ପୁରୀ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ବିରୋଧ ପ୍ରସଙ୍ଗ । ଆବେଦନକାରୀଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ । ଆବେଦନକାରୀଙ୍କ ଆୟ ସମ୍ପର୍କରେ ତଥ୍ୟ ମାଗିଲେ ହାଇକୋର୍ଟ । ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଭାରତୀୟ ବିକାଶ ପରିଷଦ ଏବଂ ଜଗନ୍ନାଥ ସେନା ପକ୍ଷରୁ ଦାୟର ହୋଇଥିଲା ମାମଲା।
ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗାଇଲେ ଜଗନ୍ନାଥ ଭଜନ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଜଗନ୍ନାଥମନସ୍କ ସାରାଦେଶ । ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗାଇଲେ ଜଗନ୍ନାଥ ଭଜନ । ତାଙ୍କ କଣ୍ଠରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଭଜନ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡ଼ୁଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଉଲ୍ଲେଖ କରିଛନ୍ତି । ନବୀନ କହିଛନ୍ତି, ଭାବ ଓ ଭକ୍ତିରେ ପୂରି ଉଠୁଛି ସାରା ଶ୍ରୀକ୍ଷେତ୍ର। ଏସବୁ ସମ୍ଭବ ହୋଇଛି ତାଙ୍କରି ଇଚ୍ଛାରେ।
ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି । ସଂଗୀତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମାଠୁ ଆରମ୍ଭ କରି ମେଘନାଦ ପାଚେରୀ, ବାଇସି ପାହାଚ ଓ ଭକ୍ତଙ୍କୁ ମିଳୁଥିବା ଦିବ୍ୟ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସେପଟେ ଭଜନଟି ଏକ୍ସରେ ମଧ୍ୟ ଟ୍ରେଣ୍ଡ କରୁଛି । ହ୍ୟାସଟ୍ୟାଗ ଶ୍ରୀମନ୍ଦିର ଖୁସି ଓଡ଼ିଶା ଖୁସି ନାଁରେ ଭଜନ ଟ୍ରେଣ୍ଡ କରୁଛି ।
ହନିମୁନ ଯାଉଥିଲେ ପାଇଲଟଙ୍କ ଉପରକୁ ହାତ ଉଠାଇଥିବା ଯାତ୍ରୀ, ଜାଣନ୍ତୁ ସେ କିଏ?
ନୂଆଦିଲ୍ଲୀ: ଇଣ୍ଡିଗୋ ଫ୍ଲାଇଟରେ ପାଇଲଟଙ୍କ ଉପରକୁ ହାତ ଉଠାଇଥିବା ଯାତ୍ରୀ ସାହିଲ କାଟାରିଆ କ୍ଷମା ମାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ସେଦିନ ବିମାନବନ୍ଦରରେ ଘନ କୁହୁଡି ଥିଲା ଏବଂ ସକାଳ ୫ ରୁ ୧୦ଟା ପର୍ଯ୍ୟନ୍ତ ବିମାନବନ୍ଦରରେ ଦୃଶ୍ୟମାନ କ୍ଷମତା ଜିରୋ ଥିଲା। ଏହି କାରଣରୁ ୪ଶହରୁ ଅଧିକ ବିମାନ ବିଳମ୍ବ ହୋଇଥିଲା। ସାହିଲଙ୍କ ବିମାନ ମଧ୍ୟ ବହୁତ ବିଳମ୍ବ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ସହ ହନିମୁନ୍ ପାଇଁ ଗୋଆ ଯାଉଥିଲେ। ତାଙ୍କର ବିମାନ ସକାଳ ୭:୪୦ରେ ଉଡ଼ାଣ ଭରିବାର ଥିଲା କିନ୍ତୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ କରିନଥିଲା। ଏହା ପରେ କ୍ରୋଧିତ ସାହିଲ ସହ-ପାଇଲଟ୍ ଅନୁପ କୁମାରଙ୍କୁ ଚାପୁଡ଼ା ମାରିଥିଲେ
ସାହିଲଙ୍କ ବିମାନ ମଧ୍ୟ ୧୨ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା। ଏହି କ୍ରୋଧରେ ସେ ପାଇଲଟଙ୍କ ଉପରକୁ ହାତ ଉଠାଇଥିଲେ । ୨୮ ବର୍ଷିୟ କାଟାରିଆଙ୍କୁ ଗିରଫ କରାଯାଇଥିଲା। ତେବେ ସେ ତୁରନ୍ତ ଜାମିନ ମଧ୍ୟ ପାଇଛନ୍ତି। କାଟାରିଆଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯାଇ ନାହିଁ କିନ୍ତୁ କିଛି ବିଶେଷଜ୍ଞ କହିଛନ୍ତି ଯେ, ତାଙ୍କୁ ନୋ-ଫ୍ଲାଏ ତାଲିକାରେ ରଖାଯିବା ଉଚିତ।
ଅନ୍ୟ ଏକ ଭିଡିଓରେ କାଟାରିଆ ତାଙ୍କ ପତ୍ନୀଙ୍କ ସହ ବିମାନରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ପରେ ଏକ ଭିଡିଓରେ ସେ ହାତ ଯୋଡ଼ି କ୍ଷମା ମାଗୁଥିବା ନଜର ଆସିଛନ୍ତି। ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଡିସିପି ଦେବେଶ କୁମାର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା ଏବଂ ବିମାନ ନିୟମର ଧାରା 3୨୩ (ଆଘାତ ସୃଷ୍ଟି), ୩୪୧ (ଖରାପ କାର୍ଯ୍ୟକଳାପ) ଏବଂ ୨୯୦ (ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
‘ଲକ୍ଷ୍ମୀ‘ ତୃତୀୟ ଟିୟରରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’, ଡିଲକ୍ସ ଲକଜୁରିଅସ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ
ଭୁବନେଶ୍ବର: ଜଗନ୍ନାଥ ଦର୍ଶନ ହେବ ଆହୁରି ସହଜ । ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଦର୍ଶନକୁ କରାଯିବ ସୁବିଧାଜନକ । ଲକ୍ଷ୍ମୀ ତୃତୀୟ ଟିୟରରେ ଗଡିବ ଜଗନ୍ନାଥ ଏକ୍ସପ୍ରେସ । ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସୁବିଧାରେ ଫେରିପାରିବେ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ସବୁ ବସ ଭୁବନେଶ୍ବର ଦେଇ ଯିବ । ଏହାଦ୍ବାରା ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ର ଆସି ଜଗନ୍ନାଥ ଦର୍ଶନର ସୁଯୋଗ ମିଳିବ । ଲକ୍ଷ୍ମୀ ଯୋଜନାର ପ୍ରଥମ ଟିୟରରେ ଗାଁରୁ ବ୍ଲକକୁ ବସ ଗଡ଼ୁଛି । ଦ୍ବିତୀୟ ଟିୟର ବ୍ଲକରୁ ହେଡକ୍ଵାର୍ଟର ଓ ତୃତୀୟ ଟିୟର ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ହେଡକ୍ଵାର୍ଟରରୁ ପୁରୀକୁ ଗଡ଼ିବ ।
ବଢିଲା ବିଏସକେଓ୍ବାଇ ନବୀନ କାର୍ଡ ପଞ୍ଜୀକରଣ ଅବଧି
ଭୁବନେଶ୍ବର: ବଢିଲା ବିଏସକେଓ୍ବାଇ ନବୀନ କାର୍ଡ ପଞ୍ଜୀକରଣ ଅବଧି । ଆସନ୍ତା ୨୬ ତାରିଖ ଯାଏ ଅବଧିକୁ ବଢାଇଲେ ରାଜ୍ୟ ସରକାର । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ସୂଚନା ଦେଇଛନ୍ତି । ଜାନୁଆରୀ ୬ ତାରିଖରୁ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇ ଆଜି ଶେଷ ହେବାର ରହିଥିଲା । ତେବେ ଲୋକଙ୍କ ନିବେଦନ ପରେ ପଞ୍ଜିକରଣ ଅବଧିକୁ ଆଉ ୧୦ ଦିନ ବଢାଇଛନ୍ତି ରାଜ୍ୟ ସରକାର ।
ଯେଉଁ ହିତାଧିକାରୀ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି ସେମାନେ ନାମ ପଞ୍ଜୀକରଣ କରିପାରିବେ । ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏଥିଲାଗି ଉପଯୁକ୍ତ ବିବେଚିତ ହେବେ ନାହିଁ । ବର୍ତ୍ତମାନ ବିଏସକେଓ୍ବାଇ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ ବିଏସକେଓ୍ବାଇ ନବୀନ କାର୍ଡ ଲାଗି ଯୋଗ୍ୟ ବିବେଚିତ ହେବ । ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ଅର୍ଥାତ କ୍ରିଟିକାଲ ରୋଗଗୁଡିକ ଲାଗି ଦେୟମୁକ୍ତ ଚିକିତ୍ସା ପାଇପାରିବେ । ବିଏସକେଓ୍ବାଇ ନବୀନ କାର୍ଡରେ ପ୍ତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ରହିଛି । ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ସୁବିଧା ପାଇବେ ।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଆସିଛି ଜୀବନରେ ମାରିଦେବା ଧମକ । ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତବନ୍ତ ସିଂ ପନ୍ନୁ ଭଗବନ୍ତ ମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ୨୬ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଆକ୍ରମଣ କରିବାକୁ ଗ୍ୟାଙ୍ଗଷ୍ଟରଙ୍କ ସହ ଆସିବାକୁ କହିଛି । କେବଳ ଏତିକି ନୁହେଁ ପଞ୍ଜାବର ଡିଜିପି ଗୌତମ ଯାଦବଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି।
କୁହାଯାଉଛି ଯେ, ଖଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯୋଗୁ ପନ୍ନୁ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟର ମାନେ ବିବ୍ରତ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଦିଆଯାଇଥିବା ଧମକ ଏହାର ଏକ ଉଦାହରଣ।
ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ପଞ୍ଜାବ ପୋଲିସ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣେଇଛି ।
ଅଯୋଧ୍ୟା ରାମ ମନ୍ଦିର ସମାରୋହକୁ ବିରୋଧ କରିବାକୁ ମୁସଲମାନ ସମ୍ପ୍ରଦାୟକୁ ମଧ୍ୟ ଅନୁରୋଧ କରିଥିଲା। ପନ୍ନୁ ପ୍ରଧାନମନ୍ତ୍ରୀଙ୍କୁ ମୁସଲମାନଙ୍କ ଶତ୍ରୁ ବୋଲି ବି କହିଥିଲା । ରାମ ମନ୍ଦିର ମୁସଲମାନଙ୍କ ଶବ ଉପରେ ତିଆରି ହୋଇଛି ବୋଲି କହିଥିଲା ପନ୍ନୁ ।
ବିବାହ ପାଇଁ ରାଜି ନ ହେବାରୁ ହୋଟେଲ ବ୍ୟବସାୟୀଙ୍କ ତଣ୍ଟି କାଟିଥିଲା କେୟାର ଟେକର
ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ହୋଟେଲ ବ୍ୟବସାୟୀ ବିଶ୍ବଜିତ ନାୟକଙ୍କୁ ହତ୍ୟା ମାମଲା । କେୟାରଟେକର ହିଁ ବିଶ୍ବଜିତଙ୍କୁ କରିଥିଲା ହତ୍ୟା । ହତ୍ୟା ଅଭିଯୁକ୍ତ କେୟାରଟେକର ସୋନିକୁ ଗିରଫ କଲା କମିଶନରେଟ ପୋଲିସ । ସମ୍ପତ୍ତି ଲୋଭରେ ସୋନି ବିଶ୍ବଜିତଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ସୋନି ପୂର୍ବରୁ ମଧ୍ୟ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା ଭୋଗିଛି । ସୋନି ବିଶ୍ବଜିତଙ୍କର କେୟାରଟେକର ଭାବେ ତିନିବର୍ଷ ଧରି କାମ କରୁଥିଲ ।
ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଶ୍ବଜିତଙ୍କୁ ସୋନି ବିବାହ କରିବାକୁ ବାଧ୍ୟ କରୁଥିଲେ । ବିଶ୍ବଜିତ ବିବାହ ପାଇଁ ରାଜି ନହେବାରୁ ଜଘନ୍ୟ କାଣ୍ଡ ଘଟଣାଇଥିଲା ଅଭିଯୁକ୍ତ । ଧାରୁଆ ଅସ୍ତ୍ରରେ ବିଶ୍ବଜିତଙ୍କର ତଣ୍ଟିକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ।
ଦାରିଦ୍ର୍ୟ ହ୍ରାସରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ, କୋଟିଏ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ
ଭୁବନେଶ୍ବର: ଓଡ଼ିଶାର ସାମଗ୍ରିକ ଅର୍ଥନୈତିକ ବିକାଶ ଘଟିଛି l ପ୍ରଗତି ପଥରେ ଓଡ଼ିଶା ଆଗେଇ ଚାଲିଛି l ଫଳରେ ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି l ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଦେଶରେ ଦାରିଦ୍ର୍ୟ ହାର ହ୍ରାସ ୧୧.୨୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୧.୦୭ ପ୍ରତିଶତ ରହିଛି ।
ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣର ମାନଦଣ୍ଡକୁ ଆଧାର କରି ରିପୋର୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ଓ ବ୍ୟାପକ ନିଯୁକ୍ତି ଯୋଗୁ ଉଲ୍ଲେଖନୀୟ ଭାବେ ଦାରିଦ୍ର୍ୟ ହାର ହ୍ରାସ ଘଟିଛି । ରାଜ୍ୟର ଉଲ୍ଲେଖନୀୟ ସଫଳତା ଦେଶ ପାଇଁ ରୋଲ୍ ମଡେଲ ସାଜିଛି ।
ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ଆକ୍ରମଣ କଲା ବିବାହିତ ଝିଅ
ବାଲେଶ୍ବର : ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ଆକ୍ରମଣ କଲା ବିବାହିତ ଝିଅ । ବାଲେଶ୍ବର ଜିଲ୍ଲା ସୋର ଥାନା ସରଶଙ୍ଖ ପଂଚାୟତ ହାତିଗଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି ପ୍ରକାଶ କରିଥିଲେ ମାଆ ।
ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ଝିଅ କୁନି । ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜିତ ମଧ୍ୟ ଝିଅ ଆକ୍ରୋଶର ଶିକାର ହୋଇଥିଲେ । ଝିଅର ଆକ୍ରମଣରେ ରଞ୍ଜିତଙ୍କ ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝିଅକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।
ଧନୁଯାତ୍ରାର ଆଜି ଦ୍ବିତୀୟ ଦିନ, ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ
ବରଗଡ଼: କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ ଦୁଖଃତ ହୋଇପଡ଼ିଛନ୍ତି କଂସ । ଭଉଣୀ ଦେବକୀଙ୍କୁ ଶାଶୂଘରେ ଛାଡ଼ିବାକୁ ଆନନ୍ଦର ସହ ଯିବାସମୟରେ କଂସଙ୍କୁ ଶୁଭିଛି ଦୈବବାଣୀ । ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ତାର ମୃତ୍ୟୁର କାରଣ ହେବ ବୋଲି ଦୈବୀବାଣି ଶୁଣିବାପରେ କ୍ରୋଧିତ ହୋଇପଡ଼ିଛନ୍ତି କଂସ । ସେ ଦେବକୀ-ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରା ନଗରୀର ରାଜସିଂହାସନ ଆରୋହଣ କରିଛନ୍ତି ।
ଆଜି ଦ୍ବିତୀୟ ଦିନରେ ଲୋକମଣ୍ଡପ ପଡିଆରେ ରଙ୍ଗ ମହଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ପରେ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ନେବାପରେ ଗୋପପୁର ଯାତ୍ରା କରିବେ ବସୁଦେବ। ଯିବା ସମୟରେ ଉଗ୍ରସେନଙ୍କ ସହ ବସୁଦେବଙ୍କ ହେବ ଭେଟଘାଟ । ପରେ ଗୋପପୁରରୁ ବିଜୁଳି କନ୍ୟାକୁ ନେଇ ପ୍ରତ୍ୟାବର୍ତ୍ତନ କରିବେ ବସୁଦେବ । ଏହି ଦୃଶ୍ୟ ଉପଭୋଗ କରିବାକୁ ଆଜିବି ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବ । ସାଂସ୍କୃତିକ ଲୋକଗୀତର ତାଳେ ତାଳେ ଝୁମିବ ବରଗଡ଼ ସହର । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

