ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି । ପ୍ରେସମିଟରେ ବିଜେପି ନେତାଙ୍କ ଅପପ୍ରଚାରର ସତ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ତାମିଲନାଡୁକୁ ବିଦ୍ୟୁତ ଦେବା ନେଇ ବିଜେପି ପ୍ରଚାରର କଡ଼ା ଜବାବ ଦେଇ ବିଜେଡି କହିଛି, କୌଣସି ରାଜ୍ୟକୁ ସିଧାସଳଖ ବିଦ୍ୟୁତ ଦେଇପାରିବନି ଓଡ଼ିଶା । ବଳକା ବିଦ୍ୟୁତକୁ ନ୍ୟାସନାଲ ଗ୍ରୀଡ଼କୁ ଦିଆଯାଇଥାଏ । ଏହି ବିଦ୍ୟୁତକୁ CERC ବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଅନ୍ୟ ରାଜ୍ୟକୁ ଦେଇଥାଏ । ଏଥିରେ କୌଣସି ରାଜ୍ୟର କିଛି ଭୂମିକା ନାହିଁ । ଯାହାକି କେନ୍ଦ୍ରମନ୍ତ୍ରୀ ଭଲଭାବେ ଜାଣି ଅଜଣା ହେଉଛନ୍ତି । ସବୁ ଜାଣି ମଧ୍ୟ ଓଡ଼ିଶାରେ ମିଛ ଖବର ପ୍ରଚାର କରୁଛନ୍ତି ।

ଅନ୍ୟପଟେ ବିଜୁଳି ଦରର ହିସାବ ଦେଇ ବିଜେଡି କହିଛି, ଅନ୍ଯ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ କମ୍ । ବିଜେପି ଶାସିତ ରାଜ୍ୟରେ ବିଦ୍ୟୁତର ଉଚ୍ଚା ଦର ରହିଛି । ବିଦ୍ୟୁତ ନେଇ ବିଜେପି ଅପପ୍ରଚାର କରୁଛି । ଖାଲି ବିଦ୍ଯୁତ ନୁହେଁ ବରଂ ପୁରୀ କାମ ନେଇ ମଧ୍ୟ ବିଭ୍ରାନ୍ତ କରାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ହଜାର ୨୦୦କୋଟି ଖର୍ଚ୍ଚ ହୋଇଛି ବୋଲି ବିଜେପି କହୁଥିବାବେଳେ ଏଥିରେ ମାତ୍ର ୩୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଶାକୁ ଏବେ ପଲିଟିକାଲ ଟୁରିଷ୍ଟ ଆସିଛନ୍ତି । ମିଛ କହିବା ସେହି ପଲିଟିକାଲ ଟୁରିଷ୍ଟଙ୍କ ଧର୍ମ ବୋଲି କହି ସମାଲୋଚନା କରିଛି ବିଜେଡି ।