ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ

ନନ୍ଦିଘୋଷ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପାନ୍ତରୁ ଉପକୂଳ ସ ବୁଠି ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ଉତ୍ତର ଉପକୂଳ ଓଡିଶାର ମୟୁରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ,ଦେଓଗଡ଼,ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍ଝିପ୍ ବର୍ଷା ହୋଇଛି। ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ  ବାୟୁମଣ୍ଡଳକୁ ପ୍ରବେଶ କରୁଛି । ତେଣୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ତେବେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମିଥିବା ବେଳେ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ୨୪ ଘଣ୍ଟାରେ ଗଜପତିରେ ସର୍ବାଧିକ ୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଉ କୌଣସି ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିନାହିଁ।