ଭୁବନେଶ୍ୱର : ଅପରାଜିତାଙ୍କ ବିରୋଧରେ ଆହୁରି ତେଜିଲା ଅସନ୍ତୋଷ। ଭୁବନେଶ୍ବର ଓ ବେଗୁନିଆ ପରେ ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ପ୍ରତିବାଦ କରାଯାଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱ ନେଇ ଗତ ବିଧାନସଭା ନିର୍ବାଚନରେ ୭୨ ହଜାରରୁ ଅଧିକ ଭୋଟ ପାଇଥିବା ନେତା କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩୦୦୦ରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିବେ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି ହଜାର ହଜାର ସମର୍ଥକ। ଗତକାଲି ବିଜେପି କର୍ମୀ ମଳିପଡାରେ ଏକାଠି ହୋଇ ଅପରାଜିତାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି। ଆଜି ଖୋର୍ଦ୍ଧାରୁ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ ଅସନ୍ତୁଷ୍ଟ ବିଜେପି କର୍ମୀ।
ବାବା ଆଖଣ୍ଡଳମଣିଙ୍କ ଦର୍ଶନ କଲେ ଧାମନଗର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ
ଧାମନଗର : ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ନେତାଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ନିଜ ଅଞ୍ଚଳର ଇଷ୍ଟ ଦେବଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଲୋକମାନଙ୍କୁ ଭେଟୁଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରୁ ଏଥର ଡାକ୍ତର ସଂଜୟ ଦାସଙ୍କୁ ଟିକେଟ୍ ଦେଇଛି ବିଜେଡି। ଦଳୀୟ ଟିକେଟ ମିଳିବା ପରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରି ଶୁଭ ମନାସିଛନ୍ତି ସଞ୍ଜୟ ଦାସ। ପରେ ଭୋଟରଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଡାକ୍ତର ସଂଜୟ ଦାସ ଦୀର୍ଘମାସ ହେବ ଡାକ୍ତର ସେବାରୁ ଅବ୍ଯାହତ ନେଇ ରାଜନୀତିରେ ପାଦ ଥାପିଥିଲେ ମଧ୍ଯ ସାଧାରଣ ଲୋକଙ୍କ ସେବା କରି ଚାଲିଥିଲେ। ଏପରିକି ଧାମନଗର ସହ ବିଭିନ୍ନ ସ୍ଥାନରେ ମେଗା ସ୍ବାସ୍ଥ୍ଯମେଳା କରି ଲୋକଙ୍କ ପାଖରେ ବେଶ ଆଦୃତ ହୋଇପାରିଛନ୍ତି। ବିଶେଷକରି ମହାମାରୀ କରୋନା ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଉନ୍ନତ ସ୍ବାସ୍ଥ୍ଯସେବା ଯୋଗାଇଦେବା ପାଇଁ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ।
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଯାଜପୁର ପୋଲିସ
ଯାଜପୁର : ଆଗାମୀ ନିର୍ବାଚନ ପାଇଁ ପୁରା ସଜାଗ ଯାଜପୁର ପୋଲିସ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ପୋଲିସର ଫ୍ଲାଗମାର୍ଚ୍ଚ । ଛକ ଛକ ପଇଁତରା ମାରିବା ସହ ସମ୍ବେଦନଶୀଳ ପଞ୍ଚାୟତ ଏବଂ ପୌରାଞ୍ଚଳ ରେ ଫ୍ଲାଗମାର୍ଚ୍ଚ କରିଛି ଯାଜପୁର ପୋଲିସ । ଯାଜପୁର ଟାଉନ ଥାନା ପୋଲିସ ପକ୍ଷରୁ ଯାଜପୁର ନିର୍ବାଚନ ମଣ୍ଡଳୀ ର କେତେକ ପଞ୍ଚାୟତ ଏବଂ ଟାଉନ ପୌରାଞ୍ଚଳ ରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଯାଜପୁର ଜିଲ୍ଲାର ୭ ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନ ସମୟରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି ରେ ବ୍ୟାଘାତ ନଘଟିବ ସେନେଇ ପୋଲିସର ପ୍ରସ୍ତୁତି। ଯାଜପୁର ନିର୍ବାଚନ ମଣ୍ଡଳୀର ବିଚିତ୍ରପୁର , ବିରଜାପୂର୍ , ହୀରାପୁର , ସିର୍ଧରପୂର୍ ସହ ଯାଜପୁର ଟାଉନ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି।
ଆଇସିଏଲ୍ ଫିନକର୍ପର ବ୍ରାଣ୍ଡ ଆମ୍ବାସାଡର ହେଲେ ମେଗାଷ୍ଟାର ତଥା ଅଭିନେତ୍ରୀ ସାମନ୍ଥା
ନୂଆଦିଲ୍ଲୀ : ଭାରତର ଅନ୍ୟତମ ଅଗ୍ରୀଣ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ କମ୍ପାନି ଆଇସିଏଲ୍ ଫିନକର୍ପର ବ୍ରାଣ୍ଡ ଆମ୍ବାସାଡର ହେଲେ ମେଗାଷ୍ଟାର ତଥା ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ମାମୁଥି। ଏହି ଐତିହାସିକ ନିଷ୍ଫତ୍ତି ଆଇସିଏଲ୍ ଫିନକର୍ପର ପରମ୍ପରା ଏବଂ ଉତ୍କର୍ଷତାର ପ୍ରମାଣ ଭାବେ ଉଭା ହୋଇଛି । ଏହାସହ ଇଣ୍ଡଷ୍ଟ୍ରିରେ ଏହାର ସ୍ଥିତିକୁ ସୁଦୃଢ କରିଥିବା କହିଛି କମ୍ପାନୀ । ଆଇସିଏଲ୍ ଫିନକର୍ପର ଚେହେରା ଭାବେ ଏହି ଜାତୀୟ ସ୍ତରରେ ସ୍ବିକୃତିପ୍ରାପ୍ତ ମେଧାବୀ ବ୍ୟକ୍ତିତ୍ବକୁ ନିଯୁକ୍ତି ଦେଇ କମ୍ପାନୀର ଅଭିବୃଦ୍ଧି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରାଯାଇଛି । ଆଇସିଏଲ୍ ଫିନକର୍ପ ସହ ଯୋଡି ହୋଇଥିବାରୁ ଦୁଇ ମେଗା ଷ୍ଟାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଇସିଏଲ୍ ଫିନକର୍ପ ଅଧ୍ୟକ ତଥା ପରିଚାଳନା ନିର୍ଦ୍ଦେଶକ ଆଡଭୋକେଟ୍. କେ.ଜି ଅନୀଲ କୁମାର । କେରଳ, ତାମିଲନାଡ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ଅନେକରାଜ୍ୟରେ ଏହାର ଷ୍ଟୋର ରହିଛି ।
କଲବଲ କରୁଛି ଉପକୂଳରେ ତାତି ସହ ଗୁଳୁଗୁଳି
ଭୁବନେଶ୍ୱର : ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳରେ ତାତି ସହ ଗୁଳୁଗୁଳି କଲବଲ କରୁଛି । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହୁଛି ପାରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ । ଦିନ ୧୦ଟାରୁ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର। ଶିଶୁ, ବୟସ୍କ ଏବଂ ରୋଗୀଙ୍କୁ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି । ସାରା ରାଜ୍ୟରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେଇଛି ହଟ୍ ଓ୍ବେଦର କଣ୍ଡିସନ୍। ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ରାଜ୍ୟରେ ତାତି ଆହୁରି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେଇଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଉପକୂଳ ଓଡ଼ିଶାରେ ଦିନ ୧୦ଟା ପରେ ତାତିର ଅଘୋଷିତ କର୍ଫ୍ୟୁ ଲାଗୁଛି। ତାତି ସହ ଅସହ୍ୟ ଗୁଳୁଗଳିରେ ସନ୍ତୁଳିହେଉଛନ୍ତି ଲୋକେ। ଆଗାମୀ ୪,୫ ଦିନ ପର୍ଯ୍ୟନ୍ତ ଏହି ଭଳି ଆଦ୍ର ଓ ଉଷ୍ମ ପାଣିପାଗ ଜନିତ ସମସ୍ୟା ଲାଗିରହିବ।
କେବଳ ଦିନ ନୁହେଁ ରାତ୍ରୀର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ। ତେଣୁ ଏହି ପାଗରେ ଛୋଟ ପିଲା , ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତି ପ୍ରଭାବିତ ହୋଇପାରନ୍ତି। ଯଦି ପିକ୍ ଆଓ୍ବାରରେ କେହି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ସାଙ୍ଗରେ ଛତା ନେବାସହ ଧଳା ଶୁଷ୍କ ପୋଷାକ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ହଟ୍ ଓ୍ବେଦର କଣ୍ଡିସନ୍ ମଧ୍ୟରେ ଉତ୍ତର ଓଡ଼ିଶାରେ ରହିଛି କାଳବୈଶାଖୀ ଭୟ । ଆଜି ବଜ୍ରପାତ ଜନିତ ବର୍ଷା ପନବ ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର। ବର୍ଷା ହେଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବନି
ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ
ନୂଆଦିଲ୍ଲୀ : ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜନ ହେବ ଉତ୍ସବ । ଏହି ଉତ୍ସବ ଲାଗି ଗାର୍ଡ ସେରିମନିରେ ପରିବର୍ତ୍ତନ ହେବ ନାହିଁ । ଗାର୍ଡ ସେରିମନି ହେଉଛି ଏକ ସାମରିକ ପରମ୍ପରା ଯେଉଁଥିରେ ପ୍ରତି ସପ୍ତାହରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କୁ ପରିବର୍ତ୍ତନ କରାଯାଇଥାଏ । ଦେଶର ସର୍ବୋଚ୍ଚ୍ ବେସାମରିକ ସମ୍ମାନ ଲାଗି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ କୃଷି ବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ନାମ ଘୋଷଣା କରିଥିଲେ ସରକାର । ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ସେମାନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ଲାଗି ସରକାର ଘୋଷଣା କରିଥିଲେ ।
ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପାଇଁ ନବୀନ ନିବାସରେ ଭିଡ
ଭୁବନେଶ୍ୱର : ୧୨୮ ବିଧାନସଭା ଓ ୧୮ ଲୋକସଭା ଦଖଲ କରିବାକୁ ବିଜେଡିର ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ । ଏଥିପାଇଁ ଟିକେଟ ଘୋଷଣା ପରେ ନିର୍ବାଚନମଣ୍ଡଳୀରେ ଉତ୍ସାହ ଦେଖାଦେଇଛି । ପ୍ରାର୍ଥୀମାନେ ଶ୍ରୀଜଗନ୍ନାଥ ଓ ନିର୍ବାଚନମଣ୍ଡଳୀର ଦେବଦେବୀଙ୍କ ଆଶୀର୍ବାଦ ଦେଇ ପ୍ରଚାରର ଶୁଭାରମ୍ଭ କରିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦ ନେବା ଲାଗି ନବୀନ ନିବାସରେ ଭିଡ ଜମୁଛି। ନିର୍ବାଚନମଣ୍ଡଳୀରେ ଜନସେବା ପାଇଁ ସଂକଳ୍ପ। ବିଜୟ ପାଇଁ ଗୁରୁମନ୍ତ୍ର ଦେଉଛନ୍ତି ନବୀନ । ରାଜ୍ଯର ପ୍ରଥମ ରାଜନୈତିକ ଦଳ ଭାବେ ବିଜେଡି ୭୨ ଜଣ ବିଧାୟକ ଓ ୧୫ ଜଣ ସାଂସଦ ପ୍ରାର୍ଥୀ ଘୋଷଣା କରିଛି । ଏହା ପରେ ନବୀନ ନିବାସରେ ଲାଗିଛି ନେତାଙ୍କ ଗହଳି । ଟିକେଟ ପାଇଥିବା ନେତାମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଉଛନ୍ତି । ବିଜେଡିର ବଡ଼ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବା ସହ ସମନ୍ବୟ ରକ୍ଷା କରି କାମ କରିବାକୁ ପରାମର୍ଶ ଦେଉଛନ୍ତି । ଲୋକଙ୍କ ସହ ରହି ନିର୍ବାଚନମଣ୍ଡଳୀର ବିକାଶକୁ ତ୍ବରାନ୍ବିତ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ
ନୂଆଦିଲ୍ଲୀ : ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ । ଏନେଇ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି ଭାରତର ବୀମା ନିୟାମକ ଓ ବିକାଶ ନିୟାମକ ବା ଆଇଆରଡିଏ । ପଲିସିଧାରୀଙ୍କ ନିମନ୍ତେ ସୁବିଧା କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଥିବାବେଳେ ଏହି ଦିବସ ହେଉଛି ଚଳିତ ଆର୍ଥିକ ବର୍ଷର ଶେଷ ଦିନ । ପଲିସିଧାରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ଆଇଆରଡିଏ ନିର୍ଦ୍ଦେଶ ଦେଇଛି । ଆଇଆରଡିଏର ନିର୍ଦ୍ଦେଶ ପରେ ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି ପକ୍ଷରୁ କୁହାଯାଇଛି ସାରା ଦେଶରେ ଏହି ଦୁଇ ଦିନ ଏଲଆଇସିର ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ । ସେପଟେ ସରକାରୀ ସମ୍ପର୍କିତ କାରବାର ଜଡ଼ିତ ରହୁଥିବାରୁ ୩୧ ତାରିଖରେ ବ୍ୟାଙ୍କ ଶାଖାଗୁଡିକୁ ଖୋଲା ରଖିବା ଲାଗି ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ଯାଙ୍କ । ସାଧାରଣ କାର୍ଯ୍ୟଦିବସ ପରି ରବିବାର ବି ବ୍ୟାଙ୍କ ଶାଖାଗୁଡିକ କାର୍ଯ୍ୟ କରିବେ । ତେଣେ ଆସନ୍ତା ଏପ୍ରିଲ ୧ରେ ୨୦୦୦ ଟଙ୍କିଆ ନୋଟ ଜମା କରାଯାଇପାରିବ ନାହିଁ ବୋଲି କହିଛି ରିଜର୍ଭ ବ୍ଯାଙ୍କ । ବାର୍ଷିକ ଆକାଉଣ୍ଟ କ୍ଲୋଜିଂ କାର୍ଯ୍ୟ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୨ରୁ ୨୦୦୦ ଟଙ୍କିଆ ନୋଟ ଜମା ପ୍ରକ୍ରିୟା ଚାଲିବ । ମାର୍ଚ୍ଚ ୩୧ମଧ୍ୟରାତ୍ରୀ ଯାଏ ନ୍ଯାସନାଲ ଇଲେକ୍ଟ୍ରୋନିକସ ଫଣ୍ଡସ ଟ୍ରାନ୍ସଫର ବା ଏନଇଏଫଟି ଓ ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ ବା ଆରଟିଜିଏସ ଉପଲବ୍ଧ ହେବ ।
ଇସ୍ରାଏଲର ଘେରାବନ୍ଦୀ ଯୋଗୁ ବିପନ୍ନଙ୍କୁ ମିଳିପାରୁନି ସହାୟତା
ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଭୟଙ୍କର ଦୁର୍ଭିକ୍ଷ ସ୍ଥିତି । ଖାଦ୍ୟାଭାବରେ ସଢୁଛନ୍ତି ଲକ୍ଷ ଲକ୍ଷ ନାଗରିକ । ଇସ୍ରାଏଲର ଘେରାବନ୍ଦୀ ଯୋଗୁ ବିପନ୍ନଙ୍କୁ ମିଳିପାରୁନି ସହାୟତା । ସେପଟେ ଦୁର୍ଭିକ୍ଷକୁ ଏଡାଇବା ଲାଗି ଅଣ୍ଟାଭିଡିଛି ଜାତିସଂଘ । ସହାୟତା କାର୍ଯ୍ଯରେ ବାଧା ସୃଷ୍ଟି ନକରିବା ଲାଗି ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛି ଜାତିସଂଘ ଅଧୀନସ୍ଥ ଆନ୍ତର୍ଜାତିକ ନ୍ଯାୟ କୋର୍ଟ ବା ଆଇସିଜେ । ଗାଜାରେ ଯେପରି ମାନବିକ ସହାୟତା ପହଞ୍ଚିପାରିବ ଓ ମୌଳିକ ସେବା ଯୋଗାଯାଇପାରିବ ସେଥିରେ ସହାୟତା କରିବା କରିବା ଲାଗି ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛି ଆଇସିଜେ । ଆଉ କିଛି ସପ୍ତାହ ମଧ୍ଯରେ ଗାଜାରେ ଦୁର୍ଭିକ୍ଷ ରାଜ୍ କରିବ ବୋଲି ଆଶଙ୍କା କରିଛନ୍ତି କେତେକ ଆନ୍ତର୍ଜାତିକ ସଂଗଠନ । ସେପଟେ ଗାଜାରେ ଗଣହତ୍ଯା ଚାଲିଛି ବୋଲି ସାଉଥ ଆଫ୍ରିକା ପକ୍ଷରୁ ଆଇସିଜେରେ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି ଇସ୍ରାଏଲ ।
ଏହି ସବୁ ସମସ୍ୟା ଲାଗି ଜାତିସଂଘ ହଁତ ଦାୟୀ ବୋଲି କହିଛି ଇସ୍ରାଏଲ । କିଛି ଦିନ ମଧ୍ଯରେ ଗାଜାରେ ଭୟଙ୍କର ସଙ୍କଟ ଦେଖାଦେବ ବୋଲି ଗତ ସପ୍ତାହରେ ସତର୍କ କରାଇଥିଲା ବିଶ୍ବ ଖାଦ୍ଯ କାର୍ଯ୍ଯକ୍ରମ ଅଧୀନସ୍ଥ ସମନ୍ବିତ ଖାଦ୍ୟ ନିରାପତ୍ତା ସଂସ୍ଥା । ଗାଜାରେ ବର୍ତ୍ତମାନ 22 ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି ଏବଂ ଆସନ୍ତା ମେ ମାସ ଶେଷ ବେଳକୁ ଉତ୍ତର ଗାଜାରେ ଭୟଙ୍କର ଦୁର୍ଭିକ୍ଷ ପଡିବ ବୋଲି ଆଶଙ୍କା କରାଯାଉଛି । ଏପରି ସଙ୍କଟ କାଳରେ ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି ଲକ୍ଷାଧିକ ଶିଶୁ ।
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ମୟୂରଭଞ୍ଜ ଜିଲ୍ଲାର ଵିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଭାବରେ ସୁଦାମ ମାର୍ଣ୍ଡିଙ୍କ ନାମ ଘୋଷଣା ପରେ ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ଅନୁଭବି ନେତା ସୁଦାମ ମାର୍ଣ୍ଡି ଜଣେ ଦକ୍ଷ ରାଜନେତା ଏବଂ ଉତ୍ତମ ଲୋକସମ୍ପର୍କ ପାଇଁ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମଗ୍ର ରାଜ୍ୟର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ରହିଥିବା କହିଛନ୍ତି ସୁଦାମ ମାର୍ଣ୍ଡି । କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ବୋଲି ସୁଦାମ କହିଥିଲେ। କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ନାନନ୍ଦ ମହାନ୍ତିଙ୍କ ସମେତ ବିଜେଡ଼ିର ପ୍ରମୁଖ ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ବିଜେଡ଼ି ସମର୍ଥକମାନେ ବାରିପଦା ସହରରେ ବାଇକ ରାଲିରେ ସହର ପରିକ୍ରମା କରିଥିଲେ।

