡି ସାଙ୍ଗକୁ ଆକ୍ସନକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ତେବେ କରୋନା ପରେ ଲଗାତାରଭାବେ ଫ୍ଲପ ଫିଲ୍ମର ସମାନା କରିଥିଲେ ଅକ୍ଷୟ କୁମାର। କିନ୍ତୁ ୨୦୨୩ରେ ରିଲିଜ ହୋଇଥିବା OMG-2 ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି । ତେବେ ଅକ୍ଷୟ କୁମାର ଯେତେ ଫ୍ଲପ ଫିଲ୍ମ ଦେଲେ ମଧ୍ୟ ସଲମାନ, ଶାହାରୁଖ ଏବଂ ଅମୀର ଖାନଙ୍କଠାରୁ ଉପରେ ରହିଛନ୍ତି । ’ସକସେସ ଆକ୍ଟର ଅଲଟାଇମ’ ମାମଲାରେ ଆଗରେ ରହିଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କ ୨ଟି ବ୍ଲକବ୍ଲାଷ୍ଟର, ୧୩ଟି ସୁପରହିଟ୍, ୧୭ଟି ହିଟ ଏବଂ ୬ଟି ସେମି ହିଟ୍ ଏବଂ ୧୫ ଆଭରେଜ ସାଙ୍ଗକୁ ୫୩ ପଏଣ୍ଟ ସହ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ।

ତେବେ ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଜୟ ଦେବଗନ । ସେ ୩୮ ପଏଣ୍ଟ ପାଇଥିବାବେଳେ ବଲିଉଡର ଖାନ ଶାହାରୁଖ ଖାନ ୩୬ ପଏଣ୍ଟ ପାଇଛନ୍ତି । ଯଦି ଆମେ ସଲମାନ ଖାନଙ୍କ କଥା କହିବା ତାହେଲେ ସେ ୩୪ ପଏଣ୍ଟ ପାଇଛନ୍ତି । ତାଙ୍କ ପଛକୁ ରହିଛନ୍ତି ସୁନୀଲ ସେଟ୍ଟୀ, ସଞ୍ଜୟ ଦତ୍ତ ଏବଂ ଅମିତାଭ ବଚ୍ଚନ । ଅମୀର ଖାନ ଦଶମ ସ୍ଥାନରେ ରହିଛନ୍ତି ।

କ୍ରିକେଟ ମଇଦାନରେ ଚାଲିଗଲା ଜୀବନ

ମୟୂରଭଞ୍ଜ: କ୍ରିକେଟ ଖେଳ ବେଳେ ଚାଲିଗଲା ଜୀବନ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରି ମିନି ଷ୍ଟାଡିୟମରେ ଅଘଟଣ  । ଖେଳୁଥିବାବେଳେ ଖେଳାଳିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମାଣତ୍ରି ଗାଁର ବିକାଶ କର । ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିବାବେଳେ ହଠାତ ବିକାଶ ତଳେ ପଡ଼ିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶର ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିବ ପାଗ। ଆସନ୍ତା ୧୭ ତାରିଖରୁ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ଥିବାରୁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ସେପଟେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ ସହ ଘନ କୁହୁଡିର ଆସ୍ତରଣ ଅସ୍ତବ୍ୟସ୍ତ କରିବ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ପରିମାଣର ରହୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା ରହିବ । ଗତ ୨୪ ଘଣ୍ଟା ମଧ୍ୟରେ କିରେଇରେ ସର୍ବନିମ୍ନ ୭.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଗୋପାଳପୁର ଏବଂ ଫୁଲବାଣୀରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ବାରିପଦା ଏବଂ ଭବାନୀପାଟଣାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହୋଇଛି।

ଭାରତ ବନାମ ଆଫଗାନିସ୍ତାନ ଦ୍ବିତୀୟ ଟି-୨୦, ଏହି ରେକର୍ଡ କରିବେ ରୋହିତ

ନନ୍ଦିଘୋଷ ବ୍ୟୁରୋ: ରବିବାର ଆଫଗାନିସ୍ତାନ ବିପକ୍ଷରେ ଦ୍ବିତୀୟ ଟି-୨୦ ଖେଳିବ ଭାରତ । ତେବେ ଏହି ମ୍ୟାଚରେ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ବିଶ୍ବର ପ୍ରଥମ ଖେଳାଳିଭାବେ ୧୫୦ ଟି-୨୦ ମ୍ୟାଚ ଖେଳିବେ ହିଟମ୍ୟାନ୍ । ୨୦୦୭ ମସିହାରୁ ନିଜର ଟି-୨୦ କ୍ୟାରିୟର ଆରମ୍ଭ କରିଥିବା ରୋହିତ ଆଜି ନିଜର ୧୫୦ତମ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛନ୍ତି । ସେପଟେ ପ୍ରଥମ ଟି-୨୦ ଭାରତ ଜିତିଥିବାବେଳେ ରୋହିତ ହେଉଛନ୍ତି ପ୍ରଥମ ଖେଳାଳି ଯିଏକି, ୧୦୦ ଟି-୨୦ରେ ୧୦୦ ମ୍ୟାଚ ଜିତିବା ଦଳର ଆଂଶ ହୋଇଛନ୍ତି । ପ୍ରଥମ ଟି-୨୦ରେ ରୋହିତ ରନ ଆଉଟ ହୋଇଥିଲେ । ମାତ୍ର ଆଜିର ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି ।

ଆନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୧୮୨ ଛକା ମାରିଥିବାବେଳେ ଚୌକା ମାମଲାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଟି-୨୦ରେ ରୋହିତ ୪ଟି ଶତକ ମାରିଥିବାବେଳେ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହି ଟେନିସ ଖେଳାଳିଙ୍କ ମେସେଜର ରିପ୍ଲାଏ ଦେଇନଥିଲେ ବିରାଟ, କହିଲେ ଡରରେ..

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଫ୍ୟାନ, ଫଲୋର୍ସ ଭଲ ରହିଛି । କେହାଲିଙ୍କୁ ବିଶ୍ବର ଅନେକ ସେଲିବ୍ରେଟି ମଧ୍ୟ ପସନ୍ଦ କରନ୍ତି । ତେବେ ପ୍ରସିଦ୍ଧ ଟେନିସ ଖେଳାଳି ୨୪ଥର ଗ୍ରାଣ୍ଡ ସ୍ଲାମ ବିଜେତା ନୋବାକ ଜୋକବିଚଙ୍କ ମେସେଜର ରିପ୍ଲାଏ ଦେବାରେ ବିଳମ୍ବ କରିଥିଲେ ବିରାଟ । ଦୀର୍ଘଦିନ ପରେ ଟି-୨୦ ଦଳରେ ସାମିଲ ହୋଇଥିବା କୋହଲି ପ୍ରେସମିଟରେ ଏଭଳି ନୋବାକ ଜୋକବିଚଙ୍କ ସମ୍ପର୍କରେ କହିଛନ୍ତି । ସେମାନଙ୍କ ବନ୍ଧୁତ୍ବ ସମ୍ପର୍କରେ କହିଥିଲେ କୋହଲି । ପ୍ରଥମେ ସେମାନଙ୍କ ବନ୍ଧୁତ୍ବ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଛି । ପ୍ରଥମେ କୋହଲି ଟେନିସ ତାରକାରଙ୍କ ପ୍ରୋଫାଇଲ ଚେକ୍ କରୁଥିଲେ । ମାତ୍ର ଦେଖିବା ବେଳକୁ ସେ ତାଙ୍କୁ ମେସେଜ କରିଥିବା ବିରାଟ ଦେଖିବାକୁ ପାଇଥିଲେ । ପ୍ରଥମେ ବିରାଟ ଏହାକୁ ବିଶ୍ବାସ କରିନଥିଲେ । ଭାବିଥିଲେ କି, ଏହା ଫେକ୍ ଆଇଡି ହୋଇପାରେ । ମାତ୍ର ପଛରେ ଜାଣିଥିଲେ କି, ଏହା ଜୋକବିଚଙ୍କ ଆକାଉଣ୍ଟ । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ସହ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା । ବିରାଟ ଏଭଳି କହିଥିବା ଭିଡିଓକୁ ବିସିସିଆଇ ପକ୍ଷରୁ ପୋଷ୍ଟ କରାଯାଇଛି ।

ସୂଚନା ଥାଉକି, ବିରାଟ କୋହଲି ଦୀର୍ଘଦିନ ହେବ ଟି-୨୦ ଖେଳିନଥିଲେ । ମାତ୍ର ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ କୋହଲି ରବିବାର ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟି-୨୦ ଖେଳିବେ । ଏଣୁ ଏଥିରୁ ସ୍ପଷ୍ଟଭାବେ ଜଣାପଡ଼ୁଛି କି, ଟି-୨୦ ବିଶ୍ବକପ ଦଳରେ ସାମିଲ ହୋଇପାରନ୍ତି କୋହଲି ।

ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା

ନନ୍ଦିଘୋଷ ବ୍ୟୁରୋ: ଦଳ ଛାଡ଼ିଲେ କଂଗ୍ରେସ ନେତା ମିଲିନ୍ଦ ଦେଓରା । କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ଦେଓରାଙ୍କ ପୁଅ । ସେ କହିଛନ୍ତି ଆଜିଠାରୁ କଂଗ୍ରେସ ସହ ତାଙ୍କ ପରିବାରର ଥିବା ୫୫ ବର୍ଷର ସମ୍ପର୍କକୁ ସେ ଛିନ୍ନ କରିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ମୁମ୍ବାଇ ସାଉଥ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଢିବା ଲାଗି ଆଶାୟୀ ଥିଲେ ମିଲିନ୍ଦ । ତେବେ ଏହି ଆସନ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ସେ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ଯାଏ ମୁମ୍ବାଇ ସାଉଥ ଆସନରୁ ସାଂସଦ ଥିବା ସହ କେନ୍ଦ୍ରମନ୍ତ୍ରୀ ଥିଲେ ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଷ୍ଟମଥର ଲାଗି ଇଡିର ସମନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଷ୍ଟମ ଥର ଲାଗି ଜାରି ହୋଇଛି ସମନ । ଆସନ୍ତା ଜାନୁଆରୀ ୧୬ରୁ ୨୦ ମଧ୍ୟରେ ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜାନୁଆରୀ ୧୬ରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ଲାଗି ହେମନ୍ତଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କୁ ନିର୍ଦ୍ଦେଶ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ଅର୍ଥଚାଲାଣ ଓ ବେଆଇନ ଖଣି ମାମଲାରେ ହେମନ୍ତକୁ ବାରମ୍ବାର ସମନ ଜାରି କରିଆସୁଛି ଇଡି । ପୂର୍ବରୁ ଅଭିଷେକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିବସବ୍ୟାପୀ ସର୍ଚ୍ଚ ଅପରେସନ କରିଥିଲା । ଦୁର୍ନୀତି ମାମଲାରେ ଅଭିଷେକ ପ୍ରସାଦ ଓ ସାହେବଗଞ୍ଜ ଡେପୁଟି କମିଶନର ରାମ ନିବାସ ଯାଦବଙ୍କ ଘର ସମେତ ୧୨ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାମ ନିବାସଙ୍କ ଘରୁ ୭ ଲକ୍ଷରୁ ଅଧିକ ଟଙ୍କା ଓ ୨୧ଟି କାଟ୍ରିଜ ଜବତ କରିଥିଲା ଇଡି । ପୂର୍ବରୁ ଗତ ୨୦୨୩ ଅଗଷ୍ଟ ୧୪, ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଅକ୍ଟୋବର ୪, ଡିସେମ୍ବର ୧୨, ଡିସେମ୍ବର ୩୦ରେ ହାଜର ହେବା ଲାଗି ସମନ ଜାରି କରିଥିଲା ଇଡି ।

ପୁତ୍ରହତ୍ୟା ଅଭିଯୋଗ ମାମଲା, ଥାନାରେ ସୂଚନା ସେଠ ଓ ସ୍ବାମୀ ଭେଙ୍କଟରମଣଙ୍କ କଥାକଟାକଟି

ନନ୍ଦିଘୋଷ ବ୍ୟୁରୋ: ପୁତ୍ରହତ୍ୟା ଅଭିଯୋଗ ମାମଲା । ଥାନାରେ ସୂଚନା ସେଠ ଓ ସ୍ବାମୀ ଭେଙ୍କଟରମଣଙ୍କ କଥାକଟାକଟି । ଏହି ଘଟଣା ଲାଗି ସ୍ବାମୀ ଭେଙ୍କଟରମଣ ହିଁ ଦାୟୀ ବୋଲି କହିଛନ୍ତି ଅଭିଯୁକ୍ତା ସୂଚନା । ପୁତ୍ରକୁ ସୂଚନା ହିଁ ହତ୍ୟା କରିଛନ୍ତି ବୋଲି ସ୍ବାମୀ ଭେଙ୍କଟରମଣ କହିଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ସୂଚନା । ତେଣେ ଯଦି ପୁତ୍ରକୁ ହତ୍ୟା କରାଯାଇନାହିଁ ତେବେ ପୁଅର କିପରି ମୃତ୍ୟୁହେଲା ବୋଲି ପ୍ରଶ୍ନ କରିଛନ୍ତି ଭେଙ୍କଟରମଣ। ଗୋଆର କାଲନଗୁଟ ପୋଲିସ ଷ୍ଟେସନରେ ଉଭୟଙ୍କୁ ଜେରା ବେଳେ ଦୁହେଁ ମୁହାଁମୁହିଁ ହୋଇଛନ୍ତି । ଭେଙ୍କଟରମଣଙ୍କ ୫ ପୃଷ୍ଠାର ବୟାନକୁ ପୋଲିସ ରେକର୍ଡ କରିଛି । ନିଜ ବୟାନରେ ଭେଙ୍କଟରମଣ କହିଛନ୍ତି ତାଙ୍କୁ ସର୍ବଦା ଜଣେ ହିଂସ୍ର ବ୍ୟକ୍ତିଭାବେ ସୂଚନା ବିବେଚନା କରିଥାନ୍ତି । ସେ ପୁଅକୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ । ମାତ୍ର ପୁଅକୁ ସାଥୀରେ ନେଇ ସୂଚନା ଘର ଛାଡିଥିଲେ ଏବଂ ଗତବର୍ଷ ବେଙ୍ଗାଳୁରରେ ଛାଡପତ୍ର ଲାଗି ଆବେଦନ କରିଥିଲେ। ଗତ ଜାନୁଆରୀ ୭ରେ ପୁଅକୁ ଦେଖିବା ଲାଗି ଭେଙ୍କଟରମଣ ବେଙ୍ଗାଳୁରୁ ଆସିଥିଲେ । ମାତ୍ର ସେ ପହଞ୍ଚିବାବେଳେ ପୁଅ ସହ ସୂଚନା ଗୋଆ ଚାଲିଯାଇଥିଲେ।

ଭିଜିଲାନ୍ସ ଏସପି ପରିଚୟ ଦେଇ ଠକୁଥିବା ଅଧ୍ୟାପକଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ପୋଲିସ ଜାଲରେ ଠକ ଅଧ୍ୟାପକ । ନିଜକୁ ଭିଜିଲାନ୍ସ ଏସପି ପରିଚୟ ଦେଇ ଠିକାଦାରଙ୍କୁ ଲଗାଇଥିଲେ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ । ପେଶା ଶିକ୍ଷାଦାନ ହୋଇଥିବା ବେଳେ ଅଧ୍ୟାପକଙ୍କ କାମ ଥିଲା ଅନ୍ୟଙ୍କୁ ଚୂନ ଲଗାଇ ସେମାନଙ୍କ ପାଖରୁ ଟଙ୍କା ଲୁଟିବା ।

ଅଭିଯୋଗ ଅନୁସାରେ, ଗତବର୍ଷ ମେ’ ୩୧ ତାରିଖରେ ରାୟଗଡା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ଗିରଫ କରିଛି ପୋଲିସ । ଏତଲାକାରୀଙ୍କୁ ଠକ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ କାମ ହେବ ବୋଲି କହିଥିଲେ । ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲା ଠକ । ଏପରିକି ବିଶ୍ବାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ଦେଇଥିଲା ଠକ । ଏହାପରେ ମନୋଜକୁ ପ୍ରଥମେ ଅନଲାଇନରେ ୫ ଲକ୍ଷ ଓ ପରେ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ । ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନଥିଲା ଅଭିଯୁକ୍ତ । ତଦନ୍ତ ପରେ କେସ ନମ୍ବର ୫୦ ଦଫା ୪୧୯, ୪୨୦, ୪୬୭, ୪୬୮ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ । ଅଭିଯୁକ୍ତ ନାଁରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । ମନୋଜ ମାଝୀଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ ହୋଇଛି ।