ବାଜିଲା ବିଗୁଲ : ୭ ପର୍ଯ୍ୟାୟରେ ଦେଶବ୍ୟାପୀ ନିର୍ବାଚନ,ଜୁନ୍ ୪ର ଜଣା ପଡିବ କିଏ ଗଢୁଛି ସରକାର

1 min read

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପାଇଁ  ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତଥର ଭଳି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗର ଘୋଷଣା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ରେ ଅନୁଷ୍ଠିତ ହେବ ଯେଉଁଥିରେ ୧୦୨ ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ମେ ୭ ରେ ତୃତୀୟ ପର୍ଯ୍ୟାୟରେ ୯୪ ଲୋକସଭା ଆସନରେ ମତଦାନ ହେବ। ଜୁନ୍ ୧୩ରେ ଚତୁର୍ଥ ପର୍ଯ୍ୟାୟରେ ୯୬ ଟି ଲୋକସଭା ଆସନରେ ଭୋଟ୍ ଅନୁଷ୍ଠିତ ହେବ, ପଞ୍ଚମ ପର୍ଯ୍ୟାୟ ମେ ୨୦ରେ ଅନୁଷ୍ଠିତ ହେବ, ଏହି ଦିନ ୪୯ ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ୫୭ ଆସନରେ ଭୋଟ୍ ହେବ । ସପ୍ତମ ପର୍ଯ୍ୟାୟ ଭୋଟ୍  ଜୁନ୍ ୧ରେ ହେବ ଓ ଏଥିରେ ୫୭ଟି ସିଟ୍ ଉପରେ ଭୋଟ୍ ଗ୍ରହଣ କରାଯିବ।

ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ଉପରେ ବିଶ୍ୱ ନଜର ରଖିଛି। ସେ କହିଛନ୍ତି ଯେ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି ଯେ ଆୟୋଗର ଟିମ୍ ସମସ୍ତ ରାଜ୍ୟରେ ସର୍ଭେ କରିଛନ୍ତି ଏବଂ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟି ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେମାନଙ୍କଠାରୁ ମତାମତ ନେଇଛୁ।

ଦେଶରେ ଯୁବକ ଏବଂ ମହିଳା ଭୋଟରଙ୍କ ସଂକ୍ୟା ବଢିଛି

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ୧୦.୫ ଲକ୍ଷ ଭୋଟ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୫୫ ଲକ୍ଷ ଇଭିଏମରେ ଭୋଟ୍ ଦିଆଯିବ । ସେ କହିଛନ୍ତି ଯେ ଦେଶରେ ପ୍ରାୟ ୯୭ କୋଟି ଭୋଟର ଅଛନ୍ତି । ଏଥର ଭୋଟର ତାଲିକାରେ ନୂଆକରି ୧.୮୨ କୋଟି ନୂତନ ଭୋଟର ପ୍ରଥମ ଥର ସାମିଲ ହୋଇଛନ୍ତି । ଏଥିମଧ୍ୟରୁ ୮୫ ଲକ୍ଷ ମହିଳା ଭୋଟର ଅଟନ୍ତି। ମୋଟ ଭୋଟରଙ୍କ ମଧ୍ୟରୁ ୪୯.୭ କୋଟି ପୁରୁଷ ଭୋଟର ହୋଇଥିବାବେଳେ ୪୭.୧ କୋଟି ମହିଳା ଭୋଟର ଅଟନ୍ତି। ଏହା ବ୍ୟତୀତ, ଏଭଳି ୨ ଲକ୍ଷ ୧୮ ହଜାର ଭୋଟର ଅଛନ୍ତି,ଯେଉଁମାନଙ୍କ  ବୟସ ୧୦୦ ବର୍ଷରୁ ଅଧିକ ହୋଇଥିବା ବେଳେ 82 ଲକ୍ଷ ଭୋଟରଙ୍କ ବୟସ ୮୫ବର୍ଷରୁ ଅଧିକ ।

ବରିଷ୍ଠ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ

ଭୋଟ୍କୁ ଉନ୍ନତ ତଥା ସୁବିଧାଜନକ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ସେ କହିଛନ୍ତି ଯେ 85 ବର୍ଷରୁ ଅଧିକ ଭୋଟରଙ୍କୁ ବୁଥକୁ ଆସିବା ଆବଶ୍ୟକ ନାହିଁ। ସେମାନଙ୍କୁ ଘରୁ ଭୋଟ୍ ଦେବାର ସୁବିଧା ଦିଆଯିବ। ସେ କହିଛନ୍ତି ଯେ ନାମାଙ୍କନପତ୍ର ପୂର୍ବରୁ ସମସ୍ତ ଭୋଟରଙ୍କୁ 12-D ଫର୍ମ ପଠାଯିବ । ଗଣତନ୍ତ୍ରର ଏହି ପର୍ବରେ ସର୍ବାଧିକ ଅଂଶଗ୍ରହଣ ନିଶ୍ଚିତ କରିବା ଆମର ପ୍ରୟାସ ହେବ ବୋଲି ସେ କହିଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ସାରା ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ନିର୍ବାଚନ ସମୟରେ ହିଂସା ବନ୍ଦ କରିବାକୁ ଚାହୁଁଛନ୍ତି।

ରାଜନୈତିକ ଦଳଙ୍କ ପାଇଁ ଆୟୋଗର କଡା ନିର୍ଦ୍ଦେଶାବଳୀ

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଆଜିଠାରୁ ମତଦାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଗୁଜବ କିମ୍ବା ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ନଦେବାକୁ ସେ ନେତାମାନଙ୍କୁ କହିଥିଲେ। ଅଭିଯାନରେ ଧାର୍ମିକ କିମ୍ବା ଜାତିଗତ ମନ୍ତବ୍ୟ ଦିଅନ୍ତୁ ନାହିଁ  । ବିଭ୍ରାନ୍ତିକର ବିଜ୍ଞାପନ ଦେବା ଏବଂ ଲକ୍ଷ୍ମଣରେଖା ଉଲ୍ଲଂଘନ କରିବା ଠାରୁ ଦୂରେଇ ରହିବାକୁ ସେ ରାଜନୈତିକ ଦଳଙ୍କୁ ପରାମର୍ଶ ଦେଇଛନ୍ତି ।  ପିଲାମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଷ୍ଟାର ପ୍ରଚାରକମାନଙ୍କ ପାଇଁ ମଧ୍ୟ କମିଶନ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ରାଜୀବ କୁମାର କହିଛନ୍ତି ଯେ ସମସ୍ତ ପ୍ରକାରର ଗାଇଡଲାଇନ୍ ଉପରେ ନଜର ରଖିବା ଏବଂ ମତାମତ ଦେବା ପାଇଁ ୨୧୦୦ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

୧୭ ତମ ଲୋକସଭାର କାର୍ଯ୍ୟକାଳ ଜୁନ୍ ୧୬ରେ ଶେଷ ହେଉଛି

୧୭ତମ ଲୋକସଭାର କାର୍ଯ୍ୟକାଳ ୧୬ ଜୁନ୍ ୨୦୧୪ ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ଏକ ନୂତନ ସରକାର ଗଠନ କରିବାକୁ ପଡିବ। ଦେଶରେ ସମୁଦାୟ ୫୪୩ ଲୋକସଭା ଆସନ ଅଛି ଏବଂ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟ ୨୭୨ ଆସନ ଆବଶ୍ୟକ କରନ୍ତି ।  ୨୦୧୯ ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ୧୧ ଏପ୍ରିଲରୁ ୧୯  ମଇ ମଧ୍ୟରେ ୭ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା ଏବଂ ଫଳାଫଳ ୨୩ ମଇରେ ଘୋଷଣା କରାଯାଇଥିଲା।