ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୯ ତାରିଖ ଦିନ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଏଥର ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଜୁନ୍ ୧ରେ ମତଦାନ ପ୍ରକ୍ରିୟା ଶେଷ ହେବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଦେଖିବାକୁ ମିଳିଛି। ଉଭୟ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରେ ରାଲି, ରୋଡ୍ ସୋ ଏବଂ ଘରକୁ ଘର ପ୍ରଚାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଓ ତ୍ରିପୁରାରେ ୨ଟି ମେଗା ରାଲିରେ ଉଦ୍ବୋଧନ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କର୍ଣ୍ଣାଟକରେ ଦୁଇଟି ରାଲିରେ ଉଦ୍ବୋଧନ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେରଳରେ ୩ଟି ରାଲି କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ଉତ୍ତରପ୍ରଦେଶର ଶାହରଣପୁରରେ ଏକାଧିକ ଜନସଭାରେ ଉଦ୍ବୋଧନ ଦେଇଛନ୍ତି।
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
କଟକ: ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ। ୯୧ ବର୍ଷ ବୟସରେ ସଚ୍ଚି ଦାସଙ୍କ ଦେହାନ୍ତ ହୋଇଛି। କଟକ ତୁଳସୀପୁର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି। ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି। ଓଡ଼ିଶା ନାଟ୍ୟମଞ୍ଚର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ଓ ନିର୍ଦ୍ଦେଶକ ସଚ୍ଚି ଦାସ। କଟକରୁ ତାଙ୍କ ମର ଶରୀର ବରୀ ଆନନ୍ଦପୁର ସ୍ଥିତ ବାସ ଭବନକୁ ଅଣାଯାଇ ନିଜ ପୈତୃକ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ।
ଯାଜପୁର ବରୀରେ ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲା ବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ବୟସ ବଢ଼ିବା ସହିତ ସେ କଳା ଜଗତରେ ନିଜକୁ ବେଶ ପ୍ରତିଷ୍ଠିତ କରିଥିଲେ। ସେ ବିଭିନ୍ନ ଚଳଚ୍ଚିତ୍ର, ମେଗା ଧାରାବାହିକରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲେ। ବିଶେଷ କରି ଯାତ୍ରା ଜଗତରେ ଜଣେ ନିର୍ଦ୍ଦେଶକ ଭାବେ ସେ ବେଶ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ଅନେକ ଯାତ୍ରା ବିଶେଷ ଲୋକପ୍ରିୟ ହୋଇ ପ୍ରଶଂସା ସାଉଁଟିଥିଲା ବେଳେ ତାଙ୍କ ନିର୍ଦ୍ଦେଶନାରେ ଶାଗୁଣା ବସିଛି ଡେଣା ମେଲାଇ ନାଟକ ବେଶ ସଫଳ ଓ ଲୋକପ୍ରିୟ ହୋଇଥିଲା। ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରା ନାଟକ ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ କରିଛି। ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’, ‘ଏ ନୁହେଁ କାହାଣୀ’ ର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଅର୍ଦ୍ଧ ସହସ୍ର ମଞ୍ଚ ନାଟକ ଓ ଚାରିଶହରୁ ଅଧିକ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଯାତ୍ରା ଜଗତକୁ ନୂତନ ତଥା ଆଧୁନିକ ରୂପ ଦେବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଛି।
ମଞ୍ଚ, ଯାତ୍ରା, ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ନିମନ୍ତେ ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଥିଲେ।। ୨୦୦୦-୨୦୦୧ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶନା ପୁରସ୍କାରରେ ସମ୍ମାନିତ ଏବଂ ୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନୀତ ହୋଇଥିଲେ ସଚ୍ଚି ଦାସ।
ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ
ଅନୁଗୁଳ: ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ୧୦ ବର୍ଷ ଧରି କେନ୍ଦ୍ର ମନ୍ତ୍ରୀ ପଦରେ ରହି ଓଡ଼ିଶା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ। ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ପଡିଆରେ ପହଞ୍ଚି ପ୍ରଣବ କର୍ମୀ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଜାତୀୟ ରାଜପଥ ଦୁରାବସ୍ଥା ନେଇ ଘେରିଥିବାବେଳେ କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଶାର ବିକାଶ ଦିଗରେ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ।
ସୂଚନା ଅନୁଯାୟୀ, ଆୟୋଜିତ କର୍ମୀ ସମ୍ମିଳନୀରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବହୁ ନେତା ଓ କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ। ଏହି ଅବସରରେ ତାଙ୍କ ସହିତ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ମଧ୍ୟ ଉପସ୍ଥିତ ରହିଥିଲେ।

