ହାଇଦ୍ରାବାଦରେ ଟେଲିଭିଜନ ଆଙ୍କରଙ୍କୁ ଅପହରଣ ଘଟଣା…

ହାଇଦ୍ରାବାଦ: ମାଟ୍ରିମୋନିଆଲ ସାଇଟ ଜରିଆରେ ଠକେଇ। ଏହାକୁ ନେଇ ଜଣେ ଟେଲିଭିଜନ ଆଙ୍କରଙ୍କୁ ଅପହରଣ ପରେ ଜଣେ ମହିଳା ବ୍ୟବସାୟୀ ଗିରଫ। ଏହି ଚର୍ଚ୍ଚିତ ଘଟଣା ଘଟିଛି ହାଇଦ୍ରାବାଦରେ। ପାଞ୍ଚଟି ଷ୍ଟାର୍ଟଅପ କମ୍ପାନିର ଏମଡି ଥିବା ଭୋଗିରେଡ୍ଡୀ ତ୍ରିଷା ଜଣେ ଟେଲିଭିଜନ ଆଙ୍କର ପ୍ରଣବ ସିଷ୍ଟାଲଙ୍କୁ ଅପହରଣ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ।

ମାଟ୍ରିମୋନିଆଲ ସାଇଟରେ ପ୍ରଣବଙ୍କ ଫଟୋକୁ ବ୍ଯବହାର କରି ଜଣେ ଅଜଣା ବ୍ୟକ୍ତି ଭୋଗିରେଡ୍ଡୀଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକେଇ ନେବା ଘଟଣାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ଗତ ଫେବ୍ରୁଆରୀ ୨୨ ତାରିଖରେ ୩୧ ବର୍ଷ ବୟସ୍କା ଭୋଗିରେଡ୍ଡୀଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ। ଦୁଇ ବର୍ଷ ପୂର୍ବେ ଭାରତ ମାଟ୍ରିମୋନି ୱେବସାଇଟ ଜରିଆରେ ଚୈତନ୍ୟ ରେଡ୍ଡୀ ନାମକ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଭୋଗିରେଡ୍ଡୀଙ୍କ ସାକ୍ଷାତ ହୋଇଥିଲା। ପରେ ସେମାନେ ହ୍ବାଟସଆପ ଓ ଇନଷ୍ଟାଗ୍ରାମ ଜରିଆରେ ଚାଟିଂ କରିଥିଲେ। ଏହା ସହ ସେହି ବ୍ୟକ୍ତି ଜଣକ ତାଙ୍କ କମ୍ପାନିରେ ଅର୍ଥ ଲଗାଇବା ଲାଗି ଭୋଗିରେଡ୍ଡୀଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ସେ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟକୁ ୟୁପିଆଇ ଜରିଆରେ ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ମାତ୍ର ଟଙ୍କା ପାଇବା ପରଠାରୁ ବ୍ଯକ୍ତି ଆଉ ଯୋଗସୂତ୍ରରେ ରହି ନଥିଲେ। ଠକାମିର ଶିକାର ହେବା ପରେ ଭୋଗିରେଡ୍ଡୀ ଫୋନ ନମ୍ବର ସମ୍ପର୍କରେ ଯାଞ୍ଚ କଲେ।

ସେଥିରୁ ଜଣା ପଡିଥିଲା ଯେ ଫୋନ ନମ୍ବରଟି ହେଉଛି ପ୍ରଣବଙ୍କର। ଏହାକୁ ନେଇ ପ୍ରଣବ ସ୍ପଷ୍ଟୀକରଣ ଦେଇଥିଲେ ଯେ ତାଙ୍କ ଫଟୋକୁ ଚୈତନ୍ୟ ରେଡ୍ଡୀ ନାମକ ବ୍ୟକ୍ତି ବ୍ୟବହାର କରି ଭାରତ ମାଟ୍ରିମୋନିରେ ଫେକ ଆକାଉଣ୍ଟରେ ବ୍ୟବହାର କରିଛନ୍ତି। ପରେ ପ୍ରଣବ ଏହାକୁ ନେଇ ସାଇବର ସେଲରେ ବି ଅଭିଯୋଗ କରିଥିଲେ। ଏହା ସହ ଭୋଗିରେଡ୍ଡୀଙ୍କ ଫୋନ ନମ୍ବରକୁ ବ୍ଲକ କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଭୋଗିରେଡ୍ଡୀ ପ୍ରଣବଙ୍କୁ ଅପହରଣ କରିବା ଲାଗି ଯୋଜନା କରିଥିଲେ। ପ୍ରଣବଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ଭୋଗିରେଡ୍ଡୀ ତାଙ୍କ ଅଫିସର ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଚିଥିଲେ। ଏପରିକି ପ୍ରଣବଙ୍କ ଯିବାଆସିବା ସମ୍ପର୍କରେ ତଥ୍ଯ ଜାଣିବା ଲାଗି ତାଙ୍କ କାରରେ ଆପଲ ଏୟାର ଟ୍ୟାଗ ବି ଖଞ୍ଜିଥିଲେ। ଗତ ଫେବ୍ରୁଆରୀ ୧୧ ତାରିଖରେ ପ୍ରଣବଙ୍କୁ ଅପହରଣ କରାଯାଇ ଭୋଗିରେଡ୍ଡୀଙ୍କ ଅଫିସକୁ ଅଣାଯାଇଥିଲା। ମାତ୍ର କୌଶଳକ୍ରମେ ସେ ତାଙ୍କ କବଳରୁ ମୁକୁଳିପାରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଭୋଗିରେଡ୍ଡୀଙ୍କୁ ଗିରଫ କରିଛି ପୋଲିସ।