ନୟାଗଡ଼: ପ୍ରେମିକ ଦୁଆରେ ପ୍ରେମିକାର ଧାରଣା, ଭାଙ୍ଗିଲା ବାହାଘର । ବିବାହର ପ୍ରତିଶୃତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଲେ। ପ୍ରେମିକାର ଅଜାଣତରେ ଅନ୍ୟତ୍ର ବିବାହ ବେଳେ ପହଞ୍ଚିଗଲା ପ୍ରେମିକା । ପ୍ରେମିକ ଦୁଆରେ ରାତିସାରା ପ୍ରେମିକାର ଧାରଣା । ଧାରଣା ପରେ ଭାଙ୍ଗିଲା ପ୍ରେମିକର ବାହାଘର । ନୟାଗଡ଼ ଜିଲ୍ଲା ସଦର ଥାନା ଗୋଳଗୋଳା ଗାଁରେ ଘଟିଛି ଏହି ଘଟଣା । ପ୍ରେମିକ ଫେରାର ହୋଇଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ରାତି ସାରା ପ୍ରେମିକଙ୍କ ଦୁଆରେ ଧାରଣା ଦେବା ପରେ ରବିବାର ନୟାଗଡ଼ ସଦରଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀଙ୍କ ଘର କଟକ ଅଞ୍ଚଳ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ କମ୍ପାନୀରେ ଉଭୟେ ଚାକିରି କରିଥିଲେ l ସେବେଠାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଯୁବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବିବାଦରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେଅଲ୍ଲୀ ଖାନ
ଇସଲାମବାଦ: ବିବାଦରେ ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେଅଲୀ ଖାନ। ନିଜର ଜଣେ ଶିଶ୍ୟଙ୍କୁ ଚପଲରେ ମାରି ବିବାଦ ଘେରକୁ ଆସିଛନ୍ତି ପାକିସ୍ତାନୀ ଗାୟକ ରାହତ ଫତେହଅଲୀ ଖାନ। ଶିଶ୍ଯଙ୍କୁ ମାଡ଼ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖି ହେଉଛି ରାହତ ଫତେହ ଅଲୀ ଏକ ଚପଲ ଧରି ଶିଶ୍ଯଙ୍କୁ ବାରମ୍ବାର ପ୍ରହାର କରୁଛନ୍ତି। ବାରମ୍ବାର ମାଡ଼ ମାରି ଏକ ବୋତଲ ବିଷୟରେ ପଚାରୁଛନ୍ତି। ଚପଲରେ ମାରିବା ସହ ଚାପୁଡ଼ା ମଧ୍ୟ ମାରୁଛନ୍ତି। ରାହତଙ୍କ ଶିଶ୍ୟ ଜଣକ ବାରମ୍ବାର ତାଙ୍କୁ ନେହୁରା ହେଉଛନ୍ତି। ସେ ଏହି ବୋତଲ ବିଷୟରେ ଜାଣିନଥିବା କହୁଛନ୍ତି। ଏହା ପରେ ମଧ୍ୟ ରାହତଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ରାହତ ଫତେଅଲୀ ଖାନ ତାଙ୍କୁ ମାଡ଼ ମାରିଚାଲିଛନ୍ତି। ଏହି ଭିଡିଓକୁ ନେଇ ବିବାଦ ଲାଗି ରହିବା ପରେ ଶିଶ୍ଯଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ରାହତ ଫତେଅଲୀ ଖାନ। ଚପଲ ମାଡ଼ର ଶିକାର ଶିଶ୍ଯ ମଧ୍ଯ ରାହତ ତାଙ୍କୁ କ୍ଷମା ମାଗିଥିବା ଆସି ବୟାନ ରଖିଛନ୍ତି।
କେନ୍ଦୁଝର ଜିଲ୍ଲା ସିଲସୂଆଁରୁ 5T ଅଧ୍ୟକ୍ଷଙ୍କ ଆହ୍ବାନ
କେନ୍ଦୁଝର: ନିର୍ବାଚନ ସମୟରେ କେବଳ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ । କିଏ କାହାର ଲୋକ, କିଏ କାହାର ଗ୍ରୁପ ସବୁ କିଛି ଭୁଲିଯାଆନ୍ତୁ । ନବୀନ ପଟ୍ଟନାୟକ ଆପଣଙ୍କ ପରିବାର ପାଇଁ ଓ ଆପଣଙ୍କ ପିଲାଙ୍କ ସ୍ୱପ୍ନକୁ ସାକାର କରିବାକୁ ଦିନ ରାତି ଖଟୁଛନ୍ତି । ନିର୍ବାଚନରେ ତାଙ୍କୁ ସମ୍ମାନ ଦିଅନ୍ତୁ। ରବିବାର କେନ୍ଦୁଝର ଜିଲ୍ଲା ସିଲସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କେନ୍ଦୁଝରବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହାନ ଜନନାୟକ । ସେ କେନ୍ଦୁଝରବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଦିନରାତି ଖଟୁଛନ୍ତି । ତାଙ୍କୁ ନିର୍ବାଚନରେ କେନ୍ଦୁଝରବାସୀ ସମ୍ମାନ ଦିଅନ୍ତୁ । ଶଂଖ ଚିହ୍ନ ଓଡିଶାବାସୀଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା ।
ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ସମ୍ମାନ ଦିଅନ୍ତୁ । ନବୀନ ପଟ୍ଟନାୟକ କଥା କମ, କାମରେ ବିଶ୍ୱାସ କରନ୍ତି । ମୁଁ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ । ଅନ୍ୟମାନଙ୍କ ଭଳି ବେଶି ଲମ୍ବା ଲମ୍ବା ଭାଷଣ ଦେଇ ଶିଖିନି । ଅନ୍ୟ ଲୋକ ବଡ ବଡ ଭାଷଣ ଦେଇ ପଳେଇବେ । କିନ୍ତୁ ଆପଣଙ୍କ ଗୋଟିଏ ହେଲେ ଆବେଦନର ସମାଧାନ ହେବନି । ପୁଣି ଛଅ ମାସ ପରେ ଆସିବେ, ମିଠା ମିଠା କଥା କହି ପଳେଇବେ । ସେ ଭାଷଣର କିଛି ମୂଲ୍ୟ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସବୁ ଆବଦେନକୁ ସମ୍ମାନର ସହ ସମାଧାନ କରାଯିବ । ତେଣୁ ଆଜି ଯେଉଁ ସବୁ ଆବେଦନ ମିଳିଛି ସେ ମଧ୍ୟରୁ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମ୍ପର୍କିତ ଆବେଦନର ସମାଧାନ ସାତ ଦିନ ମଧ୍ୟରେ ହେବ । କାରଣ ଏହା ଲୋକଙ୍କ ସରକାର । ଲୋକ ଯାହା ଚାହିଁବେ ତାହା ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
’ରାମାୟଣ’ ଫିଲ୍ମରେ ସନ୍ନି ବନିବେ ହନୁମାନ
ମୁମ୍ବାଇ: ବହୁ ଚର୍ଚ୍ଚିତ ରାମାୟଣ ଫିଲ୍ମକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସାମନାକୁ ଆସିଛି ଏକ ବଡ଼ ଖବର । ଦଙ୍ଗଲ ଏବଂ ଛିରୋରେ ଭଳି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିତେଶ ତିଓ୍ବାରୀ ଏହି ରାମାୟଣ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ତେବେ କଳାକାରଙ୍କୁ ନେଇ ଦୀର୍ଘଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଇଛି କି, ହନୁମାନ ଚରିତ୍ରଙ୍କ ଅଭିନୟ କରିବେ ସନ୍ନି ଦେଓଲ । ତେବେ ସେ ଏହି ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୋଇଥିବା କୁହାଯାଉଛି । ତେବେ ରାମାୟଣ ଫିଲ୍ମର ଷ୍ଟାରକାଷ୍ଟଙ୍କ ଉପରେ ଯଦି ନଜର ପକାଇବା ତାହେଲେ ରଣବୀର କପୁର ରାମ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ହିରୋଇନ ସାଇ ପଲ୍ଲବୀ ସୀତା, କେଜିଏଫ ଷ୍ଟାର ୟଶ ରାବଣ ଏବଂ ବବି ଦେଓ୍ବଲ କୁମ୍ଭକର୍ଣ୍ଣ ଭାବେ ନଜର ଆସିବେ। ଏବେ ଏହି ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଥିବାବେଳେ ଏହା ଦର୍ଶକଙ୍କ ବେଶ ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । କୁହାଯାଇଛି କି, ରାମାୟଣ ଫିଲ୍ମଟି ତିନୋଟି ଭାଗରେ ରିଲିଜ ହେବ । ପ୍ରଥମ ଭାଗରେ ହନୁମାନଙ୍କ ଭୂମିକା କମ ରହିବ।
ନୀତିଶଙ୍କ ସହ ଏହି ୮ ମନ୍ତ୍ରୀ ନେଇପାରନ୍ତି ଶପଥ, ସାମନାକୁ ଆସିଲା ଲିଷ୍ଟ
ପାଟନା: ବିହାର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଏବେ ସାରା ଦେଶର ରାଜେନୖତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ବିଜେପି ସହ ମିଶି ପୁଣିଥରେ ସରକାର ଗଢ଼ିବେ ନୀତିଶ କୁମାର । ୧୨୮ ବିଧାୟକଙ୍କ ସମର୍ଥନରେ ସେ ସରକାର ଗଢ଼ିବାକୁ ଯାଉଥିବାବେଳେ ରବିବାର ସଂନ୍ଧ୍ୟା ୫ଟାରେ ରାଜଭବନରେ ନବମଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ । ଏହାସହ ତାଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ମଧ୍ୟ ଶପଥ ଗ୍ରହଣ କରିବେ । ନୀତିଶଙ୍କ ସହ ୮ଜଣ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ୮ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଜେଡିୟୁରୁ ୩ ଏବଂ ବିଜେପିରୁ ୩ ଜଣ ରହିଛନ୍ତି । ଜଣେ ସ୍ବାଧିନ ଏବଂ ଜିତନ ରାମ ମାଝୀଙ୍କ ଦଳର ଜଣେ ବିଧାୟକ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ।
ସୂଚନା ଥାଉକି, ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ପରେ ପୁଣି ଥରେ ସରକାର ଗଠନ ନେଇ ରଖିଲେ ଦାବି। ବିହାର ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ପରେ ପୁଣିଥରେ ସରକାର ଗଠନ ଲାଗି ରାଜ୍ଯପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ନୀତୀଶ କୁମାର। ବିଜେପି ସମର୍ଥନରେ ସେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଜେଡିୟୁ ସମର୍ଥନରେ ୧୨୭ ବିଧାୟକ ଅଛନ୍ତି। ଜେଡିୟୁର ୪୫ ବିଧାୟକ ଅଛନ୍ତି। ମୋଟ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ କରିବାକୁ ମ୍ଯାଜିକ ନମ୍ବର ୧୨୨ ରହିଛି। ପୁଣିଥରେ ବିଜେପି ସମର୍ଥନରେ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର। ଅପରାହ୍ନ ୪ଟାରେ ନୀତୀଶ କୁମାରଙ୍କ ଶପଥଗ୍ରହଣ କାର୍ଯ୍ଯକ୍ରମ ରହିଛି।
ନବମ ଥର ଲାଗି ବିହାର ମୁଖ୍ଯମନ୍ତ୍ରୀ ଭାବେ ନେବେ ଶପଥ। ବିଜେପିରୁ ଦୁଇ ଜଣ ଉପମୁଖ୍ଯମନ୍ତ୍ରୀ ହେବେ ବୋଲି ଜଣାପଡିଛି। ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଇଣ୍ଡିଆ ମେଣ୍ଟ ସଦସ୍ଯ ଥିବା ନୀତୀଶ କୁମାର ମେଣ୍ଟ କାର୍ଯ୍ଯକଳାକୁ ନେଇ ଅସନ୍ତୁଷ୍ଟ ଥିଲେ। ଯେଉଁ ଆଶା ନେଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ ଏହା ଫେଲ୍ ମାରିଥିଲା ବୋଲି କହିଛନ୍ତି ନୀତୀଶ କୁମାର। ସେପଟେ ଆରଜେଡି ସମର୍ଥନରେ ମୋଟ ୧୧୪ ବିଧାୟକ ଅଛନ୍ତି। ଆରଜେଡିର ୭୯ ବିଧାୟକ, କଂଗ୍ରେସର ୧୯ ସହ ବାମ ଦଳର ୧୨ ବିଧାୟକଙ୍କ ସହ AIMIMର ଜଣେ ବିଧାୟକ ଅଛନ୍ତି। ଆରଜେଡି, କଂଗ୍ରେସ ସହ ଦୀର୍ଘ ୧୮ ମାସର ମେଣ୍ଟ ଛିନ୍ନ କରିଛନ୍ତି ଜେଡିୟୁ ମୁଖ୍ଯ ନୀତୀଶ କୁମାର।
କେନ୍ଦୁଝର ଜିଲ୍ଲା ସିଲସୁଆଁରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଅନ୍ୟ ଜିଲ୍ଲା ପାଇଁ ଏହା ଇର୍ଷଣୀୟ ହୋଇପାରେ । କେବଳ ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଂଜୁର କରିଛନ୍ତି । କେନ୍ଦୁଝର ସିଲସୁଆଁରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ଗତ ଜୁନରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଆବେଦନ ମିଳିଥିଲା । ସେ ମଧ୍ୟରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି । ମା ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସପ୍ତାହେ ତଳେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା ତାରିଣୀ ମନ୍ଦିର ବି ସେମିତି ନୂଆ ରୂପରେ ସଜେଇ ହେବ । ଆଗାମୀ ୧୦୦ ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନରେ କୌଣସି ସମସ୍ୟା ହେବନି । ସେ କହିଛନ୍ତି ଯେ, ବଳଦେବଜୀଉ ମନ୍ଦିର ରୂପାନ୍ତରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଂଝ ମନ୍ଦିର ରୂପାନ୍ତରଣ ପାଇଁ ୨କୋଟି ୪୦ ଲକ୍ଷ ଟଙ୍କା, ସୀତାମଠର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ସେହିଭଳି ଭୀମକୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଲୋକଙ୍କ ଦାବିଥିଲା । ଏଥିପାଇଁ ୧୯ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚାଘାଇ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ୨ କୋଟି ଟଙ୍କା, ତେଲକୋଇ ଠାରେ ଏକ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୪୧ କୋଟି ଓ ସଣ୍ଟେଇବଂଝାରେ ଆଉ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି ଟଙ୍କା ମଂଜୁର ହୋଇଛି ।
କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁକିଛି ହୋଇଛି । ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବର୍ଷରୁ ଯୁକ୍ତଦୁଇ ପାଠପଢା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ଯାହା ଆବେଦନ ଆସିବ ତାକୁ ସମ୍ମାନର ସହ ସମାଧାନ କରାଯିବ ବୋଲି ସେ କହିଛନ୍ତି । ଓଡିଶାର ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି । ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକ ବିଏସକେୱାଇ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ମାସରେ ଦୁଇ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଏବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି । ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ।ଯୋଗାଯୋଗ ବ୍ୟବସ୍ଥାରେ ଲକ୍ଷ୍ମୀ ବସ ସେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଗାଁ ସହ ଯୋଡି ହୋଇଛି ବ୍ଲକ । ଆସନ୍ତାମାସରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହେବ । ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିଭଳି ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନଥିବା ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବ ।
ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ଗୁରୁମନ୍ତ୍ର: ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସେତିକି ଆବଶ୍ୟକ
କେନ୍ଦୁଝର: କେନ୍ଦୁଝର ଗସ୍ତରେ ଯାଇ ଧରଣୀଧର ୟନିଭର୍ସିଟି ପଡିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଦେଲେ ଗୁରୁମନ୍ତ୍ର । ଏହାସହ ୟୁନିଭର୍ସିଟିରେ ଚାଲିଥିବା ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବା ନେଇ ଦେଲେ ପ୍ରତିଶ୍ରୁତି ।
ପିଲାମାନଙ୍କ ସହ କଥା ହୋଇ 5T ଅଧ୍ୟକ୍ଷ କହିଥିଲେ, ‘ନିଜ ପ୍ରତିଭା ପରିପ୍ରକାଶ କରିବାର ଏକ ଭଲ ପ୍ଲାଟଫର୍ମ ହେଉଛି ନୂଆ-ଓ କାର୍ଯ୍ୟକ୍ରମ । କଲେଜ, ବ୍ଲକ ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହେଉଛି । ଏହା ଆପଣମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏଥିରେ ଅଂଶଗ୍ରହଣ କରିବା ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଜିତିବା ଯେତିକି ବଡ଼ କଥା ନୁହେଁ ଅଂଶ ଗ୍ରହଣ କରିବା ତା’ଠାରୁ ଅଧିକ ବଡ଼ । କାରଣ, ଏହା ଆପଣଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବ ।’
ଆଗକୁ ସେ କହିଥିଲେ, ‘ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ପଦକ୍ଷେପ । ଏହା ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବ । ଅଭିଷ୍ୟତରେ ଏହା ଆପଣଙ୍କୁ ଜଣେ ଜଣେ ଭଲ ମଣିଷ ହେବା ସହ ଜୀବନରେ ସଫଳତା ପାଇବାକୁ ବାଟ ଦେଖାଇବ । ଆଗକୁ ବଢ଼ିବାକୁ ହେଲେ ପାଠ ଯେତିକି ଆବଶ୍ୟକ, ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବି ସେତିକି ଆବଶ୍ୟକ । ତେଣୁ ନୂଆ-ଓ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିବା ଦେଖାଇବାକୁ ମିଳୁଥିବା ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।’
ରୂପାନ୍ତରଣପୁ ନେଇ 5T ଅଧ୍ୟକ୍ଷ କହିଥିଲେ, ‘ହାଇସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି । ଏହା ଆପଣମାନଙ୍କୁ ପାଠ ପଢ଼ିବାକୁ ଏକ ଭଲ ପରିବେଶ ଦେବ । ଯାହାଦ୍ବାରା ଆପଣମାନଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ବଢ଼ିବ । ନିଜ ଅଞ୍ଚଳରେ ଥିବା କଲେଜରେ ସହର ଭଳି ସ୍ମାର୍ଟ କ୍ଲାରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଭଳି ଅତ୍ୟାଧୁନିକ ସୁବିଧା ପାଇ ପାରିବେ । ଯାହା ଆପଣମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ ।’
ଉଜ୍ଜଳ ଭବିଷ୍ଯତ ଲାଗି ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ 5T ଅଧ୍ୟକ୍ଷ କହିଥିଲେ । କଠିନ ପରିଶ୍ରମ ହି ସଫଳତାର ମୂଳମନ୍ତ୍ର । କଠିନ ପରିଶ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡିବ । ଏଥିଲାଗି ଛାତ୍ରଛାତ୍ରୀ ଦିନକୁ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ମନର ସୁସ୍ଥତା ଲାଗି ୧୫ ମିନିଟ ଧ୍ଯାନ କରିବାକୁ କହିଛନ୍ତି । ସୋସିଆଲ ମିଡିଆର ଉପକାର ଓ ଅପକାରିତା ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ 5T ଅଧ୍ୟକ୍ଷ । ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରି ଛାତ୍ରଛାତ୍ରୀଙ୍କୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ବାପାମାଆ ଓ ଗୁରୁଜନଙ୍କ ସମ୍ମାନ ସହ କଥା ମାନି ନିଜ ଲକ୍ଷ୍ଯ ପଥରେ ଆଗକୁ ଯିବାକୁ କହିଛନ୍ତି ।
ଆପଣଙ୍କ ଭବିଷ୍ଯତ ଆପଣଙ୍କ ହାତରେ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର କିଛି ସଫଳ ବ୍ଯକ୍ତିତ୍ବଙ୍କ ଉଦାହରଣ ଦେଇ ସେମାନେ ସରକାରୀ ହାଇସ୍କୁଲରେ ପାଠ ପଢି କିପରି ସଫଳତା ହାସଲ କରିଛନ୍ତି କହିଥିଲେ । ଏଠାକାର ହାଇସ୍କୁଲରୁ ପାଠ ପଢି ସୁରେଶ ମହାପାତ୍ର ଆଇଏସ ପାଇବା ସହ ରାଜ୍ଯ ମୁଖ୍ଯ ଶାସନ ସଚିବ ପଦ ସମ୍ଭାଳି ଥିଲେ । ଅଟଳ କ୍ରିଷ୍ଣା ଖଟୁଆ ମହାକାଶ ଗବେଷଣା ସଂସ୍ଥା ଇସ୍ରୋରେ ବୈଜ୍ଞାନିକ ହୋଇପାରିଛନ୍ତି । ସେହିଭଳି ସୁଭ୍ରାଂଶୁ ସେନାପତି ସଫଳ କ୍ରିକେଟର ଭାବେ ଆଇପିଏଲ ଖେଳି ଜିଲ୍ଲାର ନାଁ ଉଜ୍ଜଳ କରିଛନ୍ତି ବୋଲି କହିଥିଲେ 5T ଅଧ୍ୟକ୍ଷ ।
ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର
ପାଟନା: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର । ବିଜେପି ସମର୍ଥନରେ ପୁଣି ଗଢ଼ିବେ ସରକାର । ନବମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ ।
ନୀତୀଶଙ୍କ ଇସ୍ତଫା ‘ଇଣ୍ଡିଆ’ ମେଣ୍ଟକୁ ଜୋରଦାର ଝଟକା ଦେଇଛି । ୨୮ ବିରୋଧୀ ଦଳ ମିଶି ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବାକୁ କରିଥିବା ମେଣ୍ଟ ଏକ ପ୍ରକାର ଭାଙ୍ଗିବା ପରି ହୋଇଯାଇଛି । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟରୁ ଜିତି ସରକାର ଗଢ଼ିଥିବା ଜେଡିୟୁ ନେତା ନୀତୀଶ, ବିଜେପିକୁ ବାଏ ବାଏ କହି ଆରଜେଡି ସାଙ୍ଗରେ ମିଶି ସରକାର ଗଢ଼ିଥିଲେ । ଏବେ ପୁଣି ଆରଜେଡିକୁ ଛାଡି ପୁରୁଣା ମେଣ୍ଟ ଦଳ ବିଜେପି ସମର୍ଥନରେ ସରକାର ଗଢ଼ିବାକୁ ଯାଉଛନ୍ତି ।
ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କହିଛନ୍ତି, ‘ମୁଁ କାମ କରୁଥିଲି, ହେଲେ ମୋତେ କାମ କରିବାକୁ ଦିଆଗଲା ନାହିଁ । ଯାହା ରାଜ୍ୟବାସୀଙ୍କୁ ଦୁଃଖିତ କରୁଥିଲା । ଆଜି ମୁଁ ଇସ୍ତଫା ଦେଇ ଦେଇଛି । ନିଜ ଲୋକ, ଦଳର ନିଷ୍ପତ୍ତିକୁ ଶୁଣିଲି ଓ ଇସ୍ତଫା ଦେଲି । ବର୍ତ୍ତମାନର ସରକାରର ଅନ୍ତ ଘଟିଛି । ପୂର୍ବତନ ସହଯୋଗୀ ଦଳ ଏବେ ନିଷ୍ପତ୍ତି ନେବେ ଆଗକୁ କ’ଣ ହେବ ।
ଇଣ୍ଡିଆ ମେଣ୍ଟର ଏବେ କ’ଣ ହେବ ?
ସୂଚନାଯୋଗ୍ୟ, ବିଜେପି ମୋହ ଭାଙ୍ଗି ଆରଜେଡି ସହ ସରକାର ଗଢ଼ିବା ପରେ ନୀତୀଶ ହିଁ ଥିଲେ ସେହି ନେତା ଯିଏ ଇଣ୍ଡିଆ ମେଣ୍ଟକୁ ଆଗକୁ ବଢ଼ାଇଥିଲେ । ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ଜାତୀୟ ଓ ଆଞ୍ଚଳିକ ଦଳଙ୍କ ସହ ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟ ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କରି ଉଦ୍ୟମରେ ୨୮ ଦଳ ଗୋଟିଏ ଛତା ତଳେ ଏକାଠି ହୋଇ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ହରାଇବାକୁ ସ୍ବପ୍ନ ଦେଖିବାକୁ ଆରମ୍ଭ କରିଥିଲେ । ତେବେ ଇଣ୍ଡିଆ ମେଣ୍ଟର ସୂତ୍ରଧାର କୁହାଯାଉଥିବା ନୀତୀଶ ବିଜେପି କ୍ୟାମ୍ପକୁ ଫେରିବା ଇଣ୍ଡିଆ ମେଣ୍ଟକୁ ଶକ୍ତ ଧକ୍କା ଦେଇଛି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରି ଇଣ୍ଟିଆ ମେଣ୍ଟକୁ ବ୍ୟାକଫୁଟକୁ ପଠାଇ ଦେଇଥିବା ବେଳେ ନୀତୀଶଙ୍କ ୟୁଟର୍ଣ୍ଣ ଏହାର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ।
ସେପଟେ ନୀତୀଶ କୁମାର ଇସ୍ତଫା ଦେବା ପରେ ଏନଡିଏ ସମର୍ଥନରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । କୁହାଯାଉଛି ଜେଡିୟୁ ବିଧାୟକ ଦଳ ବୈଠକ ମଧ୍ୟରେ ନୀତୀଶ, ବିଜେପିର ବରିଷ୍ଠ ନେତାଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହା ମଧ୍ୟରେ ଶପଥ ଗ୍ରହଣ ପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।
କେବଳ ଜେଡିୟୁ ନୁହେଁ, ବିଜେପିର ମଧ୍ୟ ବିଧାୟକ ଦଳ ବୈଠକ ଆଜି ବସିଥିଲା । ଏଥିରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି । କିଛି ସମୟ ମଧ୍ୟରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ଆବାସରେ ପହଞ୍ଚି ଯିବେ । ଯେଉଁଠି ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ ।
ଆଜି ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ
ଭୁବନେଶ୍ବର: ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ହେବ ଶେଷକୃତ୍ୟ । ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପାର୍ଥିବ ଶରୀର କଟକ ଐତିହାସିକ ସ୍ଵରାଜ ଆଶ୍ରମରେ ଶେଷ ଦର୍ଶନ ପାଇଁ ରଖାଯାଇଛି ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ସ୍ବରାଜ ଆଶ୍ରମ ଆସି ସାମଲଙ୍କ ଶବାଧାରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଜଣେ ମୁରବୀଙ୍କୁ ରାଜ୍ୟ ହରାଇଲା ବୋଲି କହିଛନ୍ତି ମନ୍ତ୍ରୀ । ସ୍ବରାଜ ଆଶ୍ରମରୁ ମରଶରୀର ଯାଜପୁର ବାହାରିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିପଡ଼ିଆରେ ରାଷ୍ଟୀୟ ସମ୍ମାନ ପ୍ରଦାନ ପରେ ନୀଳମଣିଙ୍କ ଶେଷକୃତ୍ୟ ସଂପନ୍ନ ହେବ । ୧୦୨ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ମୃତ୍ଯୁବରଣ କରିଥିଲେ । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ ନୀଳମଣି ସାମଲ ।
ଆସନ୍ତାକାଲି ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ । ଏହାସହ ସ୍ବର୍ଗତ ନୀଳମଣିଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ ।
ଶାଢ଼ୀ ପିନ୍ଧି ମାରାଥନ ଦୌଡ଼ିଲେ ୫ ହଜାର ମହିଳା
ଭୁବନେଶ୍ବର: ଟ୍ରାକ ସୁଟ ନୁହେଁ, ପାଟ ଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ମହିଳା । ଶହେ କି ଦୁଇ ଶହ ନୁହେଁ, ୫ ହଜାର ମହିଳା ପାଟ ଶାଢ଼ୀ ପିନ୍ଧି ଏକକାଳୀନ ଲଗାଇଲେ ଦୌଡ଼ । ମହିଳା ସଶକ୍ତିକରଣ ଓ ଶିକ୍ଷା ଲକ୍ଷ୍ୟରେ ପାଟଥନ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ ।
ଶିଖରଚଣ୍ଡୀ ମନ୍ଦିର ଛକରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ ହୋଇଛି । ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ପାଟଥନ ଆୟୋଜନ କରାଯାଇଛି ।

