spot_img
Home Blog Page 2142

ସାଧାରଣ ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ଼ ଘୋଷଣା, ଏକା ଲଢ଼ିବ ବିଏସପି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲା ବିଏସପି । ୨୦୨୪ ସାଧାରଣ ନିର୍ବାଚନରେ ଏକା ଲଢ଼ିବ ମାୟାବତୀଙ୍କ ବିଏସପି । ବିଏସପି କୌଣସି ମେଣ୍ଟରେ ସାମିଲ ହେବ ନାହିଁ । ଏ ନେଇ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ମାୟାବତୀ । ନିଜ ଶକ୍ତି ଅନୁସାରେ ଏକା ନିର୍ବାଚନ ଲଢ଼ିବ ଏବଂ ଭଲ ପ୍ରଦର୍ଶନ କରିବ ବୋଲି ମାୟାବତୀ କହିଛନ୍ତି ।

ଏ ନେଇ ସେ କହିଛନ୍ତି, ଉତ୍ତରପ୍ରଦେଶ ବିଏସପି ଏକା ଲଢ଼ିବା ଦ୍ବାରା ବିରୋଧୀଙ୍କ ମନରେ ଛନକା ପସିଛି । କିନ୍ତୁ ସମାଜର ହିତ ପାଇଁ ପାର୍ଟି ଏକା ନିର୍ବାଚନ ଲଢ଼ିବ ଏବଂ ଏହି ନିଷ୍ପତ୍ତିରେ ଆମେ ଅଟଳ ରହିବୁ । ଆଗାମୀ ଲୋକସଭା ନିର୍ବାଚନରେ କୌଣସି ଦଳ ସହ ବିଏସପି ମେଣ୍ଟ କରିବ ନାହିଁ ।

ଏଠାରେ ଆପଣଙ୍କୁ କହି ରଖିବାକ ଚାହୁଁଛୁ ଯେ, ଇଣ୍ଡିଆ ମେଣ୍ଟରେ ମାୟାବତୀ ସାମିଲ ହେବା ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ଏହା ପୂର୍ବରୁ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା ବିଏସପି । ମୋଟ ୩୮ ଆସନରେ ବିଏସପି ନିର୍ବଚାନ ଲଢ଼ିଥିବା ବେଳେ ୨୨ ପ୍ରତିଶତ ଭୋଟ ହାସଲ କରିଥିଲା ।

 

ପରିବାର ଲୋକଙ୍କ ଆଖି ଆଗରେ ମହିଳାଙ୍କୁ କଚାଡି ମାରିଲା ଦନ୍ତାହାତୀ

କୋଇଡା: ପୁଣି ଦନ୍ତା ଆକ୍ରମଣରେ ମହିଳା ମୃତ। ପରିବାର ଲୋକଙ୍କ ଆଖି ଆଗରେ ମହିଳାଙ୍କୁ କଚାଡି ମାରିଲା ଦନ୍ତାହାତୀ । କୋଇଡା ରେଞ୍ଜ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିରେ ଘଟିଛି ଅଘଟଣ। ହାତୀ ଭୟରେ ଘରୁ ବାହାରି ଦୌଡ଼ିବା ବେଳେ ଶୁଣ୍ଡରେ ଟାଣି ନେଲା ଦନ୍ତା। ମୃତ ମହିଳା ହେଲେ ଇତୱାରୀ ବଦ୍ରା। ରାତ୍ରୀ ପ୍ରାୟ ତିନିଟା ସମୟରେ ଖାଦ୍ୟ ଅନ୍ୱେଷଣରେ ସାହି ମଧ୍ୟକୁ ପଶି ଆସିଥିଲା ଦନ୍ତାହାତୀ। ଗ୍ରାମବାସୀ ହାତୀକୁ ଘୋଉଡାଇବା ବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ଯିବା ବେଳେ ଦନ୍ତାହାତୀ ଶୁଣ୍ଢରେ ଟାଣି ନେଇ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା ।

ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋଇଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l କ୍ଷତିଗ୍ରସ୍ତ ପରିବାରକୁ ଏବେ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୋଇଡ଼ା ବନାଞ୍ଚଳ ଅଧିକାରୀ ଗୌତମ ପ୍ରଧାନ ସୂଚନା ଦେଇଛନ୍ତି l

ଶ୍ରୀମନ୍ଦିର ଭିତରେ ଥିବା ବରାହ ମନ୍ଦିରରୁ ଖସିଲା ପଥର

ଶ୍ରୀମନ୍ଦିର ଭିତରେ ଥିବା ବରାହ ମନ୍ଦିରରୁ ଖସିଲା ପଥର। ଆଜି ଭୋର ସମୟରେ ବରାହ ମନ୍ଦିରରୁ ଖସିଛି ପଥର। ପଥର ଖସି ଏକାଦଶୀ ମନ୍ଦିର ଟିଣ ଛାତରେ କଣା ହୋଇଯାଇଛି। ପଥରକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ଏଏସଆଇକୁ ସୂଚନା ଦେଇଛନ୍ତି । ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର । ଏଏସଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।

ମନ୍ଦିରରୁ ପଥର ଖସିବା ପରେ ଏହାର ଅନୁଧ୍ୟାନ କରିଛନ୍ତି ଏଏସଆଇ ଟିମ୍। ପଥରର ଓଜନ ପ୍ରାୟ ୩ ରୁ ୪ କେଜି ରହିଥିବା ବେଳେ, ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛି ଏଏସଆଇ ଟିମ୍। ରାସାୟନିକ ପ୍ରଲେପ ଦିଆଯାଇ ମରାମତି କରାଯିବ । ପଥର ଦୁର୍ବଳ ଥିବାରୁ ମାଙ୍କଡ ଡେଇଁ ଖସାଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡ଼ନାୟକ।

ଆଜି ବସିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନରେ ସ୍ବତନ୍ତ୍ର କମିଟି ସହ ଆଲୋଚନା କରିବେ ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ ପଶାୟତ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୧୨ ଜଣିଆ କମିଟିର ଏହା ପ୍ରଥମ ବୈଠକ ହେବାକୁ ଥିବା ବେଳେ, ରତ୍ନ ଭଣ୍ଡାରର ସ୍ଥିତି ଓ ଏହାର ମରାମତି ନେଇ ସମୀକ୍ଷା କରାଯିବ। ଏଥିରେ ଥିବା ମୂଲ୍ୟବାନ ରତ୍ନ ଗଣତି ନେଇ ମଧ୍ୟ ଆଲୋଚନା ହୋଇପାରେ। ତେବେ ଆଗାମୀ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାରର ମରାମତି ଓ ଗଣତି ନେଇ ଏକ ପ୍ରକାର ଯୋଜନା ରହିଥିବା ଆଶଙ୍କା କରାଯାଉଛି। ଶେଷ ଥର ପାଇଁ 1978 ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ବିଶିଷ୍ଟ ହୃଦ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା କମିଟିର ଉପଧକ୍ଷ ରହିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ରହିଛନ୍ତି। ସେହିପରି କମିଟିରେ ପୁରୀ ଜିଲ୍ଲାପାଳ,ଏସପିଙ୍କ ସମେତ, ଗଜପତି ମହାରାଜାଙ୍କ ପ୍ରତିନିଧି, ତିନି ଜଣ ସେବାୟତ ପ୍ରତିନିଧି, ଏଏସଆଇ ସଦସ୍ୟ ପ୍ରତିନିଧି, ଭଣ୍ଡାର ମେକାପ ପ୍ରମୁଖ ରହି ରତ୍ନ ଅଳଙ୍କାର ସୁରକ୍ଷା ନେଇ ବିହିତ ପଦକ୍ଷେପ ନେବେ।

ଭାରତ ଓ ଇଂଲଣ୍ଡ ଟେଷ୍ଟର ତୃତୀୟ ଦିନ, ଆଜି ୮ ୱିକେଟ୍ ୪୭୩ ରନରୁ ଖେଳ ଆରମ୍ଭ କରିବ ଭାରତ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନ । ଆଜି ୮ ୱିକେଟ୍ ୪୭୩ ରନରୁ ଖେଳ ଆରମ୍ଭ କରିବ ଭାରତ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି ମ୍ଯାଚ । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ଟି ୱିକେଟ୍ ହରାଇ ୪୭୩ ରନ୍ ସଂଗ୍ରହ କରିଥିଲା ଭାରତ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ପାଳିରେ ଘରୋଇ ଟିମ୍ ୨୫୫ ରନରେ ଅଗ୍ରଣୀ ରହିଛି । ଗତକାଲି ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକ ହାସଲ କରିଥିଲେ । ଉଭୟେ ଦ୍ବିତୀୟ ୱିକେଟ୍ ପାଇଁ ୧୭୧ ରନର ଭାଗିଦାରୀ କରିଥିଲେ ।

ରୋହିତ ୧୩ଟି ଚୌକା ଓ ୩ଟି ଛକା ବଳରେ ୧୦୩ ରନ୍ ଓ ଗିଲ୍ ୧୨ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୦ ରନ୍ କରିଥିଲେ । ସେହିପରି ଯୁବ ବ୍ଯାଟ୍ସମ୍ଯାନ ଦେବଦତ୍ତ ପଡିକଲ ଓ ସର୍ଫରାଜ ଖାନ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୭ ରନ କରି କୁଲଦୀପ ଯାଦବ ଓ ୧୯ ରନ କରି ଯଶପ୍ରୀତ ବୁମରା ଅପରାଜିତ ଅଛନ୍ତି । ଇଂଲଣ୍ଡ ଟସ୍ ଜିଣି ଗୁରୁବାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଯୋଗୁଁ ୫୭.୪ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।

ଅନ୍ୟ ବିଷୟ ପଢ଼ାଇବାକୁ ମନା କରିବାରୁ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ

ଗାଜିଆବାଦ: ଶିକ୍ଷୟିତ୍ରୀଙ୍କ ଚୁଟି ଟାଣି ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ । ତାଙ୍କୁ ଜାତିଆଣ ଆକ୍ଷେପ ବି କଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାରେ । ଜଣେ କମ୍ପ୍ୟୁଟର ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ କଥା ମାନିଲେନି ବୋଲି ତାଙ୍କୁ ସମସ୍ତଙ୍କ ସମ୍ନାରେ ଚୁଟି ଟାଣି ପିଟିଛନ୍ତି ।

ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ଆଂଶିକା କମ୍ପ୍ୟୁଟର ପଢ଼ାନ୍ତି । ଗତ ୪ ତାରିଖରେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ କମ୍ପ୍ୟୁଟର ବ୍ୟତିତ ଅନ୍ୟ ବିଷୟ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ସେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ଅଧିକାରୀ ଏହାକୁ ମନା କରିବା ସହ ତାଙ୍କୁ କେବଳ କମ୍ପ୍ୟୁଟର ପଢ଼ାଇବାକୁ କହିଥିଲେ । ଏହା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସେଠାରେ ପହଞ୍ଚି ଚୁଟି ଟାଣି ତାଙ୍କୁ ପିଟାପିଟି କଲେ । ଏହା ସହ ତାଙ୍କ ଜାତିକୁ ନେଇ ବି ଆକ୍ଷେପ କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତିଦନ୍ତ କରୁଛି ।

 

 

ଦୁର୍ଘଟଣାରେ ବାପା ଝିଅଙ୍କ ମୃତ୍ୟୁ, ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ

ଜୟପୁର: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ । ଗୋଟିଏ ଜୁଇରେ ଜଳିଲା ବାପା ଝିଅଙ୍କ ମୃତଦେହ । ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଗତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏକ କାର୍ ଯୋଗେ ବିବାହ କାର୍ଯ୍ୟରୁ ଯୋଗ ଦେଇ ଫେରୁଥିଲା ବେଳେ ପରିବାରର ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ରାଜସ୍ଥାନର ପଚେଓ୍ବର ଗାଁର ଗମ୍ଭୀର ମଲ ଜୈନ ନିଜ ପରିବାର ସହ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବାଜୋଲାବ ଗାଁ ନିକଟରେ କାରଟି ନିୟନ୍ତ୍ରଣ ହରାଇ ପୋଲ ବାଡାରେ ପିଟି ହୋଇଯାଇଥିଲା ।

ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଗାଡ଼ି ଚଳାଉଥିବା ଗମ୍ଭୀର ମଲ ଜୈନ ଓ ପଛରେ ବସିଥିବା ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି କାରରୁ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଇଥିଲେ । ମେଡିକାଲରେ ଡାକ୍ତର ବାପା ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି ।

ଉଭୟ ବାପା ଝିଅଙ୍କ ଜୁଇ ଏକା ସହ ଜଳିଛି  । ଏହି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗମ୍ଭୀର ମଲ ଜୈନଙ୍କ ଆଖି ଲାଗି ଯାଇ ଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

 

ପେଟ୍ରୋଲ ପମ୍ପରେ ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି, ପମ୍ପ ଜାଳି ଦେବାକୁ ଉଦ୍ୟମ

ବଲାଙ୍ଗୀର: ବଲାଙ୍ଗୀର ଟାଉନ୍ ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି I ଗତକାଲି ସନ୍ଧ୍ୟାରେ ପେଟ୍ରୋଲ ପମ୍ପକୁ ଆସି ଯୁବକ ଜଣକ ହଠାତ୍ ପେଟ୍ରୋଲ ମାଗିଥିଲେ I କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ପମ୍ପ ଜାଳି ଦେବାକୁ ଉଦ୍ୟମ କରିଥିଲା। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ହାତରେ ଗଭୀର ଆଘାତ ଲାଗିଛି I ପେଟ୍ରୋଲ ପମ୍ପ ମାଲିକ ସନ୍ଦୀପ ଅଗ୍ରୱାଲ ଏନେଇ ଥାନାରେ ଏତଲା ଦେଇଛନ୍ତି I ଆକ୍ରମଣ କରି ଫେରାର୍ ମାରିଥିବା ଯୁବକ ଜଣକ ହେଲେ ବରପାଲିପଡ଼ାର ରୋହନ ଜେନା। ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଜି ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନ, ଅସିଫ ଅଲ୍ଲୀ ଜର୍ଦ୍ଦାରୀ ନୂଆ ରାଷ୍ଟ୍ରପତି ହେବା ଆଶା ଉଜ୍ବଳ

ଇସଲାମାବାଦ: ଆଜି ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ସକାଶେ ନ୍ଯାସନାଲ ଆସେମ୍ବ୍ଲିରେ ଉଭୟ ଗୃହର ମିଳିତ ଅଧିବେଶନ ଲାଗି ସମନ ଜାରି କରିଥିଲେ ନବନିର୍ବାଚିତ ବାଚସ୍ପତି ଆୟାଜ ସାଦିକ। ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦ୍ଦାରୀ ପ୍ରାୟ ୧୧ ବର୍ଷ ପରେ ପୁଣି ଥରେ ନୂଆ ରାଷ୍ଟ୍ରପତି ହେବା ଆଶା ଉଜ୍ବଳ ରହିଛି। ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପାଖତୁନ ନେତା ମହମ୍ମଦ ଖାଁ ଆଚାକଜାଇ। ଜର୍ଦ୍ଦାରୀଙ୍କୁ ସମର୍ଥନ କରୁଛନ୍ତି ପାକିସ୍ତାନ ମୁସଲିମ ଲିଗ- ନୱାଜ ଓ ପାକିସ୍ତାନ ପିପୁଲସ ପାର୍ଟି। ଯଦି ଜର୍ଦ୍ଦାରୀ ବିଜୟୀ ହୁଅନ୍ତି ତେବେ ସେ ହେବ ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି। ୨୦୦୮ରୁ ୨୦୧୩ ଯାଏ ଅସିଫ ଥିଲେ ରାଷ୍ଟ୍ରପତି। ସେପଟେ ୭୫ ବର୍ଷ ବୟସ୍କ ଆଚାକଜାଇ ବାଲୁଚସ୍ତାନର ହୋଇଥିବାବେଳେ ସେ ପାଖତୁନଖାୱା ମିଲ୍ଲୀ ଆୱାମି ପାର୍ଟିର ନେତା ଅଛନ୍ତି । ସଂସଦରେ ଆଚାକଜାଇଙ୍କୁ ସମର୍ଥନ କରୁଛନ୍ତି ସୁନ୍ନି ଇତେହାଦ କାଉନସିଲ ।

ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨ ଶହ ୯୪ ଜଣ  ଅଧିକାରୀ

ଭୁବନେଶ୍ବର: ଆଜି ବିଭିନ୍ନ ବିଭାଗରେ ନିଯୁକ୍ତ ହେବେ ୧୨ ଶହ ୯୪ ଜଣ  ଅଧିକାରୀ । ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ନବନିଯୁକ୍ତ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ, ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇବାକୁ ଯାଉଛନ୍ତି । ଅର୍ଥ ବିଭାଗରେ ମୋଟ୍ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ଜଣ କନିଷ୍ଠ କିରାଣୀ ଏବଂ ୮ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇବେ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ୍ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇବେ ।

କ୍ରୀଡା ବିଭାଗରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୬୦ ଜଣ କୃତୀ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯିବ । ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ ।  ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଅଶ୍ଵତୀ ଏସ୍ ଉପସ୍ଥିତ ରହିବେ।