spot_img
Home Blog Page 2084

କେକ୍ ନେଲା ବାର୍ଥ ଡେ’ ଗାର୍ଲର ଜୀବନ

ପଞ୍ଜାବ: କେକ ନେଲା ବାଳିକାର ଜୀବନ। ଦୁଃଖରେ ମିଳାଇଗଲା ପିଲାର ଜନ୍ମଦିନ ଉତ୍ସବ । ଏହି ଦୁଃଖଦ ଘଟଣା ଘଟିଛି ପଞ୍ଜାବ ପାଟିଆଲାରେ । ପାଟିଆଲାର ଏକ ବେକେରୀରୁ ଅନଲାଇନରେ ମଗାଯାଇଥିବା କେକ ଖାଇବା ପରେ ୧୦ ବର୍ଷ ବୟସ୍କା ବାଳିକାର ମୃତ୍ଯୁ ହୋଇଥିବାବେଳେ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇଛନ୍ତି ।

ଜନ୍ମଦିନ ପାଳନ ଉତ୍ସବରେ ମାନବୀ କେକ କାଟିବା ସହ ଖୁସି ମନାଇଥିଲେ । ମାତ୍ର ପରେ ଘୋଟି ଆସିଥିଲା କଳା ବାଦଲ। ଗତ ୨୪ ତାରିଖରେ ଘଟିଥିଲା ଏହି ଘଟଣା । ରାତି ୭ଟାରେ ଜନ୍ମଦିନ ଉତ୍ସବ ପାଳନ ପରେ ସମସ୍ତେ କେକ ଖାଇଥିଲେ । ମାତ୍ର ରାତି ୧୦ଟା ବେଳକୁ ଅଘଟଣ ଘଟିଥିଲା ବୋଲି କହିଛନ୍ତି ମାନବୀଙ୍କ ଜେଜେ ହରବନଲାଲ । ଯେଉଁ ସଂସ୍ଥାଠାରୁ କେକ ଅନଲାଇନରେ ମଗାଯାଇଥିଲା ତାହାର ନାମ କେକ୍ କାହ୍ନା ବୋଲି ସୂଚନା ମିଳିଛି । ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି ।

ମହାରାଷ୍ଟ୍ର ବାରମତିରେ ପାଓ୍ବାର ବନାମ ପାଓ୍ବାର ଲଢ଼େଇ

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ତାତି । ବିଶେଷ କରି ବାରମତି ଆସନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏଠାରେ ହେବାକୁ ଯାଉଛି ହାଇଭୋଲଟେଜ ଲଢେଇ । ମୁହାଁମୁହିଁ ହୋଇଛନ୍ତି ଏନସିପି ବନାମ ଏନସିପି । ପାଓ୍ବାର ବନାମ ପାଓ୍ବାର ଫାଇଟ୍ । ଏନସିପି  ଶରଦ ପାଓ୍ବାର ଗୋଷ୍ଠୀ ନେତ୍ରୀ ତଥା ସୁପ୍ରିମୋ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ର ପାଓ୍ବାର ।

ପୁଣେ ଜିଲ୍ଲାର ବାରମତିରେ ଶିଳ୍ପ, କୃଷି, ବାଣିଜ୍ୟ କ୍ଷେତ୍ରରେ ନାନା ସଙ୍କଟ ଦେଖା ଦେଇଥିବାବେଳେ ଏହି ପାରିବାରିକ ଲଢେଇ ଚର୍ଚ୍ଚାର କାରଣ ହୋଇଛି । ୫୪ ବର୍ଷ ବୟସ୍କ ସୁପ୍ରିୟାଙ୍କୁ ଏହି ଆସନରେ ଟକ୍କର ଦେବେ ତାଙ୍କ ସମ୍ପର୍କୀୟା ୬୦ ବର୍ଷ ବୟସ୍କା ସୁନେତ୍ର ।

ଗତବର୍ଷ ଜୁଲାଇ ୨ରେ ମୂଳ ଏନସିପିରୁ ଅଲଗା ହୋଇ ଅଜିତ ପାଓ୍ବାର ବିଜେପି ସରକାରରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୯ ମସିହାରୁ ବାରମତି ଆସନ ଶରଦ ପାଓ୍ବାରଙ୍କ ଦୁର୍ଗ ଭାବେ ପରିଗଣିତ ହୋଇଆସିଛି । ୧୯୯୧ରୁ ଅଜିତ ପାଓ୍ବାର ବାରମତି ବିଧାନସଭା ଆସନରୁ ପ୍ରତିନିଧିତ୍ବ କରିଆସୁଛନ୍ତି । ବାରମତି ଲୋକସଭା କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରୁ ଦୁଇଟିରେ କଂଗ୍ରେସ, ଦୁଇଟିରେ ଏନସିପି ଓ ଦୁଇଟିରେ ବିଜେପି ବିଧାୟକ ଅଛନ୍ତି । ୨୦୧୯ରେ ସୁପ୍ରିୟା ତୃତୀୟ ଥର ଲାଗି ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ବାରମତିରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ମେ’ ୭ ତାରିଖରେ ହେବ ନିର୍ବାଚନ ।

ଚିରଞ୍ଜୀବଙ୍କ ପରେ ବିଜେଡିରେ ମିଶିଲେ ସୁକାନ୍ତ, ବୃନ୍ଦାବନ ଏବଂ ଅବକାଶ

ଭୁବନେଶ୍ବର: ଭୁଶୁଡୁଛି ବିରୋଧୀଙ୍କ ଗଡ଼ । ଦଳ ଛାଡି ବିଜେଡିକୁ ଆସୁଛନ୍ତି ବିଜେପି ଓ କଂଗ୍ରେସର ବରିଷ୍ଠ ନେତା । ଗୋଟିଏ ଦିନରେ ଚାରି ଚାରି ଜଣ ବରିଷ୍ଠ ନେତାଙ୍କ ବିଜେଡିରେ ହୋଇଛନ୍ତି ସାମିଲ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଉଛନ୍ତି ନେତା ।

ଶଙ୍ଖ ଭବନରେ ଲାଗିଛି ମିଶ୍ରଣ ପର୍ବ । ଜଣକ ପରେ ଜଣେ ବିଜେପି ଓ କଂଗ୍ରେସ ନେତା ସାମିଲ ହେଉଛନ୍ତି ବିଜେଡିରେ । ଆଜି ପ୍ରଥମେ ଜଗତସିଂହପୁରର ବରିଷ୍ଠ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାଏକ ଶଙ୍ଖ ଫୁଙ୍କି ଥିଲେ । ସୁକାନ୍ତଙ୍କ ଘର ବାହୁଡ଼ା ହୋଇଥିବା ବେଳେ ତାଙ୍କ ସହ ଶତାଧିକ ନେତା ଓ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ।

ଏହି କ୍ରମରେ ଶଙ୍ଖ ଭବନରେ ତୃତୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ସହ ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

ବୃନ୍ଦାବନଙ୍କ ପରେ ପରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ଚତୁର୍ଥ ମିଶ୍ରଣ ପର୍ବ । ଏଥିରେ ବୌଦ୍ଧର ବରିଷ୍ଠ କଂଗ୍ରେସ ନେତା ଅବକାଶ ସାହୁ ବିଜେଡିରେ ସାମିଲ ହୋଇଥିଲେ । ୨୦୧୪ ନିର୍ବାଚନରେ କଂଗ୍ରେସରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ନେତାମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଦଳକୁ ତୃଣମୂଳ ସ୍ତରରୁ ଆହୁରି ମଜଭୁତ କରିବା ସହ ସେମାନଙ୍କୁ ଯେଉଁ ଦାୟିତ୍ବ ଦିଆଯିବ ନିଷ୍ଠାର ସହ କରିବେ ବୋଲି କହିଛନ୍ତି ନେତାମାନେ ।

ବିଜେଡିରେ ମିଶିଲେ ବିଜେପି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର: ବାଲେଶ୍ବରରେ ବଢ଼ିଲା ବିଜେଡି ବଳ । ବିଜେପି ଛାଡି ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଶତାଧିକ ନେତା ଓ କର୍ମୀଙ୍କ ସହ ଶଙ୍ଖ ଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି ସୁକାନ୍ତ ।

ବାଲେଶ୍ବର ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ ଉତ୍ତରୀୟ ଦେଇ ସୁକାନ୍ତଙ୍କୁ ଦଳକୁ ସ୍ବାଗତ କରିଥିଲେ । ଏହି ଅବସରରେ ସାଂସଦ ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: ବଢ଼ିଲା ବିଜେଡି ବଳ । ବିଜେଡିରେ ସାମଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଚିରଞ୍ଜୀବ ଜଗତସିଂହପୁର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୨୦୦୪ରୁ ୨୦୦୯ ତିର୍ତ୍ତୋଲର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୪ରୁ ୨୦୧୯ ଜଗତସିଂହପୁରର ବିଧାୟକ ହୋଇଥିଲେ । ବିଧାନସଭାରେ ବିରୋଧି ଦଳର ଉପନେତା ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ସାଂସଦ ଡ. ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ହୋଇଥିଲା । ସାଂସଦ ମାନସ ମଙ୍ଗରାଜ ଚିରଞ୍ଜୀବ ଏବଂ ଅନ୍ୟମାନଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ଏହି ଅବସରରେ ମାନସ କହିଥିଲେ, ‘ଚିରଞ୍ଜୀବ ବାବୁ କେବଳ ଜଗତସିଂହପୁର ନୁହେଁ ସାରା ରାଜ୍ୟରେ ଜଣେ ଟାଣୁଆ ନେତା । ବିଜେଡିରେ ତାଙ୍କ ଯୋଗଦାନ ଦଳକୁ ସୁସଙ୍ଗଠିତ କରିବା ସହ ଆହୁରି ସୁଦୃଢ଼ କରିବ ।’

ଚିରଞ୍ଜୀବ ବିଶ୍ବାଳଙ୍କ ସହ ଶତାଧିକ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ରବୀନ୍ଦ୍ରନାଥ ମହାନ୍ତି, ନିରଞ୍ଜନ ବେହୁରା, ଯୋଗୀନାଥ ବାହୁବଳେନ୍ଦ୍ର, ସୁନିଲ ମାଟିଆ, ମାମିନା ଦଳେଇ, ସୁବାଷ ସାହୁ ଏବଂ ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ବିଜେପି ନେତା ଚିରଞ୍ଜୀବଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଚିରଞ୍ଜୀବ ବିଶ୍ବାଳ । ଏହାସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଚିରଞ୍ଜୀବ କହିଛନ୍ତି, ‘ମୁଁ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ, ୨୫ ବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ, ଗୋଟିଏ ତଳୁଆ ରାଜ୍ୟକୁ ଦେଶରେ ଏକ ଆଗଧାଡିର ରାଜ୍ୟ କରିବାରେ ନେଇଥିବା ପଦକ୍ଷେପରେ ଆକୃଷ୍ଟ ହୋଇ ବିଜେଡିରେ ମିଶିଛି । ମୁଁ ଦଳରେ ଜଣେ ଛୋଟିଆ କର୍ମୀ ହୋଇ ରହିବି ଓ ଦଳ ଯାହା ମୋତେ ଦାୟିତ୍ବ ଦେବ ତୁଲାଇବି ।’

ବିଜେପି ନିର୍ବାଚନୀ ସଭାରେ ରେଳ ବିଭାଗ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିର ନିର୍ବାଚନୀ ସଭାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । ବିଜେପିର ନିର୍ବାଚନୀ କାର୍ଯ୍ୟକ୍ରମରେ ରେଳ ବିଭାଗ ଅଧିକାରୀ ସାମିଲ ଅଭିଯୋଗ । ସଂପୃକ୍ତ ରେଳ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଦଳ ।

ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଅମିତ ମଲ୍ଲିକ, ହରିଶ ଚୌଧୁରୀ, ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା ଏବଂ ଇପସିତା ସାହୁ ପ୍ରମୁଖ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ।

ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । ଦୁଇଦିନ ପୂର୍ବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପୋଖରୀଆରେ ବିଜେପିର ଏକ ସଭା ହେଉଥିଲା । ଏଥିରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ନେତା ପ୍ରଶାନ୍ତ ଗଜଦ୍ଦେବ ଉପସ୍ଥିତ ଥିଲେ । ଏହି ସଭାରେ ରେଳ ବିଭାଗର ତିନି ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରେଳ ବିଭାଗର ତିନି ଜଣ ଅଧିକାରୀ ବିଜେପିର ନିର୍ବାଚନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ଆଚରଣ ବିଧି ଉଲ୍ଲଂଘନ କରୁଛି । ସମ୍ପୃକ୍ତ ଅଧିକାରୀମାନେ ହେଲେ ଖୋର୍ଦ୍ଧା ଡିଭିଜନର ଟିଟିଆଇ ପ୍ରଭାକର ବରାଳ ଏବଂ ଏସ.ଆର. ପଟ୍ଟନାୟକ, ଖୋର୍ଦ୍ଧା ଡିଭିଜନ ଆଇଓଡବ୍ଲ୍ୟୁ ବି.ବି. ମହାନ୍ତି ।’

ଆଗକୁ ସେ କହିଛନ୍ତି, ‘ଭାରତୀୟ ରେଳ ବିଭାଗର ବରିଷ୍ଠ ଅଧିକାରୀ ବିଜେପି ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହେବା ଦୁର୍ଭାଗ୍ୟର ବିଷୟ । ନିର୍ବାଚନ କମିଶନ ଏହାକୁ ଗୁରୁତ୍ବର ସହ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମର ବିଶ୍ବାସ ରହିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ବିଜେଡି ଅବାଧ ନିର୍ବାଚନ ଉପରେ ବିଶ୍ବାସ କରେ । ଆମେ ଆଶା କରୁଛୁ ଭାରତ ସରକାରଙ୍କ ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବାକୁ ନିର୍ବାଚନ କମିଶନ ବରଦାସ୍ତ କରିବେ ନାହିଁ ।’

ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଲା ପୋଲିସ

କୋଣାର୍କ: ନିଶା ବେପାରୀଙ୍କୁ ସାବାଡ଼ କରୁଛି ପୋଲିସ । ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ । ଉଭୟଙ୍କ ପାଖରୁ ୧୪ ଗ୍ରାମର ବ୍ରାଉନସୁଗାର ଜବତ । ଗିରଫ ଅଭିଯୁକ୍ତ ଦ୍ବୟ କୋର୍ଟ ଚାଲାଣ ।

ମିଳିଥିବା ସୂଚନା ଅନୁସାରେ, ବ୍ରାଉନସୁଗାର ବେପାର ଅଭିଯୋଗରେ ଚାରିଛକ ଅଞ୍ଚଳରୁ ସ୍ବରାଜ ଦାସ ନାମକ ଜଣଙ୍କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ । ତା’ପାଖରୁ ପୋଲିସ ୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଦୀର୍ଘ ଦିନ ହେବ ସ୍ୱରାଜ ଚାରିଛକ ଅଞ୍ଚଳରୁ ବ୍ରାଉନସୁଗାର ଆଣି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ନିକଟ ନଦୀବନ୍ଦ ଉପରେ ଠିଆ ହୋଇ ବିକ୍ରି କରୁଥିଲା । ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ଚଢ଼ାଉ କରି ତାକୁ ମାଡିବସିଥିଲା । ସେହିପରି କାକଟପୁର ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଭ୍କ ହେଲେ ନିଶାନ କୁମାର ସାହୁ । ତା’ପାଖରୁ ୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

ତିନି ମହିଳା ସୁନା ତସ୍କରଙ୍କୁ ଧରିଲେ ବିଏସଏଫ ଯବାନ

କୋଲକାତା: ବିଏସ୍ଏଫ୍ ଜାଲରେ ସୁନା ଚୋରା ଚାଲାଣକାରୀ ।  ଧରା ପଡିଲେ ତିନି ମହିଳା ସୁନା ତସ୍କର । ପଶ୍ଚିମବଙ୍ଗର ନଦୀଆ ଜିଲ୍ଲାରେ ବିଏସଏଫ ଯବାନମାନେ ସୀମା ଆଉଟପୋଷ୍ଟ ଗେଟରେ ୩୨ ବାଟାଲିୟନ ଇଣ୍ଟେଲିଜେନ୍ସରୁ ଏକ ଟିପ୍ ଅଫ୍ ଆଧାରରେ ସ୍ୱତନ୍ତ୍ର ଅପରେସନ୍ କରିଥିଲେ । ଜବତ ସୁନାର ଓଜନ ୭ କିଲୋ ବୋଲି ଜଣାପଡିଛି ।

ବିଏସ୍ଏଫକୁ ଏକ ସୁନା ଚୋରା ଚାଲାଣକାରୀକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଯବାନଙ୍କ ପକ୍ଷରୁ ସନ୍ଧାନ ଆରମ୍ଭ ହୋଇଥିଲା । ଏହି ସମୟରେ ତିନି ଜଣ ମହିଳା ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସୁନା ପଠାଇବାକୁ ଆସିଥିବା ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ବିଏସଏଫ ଧରିଛି । ସୁନା ଭାରତରୁ ବାଂଲାଦେଶକୁ ଚୋରା ଚାଲାଣ କରି କୋଲକାତା ଆଣିବାକୁ ଯୋଜନା ଥିଲା ।

ଘୂର୍ଣ୍ଣିବଳୟର ପ୍ରଭାବ: ରାଜ୍ୟରେ ମେଘୁଆ ପାଗ, ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଗୂର୍ଣ୍ଣିବଳୟ ଓ କାଳବୈଶାଖୀ । ଓଡ଼ିଶା ଉପରେ ଏହାର ପ୍ରଭାବ । ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଦେଖା ଦେଇଛି । ଯାହାଦ୍ବାରା ତାତିରେ ସାମାନ୍ୟ ବ୍ରାକ ଲାଗିଛି ।

ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ସକାଳୁ ସକାଳୁ ପାଗ ମେଘୁଆ ରହିଛି । ଏହାସହ ଥଣ୍ଡ ପବନ ବହୁଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘୂର୍ଣ୍ଣିବଳୟର ପ୍ରଭାବ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତକିଛି ଦିନ ହେବ ରାଜ୍ୟରେ ଅସହ୍ୟ ତାତି ଅନୁଭୁତି ହୋଇଥିଲା । ପ୍ରବଳ ଗରମ ସହ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି । ସ୍ଥିତି ଏମିତି ହୋଇଥିଲା ଯେ, ଦିନ ୧୧ଟା ପରେ ଘରୁ ବାହାରିବା ବି ସମ୍ଭବ ହେଉ ନଥିଲା । ଦିନ ତ ଦିନ ରାତି ଆହୁରି କରୁଥିଲା ଅଥୟ । ରାତିରେ ତାପମାତ୍ରା ଅଧିକ ରହୁଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା, ଚା’ ଦୋକାନୀ ମୃତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗାଡି ଧକ୍କାରେ ଜଣେ ଚା’ ଦୋକାନୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଦିଲ୍ଲୀପ ପରିଡା ।

ସହିଦନଗର ଥାନା ପଣ୍ଡା ପାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଏଥିରେ ଥିବା ଆରୋହୀଙ୍କ ଅଟକ ରଖିଛି ପଚରା ଉଚରା କରୁଛି ପୋଲିସ ।।

ଦୁର୍ଘଟଣା କେମିତି ଘଟିଲା ? ଗାଡ଼ି କିଏ ଚଳାଉଥିଲା, ଏହାର ତଦନ୍ତ କରୁଛି ପୋଲିସ ।