spot_img
Home Blog Page 2184

ଆପାର୍ଟମେଣ୍ଟ ଲୁଟ୍ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ

ଭୁବନେଶ୍ବର: କମିଶନରେଟ ପୋଲିସର ନିଦ ହଜାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ଆପାର୍ଟମେଣ୍ଟ ଲୁଟେରାକୁ ଧରିବା ପାଇଁ ଜରୁରୀ ବୈଠକ । ରାଜଧାନୀରେ ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି ପୋଲିସ କମିଶନର । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରାଯାଇଛି । ଅଧିକାଂଶ ଲୁଟର ତରିକା ସମାନ ଥିବାରୁ ପୁଣିଥରେ ଜିରୋ ରୁ ସ୍ୱତନ୍ତ୍ର ଟିମ କରି ତଦନ୍ତ ଆରମ୍ଭ କରିବ ବୋଲି କହିଛନ୍ତି ପୋଲିସ କମିଶନର ।

ଆପାର୍ଟମେଣ୍ଟ ଲୁଟ ରୋକିବାକୁ ପୋଲିସର ଆକ୍ସନ ପ୍ଲାନ । ଜିରୋ ରୁ ତଦନ୍ତ ଆରମ୍ଭ କରିବ କମିଶନରେଟ ପୋଲିସ । ସିସିଟିଭି ଫୁଟେଜକୁ ନେଇ ତର୍ଜମା କଲେ ପୋଲିସ କମିଶନର । ତୁରନ୍ତ ଲୁଟେରାଙ୍କୁ ଗିରଫ ସହ ସମ୍ପତି ରିକଭରିକୁ ଫୋକସ । ଗତ ୧ ମାସରୁ ଅଧିକ ଧରି ରାଜଧାନୀର ବିଭିନ୍ନ ଅପାର୍ଟମେଣ୍ଟ ଲୁଟ ଘଟଣାକୁ ନେଇ ଆଜି ସମସ୍ତ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ସବୁ ଘଟଣାରେ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ ତର୍ଜମା କରିବା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କେଉଁ ଘଟଣାର ତଦନ୍ତ କେତେବାଟ ଗଲା ଏନେଇ ସମୀକ୍ଷା ହୋଇଛି । ତେବେ ସବୁ ଚୋରିର ପୁଣିଥରେ ଜିରୋରୁ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ଗତ ୫ ମାସରେ ୧୨ରୁ ଅଧିକ ଅପାର୍ଟମେଂଟର ୨୨ରୁ ଅଧିକ ଫ୍ଲାଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସବୁ ଘଟଣାରେ ସିସିଟିଭି ଫୁଟେଜ ଜବତ ହୋଇଛି । ଅଧିକାଂଶ ଘଟଣାରେ ସମାନ ତରିକାରେ ହୋଇଛି ଚୋରି । ଯେଉଁ ସବୁ ଅପାର୍ଟମେଂଟ ରୁ ଚୋରି ହୋଇଛି, ସେସବୁ ଅପାର୍ଟମେଂଟର ସୁରକ୍ଷାକର୍ମୀଙ୍କୁ ଜେରା କରାଯାଇଛି । ଆସନ୍ତାକାଲି ଅପାର୍ଟମେଂଟ ବାସୀଙ୍କ ସହ ଆଲୋଚନା କରି ସୁରକ୍ଷା ଦିଗରେ ଆଲୋଚନା କରିବ ପୋଲିସ ।

ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଦେଶରେ ଲାଗୁ ହେବ ନୂଆ ଆଇନ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି। ଆଇପିସିର ସ୍ଥାନ ନେବ ନୂଆ ଫୌଜଦାରୀ ଆଇନ। ସରକାର ଏହାକୁ ନେଇ ଔପଚାରିକ ଘୋଷଣା ମଧ୍ୟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୩ ନୂଆ ଆଇନ ବ୍ୟବସ୍ଥାକୁ ସଂସଦରେ ପୂର୍ବରୁ ପାରିତ ହୋଇଛି। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଡିସେମ୍ବରରେ ଏହି ୩ ବିଧେୟକକୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ୧୮୬୦ର ଇଣ୍ଡିଆନ ପେନାଲ କୋଡ, ୧୯୭୩ ମସିହାର ସିଆରପିସି ଏବଂ ୧୮୭୨ ମସିହାର ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ ଏହି ନୂତନ ୩ ଆଇନ।

ବାଇକରେ ବୁଲିଲେ 5T ଅଧ୍ୟକ୍ଷ

ଭଦ୍ରକ: ଯେବେ ସେବା ଏକ ସଂକଳ୍ପ ହୋଇଯାଏ ସେବେ ଜନତା ହିଁ ସବୁକିଛି ସାଜନ୍ତି । ଲୋକଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ ହୋଇଯାଏ । ଭଦ୍ରକ ଜିଲ୍ଲା ମଲ୍ଲିମହରା ଓ  ଗୌରାଙ୍ଗପୁରରେ ଦେଖିବାକୁ ମିଳିଛି ଜନସେବା ପ୍ରତି 5T ଅଧ୍ଯକ୍ଷଙ୍କ ପ୍ରତିବଦ୍ଧତାର ଆଉ ଏକ ନିଆରା ଚିତ୍ର । 5T ଅଧ୍ଯକ୍ଷଙ୍କ ଗସ୍ତ ସମୟରେ ଛୁଟିଆସିଥିଲେ ଜନସମୁଦ୍ର ଭଳି ଲୋକ । ବିକାଶର ସାରଥିଙ୍କ ପାଖରେ ଲାଗିଥିଲା ଭଲପାଇବା ଆଉ ଭରସାର ଭିଡ଼ । ହଜାର ହଜାର ଲୋକ ଆସି କାର୍ତ୍ତିକ ପାଣ୍ଡିଆନଙ୍କୁ ଦେଖା କରିବା ସହ ବିନା ଦ୍ବିଦ୍ଧାରେ ନିଜର ଅଭିଯୋଗ ଜଣାଇଥିଲେ । ଏହି ସମୟରେ ଲୋକଙ୍କ ଗହଣରେ ବାଇକରେ ବସି ଯାତ୍ରା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଆପଣା ଲୋକଙ୍କ ସାଥିରେ ସାଧାରଣ ଲୋକଙ୍କ ଭଳି ସଭିଙ୍କୁ ସାଥିରେ ନେଇ ଆଗକୁ ଚାଲିଥିଲେ ଫାଇଭ-ଟି ଅଧ୍ଯକ୍ଷ । କାର୍ତ୍ତିକ ପାଣ୍ଡିଆନ ବାଇକରେ ବସି ଯିବାବେଳେ ସାଧାରଣ ଲୋକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ସଭିଏଁ ପାଣ୍ଡିଆନଙ୍କ ପାଖେ ପାଖେ ରହି ତାଙ୍କ ସହିତ ଆଗକୁ ଯାଇଥିଲେ ।

ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ

ନନ୍ଦିଘୋଷ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପାନ୍ତରୁ ଉପକୂଳ ସ ବୁଠି ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ଉତ୍ତର ଉପକୂଳ ଓଡିଶାର ମୟୁରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ,ଦେଓଗଡ଼,ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍ଝିପ୍ ବର୍ଷା ହୋଇଛି। ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ  ବାୟୁମଣ୍ଡଳକୁ ପ୍ରବେଶ କରୁଛି । ତେଣୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ତେବେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମିଥିବା ବେଳେ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ୨୪ ଘଣ୍ଟାରେ ଗଜପତିରେ ସର୍ବାଧିକ ୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଉ କୌଣସି ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିନାହିଁ।

 

ଅମିତାଭଙ୍କ ସହ ପୁରୁଣା ସ୍ମୃତି ସେୟାର କଲେ ଅମୀର

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ମିଷ୍ଟର ପରଫେକ୍ଟ ଭାବେ ଅମୀର ଖାନ ଜଣାଶୁଣା । କୁହାଯାଏ କି, ସେ ଯେଉଁ କାମ କରନ୍ତି ପରଫେକ୍ଟଭାବେ କରନ୍ତି । ସେହିଭଳି ସୁପରଷ୍ଟାର ଅମିତାଭ ବଚ୍ଚନ ଅଭିନୟର ସେହନଶାହା । ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ସମ୍ପର୍କ ବେଶ ଭଲ ରହିଥିବାବେଳେ ୩୬ ବର୍ଷ ତଳର ପୁରୁଣା କଥା ମନେ ପକାଇ ସେୟାର କରିଛନ୍ତି ଅମିର ଖାନ । ’ଲାପତା ଲେଡିଜ୍’ ଫିଲ୍ମର ପ୍ରମୋସନ କରୁଥିଲେ ଅମିର ଖାନ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅମିର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓ । ଏହାପୂର୍ବରୁ ଆମୀର ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଭୂମିକା ଗ୍ରହଣ କରିବାକୁ ଯାଉଥିଲେ, କିନ୍ତୁ ପରେ ସେହି ଭୂମିକା ରବି କିଶନଙ୍କ ଦ୍ୱାରା ହୋଇଥିଲା  । ତେବେ ପୁରୁଣା ଦିନର ସ୍ମୃତି ଏକ ଇଣ୍ଟରଭିୟୁ ଜରିଆରେ ସେୟାର କରିଛନ୍ତି ଅମୀର । ଅମିତାଭ ବଚ୍ଚନ କିଭଳିଭାବେ ତାଙ୍କର ପ୍ରେରଣା ପାଲଟିଥିଲେ ସେ ସମ୍ପର୍କରେ ମଧ୍ୟ କହିଛନ୍ତି ।

ସେ କହିଛନ୍ତି କି, ମୋର ପ୍ରଥମ ଫିଲ୍ମ ’କୟାମତ ସେ କୟାମତ ତକ୍’ ମୋର ପ୍ରଥମ ଫିଲ୍ମ । ମୁଁ କିଭଳି ଅଭିନୟ କରିବି କଣ କରିବି ପ୍ରଥମରୁ ଡରୁଥିଲି । ଯେତେବେଳେ ମୋ ଫିଲ୍ମର ସୁଟିଂ ହେଉଥିଲା ଡରରେ ରହିଥିଲି । ମାତ୍ର ସିନ ସୁଟିଂ ପରେ ମୁଁ ମେକଅପ ରୁମରେ ବସିଥାଏ । ଠିକ ସେହି ସମୟରେ ଜଣଙ୍କ ଭଏସ ବାରମ୍ବାର ଶୁଭୁଥାଏ । ଏବଂ ସେ ବାରମ୍ବାର ରିହର୍ସାଲ କରୁଥିବା ଦେଖିବାକୁ ମିଳେ । ମୁଁ କବାଟ ଖୋଲିବା ବେଳକୁ ଦେଖିଲି କି, ଅମିତାଭ ବଚ୍ଚନ ବାରମ୍ବାର ରିହର୍ସାଲ କରୁଛନ୍ତି । ଗୋଟିଏ ଡାଏଲଗକୁ ବାରମ୍ବାର ଘୋଷୁଛନ୍ତି । ମୁଁ ଅମିତାଭଙ୍କ ଜଣେ ବଡ଼ ପ୍ରଶଂସକ ରହିଥିଲି ଏବଂ ରହିଛି । ମୁଁ ନୂଆ ଅଭିନେତା ରହିଥିବାବେଳେ ସେ ଜଣେ ବଡ଼ କଳାକାର ଥିଲେ । ତାଙ୍କ ସିନର ସୁଟିଂ ଦେଖିଥିଲି । ସେ ୮ରୁ୧୦ ଟେକ୍ ନେଇଥିଲେ । ଆଉ ପରେ ଆସିବା ପରେ କହିଥିଲେ କି, ମୁଁ ଠିକ୍ କରିଛନ୍ତି ତ? ଯାହାକି ମୋ ପାଇଁ ପ୍ରେରଣା ପାଲଟିଥିଲା । ଯେତେ ଅଧିକ ରିହର୍ସାଲ କଲେ ସୁଦ୍ଧା ଏହାର ଅନ୍ତ ନାହିଁ ।

 

କ୍ରିକେଟର ଅଭିଶେକଙ୍କ ପାଇଁ ଜୀବନ ହାରିଥିଲେ ମଡେଲ ତାନ୍ୟା!

ନନ୍ଦିଘୋଷ ବ୍ୟୁରୋ: ଗୁଜୁରାଟର ମଡେଲ ତାନ୍ୟା ସିଂହ ଆତ୍ମହତ୍ୟା ମାମଲାରେ ସାମନାକୁ ଆସିଲା ବଡ଼ ଖବର । କ୍ରିକେଟର ଅଭିଶେକ ଶର୍ମାଙ୍କ ପାଇଁ ଜୀବନ ହାରିଛନ୍ତି ତାନ୍ୟା । ବାରମ୍ବାର ଫୋନ ଏବଂ ମେସେଜ କରିବା ପରେ ମଧ୍ୟ  ଅଭିଶେକ କୌଣସି ରେସପନ୍ସ ଦେଇନଥିବାରୁ ତାନ୍ୟା ଏଭଳି ଚରମ ପନ୍ଥା ଆପଣାଇଥିବା କୁହାଯାଉଛି । ମଡେଲଙ୍କ ମୃତ୍ୟୁକୁ ୬ଦିନ ବିତିଯାଇଥିବାବେଳେ ପୋଲିସକୁ ଗୋଟିଏ ପରେ ଗୋଟିଏ ଖବର ମିଳୁଛି । ସନରାଇଜର୍ସ ହାଇଦ୍ରବାଦା ପକ୍ଷରୁ ଖେଳୁଥିବା ଅଭିଶେକ ଶର୍ମା ଦୀର୍ଘ ବର୍ଷେ ହେବ ତାନ୍ୟାଙ୍କୁ ଅଣଦେଖା କରୁଥିଲେ । ତାନ୍ୟା ତାଙ୍କୁ ପ୍ରେମ କରୁଥିଲେ । ଏବଂ ସେ ଫୋନ କରୁଥିଲେ ସୁଦ୍ଧା ତାଙ୍କ ଫଷାନକୁ ଉଠାଉନଥିଲେ ଅଭିଶେକ । ଏପରକି ତାଙ୍କ ହ୍ବାଟ୍ସଆପର ରିପ୍ଲେ ମଧ୍ୟ ଦେଉନଥିଲେ । ଯେଉଁ କାରଣରୁ ତାନ୍ୟା ଡିପ୍ରେସନରରେ ରହୁଥିଲେ । ଆଉ ଆତ୍ମହତ୍ୟ କରିବା ଦିନ ଭିଡିଓ କଲରେ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନିଜ ମନର କଥା କହିଥିଲେ । ତାଙ୍କୁ ଅଭିଶେକ ଇଗନୋର କରୁଥିବାବେଳେ ଏହାକୁ ସହିପାରୁନାହାନ୍ତି । ଏପରିକି ହ୍ବାଟ୍ସଆପରେ ମଧ୍ୟ ରିପ୍ଲାଇ ଦଉନଥିଲେ । ପୋଲିସ ସୂତ୍ର ଅନୁସାରେ ଅଭିଶେକ ଏବଂ ତାନ୍ୟା ଉଭୟ ଭଲ ବନ୍ଧୁ । ସେମାନେ ଦୀର୍ଘଦିନ ଧରି ବନ୍ଧୁ ହୋଇ ରହିଥିଲେ । ମାତ୍ର ତାନ୍ୟା ଅଭିଶେକଙ୍କୁ ଏକତରଫା ପ୍ରେମ କରୁଥିଲେ । ଅଭିଶେକ ତାନ୍ୟାଙ୍କୁ ଇଗନୋର କରୁଥିବାରୁ ସେ ଏଭଳି ଚରମପନ୍ଥା ଆପଣାଇଛନ୍ତି ।

 

ସର୍ଫରାଜଙ୍କ ସାନଭାଇ ମୁସିରଙ୍କ ନୂଆ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ସର୍ଫରାଜ ଖାନ ନିଜର ଡେବ୍ୟୁ ମ୍ୟାଚରେ ଦମଦାର ପ୍ରଦର୍ଶନ କରି କ୍ରିକେଟପ୍ରେମୀଙ୍କ ମନ ଜିଣିଥିବାବେଳେ ଅଣ୍ଡର-୧୯ ବିଶ୍ବକପ ସାନଭାଇ ମୁସିର ଖାନ ନିଜର ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ । ତେବେ ପୁଣିଥରେ ମୁସିର ଏକ ରେକର୍ଡ କରିଛନ୍ତି । ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳୁଥିବା ମୁସିର ଦ୍ବିଶତକ ମାରିଛନ୍ତି । ବରୋଦା ବିପକ୍ଷ ମ୍ୟାଚରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି । ତେବେ ମୁମ୍ବାଇ ପକ୍ଷରୁ ଖେଳୁଥିବା ଦୁଇ ସିନିୟର ଖେଳାଳି ରାହାଣେ ଏବଂ ପୃଥୀ ଶ’ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ରାହାଣେ ମାତ୍ର ୩ ରନ କରିଥିବାବେଳେ ପୃଥୀ ଶ’ ୩୩ ରନ କରିଛନ୍ତି । କିନ୍ତୁ ମୁସିର ଦଳ ପାଇଁ ବୁଝିସୁଝି ଖେଳିବା ସହ ଦ୍ବିଶତକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ସମସ୍ତ ପ୍ରଶଂସା କରିଛନ୍ତି ।

ନିକଟରେ ଅଣ୍ଡର-୧୯ ବିଶ୍ବକପ ଖେଳିଥିଲେ ମୁସିର । ସେ ୭ ମ୍ୟାଚରେ ୬୦ ରନ ହାରରେ ୩୬୦ ରନ ସଂଗ୍ରହ କରିଥିଲେ । ଏହାସହ ୭ ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । ଏଣୁ ଆଗାମୀ ଦିନରେ ସେ ଟିମ ଇଣ୍ଡିଆର ଷ୍ଟାର ଖେଳାଳିଭାବେ ଉଭା ହେବେ ବୋଲି ଭାରତୀୟ ପ୍ରଶଂସକମାନେ ଆଶା ରଖିଛନ୍ତି । ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ଟିମ ଇଣ୍ଡିଆରେ ସ୍ଥାନ ପାଇବେ ବୋଲି କୁହାଯାଉଛି ।

ହାଇଦ୍ରାବାଦରେ ଟେଲିଭିଜନ ଆଙ୍କରଙ୍କୁ ଅପହରଣ ଘଟଣା…

ହାଇଦ୍ରାବାଦ: ମାଟ୍ରିମୋନିଆଲ ସାଇଟ ଜରିଆରେ ଠକେଇ। ଏହାକୁ ନେଇ ଜଣେ ଟେଲିଭିଜନ ଆଙ୍କରଙ୍କୁ ଅପହରଣ ପରେ ଜଣେ ମହିଳା ବ୍ୟବସାୟୀ ଗିରଫ। ଏହି ଚର୍ଚ୍ଚିତ ଘଟଣା ଘଟିଛି ହାଇଦ୍ରାବାଦରେ। ପାଞ୍ଚଟି ଷ୍ଟାର୍ଟଅପ କମ୍ପାନିର ଏମଡି ଥିବା ଭୋଗିରେଡ୍ଡୀ ତ୍ରିଷା ଜଣେ ଟେଲିଭିଜନ ଆଙ୍କର ପ୍ରଣବ ସିଷ୍ଟାଲଙ୍କୁ ଅପହରଣ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ।

ମାଟ୍ରିମୋନିଆଲ ସାଇଟରେ ପ୍ରଣବଙ୍କ ଫଟୋକୁ ବ୍ଯବହାର କରି ଜଣେ ଅଜଣା ବ୍ୟକ୍ତି ଭୋଗିରେଡ୍ଡୀଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ ନେବା ଘଟଣାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ଗତ ଫେବ୍ରୁଆରୀ ୨୨ ତାରିଖରେ ୩୧ ବର୍ଷ ବୟସ୍କା ଭୋଗିରେଡ୍ଡୀଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ। ଦୁଇ ବର୍ଷ ପୂର୍ବେ ଭାରତ ମାଟ୍ରିମୋନି ୱେବସାଇଟ ଜରିଆରେ ଚୈତନ୍ୟ ରେଡ୍ଡୀ ନାମକ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଭୋଗିରେଡ୍ଡୀଙ୍କ ସାକ୍ଷାତ ହୋଇଥିଲା। ପରେ ସେମାନେ ହ୍ବାଟସଆପ ଓ ଇନଷ୍ଟାଗ୍ରାମ ଜରିଆରେ ଚାଟିଂ କରିଥିଲେ। ଏହା ସହ ସେହି ବ୍ୟକ୍ତି ଜଣକ ତାଙ୍କ କମ୍ପାନିରେ ଅର୍ଥ ଲଗାଇବା ଲାଗି ଭୋଗିରେଡ୍ଡୀଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ସେ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟକୁ ୟୁପିଆଇ ଜରିଆରେ ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ମାତ୍ର ଟଙ୍କା ପାଇବା ପରଠାରୁ ବ୍ଯକ୍ତି ଆଉ ଯୋଗସୂତ୍ରରେ ରହି ନଥିଲେ। ଠକାମିର ଶିକାର ହେବା ପରେ ଭୋଗିରେଡ୍ଡୀ ଫୋନ ନମ୍ବର ସମ୍ପର୍କରେ ଯାଞ୍ଚ କଲେ।

ସେଥିରୁ ଜଣା ପଡିଥିଲା ଯେ ଫୋନ ନମ୍ବରଟି ହେଉଛି ପ୍ରଣବଙ୍କର। ଏହାକୁ ନେଇ ପ୍ରଣବ ସ୍ପଷ୍ଟୀକରଣ ଦେଇଥିଲେ ଯେ ତାଙ୍କ ଫଟୋକୁ ଚୈତନ୍ୟ ରେଡ୍ଡୀ ନାମକ ବ୍ୟକ୍ତି ବ୍ୟବହାର କରି ଭାରତ ମାଟ୍ରିମୋନିରେ ଫେକ ଆକାଉଣ୍ଟରେ ବ୍ୟବହାର କରିଛନ୍ତି। ପରେ ପ୍ରଣବ ଏହାକୁ ନେଇ ସାଇବର ସେଲରେ ବି ଅଭିଯୋଗ କରିଥିଲେ। ଏହା ସହ ଭୋଗିରେଡ୍ଡୀଙ୍କ ଫୋନ ନମ୍ବରକୁ ବ୍ଲକ କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଭୋଗିରେଡ୍ଡୀ ପ୍ରଣବଙ୍କୁ ଅପହରଣ କରିବା ଲାଗି ଯୋଜନା କରିଥିଲେ। ପ୍ରଣବଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ଭୋଗିରେଡ୍ଡୀ ତାଙ୍କ ଅଫିସର ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଚିଥିଲେ। ଏପରିକି ପ୍ରଣବଙ୍କ ଯିବାଆସିବା ସମ୍ପର୍କରେ ତଥ୍ଯ ଜାଣିବା ଲାଗି ତାଙ୍କ କାରରେ ଆପଲ ଏୟାର ଟ୍ୟାଗ ବି ଖଞ୍ଜିଥିଲେ। ଗତ ଫେବ୍ରୁଆରୀ ୧୧ ତାରିଖରେ ପ୍ରଣବଙ୍କୁ ଅପହରଣ କରାଯାଇ ଭୋଗିରେଡ୍ଡୀଙ୍କ ଅଫିସକୁ ଅଣାଯାଇଥିଲା। ମାତ୍ର କୌଶଳକ୍ରମେ ସେ ତାଙ୍କ କବଳରୁ ମୁକୁଳିପାରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଭୋଗିରେଡ୍ଡୀଙ୍କୁ ଗିରଫ କରିଛି ପୋଲିସ।

କେଉଁ କେଉଁ ଅଞ୍ଚଳ ଏନଏସି ଓ ମ୍ଯୁନିସିପାଲିଟି ହେଲା ଜାଣନ୍ତୁ ?

ଭୁବନେଶ୍ୱର : ଘୋଷଣା ହେଲା ନୂଆ ଏନଏସି ଓ ମ୍ଯୁନିସିପାଲିଟି । ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଘୋଷଣା ହୋଇଛି । ସେହିପରି ଚାରିଟି ଜିଲାର ପାଞ୍ଚଟି ଏନଏସି ମ୍ଯୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟରେ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାଯକ । ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଝି ଓ  ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ  ଅବସରରେ ଲୋକଙ୍କ  ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ସେହିପରି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା – ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗୀର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୂରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି: 5T ଅଧ୍ୟକ୍ଷ

ଆଖୁଆପଦା: ବହୁତ ଲୋକ ଆସନ୍ତି। ମଞ୍ଚରେ ବଡ ବଡ଼ ଭାଷଣ ଦିଅନ୍ତି। ଭାଷଣ ଦେଇ ଚାଲିଯାଆନ୍ତି। ଏହା ହୋଇଯିବ, ତାହା ହୋଇଯିବ କହିଥାନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଭଦ୍ରକ ଭଣ୍ଡାରିପୋଖରୀ ଗସ୍ତରେ ଯାଇ ଆଖୁଆପଦାରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି- ଏସଏଚଜିର ଋଣ ସୀମା ବଢିବା ନେଇ ଖୁବ ଶୀଘ୍ର ଆସିବ ଖୁସି ଖବର। ବର୍ତ୍ତମାନ ଋଣ ସୀମା ୫ ଲକ୍ଷ ଥିବାବେଳେ ଏହି ସୀମା ବଢିବ। ସେ ଗତବର୍ଷ ଜୁନ ୧୨ରେ ଭଣ୍ଡାରିପୋଖରୀ ଆସି ୨୨୭ଟି ଦରଖାସ୍ତ ଗ୍ରହଣ କରିଥିଲେ। ସେଥିରୁ ୧୯୦ଟିର ସମାଧାନ ହୋଇଛି। ଏହି ସମୟ ମଧ୍ୟରେ ଭଣ୍ଡାରିପୋଖରୀ ଲାଗି ୭୨୦ କୋଟି ମଞ୍ଜୁର ହୋଇଛି। କେନ୍ଦୁପଡା ରେଲୱେ ଓଭରବ୍ରିଜ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ବିରିଡି ଲାଇନରୁ ତନ୍ତିଆ ଯାଏ ରାସ୍ତା ଓ ଏମ୍ବାକମେଣ୍ଟ ଲାଗି ୫୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଏମ୍ବାକମେଣ୍ଟ ଯୋଗୁ ଲୋକଙ୍କ ବନ୍ଯା ସମସ୍ୟାର ସ୍ଥାୟୀ ସମାଧାନ ହେବ।

ଆଖୁଆପଦା ଅଞ୍ଚଳରେ ଚାଷ ଲାଗି ୪୮୦ କୋଟି ମଞ୍ଜୁର ହୋଇଛି। ବିରିଡିରୁ ତନ୍ତିଆ ରାସ୍ତା ଲାଗି ୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ବାରା ୧୭ଟି ପଞ୍ଚାୟତର ଲୋକ ଉପକୃତ ହେବେ। ଆଖୁଆପଦାରେ ୫୦ ହଜାର ଏକରରେ ଜଳସେଚନ ସୁବିଧା ହୋଇଥିବାବେଳେ ୨ ଲକ୍ଷ ୩୦ ହଜାର ଲୋକଙ୍କୁ ପାନୀୟ ଜଳ ମିଳିବ। ୬୫୦ ଏକରରେ ମାଛଚାଷର ସୁଯୋଗ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ସେ କହିଛନ୍ତି, ଶ୍ରୀମନ୍ଦିରର ରୂପାନ୍ତରୀକରଣ ହୋଇଛି। ପାଞ୍ଚଶହ ବର୍ଷରେ ଯାହା ହୋଇ ନଥିଲା ତାହା ମୁଖ୍ଯମନ୍ତ୍ରୀ ସମ୍ଭବ କରିଛନ୍ତି। ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବି ରୂପାନ୍ତରଣ ଚାଲିଛି। ସମଲେଇ ମନ୍ଦିରର ରୂପାନ୍ତରୀକରଣ କାର୍ଯ୍ୟ ସରିଯାଇଛି। ଏହା ସହ ମମତା ଯୋଜନା, ବିଏସକେୱାଇ, ବିଭିନ୍ନ ଭତ୍ତା, ଛାତ୍ରଛାତ୍ରୀଙ୍କୁ ବୃତ୍ତି ଆଦି ସମ୍ପର୍କରେ ସରକାରଙ୍କ ଯୋଜନା ଓ ସହାୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ନୂଆ ଓଡ଼ିଶା ଗଠନ ଲାଗି ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ ପଡିବ। ସ୍କୁଲ, କଲେଜର ରୂପାନ୍ତରଣ ଜରିଆରେ ପିଲାମାନେ ବଡ଼ ସ୍ବପ୍ନ ଦେଖିପାରିବେ। ମନ୍ଦିର ମସଜିଦ, ଚର୍ଚ୍ଚ ନେଇ ଖୁବ ଶୀଘ୍ର ଖୁସି ଖବର ଆସିବ ବୋଲି ପ୍ରକାଶ କରିଛନ୍ତି ପାଣ୍ଡିଆନ।