ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ରବିବାର ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖୋଳିବ ମୁମ୍ବାଇ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁମ୍ବାଇ ନିଜର ଅଧିନାୟକଙ୍କ ସହ ମଇଦାନକୁ ଓହ୍ଲାଇବ । ଚଳିତ ବର୍ଷ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି ମୁମ୍ବାଇ । ଯାହାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତି ପରେ ଫଲୋର୍ସ ସଂଖ୍ୟା କମି ଯାଇଥିଲା । ତେବେ ଅଧିନାୟକ ପଦ ଯିବାପରେ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ରୋହିତ ଶର୍ମା । ଗୁଜୁରାଟ ବିପକ୍ଷ ମ୍ୟାଚ ପୂର୍ବରୁ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ହିଟମ୍ୟାନ । କହିଛନ୍ତି କି, ମୁଁ ପ୍ରଥମେ ଖେଳିବା ପାଇଁ ପ୍ରସ୍ତୁତି କରିଥାଏ । ମ୍ୟାଚ ପୂର୍ବରୁ ପ୍ରସ୍ତୁତ ହେବା ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ମୋତେ ଲାଗୁଛି କି, ମୁଁ ବହୁତ କିଛି କରିଛି । ବାସ କିଛି ବାକି ରହିଛି ତାକୁ କରିବାକୁ ପଡ଼ିବ । କହି ରଖୁଛୁ କି, ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଚାମ୍ପିୟନ ହୋଇଛି । କିନ୍ତୁ ଚଳିତ ସିଜିନରେ ମୁମ୍ବାଇ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି । ନିକଟରେ ଅଭ୍ୟାସ ସମୟରେ ହାର୍ଦ୍ଦିକ ରୋହିତ ସହ ହାତ ମିଳାଇବାବେଳର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଫ୍ୟାନ୍ସମାନେ ପାଣ୍ଡ୍ୟାଙ୍କଚୁ ବିଭିନ୍ନ କେମଣ୍ଟମାନ କରିଥିଲେ ।
ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ଗିରଫ କଲା କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ
କଟକ: କଟକ ପୋଲିସକୁ ବଡ଼ ସଫଳତା । ଓଡିଶା ବିହାର ବନ୍ଧୁକ ବ୍ୟବସାୟ ରାକେଟର ମୁଖ୍ୟ ଗୋଲଡେନ ସିଂହକୁ ବିହାର ଏସଟିଏଫ ସହଯୋଗରେ ଗିରଫ କରିବାରେ ସକ୍ଷମ ହୋଇଛି କମିଶରେଟ ପୋଲିସର ସ୍ୱତନ୍ତ୍ର ଟିମ । ସହଯୋଗୀ କଟକ କେଶରପୁର ଅଞ୍ଚଳର ୱାସିମ ଖାନକୁ ମଧ୍ୟ ମଙ୍ଗଳାବାଗ ପୋଲିସ ଗିରଫ କରିଛି । ତା ଠାରୁ ଗୋଟିଏ ବନ୍ଧୁକ ଓ ଗୋଲଡେନ ଠାରୁ ଦୁଇଟି ବନ୍ଧୁକ ସମୁଦାୟ 3ଟି ବନ୍ଧୁକ ଜବତ ହୋଇଛି । 3 ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ୍ । ରିମାଣ୍ଡରେ ଆସିବା ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଡିସିପି କେ. ଵିଶାଲ ସିଂହ ସୂଚନା ଦେଇଛନ୍ତି। ଗତ କିଛିଦିନ ତଳେ ଜଗତପୁର ଅଞ୍ଚଳରେ ବ୍ୟାଙ୍କ ଏଟିଏମ ଭ୍ୟାନ ଲୁଟ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିବା 4ଜଣ ଡକାୟତଙ୍କ ନିକଟରୁ 4ଟି ବନ୍ଧୁକ ଜବତ ହୋଇଥିଲା । ଏହି ବନ୍ଧୁକ ସେମାନେ ବିହାରର ମୁଙ୍ଗେରରୁ ଆଣି ଏହି ଡକାୟତି କଲାପରେ ବିକ୍ରି କରିବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ସେମାନଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ବିହାର ଯାଇଥିଲା । ଅଭିଯୁକ୍ତମାନଙ୍କ ବୟାନକୁ ଆଧାରକରି କଟକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ ।
ଛାତ୍ରଛାତ୍ରୀଙ୍କୁ ଡାକ୍ତରଙ୍କ ପରାମର୍ଶ, ହୋଲି ଖେଳିବାବେଳେ..
ଖୋର୍ଦ୍ଧା: ରଙ୍ଗ ର ପର୍ବ ହୋଲି। ଆନନ୍ଦ ଉତ୍ସାହ ରେ ପରଷ୍ପର ମଧ୍ୟ ରେ ରଙ୍ଗ ଖେଳିବା ପାଇଁ ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହୀ। ରଙ୍ଗ ଖେଳିଲା ବେଳେ ପିଲାମାନେ ନିଜ ଶରୀର ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଏହି ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ।
ଆସିଛି ହୋଲି । ରଙ୍ଗ ବେରଙ୍ଗ ଫଗୁରେ ରଙ୍ଗୀନ ପୂରପଲ୍ଲୀ । ଅବିର ସାଙ୍ଗକୁ ପିଚକାରୀରେ ରଙ୍ଗେଇ ହେବାକୁ ତତ୍ପର ସମସ୍ତେ । ପରଷ୍ପର ମଧ୍ୟରେ ରଙ୍ଗ ଖେଳି ଆନମନା ହୋଇଛନ୍ତି ଛାତ୍ରଛାତ୍ରୀ । ପିଲାମାନଙ୍କୁ ଦୋଳ ଏବଂ ହୋଲି ପରମ୍ପରାର ଅନୁଭବ ଓ ଜ୍ଞାନ ଦେବାକୁ ସ୍କୁଲରେ ପାଳିତ ହୋଇଛି ବସନ୍ତ ଉତ୍ସବ। ଏହି ଉତ୍ସବରେ ରଙ୍ଗ ଖେଲିଲା ବେଳେ ନିଜର ଆଖି, ପାଟି, ମୁଁହ, ଚର୍ମ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ବୋଲି ପିଲାଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର।
ପିଲାମାନେ କେବଳ ରଙ୍ଗ ଖେଳି ନଥିଲେ, ନିଜକୁ ଶ୍ରୀକୃଷ୍ଣ ରାଧା ବେଶରେ ସଜାଇ ହୋଇ ପୌରାଣିକ ଯୁଗର ଅବିର ଖେଳକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ପରଷ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ହୋଲି ଖେଳିଲାବେଳେ ରାସାୟନିକ ରଙ୍ଗ କୁ ସମ୍ପୂର୍ଣ ବାରଣ କରିବାକୁ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହ ଲୋକଙ୍କୁ ସଚେତନ କରାଯାଇଥିଲା । ଆନନ୍ଦର ପର୍ବ ହୋଲି ଖେଲିଲା ବେଳେ ସମସ୍ତେ ନିଜ ଶରୀର ପ୍ରତି ସଚେତନ ରହିଲେ ହୋଲି ସମସ୍ତଙ୍କ ମନରେ ଖୁସି ଭରିଦେବ ବୋଲି ମତପ୍ରକାଶ ପାଇଥିଲା ।
ସମସ୍ତଙ୍କ ସାହାରା ପାଲଟିଛନ୍ତି ଆଶାକର୍ମୀ ନୟନା ସାହୁ
ଅନୁଗୁଳ: ଦିନ ଥିଲା କ୍ଷକ୍ଷ୍ମା ରୋଗର ନା ଶୁଣିଲେ ମନରେ ଭୟ ସୃଷ୍ଟି ହେଉଥିଲା । ଦୃଷିତ ଜଳବାୟୁ ଓ ଅସାବଧନତା ଯୋଗୁ ରୋଗ ବ୍ୟାପୁଥିଲା । ହେଲେ ଏବେ ଠିକ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ସୁସ୍ଥ ହେଉଛନ୍ତି ଲୋକ । ରୋଗକୁ ଭୟ ନୁହଁ ସଠିକ ଚିକିତ୍ସା ଆବଶ୍ୟକତା ଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ଅନୁଗୁଳ ଜିଲ୍ଲାର ଆଶାର୍କମୀ ନୟନା ସାହୁ । ୨୦୦୭ ମସିହାରୁ ସେ ଚେଷ୍ଟା କରି ଅନେକ ରୋଗୀଙ୍କୁ ଭଲ କରିବା ସହ ଅନେକଙ୍କ କୂଅଭ୍ୟାସ ଦୂର କରି ପାରିଛନ୍ତି ।
ଯକ୍ଷ୍ମାମୁକ୍ତ ଭାରତର ନୂଆ ଦିଗଦ୍ରଷ୍ଟା ନୟନା । ଦୃଢ ମନୋବଳ ଓ ନିରନ୍ତର ଚେଷ୍ଟା ଆଜି ଗଢିଛି ସୁସ୍ଥ ସମାଜ । ସମସ୍ତଙ୍କ ସାହାରା ସାଜିଛନ୍ତି ଆଶାକର୍ମୀ । ଅନୁଗୁଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ଦଲାବେହେରା ସାହି। ଏହି ଗାଁର ଜନସଂଖ୍ୟା ୧୫ ଶହରୁ ଅଧିକ । ଏଠି ୨୦୦୫-୦୬ ମସିହାରୁ ଆଶାକର୍ମୀ ଭାବେ ନୟନା ସାହୁ କାର୍ଯ୍ୟ କରିଆସୁଛନ୍ତି। କିଛି ବର୍ଷ ତଳେ ଏହି ଅଞ୍ଚଳରେ ଯକ୍ଷ୍ମା ରୋଗୀ ଓ ସଂକ୍ରମଣ ହାର ବେଶ ଅଧିକ ଥିଲା । ଏହି ସମୟରେ ଆଶାକର୍ମୀ ନୟନାଙ୍କ ନିସ୍ବାର୍ଥପର ଉଦ୍ୟମ ଓ ସେବାମନୋଭାବ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ଓ ସେମାନଙ୍କ ଚିକିତ୍ସାକୁ ସରଳ କରିପାରିଥିଲା । ଏଯାବତ ସେ ୫୧ ଜଣ ଯକ୍ଷ୍ମା ରୋଗୀଙ୍କୁ DOTS ମାଧ୍ୟମରେ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଔଷଧ ଖୁଆଇ ସୁସ୍ଥ କରାଇଛନ୍ତି ।
ଗାଁର ଅନେକ ଲୋକ କାଠ କାରଖାନାରେ କାମ କରନ୍ତି । ଆଉ କାମରୁ ଫେରି ଥକାପଣ ମେଣ୍ଟାଇବାକୁ ଯାଇ ବିଭିନ୍ନ ପ୍ରକାର ନିଶା ସେବନ କରନ୍ତି । ଯାହା ଫଳରେ ଗାଁରେ ଯକ୍ଷ୍ମା ଉଗ୍ର ରୂପ ନେଉଥିଲା । ଏହି ସମୟରେ ନୟନା ଦିଦି `ସରକାରଙ୍କ ଯକ୍ଷ୍ମା ହାରିବ ଦେଶ ଜିତିବ’ସ୍ଲୋଗାନକୁ ସାକାର କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ। କଫ ନମୁନା ସଂଗ୍ରହ କରି ପରୀକ୍ଷା ଠାରୁ ଆରମ୍ଭ କରି ଲୋକଙ୍କ ମଧ୍ୟରେ ସେଚତନତା ସୃଷ୍ଟି କରିଥିଲେ। ନୟନାଙ୍କ କାର୍ଯ୍ୟକୁ ଏବେ ସବୁ ମହଲରୁ ପ୍ରଶଂସା କରାଯାଇଛି ।
ମୋବାଇଲ ଫୋନରେ ବିସ୍ଫୋରଣ,୪ ପିଲା ଜୀବନ୍ତ ଜଳିଗଲେ
ନନ୍ଦିଘୋଷ ବ୍ୟୁରୋ: ମୋବାଇଲ ଫୋନ୍ ବିସ୍ଫୋରଣରୁ ବଡ଼ ଅଘଟଣ । ବିସ୍ଫୋରଣରେ ୪ ଜଣ ପିଲା ଜିଅନ୍ତା ଜଳିଗଲେ । ଉତ୍ତରପ୍ରଦେଶର ମେରଠରୁ ଆସିଛି ଏଭଳି ଖବର । ଘରେ ମୋବାଇଲ ଫୋନ ବିସ୍ଫୋରଣ ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ବାପା ମା ମଧ୍ୟ ଗୁରୁତରଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମେରଠ ପଲ୍ଲବପୁରମ ଥାନା ଜନତା କଲୋନୀ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଶନିବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଛି । ମୋବାଇଲ ଚାର୍ଜରେ ବସିଥିବାବେଳେ ସର୍ଟସର୍କିଟି କାରଣରୁ ବିସ୍ଫୋରଣ ଘଟିଥିଲା । କେହି କିଛି ଭାବିବା ପୂର୍ବରୁ ହଠାତ ଘରେ ନିଆଁ ଲାଗି ଯାଇଥିଲା । ମା ବାପା ପିଲାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର କିଛି କରିବା ପୂର୍ବରୁ ୪ ପିଲାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ବାପା ମା ଗୁରୁତର ଆହତ ହୋଇଥିବାବେଳେ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

