spot_img
Home Blog Page 2116

ଇଣ୍ଡିଆ ମେଣ୍ଟକୁ ଝଟକା, ପଶ୍ଚିମବଙ୍ଗରେ ଏକା ଲଢିବେ ମମତା

ବ୍ୟୁରୋ ରିପୋର୍ଟ: ପଶ୍ଚିମବଙ୍ଗରେ ଏକାକୀ ଲଢିବ ଟିଏମସି। ଆସନ୍ତା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ଏକାକୀ ଲଢିବ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। କଂଗ୍ରେସ ସହ କୌଣସି ସମ୍ବନ୍ଧ ନାହିଁ ବୋଲି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ ।

ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ଲାଗିଛି ବଡ ଝଟ୍‌କା। ତୃଣମୂଳ କଂଗ୍ରେସ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଏକା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ବୁଧବାର ମମତା ଏହି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବରଚନକୁ ଟିଏମସି ରାଜ୍ୟରେ ଏକା ଲଢିବାକୁ ଯାଉଛି। ଆସନ ବୁଝାମଣା ନେଇ ସେ ମେଣ୍ଟର ପ୍ରମୁଖ ସଦସ୍ୟ ଓ କଂଗ୍ରେସ ସହ ଆଲୋଚନା କରିଥିଲେ। କିନ୍ତୁ ସବୁ ଆଲୋଚନା ବିଫଳ ହୋଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯେକୌଣସି ପ୍ରସ୍ତାବ ଦେଲେ ମଧ୍ୟ ସେ ସବୁକୁ ଖଣ୍ଡନ କରିଥିଲେ। ତେଣୁ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି। 

 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାହୁଲଙ୍କ ଟାର୍ଗେଟ

ବ୍ୟୁରୋ ରିପୋର୍ଟ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାହୁଲଙ୍କ ଟାର୍ଗେଟ । ଦେଶର ସବୁଠାରୁ ଭ୍ରଷ୍ଟ ମୁଖ୍ୟମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆସାମର ବାରପେଟା ଦେଇ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଗତକାଲି ଗୁଆହାଟି ଦେଇ ରାହୁଲଙ୍କ ଯାତ୍ରା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାହୁଲଙ୍କ ଏହି ଯାତ୍ରାକୁ ଗୁଆହାଟି ସହର ମଧ୍ୟ ଦେଇ ଯିବାକୁ ଅନୁମତି ଦେଇନଥିଲେ। ସହରରେ ଟ୍ରାଫିକ ବ୍ୟବସ୍ଥା ବିଗିଡିବା ସ୍ଥିତିକୁ ନେଇ ରାହୁଲଙ୍କ ଯାତ୍ରାକୁ ସହର ମଧ୍ୟ ଦେଇ ଯିବାକୁ ଅନୁମତି ଦେଇନଥିଲେ।

ଗତକାଲି ରାହୁଲଙ୍କ ଯାତ୍ରା ସମୟରେ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା।  ରାହୁଲଙ୍କ ଯାତ୍ରା ସମୟରେ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କୁ ପୋଲିସ କ୍ଷତି ପହଞ୍ଚାଇବା ଦେଖିବାକୁ ମିଳିଥିଲା। ଅନେକ କଂଗ୍ରେସ କର୍ମୀ ଆହତ ମଧ୍ୟ ହୋଇଥିଲେ। ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସେପଟେ ଆସାମରେ ହିଂସା ଉସୁକାଇବା ଅଭିଯୋଗ କରି ବରିଷ୍ଠ କଂଗ୍ରେସ ନେତା ରାହୁଲଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସହ ପୋଲିସକୁ ଆକ୍ରମଣ କରିବା ଭଳି ଅଭିଯୋଗ ହୋଇଛି। ଆଜି ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଏକାଦଶ ଦିନ ହୋଇଥିବାବେଳେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧି । ଆସନ୍ତାକାଲି ରାହୁଲଙ୍କ ଯାତ୍ରା ପଶ୍ଚିମବଂଗକୁ ପ୍ରବେଶ କରିବ ।

ପୂରଣ ହେଲା କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ, ଉଦଘାଟିତ ହେଲା ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ

ପୁରୀ: ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ। ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ଉଦ୍ଘାଟିତ ହେଲା। ଜାନୁଆରୀ ୨୭ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ସେହିପରି ଫେବୃଆରୀ ୩ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବ ଓ ଅସ୍ମିତାର ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମ ସଂସ୍କୃତି, ଜୀବନଧାରା, ପରମ୍ପରାକୁ ଭିତ୍ତି  କରି ଭଲ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ ନେତୃତ୍ୱ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସତ୍ୟବାଦୀ ଓଡିଆ ନବଜାଗରଣର ପୀଠ। ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ସତ୍ୟବାଦୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦି କବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ରଙ୍କୁ ସମ୍ମାନ ଜଣାଇଥିଲେ। ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇଥିଲେ। ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ। ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି। ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର। ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସତ୍ୟବାଦୀରେ ୨୦୧୮ ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍ଡିଂରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ମନୋରମ ଦିଶୁଛି। ଏଥିରେ ସ୍କୁଲ ଅଫ ଲର୍ଣ୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି।

କାନାଡାରେ ବିମାନ ଦୁର୍ଘଟଣାରେ ୬ ମୃତ, ଜଣେ ଗୁରୁତର

ବ୍ୟୁରୋ ରିରୋର୍ଟ: କାନାଡାରେ ବିମାନ ଦୁର୍ଘଟଣା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କାନାଡାର ଦକ୍ଷିଣ ପ୍ରାନ୍ତରେ ଥିବା ଖଣି ଅଞ୍ଚଳକୁ ଏକ ଘରୋଇ ବିମାନ ଯୋଗେ ଯାଉଥିଲେ ଖଣି କର୍ମଚାରୀ। ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି କାନାଡାର ନର୍ଥୱେଷ୍ଟର୍ଣ୍ଣ ଏୟାର କମ୍ପାନୀର ଥିବା ଜଣାପଡିଛି। କାନାଡାର ଫୋର୍ଟସ୍ମିଥ ନିକଟରେ ଘଟିଛି ଏ ଘଟଣା ।

ବିମାନରେ ମୋଟ ୭ ଜଣ ଥିଲେ । ୬ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଘଟଣାର ଛାନଭିନ ଲାଗି ଏକ ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । କାନାଡାର ଟ୍ରାନ୍ସପୋର୍ଟେସନ ସେଫଟି ବୋର୍ଡ ଏହି ତଦନ୍ତ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛି ।

ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ପୁଣି ଥରେ ଇଡିର ରେଡ୍

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଟିଏମସି ନେତାଙ୍କ ଘରେ ପୁଣି ଥରେ ଇଡିର ରେଡ୍। ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ପୋଲିସ ଓ ବିଏସଏଫ ଜବାନଙ୍କ କଡା ସୁରକ୍ଷା ମଧ୍ୟରେ ଇଡି ଚଢାଉ କରିଛି।  କୁହାଯାଉଛି ଯେ, ଇଡି ଶାହାଜାହାନଙ୍କ ଘରର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଛି । ଇଡି ଟିମ୍ ଉପରେ ଆକ୍ରମଣ ମାମଲାରେ ଶେଖ ଶାହାଜାହାନ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ।

ସୂଚନା ଅନୁଯାୟୀ, ରାଶନ ଦୁର୍ନୀତି ମାମଲାରେ ଶେଖ ଶାହାଜାହାନ ୧୯ ଦିନ ହେବ ଫେରାର୍ ଅଛନ୍ତି । ଇଡି ତାର ପୁରା ଟିମ୍ ସହ ଆସି ଶାହାଜାନଙ୍କ ଘରେ ଛାପା ମାରିଛି । ଏହି ସମସୟରେ ୧୨୫ ସେଣ୍ଟ୍ରାଲ ଫୋର୍ସ କର୍ମଚାରୀ ଏବଂ ୩୫ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ଆଠ ଜଣ ଇଡି ଅଧିକାରୀ ଶେଖ ଶାହାଜାହାନଙ୍କ ଘରେ ଖୋଜାଖୋଜି କରୁଛନ୍ତି।

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ କୋଲକାତା ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହେବା ପରେ ହାଇ କୋର୍ଟ TMC ଦଳ ନେତା ଶେଖ୍ ଶାହାଜାହାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ଇଡି ଦୁଇଟି ଏଫଆଇଆର୍ ପଞ୍ଜୀକୃତ କରି ସିବିଆଇ ତଦନ୍ତ ଦାବି କରିଛି। ଉଭୟ ମାମଲାରେ ଏସଆଇଟି ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଗିରଫ ନକରିବା ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶେଖଙ୍କୁ ଗିରଫ ନକରିବା ନେଇ ରାଜ୍ୟପାଳ ମମତା ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ବୋଷ ପ୍ରଶ୍ନ କରିଛନ୍ତି ଯେ, ଶେଖ ଶାହାଜାହାନଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ?

ସୂଚନା ଅନୁଯାୟୀ, ରାସନ ସ୍କାମ ମାମଲାରେ ଶେଖ ଶାହାଜାହାନଙ୍କ ଘରକୁ ଇଡି ଚଢାଉ କରିବାକୁ ଆସିଥିଲେ। କିନ୍ତୁ ସେଠାରେ ଶେଖ ଫେରାର ଥିବା ବେଳେ ଗ୍ରାମବାସୀ ଇଡିକୁ ବିରୋଧ କରିଥିଲେ। ଏହାପରେ ୩ ଜଣ ଇଡି ଅଧିକାରୀଙ୍କୁ ମାଡମାରି ରକ୍ତାକ୍ତ କରିଥିଲେ ଗ୍ରାମବାସୀ। ଏହି ଘଟଣା ପରେ ତିନି ଜଣ ଇଡି ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।\

ମୟୂରଭଞ୍ଜ ଦୁଆରଶୁଣି ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୬ ମୃତ

ମୟୂରଭଞ୍ଜ:  ଦୁଆରଶୁଣି ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୟୂରଭଞ୍ଜ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଛି ଯାତ୍ରାପାର୍ଟି ଟ୍ରକ। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନେକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡିଛି। ଟ୍ରକ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକ ଧଉଳି ଗଣନାଟ୍ୟର ବୋଲି ଜଣାପଡିଛି। ଆହତଙ୍କୁ ନିକଟସ୍ଥ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଉ ଭକ୍ତଙ୍କୁ କରିବାକୁ ପଡ଼ିବନି ଅପେକ୍ଷା, ରାମଙ୍କ ଦର୍ଶନ କରିବାକୁ ବଢ଼ିଲା ସମୟ

ଅଯୋଧ୍ୟା: ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଭକ୍ତଙ୍କ ପାଇଁ ଖୋଲି ଯାଇଛି ରାମ ମନ୍ଦିର । ଏବେ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ରାମ ଭକ୍ତଙ୍କ ଆସିଛି ଆଉ ଗୋଟେ ଖୁସି ଖବର । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବେ ଆଉ ଅପେକ୍ଷା କରିବେନି । କାରଣ ଏବେ ଶ୍ରଦ୍ଧାଳୁମାନେ ରାତି ୧୦ଟା ଯାଏ କରିପାରିବେ ରାମଙ୍କ ଦର୍ଶନ । ପୂର୍ବରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ ବ୍ୟବସ୍ଥା ଥିଲା । ଏବେ ସକାଳ ୭ଟାରୁ ୧୧ଟା ୩୦ ଯାଏ ଦର୍ଶନ ବ୍ୟବସ୍ଥା ରହିଛି ।

ସୂଚନା ଅନୁସାରେ, ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଅଯୋଧ୍ୟାରେ ଅଛନ୍ତି । ଏବେ ଆହୁରି ମଧ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି । ସେଠାରେ ପ୍ରବଳ ଭିଡ଼ ହେଉ ଥିବାରୁ ୧୫ ଦିନ ପରେ ଅଯୋଧ୍ୟା ଆସିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି । ସେଠାକାର ଗତିବିଧି ଉପରେ ନଜର ରଖିବାକୁ ୮ ହଜାର ପୋଲିସ୍ କର୍ମୀ ନିୟୋଜିତ ଅଛନ୍ତି ।

ଗାନ୍ଧୀ ମାର୍ଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଫୁଲ ଡ୍ରେସ୍ ପରେଡ ରିହରସଲ

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୨୬ରେ ଦେଶ ପାଳିବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଗାନ୍ଧୀ ମାର୍ଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଫୁଲ ଡ୍ରେସ୍ ପ୍ୟାରେଡ ରିହରସଲ କରାଯାଇଛି। ଏହି ପ୍ୟାରେଡରେ ରାଜ୍ୟ ପୋଲିସର ମହାନିର୍ଦ୍ଦେଶକ ଅଭିବାଦନ ଗ୍ରହଣ କରିଛନ୍ତି। ଏଥର ପ୍ୟାରେଡର ନେତୃତ୍ଵ ନେଇଛନ୍ତି ଆଇପିଏସ୍ ଅଫିସର ଏବି ଶିଳ୍ପା।

ପରେଡ଼ରେ ୪୬ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ସେ ଭିତରେ ୪ଟି  ସାଂସ୍କୃତିକ ଦଳ,୨ଟି ସାହାସିକ କଳାକୌଶଳ ଯଥା ସ୍କେଟିଂ, ଡେୟାର ଡେଭିଲ୍ୟ ରହିଛି । ୧୨ଟି ପ୍ରଜ୍ଞାପନ ମେଢ, ପୋଡ଼ଶୀ ରାଜ୍ୟ ମଧରେ ଉତ୍ତମ ସମନ୍ୱୟ ଓ ଯୋଗାଯୋଗ ପାଇଁ ଝାଡ଼ଖଣ୍ଡ ପୋଲିସ ପରେଡ଼ରେ ଯୋଗ ଦେବ। ସର୍ବମୋଟ ୬୪ ଟି ଦଳ  ଅଂଶ ଗ୍ରହଣ କରିବେ । ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପରେଡ଼ରେ ଭାଗ ନେଇଛନ୍ତି। ମହାମହିମ ରାଜ୍ୟପାଳ ରଘୁବର ଦାଶ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେବେ।

ନାବାଳିକା ବଖାଣିଲା ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର  ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଯୁବକ ଗିରଫ। କଳିଙ୍ଗ ନଗରରୁ ଅପହରଣକାରୀକୁ ଗିରଫ କରିଛି ପୋଲିସ । ନାବାଳିକାକୁ ଉଦ୍ଧାର ପରେ ନିଜ ଅପହରଣର ଲୋମ ଟାଙ୍କୁରା କାହାଣୀ ବଖାଣିଛି ନାବାଳିକା। ନାବାଳିକା ଉପରେ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ ନଜର ରଖିଥିଲା।

ସୂଚନା ଅନୁଯାୟୀ, ନାବାଳିକା ସ୍କୁଲରୁ ଫେରୁଥିବା ବେଳେ ଗତ ୧୬ ତାରିଖ ଦିନ ଚନ୍ଦନ ଓ ତା ସହଯୋଗୀ ମାନେ ଏକ କାର ଯୋଗେ ଅପହରଣ କରିନେଇଥିଲେ। ଯାଜପୁର ଜିଲ୍ଲା ଡୁବୁରି କଳିଙ୍ଗ ନଗରରେ ନେଇ ରଖିଥିଲେ। ପରିବାର ଲୋକେ ଏନେଇ ସଦର ଥାନାରେ ଅଭିଯୋଗ କରିବାପରେ ପୋଲିସ ଫୋନ ଟ୍ରାକିଙ୍ଗ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଅପହରଣକାରି ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନାବାଳିକାଙ୍କୁ ଚନ୍ଦନ ବାହା ହେବାକୁ ବାଧ୍ୟ କରିବା କଥା ନାବାଳିକା କହିଛନ୍ତି । ଅପହରଣକାରୀ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମଧରଣର ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ରାଜ କରୁଛି କୋହଲା ପାଗ। ଉପାନ୍ତରୁ ଉପକୂଳ ସବୁଠି ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି । ଆସନ୍ତା କାଲି ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଠାରୁ ଉତ୍ତର ଉପକୂଳ ଓଡିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସସମ୍ବଲପୁର, ବରଗଡ ପାର୍ଶ୍ଵବର୍ତ୍ତୀ ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗିରହିଛି ହାଲୁକା ବର୍ଷା।

ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଆଜି କୋହଲା ପାଗ ସହ ହାଲକା ବର୍ଷା ଜାରି ରହିଛି । ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଏବଂ ପଶ୍ଚିମା ବାୟୁର ମିଳନ ଏବଂ ତେଲେଙ୍ଗାନା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପାଗ ଜାରି ରହିଛି । ଆସନ୍ତା କାଲି ଯାଏଁ ରାଜ୍ୟର କିଛି ଜିଲ୍ଲରେ ଲାଗିରହିବ କୋହଲା ପାଗ, ୨୬ରୁ ବଦଳିବ ପାଗ । ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ରାତ୍ରିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ । ଫଳରେ ଜାଡ ବଢିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ବି ଦିନ ଏବଂ ରାତ୍ରି ତାପମାତ୍ରା ମଧ୍ୟରେ ତାରତମ୍ୟ କମ ରହୁଥିବାରୁ ଅନୁଭୂତ ହେଉଛି ଥଣ୍ଡା । ଗତକାଲି ମେଘୁଆ ପାଗ ହେତୁ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୮.୨ ଡିଗ୍ରୀ, ସମ୍ବଲପୁରରେ ୧୮.୭ ଡିଗ୍ରୀ ଏବଂ ରାଉରକେଲାରେ ୧୯.୬ ଡିଗ୍ରୀ ରେକର୍ଡ କରାଯାଇଛି।